Unknown

 

 

 

 

 

 

 

 

 

 

 

ଫମାଲୋଚନା

ଫତୁରାନନ୍ଦ

 

ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ଉଦାର ହୃଦୟେଷୁ

 

ମହାଶୟ

 

ଜଟିଳ ନ୍ୟାୟବେଷ୍ଟନୀ ଭିତରେ ଆବଦ୍ଧ ରହି ସୁଦ୍ଧା ଆପଣ ଯେପରି ଭାବରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପୃଷ୍ଠପୋଷକତା କରି ଆସୁଅଛନ୍ତି ତାହା ପ୍ରତ୍ୟେକ ସାହିତ୍ୟପ୍ରେମୀଙ୍କୁ ମୁଗ୍‌ଧ କରିଛି । ଆପଣଙ୍କର ଏହି ମହନୀୟ ଗୁଣଲାଗି ଆପଣଙ୍କ ହସ୍ତରେ ଏହି ଫମାଲୋଚନା ଗ୍ରନ୍ଥଟି ସମର୍ପଣ କରୁଛି । ସାଦର ଗ୍ରହଣ କଲେ ନିଜକୁ ଗୌରବାନ୍ୱିତ ମନେ କରିବି ।

 

ଆପଣଙ୍କର ଗୁଣମୁଗ୍‌ଧ

ଫତୁରାନନ୍ଦ

Image

 

ଉପହାର

 

ଶ୍ରୀଯୁକ୍ତ/ଶ୍ରମତୀ.........................

 

ସ୍ନେହ/ ଶ୍ରଦ୍ଧା/ ଭକ୍ତିର ନିଦର୍ଶନ ସ୍ୱରୂପ ଅର୍ପଣ କଲି ।

 

ସ୍ୱ...............................

ତା...............................

Image

 

ମୋ ଆଡ଼ୁ ପଦେ

 

ଜଣେ ଲୋକ ଗୋଟିଏ ଦୋକାନୀକୁ ପଚାରିଲେ–‘‘ହେ ଏଠି ନଡ଼ିଆ ମିଳିବ ?’’ ଦୋକାନୀଟି ଟିକିଏ ଆଗରୁ ଗୋଟିଏ ଗରାଖ ସଙ୍ଗେ ତେରିମେରି ହୋଇ ତୀଖା ମିଞ୍ଜାସଯୁକ୍ତ ହୋଇଯାଇଥିଲେ । ବିରକ୍ତ ହୋଇ କହିଦେଲେ—ଏଠି ନଡ଼ିଆ ଫଡ଼ିଆ କିଛି ନାହିଁ । ଲୋକଟି ନିଶ୍ଚୟ ଭାବିଥିବ—ନଡ଼ିଆଟାକୁ ତ ଜାଣେ, ଯାହା ଦି’ଫାଳ ରୁଟି ଓ ଗିଲାସେ ମଦ ଥିବା ଏକ ଫଳବିଶେଷ ଏବଂ ଏହା ଯେଉଁଠି ଗଛରେ ଫଳୁଛି ସେ ଦେଶ ନିଶ୍ଚୟ ସ୍ୱର୍ଣ୍ଣପ୍ରସୂ ଭାବି ସିକନ୍ଦର ଭାରତକୁ ଆସିଥିଲେ । ଏହା ସହିତ ଆମେ ଅତି ପରିଚିତ, ଯେହେତୁ ଏହା ପ୍ରତ୍ୟେକ ଧର୍ମ–କର୍ମରେ ଲାଗିଥାଏ, କିନ୍ତୁ ଏ ଫଡ଼ିଆ ଫଳଟି କଅଣ ? ଫଡ଼ିଆ ଫଳ ବିଷୟରେ ଦୋକାନୀକୁ ପଚାରି ସେ ହୁଏତ ଗାଳିଗୁଲଜ ଶୁଣିଥିବେ । ବହୁ ଲୋକଙ୍କୁ ପଚାରି ହାସ୍ୟାସ୍ପଦ ହୋଇଥିବେ । ସେ ଭାବି ଅବଶ୍ୟ ସ୍ଥିର କରିଥିବେ ଯେ ଦୋକାନୀର କହିବାର ଉଦ୍ଦେଶ୍ୟ ହେଲା—ନଡ଼ିଆ ତ ନଡ଼ିଆ ଫଡ଼ିଆ ବି ନାହିଁ, ଅର୍ଥାତ୍‌ ନଡ଼ିଆ ନାହିଁ କି ତାର ପାଖାପାଖି ଫଳ ନାହିଁ, ଏପରିକି ତାର ବିପରୀତଧର୍ମୀ ଫଳଟିଏ ବି ନାହିଁ । ଏହିପରି ଭାବରେ ଶାଗ ପାଖରେ ଫାଗ, ଭାତ ପାଖରେ ଫାତ, ତିଅଣ ପାଖରେ ଫିଅଣ ଓ ପୁରି ପାଖରେ ଫୁରି ବସିଥାଏ ।

 

ସମାଲୋଚନା କ୍ଷେତ୍ରରେ ଏମିତିଆ ଏକ ଅବସ୍ଥା ଉପୁଜିଲା । ସମାଲୋଚନା କରିବାକୁ ଅନେକ ସମାଲୋଚକ ବେଳେ ବେଳେ ରାସ୍ତାରୁ ଖସିଯାଇ ଧ୍ୱଂସଲୀଳା ଘଟାନ୍ତି ଠିକ୍‌ ଟ୍ରେନ୍‌ଟିଏ ଧାରଠାରୁ ଖସି ପଡ଼ିଲେ ଯେପରି ଧ୍ୱଂସଲୀଳା ଘଟାଏ । ସମାଲୋଚନାର ଅର୍ଥ ହେଲା, ବହିର ଭଲ ମନ୍ଦ ଦେଖାଇ ଲେଖକକୁ ମାର୍ଜିତ କରିବା, ତାର ଉନ୍ନତିର ମାର୍ଗ ପରିଷ୍କାର କରିବା । କିନ୍ତୁ ଏପରି କେତେକ, ଅପରିପକ୍ୱ ସମାଲୋଚକ ଅଛନ୍ତି ଯେଉଁମାନେ କି ବହିର ସମାଲୋଚନା କରିବାକୁ ଯାଇ ଲେଖକର ସାତପୁରୁଷଙ୍କ ଉଦ୍ଦେଶ୍ୟରେ ଅପିଣ୍ଡ ବାଢ଼ନ୍ତି, ଯାହାଦ୍ୱାରା କି ଲେଖକ କଲମକୁ ଚୁଲିରେ ଭରିଦିଏ । ସମାଲୋଚନାର ବିପରୀତଧର୍ମୀ ବହୁ ଲେଖା ମୁଁ ଦେଖିଛି । ତା’ର କଅଣ ନାମକରଣ ହେବ, ସେଥିଲାଗି ଭାବୁ ଭାବୁ ମୋ ମନକୁ ଫମାଲୋଚନା ଶବ୍ଦଟି ଆସିଲା । ତାକୁଇ ମୁଁ ଧରିନେଲି । ଫମାଲୋଚନା ଲେଖକୁ ଫମାଲୋଚକ ବୋଲି ଧରିନେଲି ।

 

ମାଙ୍କଡ଼ାମିଟା କେମିତିଆ ଜିନିଷ ତାହା ସମସ୍ତେ ଜାଣନ୍ତି । ମୋର ମଧ୍ୟ ସେହିପରି ମାଙ୍କଡ଼ାମି କରିବାର ଭାରି ଇଚ୍ଛା ହେଲା । ସଙ୍ଗେ ସଙ୍ଗେ ଫମାଲୋଚନା ଲେଖି ବସିଲି । ପତ୍ରିକାମାନଙ୍କୁ ପଠାଇଲି । ଅନେକ ବନ୍ଧୁ ତାରିଫ୍‌ ବୁକ୍‌ ଷ୍ଟୋର୍‌ର ସତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ଗୋବିନ୍ଦ ପାତ୍ରଙ୍କ ସଙ୍ଗେ ମୋର ସମ୍ପର୍କ କରାଇ ଦେଲେ ଶ୍ରୀଯୁକ୍ତ ବିଜୟାନନ୍ଦ ସିଂହ । ଫଳରେ ବହିଟା ଚଟାପଟ୍‌ ବାହାରିଗଲା । ଏଥିଲାଗି ମୁଁ ଉଭୟଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଅଛି । ଭୁବନେଶ୍ୱରର ଶିଳ୍ପୀ ଶ୍ରୀ ଜଗନ୍ନାଥ ଦାସ ମୋ ମନକୁ ଚାହିଁ ପ୍ରଚ୍ଛଦପଟଟି ଆଙ୍କି ଦେଇଥିବାରୁ ତାଙ୍କଠାରେ କୃତଜ୍ଞତା ଜଣାଉଅଛି । ହାସ୍ୟରସିକ ଡଃ ଶ୍ରୀ କୁଳମଣି ମହାପାତ୍ର ଏ ବହିର ଭୂମିକାଟି ଲେଖିଥିବାରୁ ତାଙ୍କଠାରେ ଋଣୀ କୁଳମଣି ମହାପାତ୍ର ଏ ବହିର ଭୂମିକାଟି ଲେଖିଥିବାରୁ ତାଙ୍କଠାରେ ଋଣୀ ରହିଲି । ଅଧ୍ୟାପକ ସର୍ବଶ୍ରୀ କୃଷ୍ଣ ଚରଣ ବେହେରା, ବୈଷ୍ଣବ ସାମଲ, ରତ୍ନାକର ଚଇନି ବହି ଲେଖାରେ ମୋତେ ଉତ୍ସାହିତ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି ସର୍ବୋପରି ମୋର ପୂଜ୍ୟ ଶୁଭେଚ୍ଛୁ ଶ୍ରୀଯୁକ୍ତ ହୃଦୟାନନ୍ଦ ନାୟକ ଏଥିରେ ମୋତେ ପ୍ରେରଣା ଦେଇଥିବାରୁ ତାଙ୍କ ନକଟରେ ମୋର ଅନ୍ତରର ଭକ୍ତି ଜଣାଉଅଛି ।

 

ଫତୁରାନନ୍ଦ

Image

 

ଗ୍ରନ୍ଥ ପ୍ରବେଶ

 

ଫତୁରାନନ୍ଦଙ୍କ ଫମାଲୋଚନା ପୁସ୍ତକଟି ବାସ୍ତବିକ ଏକ ସମାଲୋଚନା, ମାତ୍ର ଏହା ବିଷୟବସ୍ତୁର ଆଗରୁ ଆରମ୍ଭ ନ ହୋଇ ପଛରୁ ଆରମ୍ଭ ହୋଇଛି । ଏହା ପ୍ରତ୍ୟେକ ବିଷୟର ଏକ ଗଞ୍ଜେଇ ଗବେଷଣା ପରି ।

 

ହାସ୍ୟରସିକ ଫତୁରାନନ୍ଦ ଫତୁରାଖୋର ଥିବାରୁ ସେ ଏହି ରମ୍ୟରଚନାଗୁଡ଼ିକରେ ଜିରାରୁ ଶିରା ବାହାର କରିଛନ୍ତି । ପୁଣି ତାଙ୍କ ଉପଜୀବ୍ୟ ହେଉଛି ବିଖ୍ୟାତ କବିମାନଙ୍କର ବିଖ୍ୟାତ ପଙ୍‍କ୍ତିମାନ । ତାହା ମଧ୍ୟରୁ ହାସ୍ୟର ଫୁଆରା ବାହାର କରିବା ଏକ ଅଲୌକିକ ବିଦ୍ୟା । ଏ ବିଦ୍ୟା ସମସ୍ତଙ୍କୁ ଜଣା ନଥାଏ । ଲେଖକ ଏ ବିଦ୍ୟାରେ ଜଣେ ଆଚାର୍ଯ୍ୟ ।

 

ଯେ କୌଣସି ପଦାର୍ଥକୁ ବିକ୍ତୃତ କରି ହାସ୍ୟରସ ସୃଷ୍ଟି କରାଯାଇପାରେ । ଫତୁରାନନ୍ଦଙ୍କ ଫମାଲୋଚନା ନ ପଢ଼ିଲେ ଏ ମତବାଦର ସାର୍ଥକତା ଉପଲବ୍‌ଧ କରି ହେବ ନାହିଁ ।

 

ଉତ୍କଳମଣି ଗୋପବନ୍ଧୁ ଦାସ ବାଷ୍ପୀୟ ଶକଟକୁ ରହ ବୋଲି କହିବା ଦ୍ୱାରା ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି । ଏହାକୁ ବିନା କାରଣରେ ଚେନଟାଣି ଟ୍ରେନ୍‌କୁ ଅଟକାଇବା ଅପରାଧ ସହ ସମାନ କରାଯାଇପାରେ । କାରଣ କୌଣସି ବିଶେଷ ଘଟଣା ନେଇ ସେ ଅଟକାଉ ନାହାନ୍ତି । କେବଳ ଚିଲିକାର ଚିତ୍ରପଟକୁ ସଉକରେ ଦେଖିବାକୁ ଶହ ଶହ ଲୋକଙ୍କର କ୍ଷତି କରୁଛନ୍ତି । ତେଣୁ ଏହା ଗୋପବନ୍ଧୁଙ୍କ ଲେଖା ହୋଇ ନ ପାରେ ।

 

ଏହିପରି ଭାବରେ ପ୍ରତ୍ୟେକ ହାସ୍ୟ ରଚନାରେ ପ୍ରସିଦ୍ଧ କବିଙ୍କର ପଂକ୍ତିଗୁଡ଼ିକର ଅନର୍ଥ କରାଯାଇଛି କେବଳ ହାସ୍ୟ ସୃଷ୍ଟି କରିବା ପାଇଁ । ଶୁଦ୍ଧ ହାସ୍ୟରସ ସୃଷ୍ଟିକରି ପାଠକପ୍ରାଣରେ ଆନନ୍ଦ ଦେବା କବିଙ୍କର ଏକମାତ୍ର ଲକ୍ଷ୍ୟ ।

 

ଆଜିକାର ଦୁନିଆରୁ କ୍ରମେ ହାସ୍ୟ ଅପସରି ଯାଉଛି । କେହି ପ୍ରାଣ ଖୋଲା ହସ ହସୁନାହିଁ । କେହି ମଧ୍ୟ ହସାଇବାକୁ ଚେଷ୍ଟା କରୁନାହିଁ । ସମସ୍ତେ କେବଳ ନିଜ ନିଜ ଧନ୍ଦାରେ ବ୍ୟସ୍ତ-। ଫତୁରାନନ୍ଦ ସମାଜର ଏ ପରିସ୍ଥିତିକୁ ପସନ୍ଦ କରିପାରି ନାହାନ୍ତି । ସତେ ଯେପରି କଳକଳ, ଛଳଛଳ ହସ, ପ୍ରାଣ ଖୋଲା ହସ ଓ ଜୀବନକୁ ଉପଭୋଗ କଲାପରି ହସ ତାଙ୍କର ଲୋଡ଼ା । ତା ନହେଲେ ଏ ସଂସାର ରସଶୂନ୍ୟ ହୋଇ ନିରସ ଋକ୍ଷ ଓ ଅସାର ହୋଇପଡ଼ିବ ।

 

‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ’ ଏହି ପଦଟି କବିଙ୍କ ମନକୁ ପାଇନାହିଁ । କାରଣ ‘ଭବରଙ୍ଗ ଭୂମିତଳେ’ର ପ୍ରୟୋଗ ସମ୍ବନ୍ଧରେ ତାଙ୍କର ଆପତ୍ତି ହେଉଛି ରଙ୍ଗଭୂମି ତଳେ ଅଭିନୟ ହେବାଟା ଅଯୌକ୍ତିକ । ଅଭିନୟଟା ସବୁବେଳେ ରଙ୍ଗମଞ୍ଚ ଉପରେ ହୁଏ । ଲୋକେ ତଳେ ବସନ୍ତି । ମାତ୍ର ଲୋକେ ରଙ୍ଗମଞ୍ଚ ଉପରେ ବସି ଅଭିନେତାମାନେ ରଙ୍ଗମଞ୍ଚ ତଳେ ଅଭିନୟ କଲେ କେତେ ହାସ୍ୟାସ୍ପଦ କଥା ହେବ ! ଛୋଟିଆ ରଙ୍ଗମଞ୍ଚ ଉପରେ ଦର୍ଶକମାନେ ବସିବେ ଓ ବିରାଟ ଦର୍ଶକ ଗ୍ୟାଲେରୀରେ ଅଭିନେତାମାନେ ଅଭିନୟ କରିବେ, ଫାମୋଲୋଚକଙ୍କ ମନକୁ ଏ କଥାଟା ପାଉନଥିବାରୁ ସେ ଏହାକୁ ଭୁଲ୍‍ ବୋଲି କହିଛନ୍ତି ।

 

ମାତ୍ର ଅନେକ ସମୟରେ ଫତୁରାନନ୍ଦଙ୍କ ହାସ୍ୟ ଅନେକଗୁଡ଼ିଏ ତଥ୍ୟ ପ୍ରକାଶ କରି ଫମାଲୋଚନାକୁ ସମାଲୋଚନାର ମୂଲ୍ୟ ପ୍ରଦାନ କରିଛି ଓ ତାଙ୍କର ଯୁକ୍ତି ହାସ୍ୟୋଦ୍ରେକକାରୀ ନହୋଇ ଯୁକ୍ତିଯୁକ୍ତ ହୋଇଛି ବୋଲି ମନେହୁଏ ।

 

ଗଜ ଉଦ୍ଧାରଣ ପ୍ରସଙ୍ଗକୁ ସମାଲୋଚନା କରି ଲେଖକ କହିଛନ୍ତି–‘ଗୋଟିଏ ଗଜ ପାଣି ପିଇବାକୁ କିପରି ଗଲା । ସାଧାରଣତଃ ହାତୀମାନେ ଦଳବଦ୍ଧ ହୋଇ ପାଣି ପିଇବାକୁ ଯାଆନ୍ତି, ପୁଣି ଗୋଟିଏ ଗୋଡ଼କୁ କୁମ୍ଭୀର ଧରିଲା ବେଳେ ଗଜଟି ଶୁଣ୍ଢ ସାହାଯ୍ୟରେ ତାକୁ ଟାଣି ଆଣି ପାରିଥାନ୍ତା କିମ୍ବା ଅନ୍ୟ ତିନି ଗୋଡ଼ରେ ମନ୍ଥନକରି ଦେଇ ପାରିଥାନ୍ତା । ପୁନଶ୍ଚ ହାତୀର ପେଁ ପେଁ ଶବ୍ଦରେ ଅନ୍ୟ ହାତୀମାନେ ନ ଆସିଲେ ବା କିପରି !’

 

ପୌରାଣିକ କାହାଣୀର ତ୍ରୁଟି ବାହାର କରି ଆଧୁନିକ ଷ୍ଟାଇଲ୍‌ରେ ଯୁକ୍ତି କରି କେବଳ ହାସ୍ୟରସ ସୃଷ୍ଟିକରା ଯାଇ ନାହିଁ ବରଂ ଯୁକ୍ତିର କିଛି ସାରବତ୍ତା ଥିଲାପରି ଜଣାପଡ଼େ । ତେଣୁ ଏହିପରି କେତେକ ସ୍ଥାନରେ ଫମାଲୋଚନାଟି ସମାଲୋଚନାରେ ପରିଣତ ହୋଇଅଛି ।

 

ସେ ଯାହାହେଉ, ଲେଖକଙ୍କର ଏହା ଏକ ଅଭିନବ ଉଦ୍ୟମ । ସାଧାରଣ ଫତୁରାନନ୍ଦୀୟ ଷ୍ଟାଇଲ୍‌ରୁ ଏହା ବିଚ୍ୟୁତ ହୋଇ ଏକ ନୂତନ ଧରଣର ଶୈଳୀ ସୃଷ୍ଟି କରିଛି । ପରିଣତ ବୟସରେ ଉପନୀତ ହୋଇଥିଲେ ହେଁ ଫତୁରାନନ୍ଦଙ୍କ ହାସ୍ୟ ଦିନକୁଦିନ ଅଭିନବରୂପ ଗ୍ରହଣ କରୁଛି । ଏହା ଏକ ଆଶାର ବାଣୀ । ସେଥିଲାଗି ଆମ୍ଭେ ତାଙ୍କୁ ଅଭିନନ୍ଦନ ଜଣାଉଛୁ । ଇତି

 

ରସରାଜ ଡକ୍‌ଟର କୁଳମଣି ମହାପାତ୍ର

Image

 

ସୂଚୀପତ୍ର

 

୧.

ଦଣ୍ଡିବା ଶକ୍ତି ଯାର ଥାଇ

୨.

ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ

୩.

ଗଜର ଡାକ

୪.

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

୫.

ତୁହାଇ ତୁହାଇ ପୁଟ ଦେଲେ

୬.

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

୭.

ବଡ଼ କ୍ରୂର କାଳ ବଡ଼ ଅବିଶ୍ୱାସୀ

୮.

କେହି ରହିନାହିଁ ରହିବେ ନାହିଁଟି

୯.

ଧର୍ମ ଏକ ପୋତ

୧୦.

ମାତୃଭାଷାର ମମତା

୧୧.

କାଞ୍ଚନେ ବାଞ୍ଛା

୧୨.

ରହ ରହ କ୍ଷଣେ ବାଷ୍ପୀୟ ଶକଟ

୧୩.

ବହୁତ ଲୋକ ଯହିଁ ମିଳି

୧୪.

ଏହି ସହକାର ତଳେ

୧୫.

ମାଟି ଓ କବି ଗଡ଼ନାୟକ

୧୬.

ଗୋଲିଖଟିଆ କିମ୍ବଦନ୍ତୀ

୧୭.

ଉଠ କଙ୍କାଳ

୧୮.

ମିଶୁ ମୋର ଦେହ ଏ ଦେଶ ମାଟିରେ

୨୯.

ମାଆ ମାଆ ବୋଲି ଯେତେ ମୁଁ ଡାକିଲି

୨୦.

ଗଡ଼ନାୟକଙ୍କ ସଜନୀ

Image

 

ଦଣ୍ଡିବା ଶକ୍ତି ଯାର ଥାଇ

 

‘ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ’

 

କେଉଁ ସୁଦୂର ଅତୀତ କାଳରେ ଭାଗବତକାର ଜଗନ୍ନାଥ ଦାସ ଏହି ଦୁଇପଦ କବିତା ଲେଖିଦେଇ ଯାଇଥିଲେ । ଆଜିଯାଏ ପଖାଳ ବନ୍ଧୁ ଓଡ଼ିଆମାନେ ତାକୁ ଘୋରିବାଟି ପାଦୁକ ପାଇଲାପରି ପାଇଆସିଲେ । ସାରୁ ଭିତରେ ମାରୁ କେଉଁଠି ରହିଗଲା ସେ ବିଷୟରେ ଟିକିଏ ହେଲେ ଚିନ୍ତା କଲେନାହିଁ । ସାରୁ ଖାଇଲା ଲୋକେ ସମସ୍ତେ ତା’ଭିତରେ ଥିବା ମାରୁକୁ ଦେଖିପାରନ୍ତି । ସେମାନଙ୍କର ପ୍ରବଳ ଅନୁସନ୍ଧିତ୍ସା ଥାଏ, ତେଣୁ ସେମାନେ ଜାଣିପାରନ୍ତି । ସାରୁଟିଏ ସେମାନେ ଖାଇଦେବା ମାତ୍ରେ ତନ୍ମଧ୍ୟସ୍ଥ ମାରୁ ସେମାନଙ୍କୁ ପାଟି ବା କଣ୍ଠକୁ ଗଲ ଗଲ କରେ । ବାସ୍‌ ଏତିକି ଯଥେଷ୍ଟ । ସେ ବିଜ୍ଞାନୀମାନେ ସାରୁକୁ ପକଡ଼ି ଲାବୋରେଟୋରିରେ ବସିଯାଆନ୍ତି । ସେମାନଙ୍କ ମନରେ ଖଇ ଫୁଟିଲା ପରି ପ୍ରଶ୍ନଗୁଡ଼ାକ ଭର ଭର ହୋଇ ଫୁଟେ । ଏ ଗଲ ଗଲ କଲା କିଏ ? ସାରୁ ଭିତରେ ଥିବା କୌଣସି ଏକ ମାରୁ ନା ଆଉ କିଛି ? ଯଦି ମାରୁ, ତେବେ ସାରୁର କେଉଁ ସ୍ଥାନରେ ବିଦ୍ୟମାନ, ତାହାର ସ୍ୱରୂପ କିପରି, ତା’ର ରାସାୟନିକ ଉପାଦାନଗୁଡ଼ିକ କଅଣ ? ଏହାର ଗଲଗଲକାରୀ ଶକ୍ତିର ସ୍ଥାୟିତ୍ୱ କେତେ ମିନିଟ ବା କେତେ ଘଣ୍ଟା ? ମାର୍ଶାଲ ସାହାଯ୍ୟରେ ଦୁଷ୍ଟ ପ୍ରକୃତିର ଲୋକସଭା ବା ବିଧାନସଭା ସଭ୍ୟଙ୍କୁ ଗୃହ ଭିତରୁ ବାହାରକୁ କାଢ଼ିଦେଲା ପରି କିପରି ପ୍ରକ୍ରିୟାରେ ସାରୁ ଭିତରୁ ମାରୁକୁ ବହିଷ୍କାର କରିହେବ, ଇତ୍ୟାଦି ଇତ୍ୟାଦି । ପ୍ରଶ୍ନର ମୁକାବିଲା କରିବା ଲୋକେ ସେମାନେ । ତତ୍‌କ୍ଷଣାତ୍‌ ବିଶ୍ଳେଷଣ କାର୍ଯ୍ୟରେ ଲାଗିପଡ଼ନ୍ତି ଏବ ମାରୁର ସ୍ୱରୂପକୁ ପ୍ରଘଟ କରାନ୍ତି । ସାରା ପୃଥିବୀକୁ ଜଣାଇ ଦିଅନ୍ତି ଯେ ଏ ମାରୁ ହେଉଛି ସାର୍ବିକ ଏସିଡ଼ ନାମକ ଏକ ଗଲଗଲକାରୀ ପଦାର୍ଥ । ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ପାଣିରେ ସାରୁକୁ ୧୫ ମିନିଟ୍‌ ୫୯ ସେକେଣ୍ଡ ରଖିଲେ ଏହା ସାରୁ ଦେହରୁ ଜଳ ମଧ୍ୟକୁ ଅପସାରିତ ହୁଏ ଏବଂ ଏହି ଜଳକୁ ବହିର୍ଦେଶକୁ ଫିଙ୍ଗିଦେଲେ ସାରୁର ଗଲଗଲକାରୀ ଶକ୍ତି ବିନଷ୍ଟ ହୁଏ । ଏ ସବୁ କାରବାର କେବଳ ଆମେରିକା ଓ ରୁଷର ବିଜ୍ଞାନୀମାନଙ୍କ ପକ୍ଷେ ସମ୍ଭବ, ପରିଶ୍ରମକାତର ପଖାଳବନ୍ଧୁ ଓଡ଼ିଆମାନଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । ଏ ସାରୁ ମାରୁ ବିଷୟଟି ଏକ ଉପଲକ୍ଷ୍ୟ ମାତ୍ର । କଥାଟି ହେଲା ଏ ସାରୁ ରୂପୀ ଦୁଇପଦ କବିତା ମଧ୍ୟରେ ମାରୁ ରୂପୀ ଦୋଷ ରହିଲା କେଉଁଠି ? ଓଡ଼ିଆମାନେ ଯଦି ଏ ବିଷୟରେ ଗବେଷଣା କରିଥାଆନ୍ତେ ତେବେ ଦୋଷ ତ୍ରୁଟି ନିଶ୍ଚୟ ଦେଖିପାରି ଥାଆନ୍ତେ, ତାକୁ ଆଜିଯାଏ ଘୋରି ବାଟି ପିଉ ନ ଥାନ୍ତେ । କବିତାର ସଂଶୋଧନ କେଉଁଦିନଠାରୁ କରି ସାରନ୍ତେଣି । ଏବେ ତା’ର ବିଶ୍ଳେଷଣର ଦିନ ଆସିଯାଇଛି । ଆଜିଯାଏ କେହି କରିନାହାନ୍ତି ବୋଲି ଆମେ ମଧ୍ୟ ନିଶ୍ଚେୟ ହୋଇ ରହିଯିବୁ, ତାହା ହୋଇ ନ ପାରେ । ସେ ସବୁ ଗଡ୍‍ଡାଳିକା ନ୍ୟାୟ ଆମ ଜାତକରେ ନାହିଁ । କେହି ମର୍‌ଭୁକା ଅବଧାନ ବା ଜ୍ୟୋତିଷୀ ଯଦି ଆମ୍ଭ ଶତ୍ରୁମାନଙ୍କ କୁପରାମର୍ଶରେ ପ୍ରଭାବିତ ହୋଇ ଆମ୍ଭର ଏକ କୃତ୍ରିମ ଜାତକ ପ୍ରସ୍ତୁତ କରି ତନ୍ମଧ୍ୟରେ ଉପରୋକ୍ତ ବିଷୟଟି ଆତଙ୍କବାଦୀମାନେ ଗୁପ୍ତ ଟାଇମ୍‌ ବୋମା ରଖିଦେଲା ପରି ରଖିଦିଅନ୍ତି ତେବେ ଆମ୍ଭେ ତହିଁରେ ଦାୟୀ ନୋହୁ । ଆମେ ଅଲବତ୍‌ ବିଶ୍ଳେଷଣ କରିବୁ । କିଏ କଅଣ କଲା ବା ନ କଲା ସେଥିପ୍ରତି ଆମେ ବିଲ୍‌କୁଲ୍‌ ଚାହିଁ ଯିବୁନି ।

 

ବର୍ତ୍ତମାନ ଏ କବିତା ସାରୁ ଭିତରୁ ମାରୁ ଖୋଜିବା ପୂର୍ବରୁ ‘ଦଣ୍ଡ’ ଆଉ ‘କ୍ଷମା’ ବିଷୟରେ ଆଲୋଚନା କରିବା । ଦଣ୍ଡକୁ ଆମେ ସାଧାରଣତଃ ବିଧା, ଗୋଇଠା, ମୁଥ; କାନମୋଡ଼ା, ଚାପୁଡ଼ା, ବେତ ପ୍ରହାର, ପୁଲିସର ମୃଦ ଓ କଠୋର ଲାଠି ଚାଳନା ଜେଲ୍‌ରେ ଭର୍ତ୍ତି କରିବା, ଜୋରିମାନା ବୋଲି ବୁଝୁ । ଇଂରାଜୀ ସ୍କୁଲମାନଙ୍କରେ ନିଲଡ଼ାଉନ୍‌ (ଆଣ୍ଠାଅ) ଷ୍ଟାଣ୍ଡଅପ୍‌ ଅନ୍‌ ଦି ବେଞ୍ଚ (ବେଞ୍ଚ୍‌ ଉପରେ ଠିଆ ହୁଅ) ଗେଟ୍‌ ଆଉଟ୍‌ (ଯା ଭାକ୍‌), ଡିଟେନ୍‌ସନ୍‌ (ଛୁଟି ପରେ ଅଟକ), ଏକ୍‍ସପଲସନ୍‍ (ସ୍କୁଲରୁ ବହିଷ୍କାର) ଫାଇନ୍‌ (ବାପାଙ୍କୁ ଜୋରିମାନା), ରଷ୍ଟିକେଟ୍‌ (ବିଦ୍ୟାଳୟମାନଙ୍କରେ ଉତ୍ପାତ କରିବାର ସୁଯୋଗରୁ ବଞ୍ଚିତ କରି ଘରେ କରିବାର ସୁଯୋଗ ଦେବା) ଆଦିର ପ୍ରଚଳନ ଅଛି । ଆଗେ ଗାଆଁ ଚାଟଶାଳିରେ ଅବଧାନମାନଙ୍କ ଦ୍ୱାରା ଦତ୍ତ ଏକଗୋଡ଼ିକିଆ, ନାକ ବାଳ ଧରା, ଗୋଡ଼ି ଆଣ୍ଠିଆ, ମଢ଼ିଆସାଙ୍କୋଳି, ଚଉକୀ ବସା ଇତ୍ୟାଦି ମଧ୍ୟ ଦଣ୍ଡ ପଦବାଚ୍ୟ ଥିଲା । ସ୍ତୂଳତଃ କୌଣସି ଦୁଷ୍ଟ ପ୍ରକୃତିର ବାଳକ, ଯୁବକ, ପ୍ରୌଢ଼ ବା ବୃଦ୍ଧ ଯଦି କିଛି ଅବାଞ୍ଛନୀୟ କାର୍ଯ୍ୟ ଲାଗି ତା’ର ଉପରିସ୍ଥ ଲୋକଙ୍କଠାରୁ ଉପରୋକ୍ତ ବିଷୟଗୁଡ଼ିକରୁ ଏକ ବା ଏକାଧିକ ପ୍ରାପ୍ତ ହୁଅନ୍ତି ତେବେ ତାକୁ ଦଣ୍ଡ କହନ୍ତି । ମୋଟ ଉପରେ ଦୋଷ କଲେ ଦଣ୍ଡ ମିଳେ । ଜଣେ ଜଣକୁ ଗେଲରେ ଚାପୁଡ଼ାଏ ବା ବିଧାଟାଏ ଦେଲେ ତାକୁ ଦଣ୍ଡ କୁହାଯାଇ ପାରିବନି । କୌଣସି ପ୍ରକାର ଦୁର୍ଘଟଣାରେ ଜଣେ ଯେଉଁ ପୀଡ଼ା ପାଏ ତାକୁ ଦଣ୍ଡ କୁହାଯିବ ନାହିଁ । ଅନେକେ ଅବଶ୍ୟ ତାକୁ ଦୈବଦଣ୍ଡ ବୋଲି କହନ୍ତି; କିନ୍ତୁ ଏହା ସମସ୍ତଙ୍କର ଗ୍ରହଣଯୋଗ୍ୟ ନୁହେଁ । ରୁଷିଆରେ ଏହା କହିଲେ ସେମାନେ ଠେଙ୍ଗାଧରି ଗୋଡ଼େଇବେ । ଲଙ୍କାରେ ହରିନାମ ପରି ରୁଷିଆରେ ଦୈବ ନାମ ନିଷିଦ୍ଧ । ଦେବତା ବି ଦଣ୍ଡ ଦେବେ କାହିଁକି ? ତାଙ୍କ ଜାଗାରେ ସେ, ଆମ ଜାଗାରେ ଆମେ । ଆମେ ତ ତାଙ୍କର କିଛି ଅନିଷ୍ଟ କରୁନୁ କି କରିପାରିବୁନି । ସେମାନେ କଣ୍ଟାବାଡ଼ରେ ଲୁଗା ପକାଇ ଆମ ସଙ୍ଗେ କଳି କରିବେ କିଆଁ ଏଣୁ ଦୈବ ଦଣ୍ଡ କଥା ମିଛ । ମୋଟ ଉପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ କୌଣସି ଦୋଷ ନ ଥାଇ ଜଣେ ଯେଉଁ ପୀଡ଼ା ଭୋଗ ତାହା ଦଣ୍ଡ ପଦବାଚ୍ୟ ନୁହେଁ । ଯେତେବେଳେ ଦୋଷ ଦେଖାଦିଏ ସେତେବେଳେ ଦଣ୍ଡିବା କାମ ଆରମ୍ଭ ହୁଏ ।

 

ଏବେ ‘କ୍ଷମା’ କଥା ଦେଖାଯାଉ । ଦଣ୍ଡ ଦେବା ଇଚ୍ଛାର ଗଜା । ମରୁଡ଼ି ହିଁ କ୍ଷମା । କିଏ କ୍ଷମା ଦେବ ତା’ର ଗୋଟାଏ ଧରାବନ୍ଧା ନିୟମ ଅଛି । ବଳୁଥା କେବଳ ଦୁର୍ବଳକୁ କ୍ଷମା ଦିଏ । ଉପରିସ୍ଥ କର୍ମଚାରୀ ଅଧସ୍ତନ କର୍ମଚାରୀକୁ କ୍ଷମା ଦିଏ । ଶିକ୍ଷକ ଛାତ୍ରକୁ କ୍ଷମା ଦିଏ । ଦଣ୍ଡ ପାଇଁ ଯେପରି ଗୋଟିଏ ଦୋଷର ଦରକାର, କ୍ଷମା ପାଇଁ ଠିକ୍‌ ସେହିପରି ଏକ ଭୁଲ୍‌ ଆବଶ୍ୟକ । ଗୋଟିଏ ଉଦାହରଣ ଦେଖାଯାଉ, ଗୋଟିଏ ସବଳ ଆଉ ଗୋଟିଏ ଦୁର୍ବଳ ଏକ ସ୍ଥାନରେ ଠିଆ ହୋଇଛନ୍ତି । ଦୁର୍ବଳ, ସବଳ ଉପରକୁ ଗୋଟିଏ ଗୋଡ଼ ନିକ୍ଷେପ କଲା । ସାଧାରଣତଃ ସେଠି କଅଣ ହୋଇଥା’ନ୍ତା ? ସବଳ ଦୁର୍ବଳ ଏପରି ଦୁଷ୍ଟ କର୍ମ ଲାଗି ତା’ଗାଲରେ ଏକ ଦାନ୍ତ ହଲାଣ ଚାପୁଡ଼ା ବସେଇଦେଇଥା’ନ୍ତା ଏବଂ ତାକୁ ଦଣ୍ଡ ବୋଲି କୁହାଯାଇଥାଆନ୍ତା । ସେ କିନ୍ତୁ ଯଦି ତା’ ନ କରି ଦୁର୍ବଳକୁ ଇଷତ୍‌ ହସି କହେ–‘‘ଯାଆ, ଯାଆ, ଗୋଟାଏ ମୁଖିକୁ ତୋ ଜୀବନ ନାହିଁ । ତୋତେ ଛାଡ଼ିଦେଲି, ଏଇଟା ହେଲା କ୍ଷମା । ସବଳ ଯଦି ଦୁର୍ବଳ ଉପରକୁ ଗୋଡ଼ିଟାଏ ପକେଇ ଥାଆନ୍ତା ଆଉ ଦୁର୍ବଳ ମନେ ମନେ ଭାବି ଥାଆନ୍ତା–ଏ ବଜାରି ଲଫଙ୍ଗାଟାକୁ ଯଦି କିଛି କହିବି ତେବେ ସେ ମୋ ଉପରେ ଦି’ ଚାରିଟା ବିଧା ଚାପୁଡ଼ା ଜମେଇ ଦେଇପାରେ । ଏଣୁ ସବ୍‌ସେ ଚୁପ୍‌ ଭଲା । ଏହା ଭାବି ସେ କିଛି ପ୍ରତିକ୍ରିୟା ନ ଦେଖାଇ ବଳୁଆ ସେ ସ୍ଥାନ ପରତ୍ୟାଗ କରିବା ପର୍ଯ୍ୟନ୍ତ ଚୁପ୍‌ଚାପ୍‌ ରହିଲା । ଏପରି କାର୍ଯ୍ୟକୁ କେହି କେବେ କ୍ଷମା ବୋଲି କହିବ ନାହିଁ ।

 

ଅବଶ୍ୟ ସ୍ଥଳେ ସ୍ଥଳେ ଦେଖା ଯାଇଥାଏ ଜଣେ ଜଣେ ବେହେଲ ଡହରା ସବଳ ଭୟରେ ପ୍ରତିଆଘାତ କରେ ନାହିଁ କିନ୍ତୁ ସବଳ ଗଲା ପରେ ଅନୁଚ୍ଚ ଗଳାରେ କହେ–‘‘ହଉ ହଉ ଯା ଅମୁକେଇ ଲାଗି ସମୁକେଇ ହୋଇ ଥିବାରୁ ତୋତେ ଏଥର ଛାଡ଼ି ଦେଲି । ଫେର୍‌ବାର୍‌ ଯଦି ଏପରି ଦୁଃସାହସ କରିବୁ ତେବେ ତୋ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେବି । ଏହାକୁ କ୍ଷମା କୁହାଯାଏ ନାହିଁ, ଏହାକୁ କୁହାଯାଏ ଡହରାମି । କ୍ଷମାଟାକୁ ଗୋଟାଏ ଉଦାହରଣ ଦେଇ ବୁଝେଇ ଦେଉଛୁ । କୌଣସି ଏକ ଲୋକ, ତାଠୁଁ ବଡ଼ ଓ ବଳୁଆ ଅନ୍ୟ ଲୋକର ଗୋଟାଏ ଅପକାର କରିଦେଲା । କ୍ଷତି ହୋଇଥିବା ଲୋକର ମନରେ କ୍ରୋଧ ହେଲା । ମନ ରୂପକ ବଏଲର୍‌ ଭିତରେ କ୍ରୋଧ ରୂପକ ବାମ୍ଫ ବା ଷ୍ଟିମ୍‌ ବଢ଼ି ବଢ଼ି ଠିଲେଇଲା । ଏଇ କ୍ରୋଧ ଷ୍ଟିମ୍‌ ଦଣ୍ଡିବା ମେସିନ୍‌ ଭିତରକୁ ଯାଏ । ତାକୁ କାର୍ଯ୍ୟକାରୀ କରିବା ଲାଗି ଗୋଟିଏ କବାଟି ବା ଭଲ୍‌ବ୍‌ଯୁକ୍ତ ନଳି ଅଛି । ଏହିବାଟେ ଯଦି କ୍ରୋଧଷ୍ଟିମ୍‌ ଦଣ୍ଡିବା ଯନ୍ତ୍ର ଭିତରକୁ ଯାଇ ଥାଆନ୍ତା ତେବେ ସେହି ଯନ୍ତ୍ରର ହାତ ଗୋଡ଼ ସବୁ ଦୁମ୍‌ଦାମ୍‌ ହୋଇ କ୍ଷତି କରିଥିବା ଲୋକ ଉପରେ ବିଧା, ଚାପୁଡ଼ା, ମୁଥ, ଗୋଇଠା କିମ୍ବା ଯଷ୍ଟି ଆକାରରେ ପଡ଼ିଥା’ନ୍ତା । ଅନ୍ୟ ପକ୍ଷରେ ମନ ବଏଲର ଦେହରେ ଆଉ ଗୋଟିଏ ଜଳା କବାଟି ବା ସେଫ୍‌ଟି ଭଲ୍‌ବ ଅଛି । ବିବେକର ପ୍ରକ୍ରିୟା ଫଳରେ ଯଦି ଏହି ସେପ୍‌ଟି ଭଲ୍‌ବ୍ ବା ଜଳା କବାଟିଟା ଖୋଲିଯାଏ ତେବେ ଫସ୍‌ସ୍‌ କରି ସବୁ କ୍ରୋଧ ଷ୍ଟିମ୍‌ ସେହିବାଟେ ପଦାକୁ ବାହାରିଯାଏ । ଦଣ୍ଡିବା ଯନ୍ତ୍ର ଆଉ କାର୍ଯ୍ୟକାରୀ ହୋଇପାରେ ନାହିଁ । କ୍ରୋଧ ଷ୍ଟିମ୍‌ର ଜଳା କବାଟିବାଟେ ଫସ୍‌ସ୍‌ସ୍‌ କରି ପଦାକୁ ବାହାରି ଯିବାଟା ହେଉଛି କ୍ଷମା । ଆମର ବିଶ୍ୱାସ ୟା’ଠାରୁ ଅଧିକ ସରଳ ଭାବରେ ବୁଝିବାକୁ ଇଚ୍ଛୁକ ଓ ବିଶୁଦ୍ଧ ବୋକା ଲୋକ ଆଉ କେହି ନ ଥିବେ ।

 

ଦଣ୍ଡିବା ଓ କ୍ଷମା ଆଚରିବା କଥା ପୁଙ୍ଖାନୁଫୁଙ୍ଖ ରୂପେ ବୁଝେଇ ଦିଆଗଲା, ଏବେ ସମ୍ପୂର୍ଣ୍ଣ ପଦ୍ୟ ଉପରକୁ ଆସିବା ହୁଅନ୍ତୁ । ସେଇଟା ହେଲା ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ । ପଦ ଦୁଇଟିର ଯଥାର୍ଥତା ବିଷୟରେ ଆପତ୍ତି ଉଠାଇବାର କିଛି ନାହିଁ । ଦଣ୍ଡ ଦେବାର ଶକ୍ତ ଯାହାର ଅଛି ସେ କ୍ଷମା ବି ଦେଇପାରେ । ଏଇଟା ଠିକ୍‌ କଥା । କିନ୍ତୁ ଟାଉଟରମାନେ ଯୁଗ ଯୁଗ ଧରି ଏହାକୁ ଆପତ୍ତିଜନକ ସ୍ଥାନରେ ବ୍ୟବହାର କରିବା ଦ୍ୱାରା ଦେଶର ଯେ କି ବିରାଟ କ୍ଷତି ହୋଇଗଲାଣି, ହେଉଛି ଓ ହେବ ତାହା କାହାରି ଦୃଷ୍ଟି ପଥାରୁଢ଼ ହେଉନାହିଁ । ଟାଉଟାରମାନେ ଏପରି କରି ପାରନ୍ତି ବୋଲି ଜଗନ୍ନାଥ ଦାସେ ଯଦି ଆଗରୁ ଜାଣିପାରି ଥାଆନ୍ତେ ତେବେ ସେ ପଦ ଦୁଇଟି କେବେହେଲେ ଲେଖି ନ ଥା’ନ୍ତେ । ତାଙ୍କୁ ବାନ୍ଧି ବାଡ଼େଇ ଥିଲେ ବି ସେ ଲେଖିବାକୁ ନାସ୍ତି କରିଦେଇ ଥାଆନ୍ତେ । ବୈଜ୍ଞାନିକମାନେ ବହୁବର୍ଷର ସାଧନା କରି ଆଣବିକ ଶକ୍ତିର ସନ୍ଧାନ ପାଇଲେ । କିନ୍ତୁ ଟାଉଟରିଆ ରାଜନୀତିଜ୍ଞମାନେ ଏଥଇରେ ବୋମା ତିଆରି କରି ହୀରୋସିମା, ନାଗାସାକିକୁ ଧ୍ୱଂସ କରିଦେଲେ । ସେତେବେଳେ ଆଲ୍‌ବର୍ଟ ଆଇନ୍‌ ଦୁଃଖରେ ଅଭିଭୂତ ହୋଇ କହିଥିଲେ ଯେ ସେ ଯଦି ଏପରି ସମ୍ଭାବନା ଥିବା କଥା ଜାଣିପାରି ଥାଆନ୍ତେ ତେବେ ସେ ମୂଳରୁ ଏହାର ଉତ୍ପାଦନ ଓ ବିକାଶ କରାଇ ସେ ମଧ୍ୟ ଠିକ୍‌ ଏମିତି କହି ଥାଆନ୍ତେ–‘‘ଆରେ ଏ ବେହିପ ଟାଉଟାର ଗୁଡ଼ାକ ଏମିତି କରିବେ ବୋଲି ଜାଣିଥିଲେ ମୁଁ ବିଲ୍‌କୁଲ୍‌ ଏ ଦି’ଧାଡ଼ି ଲେଖି ନଥାନ୍ତି ।’’

 

ଏବେ ଟାଉଟର୍‌ମାନଙ୍କ ଏହି ପଦସମ୍ବନ୍ଧୀୟ କର୍ମ ପଦ୍ଧତି ବା ମୋଡ଼ସ୍‌ ଅପ୍‌ରାଣ୍ଡି ଦେଖାଯାଉ । ମନେକର ଜଣେ ହାକିମ ଜଣେ ଅସାଧୁ କର୍ମଚାରୀକୁ ଦଣ୍ଡ ଦେବାକୁ ବଦ୍ଧପରିକର ହେଲା । ଅସାଧୁ ଜଣକ ଟାଉଟରମାନଙ୍କୁ କିଛି ଦର୍ଶନୀ ଦେଇ କୃପାଭିକ୍ଷା କଲା । ବାସ୍‌, ସେମାନେ ଆସି ହାକିମକୁ ବେଢ଼ିଗଲେ । ତେଲ ପିମ୍ପାରେ ତାଙ୍କୁ ଜୁଡ଼ୁବୁଡ଼ୁ କରିଦେଇ କହିଲେ–‘‘ଆଜ୍ଞା ଆପଣ ଇଚ୍ଛାକଲେ ସବୁ କିଛି କରିପାରିବେ । ଦୟାର ଅବତାର ବୋଲି ଚାରିଆଡ଼େ ହୁରି ପଡ଼ିଛି । ଆପଣ ଇଚ୍ଛାକଲେ ମାରିବେ, ଇଚ୍ଛା କଲେ ତାରିବେ । ଆପଣଙ୍କଠାରେ ଭଗବାନଙ୍କ କଳା ବିରାଜୁ ଥିବାରୁ ଆପଣଙ୍କ ଦର୍ଶନରେ ସମସ୍ଥଙ୍କ ମୁଣ୍ଡ ଛାଏଁ ଛାଏଁ ନଇଁଯାଏ । ଜଗନ୍ନାଥ ଦାସେ କ’ଣ ତୁଚ୍ଛାଟାରେ ଲେଖିଛନ୍ତି— ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ । ଆପଣ ଜଗନ୍ନାଥ ଦାସଙ୍କୁ ତ ଅଚଳା ଭକ୍ତି କରନ୍ତି । ତାଙ୍କ ମହତ ବାଣୀର କଅଣ ଅନ୍ୟଥା କରିବେ । ଦଣ୍ଡ ଦେଇ ଦେଲେ ତ କଥା ସରିଗଲା । ତା’ର ଅନୁତାପ ପାଇଁ ଆଉ ଥାନ ରହିଲା କୁଆଡ଼େ ? ଦଣ୍ଡ ନ ଦେଇ ଯଦି କ୍ଷମା ଦେଇ ଦେବେ ତେବେ ସେ କାଳ କାଳକୁ ଆପଣଙ୍କ ଅନୁଗତ ରହିବ । ଯେଉଁଥିରେ ଆପଣ ରୁଷ୍ଟ ହେବେ ତା’ ଫାଇଦା ଆଉ ସେ ମାଡ଼ିବନି । ଆପଣଙ୍କର ଯେହେତୁ ଦଣ୍ଡିବା ଶକ୍ତି ଅଛି ଆପଣଙ୍କର ହିଁ ତାକୁ କ୍ଷମା ଦେବାର କଥା । ଆଜ୍ଞା, ଆପଣଙ୍କର ଓ ଜଗନ୍ନାଥ ଦାସଙ୍କର ଜୟ ହେଉ । ତାଙ୍କ ବାଣୀର ଯଥାର୍ଥ ଓ ମହତ୍ୱ ଆପଣଙ୍କ ଦ୍ୱାରା ହିଁ ଫୁଟି ଉଠିବ । ଆମମାନଙ୍କ କଥା ଟିକିଏ ବିଚାର କରନ୍ତୁ ।’’

 

ହାକିମର ସର୍ବାଙ୍ଗ ତୈଳାକ୍ତ ହୋଇଯାଏ । ତୈଳାକ୍ତ ହାତରୁ ଅସାଧୁ କର୍ମଚାରୀଟି ଗଡ଼ିଶା ମାଛ ମୁଠାରୁ ଖସିଗଲା ପରି ଖସି ପଳାଏ । ଆଜି ଯୁଆଡ଼େ ଚାହିଁବ ସିଆଡ଼େ ଏହି ଦୁପଦ ସହ ତେଲ ମର୍ଦ୍ଦନ ଚାଲିଛି । ଦଣ୍ଡିବା ଶକ୍ତି ତାଙ୍କର ଅଛି ବୋଲି ଦେଖାଇ ଦେବାକୁ ହାକିମ ବା ଦଣ୍ଡଦାତାମାନେ ତେଲୁଣି ପୋକ ପରି ସାଲୁ ସାଲୁ ସେଠାରେ ଅପରାଧୀମାନଙ୍କର ବାଲିଯାତ୍ରା ଜମିବ ନାହିଁ କାହିଁକି ? କେଉଁଠି ନିଜେ ଅପରାଧୀ ହାକିମ ଗୋଡ଼ ଧରି ଏହି ପଦ ବୋଲୁଛି ତ କେଉଁଠି ଅପରାଧୀର ପାଖ ଟାଉଟର୍‌ ଲୋକେ ବୋଲୁଛନ୍ତି । ଖୋସାମଦିଆ ହାକିମ ବା ଉପରିସ୍ଥ ଦଣ୍ଡଦାତାମାନେ ସମସ୍ତେ ସେହି ହୋ’ରେ ଭାସି ଯାଉଛନ୍ତି । ଟିକିଏ ହେଲେ ଭାବୁନାହାନ୍ତି, କିରେ ବାବୁ ! ଦଣ୍ଡ ପାଇବା ଲୋକକୁ ଦଣ୍ଡ ଦିଆଯିବ ହିଁ ଦିଆଯିବ । ତାକୁ କ୍ଷମା ଦିଆଯିବ କାହିଁକି ? ଅପରାଧୀକୁ ଯଦି କ୍ଷମା ଦିଆଯିବ ତେବେ ନିର୍ଦ୍ଦୋଷକ କଅଣ ଦଣ୍ଡ ଦିଆଯିବ ? ଜଗନ୍ନାଥ ଦାସେ କଅଣ ଏହି ଉଦ୍ଦେଶ୍ୟରେ ଏହି କବିତା ଲେଖିଥିଲେ । ଦଳେ ଖରାପ ଲୋକ ଅଛନ୍ତି ଯେଉଁମାନେ କି ସବୁବେଳେ ଅର୍ଥକୁ ଅନର୍ଥ କରି ସବୁଆଡ଼େ ବିଭ୍ରାଟ ସୃଷ୍ଟି କରନ୍ତି । ବେଳେବେଳେ ଆମର ମଧ୍ୟ ଭୟ ହୁଏ ଏମାନେ ଆମକୁ ମଧ୍ୟ ସେମାନଙ୍କର ଅନର୍ଥିଆ ଖାଳେଇ ଭିତରକୁ ପକାଇ ଦେଇପାରନ୍ତି-। ଆମେ ତହିଁକି ମୁକାବିଲା କରିବାକୁ ପ୍ରସ୍ତୁତ ।

 

ମୋଟ କଥା ହେଲା ଏହି ବିପଦ ଯୋଗୁଁ ବହୁ ଅପରାଧୀ ଦଣ୍ଡ ନ ପାଇ ଖସି ଯାଉଛନ୍ତି-। ଅପରାଧପ୍ରବଣତା ବଢ଼ୁଛି । ଏଇଥିପାଇଁ ଜଣେ ଓଡ଼ିଶୀ ନେତା ଥରେ କହିଥିଲେ ଯେ ଆଇନରେ ପ୍ରଚଳିତ ଥିବା ଭାବଧାରା ‘‘ଶହେଟା ଦୋଷୀ ପଛେ ଖସି ଯାଆନ୍ତୁ ଗୋଟିଏ ନିର୍ଦ୍ଦୋଷ ଦଣ୍ଡ ନ ପାଉ’’କୁ ବଦଳାଇ ‘‘ଶହେଟା ନିର୍ଦ୍ଦୋଷ ପଛେ ଦଣ୍ଡ ପାଆନ୍ତୁ ଗୋଟିଏ ଦୋଷୀ ଖସି ନ ଯାଉ’’ ରଖାଯାଉ । ବର୍ତ୍ତମାନ ଭାଗବତର ଏହି ଦୁଇ ପଦକୁ ବଦଳାଇ ଦେବାର ସମୟ ଆସିଗଲାଣି । ଆମେ ଅବଶ୍ୟ ଏ ଦୁଇ ପଦକୁ ଏକାବେଳେ ଉଠାଇ ଦେବାର ପକ୍ଷପାତି ନୋହୁ । ଟିକିଏ ମାତ୍ର ମୋଡ଼ ବଦଳାଇଦେଲେ ଚଳିବ । ଫକୀର ମୋହନଙ୍କ ମୂଳ ଲେଖାକୁ ତାଙ୍କ ବଂଶଧରମାନେ ତ ପୁଣି ବଦଳା ବଦଳି କରିଦେଇଛନ୍ତି । ୟା ବୋଲି କଅଣ ଫକୀର ମୋହନଙ୍କ ଖ୍ୟାତିରେ କିଛି ଆଞ୍ଚ ଆସିଛି ? ସେହିପରି ଏହି ଦୁଇପଦକୁ ଟିକିଏ ବୁଲେଇ ଦେଲେ ଜଗନ୍ନାଥ ଦାଶଙ୍କର କିଛିହେଲେ ଅଣେଇ ହୋଇ ପଡ଼ିବନି । ଆମେ ପ୍ରସ୍ତାବ ଦେଉଛୁ ତାହା ଏହିପରି ହେଉ–‘‘ଦଣ୍ଡିବା ଶକ୍ତି ଯାର ଥାଇ, ସଦା ସେ ନିଶ୍ଚୟ ଦଣ୍ଡଇ ।’’ ଏଥିରେ ସମସ୍ତେ ଏକମତ ନ ହେଲେ ବହୁ ବିପଦର ସମ୍ଭାବନା ଅଛି । ଜରୁରୀ ଅବସ୍ଥା ଜାରି ହୋଇଯାଇପାରେ । ତା’ ଉପରେ ପୁଣି ମିଶା ଅଛି । ଏତେ ହେଙ୍ଗାମିରେ କି ପ୍ରୟୋଜନ ? ରାଜି ହୋଇଗଲେ କାମ ଫତେ ।

Image

 

ଜଗନ୍ନାଥହୋ, କିଛି ମାଗୁନାହିଁ ମୁଁ ତୋତେ

 

‘‘ଜଗନ୍ନାଥ ହୋ କିଛି ମାଗୁନାହିଁ ମୁଁ ତୋତେ

ଧନ ମାଗୁନାହିଁ ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ ।’’

 

ଏହି ଦୁଇଧାଡ଼ି କବିତା ପାଠ କଲେ ପାଠକମାନେ ପ୍ରାୟ ସମସ୍ତେ ଭାବିବେ—ଆହା କବି ଜଗନ୍ନାଥଙ୍କର କେଡ଼େ ଭକ୍ତ ! ଜଗନ୍ନାଥଙ୍କ ପ୍ରତି କେତେ ପ୍ରଗାଢ଼ ଅନୁରକ୍ତି । ଜଗନ୍ନାଥଙ୍କୁ କିଛି ମାଗିଲେ ନାହିଁ, ମାଗିଲେ ଶରଧା ବାଲିରୁ ହାତେ—ଅର୍ଥାତ୍‌ ଦେଢ଼ଫୁଟ । କବିଙ୍କର ଗଣିତ ଜ୍ଞାନ କିଞ୍ଚିତ ଊଣା ଥିବା ପରି ଜଣାଯାଏ । କାରଣ ଯେଉଁ ଶଗଡ଼ିଆମାନେ ଘର ତିଆରି କରିବା ଲାଗି ନଈରୁ ବାଲି ଆଣନ୍ତି ସେମାନେ ସାଧାରଣତଃ ତା’ର ମାପ ଘନଫୁଟ ଆକାରରେ କହିଥାନ୍ତି ଯଥା–‘‘ଆଜ୍ଞା ଆଜି ଶହେଫୁଟ ବାଲି କୋଠାଗଢ଼ା ଥାନରେ ପକାଇ ଦେଇଛି । ସେମାନେ ମଧ୍ୟ ଅଜ୍ଞ ଲୋକ ହୋଇଥିବାରୁ ଶହେ ଘନଫୁଟକୁ ଶହେ ଫୁଟ ବୋଲି କହିଥାନ୍ତି । ସେହିପରି କବି ବନମାଳି ଏକ ଘନ ହାତ ନ କହି ହାତେ କହିଛନ୍ତି । ପ୍ରକୃତରେ ଅଜ୍ଞତା ହେତୁ ସେ ଏପରି କହିଛନ୍ତି କି ଜନ୍ନାଥଙ୍କୁ ଠିଆଚିତା କାଟି ଦେବା ପାଇଁ ହାତେ ମାଗିଛନ୍ତି ତାହା ବିଚାର କରିବାର କଥା ।

 

ପ୍ରଥମ ସମ୍ଭାବନା କଥା ଦେଖାଯାଉ । କବି ଯେ ମୂର୍ଖ ନୁହନ୍ତି ଏହା ସ୍ୱତଃସିଦ୍ଧ । ମୂର୍ଖ ହୋଇଥିଲେ ଏପରି ହୃଦୟ ଦ୍ରାବୀ, ଅମୀୟ ରସସ୍ରାବୀ କବିତାମାନେ ଲେଖିପାରି ନ ଥାନ୍ତେ । ତାଙ୍କର ମଧ୍ୟ ଗଣିତ ଜ୍ଞାନ ଥିଲା, ଏହାର ଅକାଟ୍ୟ ପ୍ରମାଣ ରହିଛି । ପାଦଗୁଡ଼ିକର ଅକ୍ଷର ଗଣି ଉପର ତଳ ଧାଡ଼ି ଅକ୍ଷରର ସଂଖ୍ୟାକୁ ସମାନ କରି ରଚନା କରିବା ଗଣିତରେ ଅଜ୍ଞ ଲୋକ ପକ୍ଷେ କଦାପି ସମ୍ଭବ ନୁହେଁ । ଆଉ ମଧ୍ୟ ସେ ହାତେ ଅର୍ଥାତ୍‌ ଗୋଟିଏ ନିର୍ଦ୍ଦିଷ୍ଟ ମାପର ବାଲି ମାଗଛନ୍ତି । ଗଣିତ ଜାଣି ନ ଥିଲେ ମାପଚୁପ୍‌ କଥା ଜାଣି ହେବନି । ଏପରି କ୍ଷେତ୍ରରେ ସେ ହୁଏତ ମାଗି ଥାଆନ୍ତେ । ପୋଷେ ବା ଆଞ୍ଜୁଳାଏ ବାଲି କିମ୍ବା ବାଉଁଶିଆଏ, ଟୋକେଇଏ ବା ବେତାଏ ବାଲି ମାଗିଥାଆନ୍ତେ । ଏଥିରୁ ନିଃସନ୍ଦେହରେ ଜଣାଯାଉଛି ଯେ କବି ଗଣିତରେ ଅଜ୍ଞ ନୁହଁନ୍ତି । ତେବେ ସେ ଏକ ଘନହାତ ବାଲି ନ ମାଗି ହାତେ ବାଲି ମାଗିଲେ କାହିଁକି ? ଟିକିଏ ଗଭୀର ଚିନ୍ତାକଲେ ଜଣାଯାଏ କବି ଅତି ଚତୁର । ସେ ଛନ୍ଦମନ୍ଦରେ ପଶୁ ନ ଥିବା, ନିରୀହ, ହସ୍ତପଦ ବିହୀନ ପଙ୍ଗୁ ଜଗତରେ ନାଥଙ୍କୁ ଠିଆଚିତା କାଟି ଚଞ୍ଚକ କ୍ରମେ ତାଙ୍କର ଏକ ମୂଲ୍ୟବାନ ସମ୍ପତ୍ତି ମାଗଣା ମାଗଣା ମାରିନେବାକୁ ଏକ ଫନ୍ଦି କାଢ଼ିଛନ୍ତି, ଏକ ଷଡ଼ଯନ୍ତ୍ରର ଜାଲ ମେଲାଇ ଦେଇଛନ୍ତି ।

 

ଭଲ କରି ନିରେଖି ଚାହିଁଲେ ଷଡ଼ଯନ୍ତ୍ର ଜାଲର ସୂତା ସବୁ ଯେ କୌଣସି ଲୋକ ପରିଷ୍କାର ଭାବରେ ଦେଖି ପାରିବ । ଏବେ ନିରେଖି କରି ଦେଖାଯାଉ । କବି ପହିଲେ କହିଛନ୍ତି ‘ଜଗନ୍ନାଥ ହୋ’ । କାହିଁକି ବଳିଆ ଭାଇ କାଳିଆ କହିଲେ ନାହିଁ, ଚକାଆଖିଆ, ନୀଳ ଚକ୍ରିୟା, ମହାପେଟୁଆ କହିଲେ ନାହିଁ ? ଏ ନାଆଁ ଗୁଡ଼ିକ ଭଲ ଶୁଭି ନ ଥାନ୍ତା । ଜଗନ୍ନାଥ ବୋଲି ଡାକିଦେଲେ ଟିକିଏ ଖୋସାମଦ ହୋଇଯିବ । ଜଗନ୍ନାଥ ଯେ ସାରା ଜଗତର ମାଲିକ, ଆଉ ସମସ୍ତେ ତାହା ଜାଣନ୍ତି ଏତକ ତାଙ୍କ ଅମୀର ମିଞ୍ଜସକୁ ଟିକିଏ ମଜଗୁଲିଆ କରିଦେବ । ପାଠକମାନଙ୍କୁ ଜଣାଥିବ ଅତୀତରେ ଆମ ଓଡ଼ିଶାରେ ଜଣେ ବଡ଼ ଧନୀ ବ୍ୟକ୍ତି ଥିଲେ, ତାଙ୍କ ନାଆଁ ଗୋଲକବାବୁ । ସେ ଗାଡ଼ିରେ କିମ୍ବା ସବାରିରେ ଗଲାବେଳେ ଯିଏ କହି ଦେଉଥିଲା, ‘ବାବୁ ତ ବାବୁ ଗୋଲକବାବୁ’ ସେ ସେହି ଲୋକକୁ ନିଜ ପାଖକୁ ଡକାଇ ତାକୁ ଯୋଡ଼ିଏ ଟଙ୍କା ଦେଉଥିଲେ । ସେ ଲୋକ କିଛି ଟଙ୍କା ମାଗି ନ ଥାଏ, ତଥାପି ଗୋଲକବାବୁ ବାକ୍‌ସରୁ ଦୁଇ ଟଙ୍କା କାଢ଼ି ଖୁସିରେ ଦିଅନ୍ତି । ସେ କାଳର ଦୁଇ ଟଙ୍କା ଏବେ ଦୁଇ ଶତ ଟଙ୍କା ସଙ୍ଗେ ସମାନ । ଲୋକେ ଯେ ତାଙ୍କୁଇ କେବଳ ସବୁଠୁ ବଡ଼ ବାବୁ ବୋଲି ଜାଣନ୍ତି ଏତକ ତାଙ୍କ ମନକୁ ତୃପ୍ତି ଦେଲା । ଯିଏ ତୃପ୍ତି ଦେଲା ତାକୁ ତୃପ୍ତ କରିଦେବା ପାଇଁ ସେ ଦୁଇଟଙ୍କା ଦେଇ ଏକ ପ୍ରକାର ଋଣମୁକ୍ତ ହୋଇଗଲେ ବୋଲି ଭାବନ୍ତି । ଏ କଥାଟି ଓଡ଼ିଆ ମାତ୍ରେ ଜାଣନ୍ତି । କବି ଜଣେ ଖାଣ୍ଟି ଓଡ଼ିଆ; ସେ ନ ଜାଣିବେ ବା କିପରି ? ସମସ୍ତେ ବଡ଼ ଠାକୁରଙ୍କ ଜଗନ୍ନାଥ ବୋଲି ଜାଣନ୍ତି । ତଥାପି ଜଗନ୍ନାଥ ବୋଲି ଡାକିଦେଲେ ସେ ଯେ ଗୋଲକବାବୁଙ୍କ ପରି ତୃପ୍ତ ହୋଇ ବାକସ୍‌ ଅଣ୍ଡାଳିବେ, ସେ କଥା ଚତୁର କବିଙ୍କୁ ଅଛପା ନ ଥିଲା । ତେଣୁ ସେ ଡାକିଦେଲେ ‘ଜଗନ୍ନାଥ ହୋ ।’ ବାସ୍‌ ଜଗନ୍ନାଥ ଏକାବେଳେକେ ଆନନ୍ଦରେ ବିଗଳିତ ହୋଇଗଲେ । ‘କବି ମହା ଚାଲାକ । ଜଗନ୍ନାଥଙ୍କୁ ତୃପ୍ତ ହେବା ଦେଖି ସେ ଆହୁରି ଗୋଟାଏ ଚାଲ ଖେଳିଦେଲେ । ସଙ୍ଗେ ସଙ୍ଗେ ଯୋଖିଦେଲେ ‘କିଛି ମାଗୁନାହିଁ ମୁଁ ତୋତେ ।’ ଗୋଲକ ବାବୁ ଅଳ୍ପ ବୁଦ୍ଧିବିଶିଷ୍ଟ ମଣିଷ, ତାଙ୍କୁ ‘ବାବୁ ତ ବାବୁ’ କହିଦେଲେ ସେ ସିନା ଜାଣିପାରନ୍ତି ନାହିଁ ଯେ ଲୋକଟା କିଛି ପାଇବା ଆଶାରେ ଏପରି କହୁଛି । କିନ୍ତୁ ଜଗନ୍ନାଥଙ୍କ କଥା ନିଆରା । ଗୋଲକ ବାବୁଙ୍କ ଠାରୁ ତାଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବେଶି । କବିଙ୍କ ଚାଟୁକ୍ତି ଶୁଣିବା ମାତ୍ରେ ଜାଣିଯିବେ ଯେ କବିଟା କିଛି ମାଗିବା ପାଇଁ ଏପରି କହୁଛି । ସେଥିଲାଗି କବି ଚଟାପଟ୍‌ କହି ଦେଇଛନ୍ତି–‘‘କିଛି ମାଗୁନାହିଁ ମୁଁ ତୋତେ ।’’ ଜଗନ୍ନାଥ ସଙ୍ଗେ ସଙ୍ଗେ ନିଜର ଭ୍ରମ ସଂଶୋଧନ କରି ଭାବିନେବେ–‘‘ଓଃ ! କବିଟା ଅତି ଉଚ୍ଚ ଦରର ଲୋକ । ମୋତେ ସ୍ତୁତି କରିବା ପଛରେ ତା’ର ସ୍ୱାର୍ଥଲାଭର କୌଣସି ଆଶା ନାହିଁ । ମୋତେ ଜଗନ୍ନାଥ ବୋଲି ଯାହା ଡାକିଛି ସେଥିରେ ବାଣିଜ୍ୟ ବ୍ୟବସାୟର ପ୍ରଶ୍ନ ନାହିଁ । ତାହା ତା’ର ହୃଦୟର ଅନାବିଳ ଡାକ; ପରିଷ୍କାର ତ କହିଦେଲା ମୋତେ କିଛି ମାଗୁନାହିଁ । ବାସ୍ତବିକ ଏ କବି ମୋର ନିରୁତା ଭକ୍ତି । ସେ ନ ଚାହିଁଲେ ବି ମୋତେ ତାକୁ କିଛି ଦେବାକୁ ହେବ । ଛୋଟକାଟିଆ ଦେବତା ଗୁଡ଼ାକ ଭକ୍ତମାନଙ୍କୁ କିଛି ହାତ ଖୋଲି ଦେଉ ନ ଥିବାରୁ ଆଜି ସେମାନଙ୍କର ଏ ଦୁରବସ୍ଥା । ଏପରି ଅବସ୍ଥା ହେଲାଣି ଯେ କମ୍ୟୁନିଷ୍ଟମାନେ ଥାଟ ସାଜି ମାଡ଼ି ଆସିଲେଣି । ଏମାନଙ୍କୁ ଏକାବେଳେ ନିଜ ନିଜ ଜାଗିରୀରୁ ତଡ଼ିଦେଇ ଯାବଜ୍ଜୀବନ ଦ୍ୱୀପାନ୍ତର କରିଦେବେ—ଆମେ କିନ୍ତୁ ଏପରି ମୂର୍ଖାଣ୍ଡିଆ କାମ କରିବାନି-। ଲୋକମାନଙ୍କୁ କିଛି କିଛି ଦେଇ ସେମାନଙ୍କୁ ହାତରେ ରଖିବାକୁ ହେବ । କବିଟା କିଛି ନ ମାଗୁ ପଛକେ ତାକୁ କିଛି ଦେବା । କବିଟା ଭୁଷ୍‌ କରି କିଛି ସିନା ମାଗିନି । ଟିକିଏ ଅପେକ୍ଷା କରିବା, ପଛନ୍ତେ ମାଗିପାରେ ।’’

 

ଜଗନ୍ନାଥ ଦେବାପାଇଁ ପ୍ରସ୍ତୁତ ହୋଇଯିବା ସଙ୍ଗେ ସଙ୍ଗେ ଚତୁର କବି ମାଗିଦେଲେ–‘ମାଗୁଛି ଶରଧା ବାଲିରୁ ହାତେ ।’

 

ଦେଖିଲେ ତ’ କବି କେଡ଼େ ପେଞ୍ଚ୍‌ପାଞ୍ଚବାଲା, କେଡ଼େ କପଟିଆ । ଜଗନ୍ନାଥଙ୍କ କେଡ଼େବଡ଼ ସମ୍ପତ୍ତିକୁ ମୁଣ୍ଡରେ ହାତ ବୁଲେଇ ନେଇ ଯିବାକୁ ବସିଛନ୍ତି । ଅଭିଭାବକ ଶୂନ୍ୟ ହେଲେ ଗୋଟିଏ ଶେଠର ପୁଅକୁ ଟେକିଟାକି ତା’ର ଆଖପାଖ ଲୋକେ ଯେପରି ତା’ର ଧନସମ୍ପତ୍ତି ଲୁଟିନେଇ ଯାଆନ୍ତି ଜଗନ୍ନାଥଙ୍କ ଅବସ୍ଥା ବର୍ତ୍ତମାନ ଠିକ୍‌ ସେହିପରି । ସେହି ହାତେ ‘ଶରଧା ବାଲି’ର ମୂଲ୍ୟ ଯେ କେତେ ତାହା ଜଗନ୍ନାଥଙ୍କୁ ମଧ୍ୟ ଜଣାନାହିଁ । ସେ ମନେ ମନେ ହସି ଭାବୁଛନ୍ତି–ଆରେ କେଡ଼େ ବୋକା କବିଟାଏ । ସମୁଦ୍ର ତୀରେ ତୀରେ ଅମାପ ବାଲି ପଡ଼ିଛି । ବାଲିର ବା କି ମୂଲ୍ୟଟା ଅଛି ! ଶରଧା ବାଲିରୁ ସବୁତକ ମାଗିଥିଲେ ତ ଦେଇଥାନ୍ତି । ବୋକାଟା ହାତେ ମାତ୍ର ମାଗୁଛି । ନଉ, ତା’ର ଯାହା ଇଚ୍ଛା ନେଉଛି ନେଉ ।

 

ହାୟ ହାୟ ! ଜଗନ୍ନାଥେ କି ମୂର୍ଖାଣ୍ଡିଆ କାମ କରୁଛ । ନିଜର ଅମୂଲ୍ୟ ସମ୍ପତ୍ତିକୁ ଚିହ୍ନି ନ ପାରି ହାତଛଡ଼ା କରିବାକୁ ଯାହା ବସିଛ । କନ୍ଧୁଣୀ ଯେପରି ଗଜମୋତିକୁ ଚିହ୍ନି ନ ପାରି, ବଦରୀ ଫଳ ଭାବି ପରିତ୍ୟାଗ କରେ, ତୁମେ ଠିକ୍‌ ସେହିପରି ନିଜର ଅମୂଲ୍ୟ ସମ୍ପତ୍ତିକୁ ପରିତ୍ୟାଗ କରିବାକୁ ବସିଛ । ତୁମେ ଟିକିଏ ନିଜର ସଦ୍‌ବୁଦ୍ଧି କୁଣ୍ଡକୁ ଘାଣ୍ଟ । ତୁମେ ତ ରହିଲ ଏତେ ଦୂରରେ, ଏତେ ଉପରେ । ପଣ୍ଡାମାନେ, ସୀତାଙ୍କୁ ଅସୁରୁଣୀ ଜଗିବା ପରି ତମକୁ ଘେରି ରହିଛନ୍ତି । ନିଜକୁ ନିଜେ ରକ୍ଷାକର ।

 

ଆଜିକୁ କେତେ ଶହ ବର୍ଷ ହେଲା କବି ଏହି ପ୍ରାର୍ଥନା କରି ମରିଗଲେଣି । ଏହି ସମୟଟା ଜଗନ୍ନାଥଙ୍କୁ କେତେ ମିନିଟ୍‌ ମାତ୍ର । ସେ ବର୍ତ୍ତମାନ ଭାବୁଛନ୍ତି ଓ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଦେଇଦେଲେ କବିଙ୍କର ଅଣ–ପଣ–ସଣ ନାତିମାନେ ତାହା ପାଇଯିବେ । ହୋ ଓଡ଼ିଶା ସରକାର ହୁସିଆର ହୋଇଯାଅ, ଶୀଘ୍ର ଶରଧା ବାଲିକୁ ଜାତୀୟକରଣ କରିପକାଅ । ଏ ବାଲିରେ ବିରଳ ମୃର୍ତ୍ତିକା ପ୍ରଚୁର ରହିଛି । ଚତୁର କବି ସେତେବେଳେ ତାହା କିସ୍‌ କଦରରେ ଜାଣିପାରି ମାଗି ଦେଇଛନ୍ତି, କବିଙ୍କ ଅଣନାତିମାନେ ପାଇବାମାତ୍ରେ ରୁଷିଆ ଓ ଆମେରିକାକୁ ପାରାଦ୍ୱୀପବାଟେ ଚୋରାରେ ଚାଲାନ୍‌ କରି ବିସ୍ତାର ଲାଭବାନ ହେବେ । ଦୀର୍ଘ ହାତେ ପ୍ରସ୍ଥ ହାତେ ମାପରେ ସେମାନେ ଖୋଳି ନେଇଯିବେ । ଆଇନ୍ ଦୃଷ୍ଟିରୁ ତାଙ୍କୁ ବେଶି ଖୋଳିବାକୁ ବାରଣ କରାଯାଇ ପାରିବ ନାହିଁ । ବେଦ ନିର୍ଣ୍ଣିତ ହୋଇ ନ ଥିବାରୁ ସେମାନେ ମନ ଇଚ୍ଛା ଖୋଳି ନେଇଯିବେ । ବିରଳ ମୃତ୍ତିକା ଓଡ଼ିଶାରେ କିମ୍ବା ଭାରତରେ ରହିବ ନାହିଁ । ଏଠି ରହିଲେ ପଣ୍ଡାମାନେ ହୁଏତ ସେହିସବୁ ସ୍ଥାନକୁ ଯାଇ ଫେରାଇ ଆଣନ୍ତେ । ସେଗୁଡ଼ିକ କିନ୍ତୁ ସାତ ସମୁଦ୍ର ତେର ନଦୀ ପାର ହୋଇ ବିଦେଶକୁ ଚାଲିଯିବ । ସେଠି ପଣ୍ଡାଙ୍କ ଦାନ୍ତ ଭୂକିବ ନାହିଁ । କେବଳ ଯେ ବିରଳ ମୃତ୍ତିକା ଯିବ ତାହା ନୁହେଁ । ମାଟି ଭିତରେ କଅଣ ନାହିଁ ? ସୁନା, ରୂପା, ହୀରା ମଧ୍ୟ ମିଳିବ । ତାହା ମଧ୍ୟ ସେହି ବିଦେଶକୁ ଚାଲିଯିବ । ବିଚରା ଜଗନ୍ନାଥ ! ଏକାବେଳେକେ ଦେବାଳିଆ ହୋଇଯିବ ।

 

ହୋ ଜଗନ୍ନାଥ ! ତୁମେ ନିଜ ବିପଦ କଥା କଅଣ କିଛି ଜାଣି ପାରୁନ ? କେଉଁଦିନ ଯେ ବଡ଼ ଦେଉଳରେ ନାଲିବତି ଜାଳିବ ତା’ର କିଛି ଠିକଣା ନାହିଁ । ପଣ୍ଡା ପଢ଼ିହାରିଏ ତ ମନ୍ଦିର ଆୟର ବେଶି ଭାଗ ଚଳୁ କରିଦେଉଛନ୍ତି, ଭକ୍ତି କ୍ରମେ କମି ଆସିବାରୁ ଯାତ୍ରୀଙ୍କ ସଂଖ୍ୟା କମି ଆସିଲାଣି । ଜମିବାଡ଼ି ଯାହାସବୁ ଖଞ୍ଜା ଥିଲା ତାକୁ ତ ସରକାର ନେଇଗଲେ । କମ୍ୟୁନିଷ୍ଟମାନେ ଏମିତି ମାତିଲେଣି ଯେ କଳାପାହାଡ଼ିଆ ଅବସ୍ଥା ଘନେଇ ଆସିଲାଣି । ଚାରିଆଡ଼ୁ ଟଙ୍କାର ସୁଅ ସୁଖି ସୁଖି ଆସିଲାଣି । ସେହି ଶରଧା ବାଲିଟି ଏକମାତ୍ର ଭରସା । ସେଇଟି ଯଦି ଥିବ ତେବେ ରୁଷିଆ ଓ ଆମେରିକାକୁ ବାଉଁଶିଆଏ ଲେଖାଏଁ ବିକି ଗୁଜୁରାଣ ମେଣ୍ଟେଇବ । ଟାଉଟରିଆ କବିଙ୍କ ହାବୁଡ଼ରେ ପଡ଼ି ଯଦି ସେତକ ଦାନ କରିଦେବ ତେବେ ତୁମ ଅବସ୍ଥା ଗାଆଣ ଗାଇବନି । ଆମେ ଚେତେଇବା ଲୋକ ଚେତେଇଦେଲୁ, ତେଣିକି ତୁମ ଭାଗ୍ୟ ତୁମ ହାତରେ । ଓ–କଅଣ ମନେ ରହିଲାଟି, ଆମ ଧନ୍ଦାରେ ଆମେ ଚାଲିଲୁ । ନମସ୍କାର ।

Image

 

ଗଜର ଡାକ

 

ଲକ୍ଷ ଯୋଜନରେ ଗଜ, ଡାକଦେଲା ଦେବରାଜ,

ଚକ୍ର ପେଶି ନକ୍ର ନାଶି ଉଦ୍ଧରିଲ ତାହାକୁ,

 

କବି ବନମାଳୀଙ୍କର ଏହି ପଦ୍ୟାଂଶଟି ଜଣେ ଶ୍ରୀ ଅକ୍ଷର ବିବର୍ଜିତ ଓଡ଼ିଆ ଠାରୁ ଜଣେ ଓଡ଼ିଆ ପ୍ରଫେସର ପର୍ଯ୍ୟନ୍ତ କାହାକୁ ଅଜଣା ନାହିଁ । ଯେ କୌଣସି ଖଞ୍ଜଣୀ ମାଡ଼ ହେଉଥିବା ସ୍ଥାନରେ ଜଣେ ଯଦି ଧୈର୍ଯ୍ୟର ସହିତ ୧୫ ମିନିଟ୍‌ ମାତ୍ର ବସିଯିବ, ତେବେ ସେ ନିଶ୍ଚୟ ଜଣେ ଗଞ୍ଜିକା ଧୂମାକ୍ରାନ୍ତ ଗାୟକ–ମୁଖାରବିନ୍ଦୁରୁ ଏହି ପଦଟି ଶୁଣି ପାରିବ । ଓଡ଼ିଶାର ପୁରପଲ୍ଲୀରେ ଏପରି ଗୋଟିଏ ସ୍ଥାନ ନାହିଁ । ଯେଉଁଠାରେ କି ଗଞ୍ଜିକା ଧୂମାମୋଦିତ ଖଞ୍ଜଣୀ ମାଡ଼ର ଆସରଟିଏ ନାହିଁ । ଏଣୁ ଏ ପଦ୍ୟଟିକୁ ଯେ ସମସ୍ତେ ଏ ପର୍ଯ୍ୟନ୍ତ ଶୁଣି ଆସୁଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କେହି କେହି ସନ୍ଦେହ କରିପାରନ୍ତି ଯେ ଖଞ୍ଜଣୀ ମାଡ଼ ସ୍ଥାନରେ ବସୁଥିବା ଅଶିକ୍ଷିତ ଲୋକେ କେବଳ ଏହାକୁ ଶୁଣୁଥିବେ । ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଏବେ ଓଡ଼ିଶାରେ ପ୍ରାୟ ଚାରିଶହ କଲେଜ ବିଛେଇ ହୋଇ ରହିଛନ୍ତି, ସବୁଠୁ ଓଡ଼ିଆ ପଢ଼ା ହେଉଛି । ଅଧ୍ୟାପକମାନେ ଛାତ୍ରମାନଙ୍କ ମୁଣ୍ଡରେ ଏହି ପଦଟିକୁ ସଜେଇ ସଜେଇ ସଫାସୁତରା କରି ପୂରେଇ ଦେଇଆସୁଛନ୍ତି, ଆଉ ବି ବହୁ ପାଠ୍ୟପୁସ୍ତକ ସାଥୀ ପ୍ରକାଶକମାନେ ଏହି ପଦ୍ୟ ବିଷୟରେ ମଧ୍ୟ ବହୁ ଆଲୋଚନା ବହି ମାଧ୍ୟମରେ ଛାତ୍ରମାନଙ୍କ ନିକଟରେ ପରିବେଷଣ କରି ଆସୁଅଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପଦ୍ୟଟି ଅଜ୍ଞ–ବିଜ୍ଞ ନିର୍ବିଶେଷରେ ସମସ୍ତଙ୍କୁ ଭଲଭାବରେ ଜଣା ।

 

ବଡ଼ ଆଶ୍ଚର୍ଯ୍ୟର କଥା ଜଣେ ହେଲେ କେହି ଏ ପର୍ଯ୍ୟନ୍ତ କହି ନାହାନ୍ତି ଯେ ଏଇଟା ତୁଚ୍ଛା ଗାଲୁଆ କଥା ଓ ଅତ୍ୟଧିକ ଗଞ୍ଜିକା ସେବନରୁ ଉଦ୍ଭବ । କବି ବନମାଳୀ ସମ୍ଭବତଃ କୌଣସି ଗଞ୍ଜୋଡ଼ ଠାରୁ ଏହି ପ୍ରଳାପଟି ଶୁଣି ସେଥିରେ ବିଶ୍ୱାସ କରିଯାଇ ଏ ପଦ୍ୟଟି ଲେଖି ଦେଇଛନ୍ତି । ସେ ସମୟର ଲୋକେ ବିଶେଷ କରି କବିମାନେ ବଡ଼ ସରଳ ବିଶ୍ୱାସୀ ଥିଲେ । ଜ୍ଞାନର ପରିସର ମଧ୍ୟ ଆଜିକାଲି ପରି ଏତେ ବିସ୍ତାରିତ ହୋଇ ନ ଥିଲା । ତାହା ହୋଇଥିଲେ କହିବା ଲୋକକୁ କବି ବନମାଳୀ ନିଶ୍ଚୟ କହିଥାନ୍ତେ, ଦୂର ହୁଅ ମୂଢ଼ ଅବିଶ୍ୱାସୀ, ବିଜ୍ଞାନ-ସମ୍ମତ ନ ଥିବା କଥା ଗୁଡ଼ିକରେ ଆମ୍ଭେ କର୍ଣ୍ଣପାତ କରିବୁ ନାହିଁ ।’’

 

ପ୍ରକୃତରେ ଏହି କଥାଟା ଯେ କେଡ଼େ ଅବୈଜ୍ଞାନିକ ତାହା ଦେଖାଯାଉ । କଥାଟି ହେଲା ହାତୀଟାଏ ପାଣି ପିଇବାକୁ ପାଣିରେ ପଶିବା ମାତ୍ରେ ତହିଁରେ ଥିବା ଏକ କୁମ୍ଭୀର ତାକୁ ପକଡ଼ିଲା । ହାତୀ କୁମ୍ଭୀର କବଳରୁ ବହୁ ଚେଷ୍ଟା ସତ୍ତ୍ୱେ ରକ୍ଷା ପାଇଲା ନାହିଁ । ତେଣୁ ଏକ ଲକ୍ଷ ଯୋଜନରେ ଥିବା ବିଷ୍ଣୁଙ୍କୁ ଡାକିଲା । ବିଷ୍ଣୁ ଡାକ ଶୁଣିବାମାତ୍ରେ ସୁଦର୍ଶନ ଚକ୍ରକୁ ପେଶିଦେଲେ । ଚକ୍ରଟି ସାଆଁଇ କରି ଛୁଟିଆସି କୁମ୍ଭୀରଟାକୁ କଚ୍‌ କଚ୍‌ କାଟିଦେଲା । ଫଳରେ ହାତୀଟା ରକ୍ଷା ପାଇଗଲା ।

 

ପ୍ରଥମତଃ ହାତୀମାନେ ଦଳବଦ୍ଧ ହୋଇ ଯାଆନ୍ତି । ଘଟଣା ସମୟରେ ନିଶ୍ଚୟ ତିରିଶ, ଚାଳିଶି, ହାତୀ ପାଣି ପିଇବାକୁ ଯାଇଥିବେ । କୁମ୍ଭୀରକୁ ଜୀବନଟା କଅଣ ପିତା ଲାଗୁଥିଲା ଯେ ତିରିଶି ଚାଳିଶି ହାତୀ ଯେଉଁ ସ୍ଥାନକୁ ଧସେଇ ପଶୁଛନ୍ତି ସେଠାରେ ସେ ପାଣି ଭିତରେ ଚୁପ୍‌ ହୋଇ ଶୋଇ ଛକି ରହିବ । ହାତୀମାନଙ୍କ ପାଦ ଚକଟାରେ ତା ଦେହଟି ଚକଟା ଅଟା ପେଣ୍ଡୁଳା ହୋଇ ଯିବନି ? ଧରାଯାଉ ସେ ହାତୀଟା ଗୋଠ–ତଡ଼ା ହାତୀଟାଏ । ସେ କ୍ଷେତ୍ରରେ ସେ ନିଶ୍ଚୟ ଏକ ଦୁଷ୍ଟ ଅଣ୍ଡିରା ଦନ୍ତାବଳ ହୋଇଥିବ । କାରଣ ମାଈ ହାତୀମାନେ ଗୋଠରୁ ତଡ଼ା ଖାଆନ୍ତି ନାହିଁ । ସେ ଦନ୍ତାବଳଟି ପାଣି ପିଇଲାବେଳେ କୁମ୍ଭୀର ଖୁବ୍‌ ହେଲେ ତାର ଗୋଟାଏ ଗୋଡ଼କୁ କାମୁଡ଼ି ଧରିଥିବ । ଏ କ୍ଷେତ୍ରରେ ହାତୀ ଶୂନ୍ୟେ ଶୂନ୍ୟେ ସେହି ଗୋଡ଼ଟାକୁ ଟେକି ଝୁଲି ରହିଥିବା କୁମ୍ଭୀରଟାକୁ ଭୂଇଁକୁ ନେଇ ଆସିଥାନ୍ତା ଆଉ ତା ଦାନ୍ତର ଏକା ଭୁଷାରେ ଖତମ କରି ବାକି ଗୋଡ଼ମାନଙ୍କରେ ଚଟଣି କରିଦେଇଥାନ୍ତା । ହାତୀର ପରାକ୍ରମ ଆଗରେ କୁମ୍ଭୀର କିବା ଛାର ! ହାତୀ ନିଶ୍ଚେଷ୍ଟ ହୋଇ ବିକଳରେ ଆର୍ତ୍ତନାଦ କଲା ବୋଲି କହିବା ହାତୀ ଜାତି ପକ୍ଷରେ ଘୋର ଅପମାନଜନକ । ହାତୀ ବରଂ କୁମ୍ଭୀର ନିକଟରେ ଆତ୍ମବଳି ଦେଇ ମୃତ୍ୟୁବରଣକୁ ଶ୍ରେୟସ୍କର ମନେ କରିବ କିନ୍ତୁ ଏପରି ଅପମାନ ବରଣ କରି ନିଜ ଜାତି ପାଇଁ ଲାଞ୍ଛନା ନିମନ୍ତ୍ରଣ କରିବ ନାହିଁ ।

 

ଧରାଯାଉ କୁମ୍ଭୀର ଧରି ଲାବେଳେ ହାତୀ ‘ପେଏଁ’ କରି ଏକ ରଡ଼ିଦେଲା । ସେଇଟାକୁ ଆମେ ଲକ୍ଷେ ଯୋଜନରେ ଥିବା ଦେବରାଜଙ୍କୁ ଡକରା ବୋଲି କହିବା କାହିଁକି ? ଏ ଶବ୍ଦଟା ଦଳର ଅନ୍ୟ ହାତୀମାନଙ୍କୁ ଏକ ସଂକେତ, ଏ ଶବ୍ଦ ଶୁଣିବା ମାତ୍ରେ ଦଳଟା ଯାକ ହାତୀ ଜାଣିପାରନ୍ତି ଯେ ଶବ୍ଦକାରୀଟି ଶତ୍ରୁ କବଳିତ । ତେଣୁ ସେମାନେ ତାକୁ ସାହାଯ୍ୟ କରିବାପାଇଁ ସଙ୍ଗେ ସଙ୍ଗେ ଧାଇଁ ଯାଆନ୍ତି । ଏହି ବେଭାର ମାଙ୍କଡ଼, କୁଆ, ବଣି ଆଦିଙ୍କ ମଧ୍ୟରେ ବି ଦେଖାଯାଇଥାଏ । ଏ ସଂକେତ ଧ୍ୱନି ଦେବରାଜଙ୍କ ପ୍ରତି ଉଦ୍ଦିଷ୍ଟ । ଏପରି ଅଯୌକ୍ତିକ ଓ ଦାୟିତ୍ୱହୀନ ଲେଖା ସତ୍ୟର ଘୋର ଅପଳାପ ସ ଉଦ୍ଦେଶ୍ୟ ମୂଳକ ବୋଲି କହିବାକୁ ହେବ ।

 

ଆଉ ମଧ୍ୟ ହାତୀ’ ଦେବରାଜ’ ବୋଲି କହିବା ଏକ ଗୋଲିଖଟି ଗପଛଡ଼ା ଆଉ କଅଣ ହୋଇପାରେ ! କେବଳ ପକ୍ଷୀମାନଙ୍କ ଭିତରେ ଶାରୀକୁ ବହୁତ ଦିନ ଶିଖେଇଲେ ସେ ‘ଦେବରାଜ’ ବୋଲି ଡାକିପାରେ । ଶୁଆ, ବଣି ମଧ୍ୟ ଅନୁରୂପ ଶବ୍ଦ କରି ପାରନ୍ତି । କିନ୍ତୁ କୌଣସି ପଶୁ ପକ୍ଷେ ତାହା ସମ୍ଭବ ନୁହେଁ । ହାତୀ କଥାତ ଅସମ୍ଭବ । ବଣୁଆ ହାତୀଙ୍କ ଦଳରେ ପଶି ଗୋଟିଏ ହାତୀକୁ ‘ଦେବରାଜ’ ବୋଲି କହିବାକୁ ଶିଖେିଇବା ଲାଗି କେହି ଚେଷ୍ଟା କରିବେ ନାହିଁ, କି ଏପରି କରିବାକୁ ସାହସ କରିବେ ନାହିଁ, ସାହସ କଲେ ବି କିଛି ଫଳ ହେବନାହିଁ କାରଣ ସେ ଗଜମୂର୍ଖ ବୋଲି ସୁବିଦିତ । ଅପାଠୁଆଙ୍କୁ ସମସ୍ତେ ଗଜମୂର୍ଖ ବୋଲି କହିଥାନ୍ତି ଆଉ ମଧ୍ୟ ପ୍ରାଣୀତତ୍ତ୍ୱବିତ୍‌ମାନଙ୍କ ମତରେ ହାତୀର ମସ୍ତିଷ୍କ ଯେପରି ଭାବରେ ଗଠିତ ସେଥିରେ ଉନ୍ନିତ ଚିନ୍ତାଧାରା ଏକାବେଳେକେ ଅସମ୍ଭବ । ମଣିଷର ଉପର ସ୍ତରରେ ଦେବତା, ସେମାନଙ୍କ ଉପର ସ୍ତରରେ ବିଷ୍ଣୁ ଓ ତାଙ୍କ ହାତରେ ଏକ ମହାଭୟଙ୍କର ଅସ୍ତ୍ର ସୁଦର୍ଶନଚକ୍ର ଏବଂ ବିଷ୍ଣୁଙ୍କୁ ଡକା ପକେଇଲେ ସେ ସେହି ଚକ୍ର ପେଷି ଅତ୍ୟାଚାରୀକୁ ନିପାତ କରନ୍ତି । ଏ ସବୁ ଜ୍ଞାନ ଅଙ୍କୁରେଇବା ହାତୀ ପକ୍ଷେ ଅସମ୍ଭବ । ହାତୀ ମୁଣ୍ଡରେ କେବଳ ପଶିଥାଏ ଖାଇବା, ଏଥିରେ ବାଧାଦେବା ମଣିଷ ବା ପଶୁକୁ ମାରିପକେଇବା ଏବଂ ହାତୁଣୀ ସହ ପ୍ରେମ କରିବା । ସେ ବିଲକୁଲ୍‌ ଭାବିପାରିବ ନାହିଁ ଯେ ବିଷ୍ଣୁ ନାମଧେୟ ଏକ ମହାପରାକ୍ରମୀ ଜନ୍ତୁ ଏ ବିଶ୍ୱରେ ଅଛନ୍ତି, ଏବଂ ତାଙ୍କୁ ଡାକିଲେ ସେ ସବୁ ବିପଦରୁ ଉଦ୍ଧାର କରନ୍ତି ।

 

ଅନ୍ୟ ପକ୍ଷରେ ଦୂରତ୍ୱ କଥା ବିଚାର କରାଯାଉ କବିଙ୍କ କହିବା ଅନୁଯାୟୀ ହାତୀ ଓ ବିଷ୍ଣୁଙ୍କ ଭିତରେ ଦୂରତ୍ୱ ଲକ୍ଷେ ଯୋଜନ । ଯୋଜନକ ୨୪ ମାଇଲ ହିସାବରେ ଦୂରତ୍ୱ ୨୪ ଲକ୍ଷ ମାଇଲ । ଏ ଦୂରତ୍ୱରେ ପରିବର୍ତ୍ତନ ନାହିଁ । ଦୂରତ୍ୱ ଅପରିବର୍ତ୍ତିତ ରହିବା ଲାଗି ଏକ ବ୍ୟୋମ ବିହାରୀ ବିଶାଳକାୟ ପିଣ୍ଡ ପକ୍ଷରେ ଚନ୍ଦ୍ରପରି ପୃଥିବୀର ଉପଗ୍ରହ ଭାବରେ ତାକୁ ପ୍ରଦକ୍ଷିଣ କରିବା ଏକାନ୍ତ ପ୍ରୟୋଜନ । ଆଉ ମଧ୍ୟ ତାହା ବିଷ୍ଣୁଙ୍କ ଗ୍ରୀଷ୍ମନିବାସ ବା ଶୈତ୍ୟନିବାସ ପାଇଁ ଉପଯୁକ୍ତ ହେବା ବିଧେୟ । ସେଠାରେ ବୃକ୍ଷ ଥିବ, ହାତୀ ଥିବେ, ବଢ଼େଇ ଥିବେ, ପାଟରା ଥିବେ, ମିସ୍ତ୍ରୀ ବି ଥିବେ ଏସବୁ ବ୍ୟକ୍ତି ଓ ପଶୁ ନ ଥିଲେ ବର୍ଣ୍ଣିତ ଘଟଣାଟିର ପ୍ରଶ୍ନହିଁ ଉଠି ନ ଥାନ୍ତା ପଦ୍ୟଟିର ପୂର୍ବାପର ସଂଗତି ହେଲା ବିଷ୍ଣୁ ଓ ଲକ୍ଷ୍ମୀ ବୈକୁଣ୍ଠ ନାମକ ଏକ ଗ୍ରହରେ ବସି ପଶା ଖେଳୁଥିଲେ । ସେଠାରୁ ୨୪ ଲକ୍ଷ ମାଇଲ ଦୂରରେ ଥିବା ଏକ ନଈରେ ଜଳପାନ କରୁଥିବା ଏକ ଗଜ କୁମ୍ଭୀରାକ୍ରାନ୍ତ ହୋଇ ତାଙ୍କୁ ଡାକିବାରୁ ସେ ସୁଦର୍ଶନ ଚକ୍ରକୁ ପେଷି କୁମ୍ଭୀରକୁ କତଲ୍‌ କରିଦେଇଥିଲେ । ଏଣୁ ପୂର୍ବୋକ୍ତ ବିଷୟ ଗୁଡ଼ିକର ଉପସ୍ଥିତି ନିତାନ୍ତ ଦରକାର ।

 

ବିଷ୍ଣୁ ଓ ଲକ୍ଷ୍ମୀ ବସି ପଶା ଖେଳୁଥିଲେ । ଏଥିପାଇଁ ଗୋଟିଏ ରମଣୀୟ ପ୍ରାସାଦ ଦରକାର । ପାଲିଟା ପଡ଼ିବା ପାଇଁ ଏକ ଚିକ୍‌କଣ ଚଟାଣ ଦରକାର । ଏହାକୁ ଗଢ଼ିବା ପାଇଁ ମିସ୍ତ୍ରୀ ଦରକାର । ଇଟା, ସିମେଣ୍ଟ, ଚୂନ ପାଇଁ ବିଭିନ୍ନ ଖଣିଜପଦାର୍ଥ ଦରକାର । ପାଲି ଉପରେ ଯେଉଁସବୁ ଗୋଟି ଥୁଆ ହୁଏ ସେଗୁଡ଼ିକ କାଠରେ ତିଆରି । ଗଛ ନ ଥିଲେ କାଠ ଆସିବ କୁଆଡ଼ୁ । ପଶାକାଠି ହାତୀ ଦାନ୍ତରେ ତିଆରି । ହାତୀ ନ ଥିଲେ ହାତୀଦାନ୍ତ ଆସିବ କୁଆଡ଼ୁ ? ପାଲି ତିଆରି କରିବା ପାଇଁ ପାଟରାମାନଙ୍କର ଏକାନ୍ତ ପ୍ରୟୋଜନ । ବିଷ୍ଣୁ ଓ ଲକ୍ଷ୍ମୀ ପାନ ଖାଇ ପଶାଖେଳୁଥିଲେ ଓ ସୁନା ପିକଦାନିରେ ପିକ ପକାଉଥିଲେ । ଏଥିପାଇଁ ସେଠାରେ ପାନ ବରଜ, ଗୁଆ ବଗିଚା, ସୁନାଖଣି, ପିକଦାନି ତିଆରି କରିବା ପାଇଁ ଥଟାରିମାନଙ୍କର ଉପସ୍ଥିତି ଦରକାର । ମୋଟ ଉପରେ ଠିକ୍‌ ପୃଥିବୀ ପରି ଗୋଟିଏ ଉପଗ୍ରହ ତା’ଠାର ୨୪ ଲକ୍ଷ ମାଇଲ ଦୂରରେ ଥାଇ ପୃଥିବୀକୁ ପ୍ରଦକ୍ଷିଣ କରିବା ଦରକାର । କେହି କେହି କହିପାରନ୍ତି ଯେ ଏହା ସବୁ ପୃଥିବୀରୁ ବୁହାହୋଇ ସେଠାକୁ ଯାଇପାରିଥିବ । ଏହା ଏକ ଅସମ୍ଭବ ବ୍ୟାପାର । ରକେଟରେ ଗ୍ରହାନ୍ତର ଯାତ୍ରା ମାତ୍ର ଦଶବାର ବର୍ଷର କଥା । କିନ୍ତୁ ବର୍ଣ୍ଣିତ ଘଟଣା କେତେ ଶହ ବର୍ଷ ତଳର କଥା । ତେଣୁ ସେ ଉପଗ୍ରହରେ ସେଇ ସବୁ ବିଷୟ ଥିବା ନିହାତି ଦରକାର । ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ୨୪ ଲକ୍ଷ ମାଇଲ ଦୂରରେ ଥାଇ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା କୌଣସି ଉପଗ୍ରହ ନାହିଁ । କେହି କେହି ଭାବି ପାରନ୍ତି ଯେ ଏତେ ଦୂରରେ ଥିବା ଉପଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ହୁଏତ ଦେଖିପାରି ନ ଥିବେ । ଏହା ଏକ ବିକୃତ ଚିନ୍ତା । ଯେଉଁମାନେ କୋଟି କୋଟି ଆଲୋକ ବର୍ଷର ଦୂରରେ ଥିବା ନିହାରିକାକୁ ଦେଖି ସାରିଲେଣି ସେମାନଙ୍କ ପକ୍ଷରେ ନଗଣ୍ୟ ମାତ୍ର ୨୪ ଲକ୍ଷ ମାଇଲ ଅତି ତୁଚ୍ଛ । ଘରର ବାରଣ୍ଡପରି । ଜଣେ ଘରେ ଥାଇ ବରଣ୍ଡାରେ ଥିବା ଜିନିଷକୁ ଦେଖିପାରିଲା ନାହିଁ, କହିବା ଯେପରି ହାସ୍ୟାସ୍ପଦ ଏ ସମ୍ଭାବନା ସେହିପରି ହାସ୍ୟାସ୍ପଦ ।

 

ଉପସଂହାରରେ ଏତିକି ଆମେ ଦୃଢ଼ତାର ସହ କହିପାରୁ ଯେ ହାତୀକୁ କୁମ୍ଭୀର ଧରି ନ ଥିଲା କି ହାତୀ ‘ଦେବରାଜ, ଦେବଗଜ’ ବୋଲି ରଡ଼ି ଛାଡ଼ି ନ ଥିଲା । ସେଠାରୁ ୨୪ ଲକ୍ଷ ମାଇଲ ଦୂରରେ ଦେବରାଜଙ୍କର କୌଣସି ବାସସ୍ଥାନ ନ ଥିଲା । ଏ ଘଟଣାଟି ପୂରାପୂରି ଅସତ୍ୟ । କବି କୌଣସି ଗୋଲିଅର୍‌ଠାରୁ ଏ ପ୍ରଳାପଟି ଶୁଣି ଏ କବିତାଟି ରଚନା କରି ଅଛନ୍ତି । କବି ଭୋଳ ନ ହୋଇ ଏପରି ପ୍ରଳାପ ବିଷୟ ଟିକିଏ ଭାବିଥିଲେ ଓ ବିଷୟର ବିଶ୍ଳେଷଣ କରିଥିଲେ ଏ କବିତାଟି କେବେହେଲେ ଲେଖି ନ ଥାନ୍ତେ ।

Image

 

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

 

‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’ କବି ଭୀମ ଭୋଇ ନିଶ୍ଚିତ ଭାବରେ ଏହା ଲେଖି ଯାଇଛନ୍ତି ବୋଲି ପ୍ରାୟ ସବୁ ସମାଲୋଚକ ମତ ଦେଇଛନ୍ତି । ଏହି ମତ ଯେ କେତେଦୂର ଗ୍ରହଣଯୋଗ୍ୟ ତାହା ବିଚାରିବାର ବେଳ ହୋଇଗଲାଣି । ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ । ସମାଲୋଚକମାନେ ପ୍ରାୟ ସମସ୍ତେ ଅଧ୍ୟାପକ ଓ ଗୁରୁସ୍ଥାନୀୟ । ଏଣୁ ଶାସ୍ତ୍ରାନୁଯାୟୀ ଏହି ଗୁରୁମାନଙ୍କର କଥା ବା ବଚନକୁ ବିଶ୍ୱାସ କରିବା ଏକ ଗୁରୁତ୍ୱର ପ୍ରମାଦ ହେବ । ଆହୁରି ମଧ୍ୟ ଆଜିର ଗୁରୁ ବା ଅଧ୍ୟାପକମାନେ ଯେଉଁମାନଙ୍କୁ କହୁଛନ୍ତି ବା ପଢ଼ଉଛନ୍ତି ସେମାନେ ସମସ୍ତେ ଛାତ୍ର—୨୨ ବର୍ଷ ବୟସରୁ କମ୍‌ । ଭୀମଭୋଇଙ୍କୁ ସେମାନଙ୍କ ମଧ୍ୟରୁ କେହି ହେଲେ ବେନି ନୟନରେ ଦେଖିନାହାନ୍ତି, ତେଣୁ ଅଧ୍ୟାପକ ବା ଗୁରୁମାନଙ୍କ ବଚନରେ ପରତେ ନ ଯିବା ସେମାନଙ୍କର ଜନ୍ମଗତ ଅଧିକାର । ସେଥିରୁ ସେମାନଙ୍କୁ ବଞ୍ଚିତ କରିବାର ଅଧିକାର କାହାରି ନାହିଁ । ଭାରତର ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ନାହିଁ । ଜରୁରୀ ପରିସ୍ଥିତି ଜାରୀ କଲେ ମଧ୍ୟ ତାହା ସମ୍ଭବ ହେବ ନାହିଁ । ଛାତ୍ରଶକ୍ତି କିଛି ସାମାନ୍ୟ ଶକ୍ତି ନୁହେଁ । ଏହା ଲକ୍ଷ ଲକ୍ଷ ଭୋଲ୍‌ଟ ଶକ୍ତିସମ୍ପନ୍ନ ଏକ ଅତି ବିପଜ୍ଜନକ ଶକ୍ତି । ସେହି ଶକ୍ତିକୁ ଠିକ୍‌ ବାଟରେ ନେଇ ପାରିଲେ ତାହା ଗୋଟିଏ ବଡ଼ ସହରକୁ ଆଲୋକିତ ଓ ମନ୍ଦ ମନ୍ଦ ଗନ୍ଧବହ ପ୍ରବାହିତ କରିପାରିବ, ଆଉ ଟିକିଏ ଅଠିକ ବାଟରେ ନେଇଗଲେ ତାହା ବହୁଲୋକଙ୍କୁ ବିଦ୍ୟୁତ୍‌ହତ୍ୟା ବା ଇଲେକ୍‌ଟ୍ରୋକ୍ୟୁଟ୍‌ କରିଦେବ-। ମଧ୍ୟ ବେଳେ ବେଳେ ଦେଖାଯାଉଛି ଯେ ଛାତ୍ରଶକ୍ତିର ଉତ୍ପାତରେ ଅନେକ ଗୁରୁ ଜ୍ଞାନାଞ୍ଜନ ଶଳାକାଦ୍ୱାରା ଛାତ୍ରମାନଙ୍କ ଚକ୍ଷୁ ଫିଟେଇବା ପରିବର୍ତ୍ତେ ନିଜ ନିଜର ଚକ୍ଷୁ ହରେଇଛନ୍ତି । ପଙ୍ଗୁମାନଙ୍କୁ ଗିରି ଲଙ୍ଘେଇବା ପରିବର୍ତ୍ତେ ନିଜେ ଗୋଡ଼ ହରେଇ ପଙ୍ଗୁ ହୋଇ ବସିଛନ୍ତି । ଏଣୁ ଏ ପଂକ୍ତିର ରଚୟିତା ଭୀମ ଭୋଇ ବୋଲି ଛାତ୍ରମାନଙ୍କ ମୁଣ୍ଡରେ ଲଦିଦେବା ଏକ ମହାବିପଦଜନକ ବ୍ୟାପାର ।

 

ଦ୍ୱିତୀୟତଃ ଭୀମ ଭୋଇ ଜଣେ କି ଦି’ଜଣ ତାହା ଏକ ବିବଦମାନ ବିଷୟ । ଏପରି ବିବାହ କିଛି ନୂଆ ନୁହେଁ । ଆମରି ସାହିତ୍ୟରେ ଥିବା ଦୀନକୃଷ୍ଣ ଜଣେ କି ଦି’ଜଣ ଏହି ବିଷୟରେ ଅନେକ ସମାଲୋଚକ ମୁଷ୍ଟିଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ । ଅନେକ ଭାବିପାରନ୍ତି ଯେ, ଓଡ଼ିଆଗୁଡ଼ାକ କଳିହା, ସଜ ଘାଆରେ ପୋକ ପକାନ୍ତି ଓ ତିଳକୁ ତାଳ କରି ଥୁଅନ୍ତି । ଏପରି ଅସଙ୍ଗତ କଥା କହିବା ଓ ଅସଙ୍ଗତ କାର୍ଯ୍ୟ କରିବା ସେମାନଙ୍କ ପକ୍ଷେ ଅସ୍ୱାଭାବିକ ନୁହେଁ । ଏପରି ବିଚାର କରିବା ଅନୁଚିତ । ଇଂଲଣ୍ଡ ପରି ସଭ୍ୟଦେଶରେ ଇଂରେଜୀପରି ଧନାଢ଼୍ୟ ସାହିତ୍ୟରେ ସେକ୍‌ସପିଅରଙ୍କପରି ପୃଥିବୀ ବିଖ୍ୟାତ ନାଟ୍ୟକାର ଜଣେ କି ଦି’ଜଣ ସେ ବିଷୟ ନେଇ ତୁମୂଳ ହଟ୍ଟାଗୋଳ ସୃଷ୍ଟି ହୋଇଥିଲା । କେତେକ ଅତ୍ୟୁତ୍ସାହୀ ଗବେଷକ ତାଙ୍କ କବର ଖୋଳି ଶବ ପରୀକ୍ଷା କରିବାକୁ ବାହାରି ପଡ଼ିଥିଲେ । ସର୍ବସାଧାରଣଙ୍କ କଠୋର ତିରସ୍କାର ସେମାନଙ୍କୁ ଅବଶ୍ୟ ଏପରି କର୍ମରୁ ନିବର୍ତ୍ତାଇ ଥିଲା । ତଥାପି ବେଳେ ବେଳେ ସେମାନଙ୍କର ‘ଉଁ–ଆଁ‘ ଶବ୍ଦ ଶୁଣିବାକୁ ମିଳୁଛି । ସୁତରାଂ ଖୋଦ୍‌ ଭୀମ ଭୋଇ ସେ ପଂକ୍ତି ଲେଖିଛନ୍ତି କି ତାଙ୍କର ଅନ୍ୟ କେହି ଅନୁଗାମୀ ଭକ୍ତିରସ ପ୍ରାବଲ୍ୟ ଯୋଗୁଁ ନିଜେ ଲେଖି ତାଙ୍କ ନାମରେ ଭଣିତା କରିଛନ୍ତି ତାହା ପ୍ରତିଧାନର ବିଷୟ-। ଏହାର ନଜିର ମଧ୍ୟ ଓଡ଼ିଆ ସାହିତ୍ୟରେ ପରିଷ୍କାର ଦେଖିବାକୁ ମିଳେ । କବିସୂର୍ଯ୍ୟ ବଳଦେବ ରଥ ଅଷ୍ଟଦୁର୍ଗାଧିପତିଙ୍କ ନାମରେ ଭଣିତା କରିବା କଥା କିଏ ନ ଜାଣେ ! ସୁତରାଂ ଅସଲି ଆଗ୍‌ମାର୍କା ଭୀମ ଭୋଇ ଯେ ଏ କବିତାକୁ ନିଃସନ୍ଦେହରେ ଲେଖିଛନ୍ତି ତାହା ପ୍ରକାଶ୍ୟରେ କହିବା ଏକ ଅତି ସାହସିକ ତଥା ମହାବିପଜ୍ଜନକ ବ୍ୟାପାର । ଆଜିକାଲି ବିପକ୍ଷ ଦଳର ଲୋକେ ଯେପରି ଅତି ଉଚ୍ଛୃଙ୍ଖଳ ହୋଇଉଠି, ଢେଲା, ବୋଲୁଅ, ଏସିଡ଼ ବୋତଲ, ସୋଡ଼ା ବୋତଲ, ଛୁରୀ, ଠେଙ୍ଗା ଓ ହାତବୋମାର ଆଶ୍ରୟ ନେଉଛନ୍ତି ସେଥିରେ ଭୀମଭୋଇ ଏହାକୁ ଅଲବତ୍‌ ଲେଖିଛନ୍ତି କହିଦେବା ମାତ୍ରେ ଆମ୍ବୁଲାନ୍‌ସ ଡକାଇ ହସ୍‌ପିଟାଲ ଯିବାର ଯୋଗ ପଡ଼ିପାରେ ।

 

ତୃତୀୟତଃ କବିତାର ବିଷୟବସ୍ତୁ ଦେଖାଯାଉ । ଏ ପ୍ରସଙ୍ଗରେ ଭୀମ ଭୋଇଙ୍କୁ ଅଲଗା କରି ରଖିବାକୁ ପଡ଼ିବ । କାରଣ କବି ଯେ ଭୀମ ଭୋଇ ତାହା ସଠିକ ଭାବରେ ଗ୍ରହଣୀୟ ନୁହେଁ । ଏଣୁ ଭୀମ ଭୋଇ ସ୍ଥାନରେ କେବଳ କବି ବୋଲି ଉଲ୍ଲେଖ କରୁଛୁ । କବି କହିଲେ ପ୍ରତିବାଦ କରିବାର ସାଧ୍ୟ କାହାରି ନାହିଁ । କବିତାକୁ କବି ଛଡ଼ା ଗୋରୁ, ଛେଳି କି ମାଙ୍କଡ଼ ଲେଖେ ନାହିଁ, କବିଙ୍କ ଭାଷାରେ ‘‘ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’ ଏହା ଏକ ଅସଙ୍ଗତ କଥା । କବି ତ ନର୍କରେ ପଡ଼ି ରହିବେ ସେ ଜଗତ ଉଦ୍ଧାରର ଆଶା କରିବେ କିପରି ? ନର୍କରେ ତ ଯମଦୂତଗଣ କେଞ୍ଚାକେଞ୍ଚି, ପିଟାପିଟି, ଉତ୍ତପ୍ତ ତୈଳକୁଣ୍ଡରେ ନିକ୍ଷେପ ଆଦି ଅତୀବ ଯନ୍ତ୍ରଣାଦାୟକ କର୍ମରେ ଲିପ୍ତ ରହିବେ । ସେଥିରେ କବି ବୋପାଲୋ ମାଆଲୋ ମରିଗଲିଲୋ ଚିତ୍କାର କରୁ କରୁ ସମୟ ଅତିବାହିତ ହୋଇଯିବ । ନିଜେ କିପରି ଯନ୍ତ୍ରଣାରୁ ରକ୍ଷା ପାଇବେ ସେ ବିଷୟ ତାଙ୍କ ମୁଣ୍ଡର ପ୍ରତି ମିଲିମିଟର୍ ସ୍ଥାନରେ ଖୁନ୍ଦି ହୋଇଯାଇଥିବ । ‘‘ଜଗତ ଉଦ୍ଧାର ହେଉ’’ ବିଷୟଟି ମୁଣ୍ଡରେ କିପରି ପଶିବ ଆଉ କେଉଁଠି ରହିବ ! ତା’ପାଇଁ ଫାଙ୍କା ସ୍ଥାନ ମିଳିବ କୁଆଡ଼ୁ ? ଗୋଟିଏ ଉଦାହରଣ ଦେଖାଯାଉ । ଗୋଟିଏ ଅପରାଧୀ ଜେଲଦଣ୍ଡ ଭୋଗୁଥିବ । ଜେଲ ନିୟମରୁ ଜାଣନ୍ତାରେ କିଛି ଭାଙ୍ଗି ଦେଇଥିବ, ଓ୍ୱାଡ଼ରମାନେ ତାକୁ ବାନ୍ଧିପକାଇ ଛେଚିଲାବେଳେ ତା ମୁହଁରୁ କେବେହେଲେ ବାହାରିବ କି–‘‘ହେ ପ୍ରଭୁ ! ମୁଁ ପଛେ ମାଡ଼ ଖାଉଥିବି ଚିନ୍ତା ନାହିଁ । କିନ୍ତୁ ଆଇନ ମାନି ଚଳୁଥିବା ଲୋକମାନଙ୍କର ମଙ୍ଗଳ ହେଉ । ସେମାନଙ୍କ ଘରେ ଚୋର, ଡାକୁମାନେ ନ ପଶନ୍ତୁ-।’’ ଅସମ୍ଭବ, ଅସମ୍ଭବ, ହୁଏତ ସେ ବିକଳ ହୋଇ କହିପକାଇବ–‘‘ମୋତେ ଆଉ ମାରନା, ମୁଁ ଆଉ ଦୋଷ କରିବି ନାହିଁ । ତମ ଗୋଡ଼ତଳେ ପଡ଼ୁଛି। ’’ ନାହିଁ ଯଦି ସେ ଜେଲମାଡ଼ୁଆ ବଦମାସ କଏଦୀ ହୋଇଥିବ ତେବେ ସେ କହିବ–‘‘ହଉ, କେତେ ମାରୁଛୁ ମାରୁଥା, ମୋର ବି ଦିନେ ପାଳି ପଡ଼ିବ । ଯେଉଁଦିନ ବାହାରେ ମୋ ହାବୁଡ଼ରେ ପଡ଼ିବୁ, ସେହିଦିନ ତୋ ପିଠିରୁ ଛାଲ ଉତାରିଦେବି ।’’ ଏହି ଦୁଇପ୍ରକାର କଥା ତା ମୁହଁରୁ କେବଳ ବାହାରିବା ସ୍ୱାଭାବିକ । ମଙ୍ଗଳ କାମନା ଏକ ଅସମ୍ଭବ ବ୍ୟାପାର । କବି ଯେ ନର୍କରେ ପଡ଼ିଯାଇଛନ୍ତି ତାହା ନିଶ୍ଚିତ । ତା’ ନ ହେଲେ ସେ କାହିଁକି କହିଥାନ୍ତେ ‘‘ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ।’’ ତାଙ୍କର ପ୍ରଥମ ଚିନ୍ତା ହୋଇଥିବ–କେମିତି ସେ ନିଜେ ଯନ୍ତ୍ରଣାରୁ ଉଦ୍ଧାର ପାଇବେ । ସେ ନିଶ୍ଚୟ ଭାବୁଥିବେ କିପରି ଯମଦୂତମାନଙ୍କୁ ଘୁଷ୍‌ରେ ବଶୀଭୂତ କରି ସେଠାରୁ ଉଦ୍ଧାର ପାଇବେ । ଜଗତ ଚୁଲିକୁ ଯାଉ ।

 

ଚତୁର୍ଥତଃ ଦେଖାଯାଉ କିଏ କାହାର ଉଦ୍ଧାର କାମନା କରେ ! ଜଣେ ନର୍କରେ ପଡ଼ିଥିବ, ଆଉ ଜଣେ ଉପରେ ଶାନ୍ତିରେ, ଆନନ୍ଦ ମନରେ ଠିଆ ହୋଇଥିବ । ଉପରବାଲା ଜଣକ ଭାବିବ–ବିଚରା ବହୁତ କଷ୍ଟ ପାଇଲାଣି, ହେ ଭଗବାନ୍‌ ତାକୁ ଉଦ୍ଧାର କର । ଯଦି ଓଡ଼ିଆ ହୋଇଥିବ ତେବେ ତ କଥା ଶେଷ । ସେ ନିଶ୍ଚୟ ଭାବିବ–ଉଁ ପା–ପା–ଚେଙ୍କେ, ଭଲ କରି ପା । ପାପ କରିଯିବାକୁ ହାତ ଖଜଲ ବଜଲ ହେଉଥିଲା । ମର୍‌ ମର୍‌ ସେଇଠି ଛଟପଟ ହୋଇ ମର୍‌ ।’’ ସେହି ସମୟରେ ନର୍କରେ ପଡ଼ିଥିବା ଲୋକଟି ଭାବୁଥିବ–ଉଃ ! କେଡ଼େ ଆଡ଼୍‌ଡ଼ାରେ ଠିଆ ହୋଇଛି । ହେ ଭଗବାନ ତାକୁ ଟିକିଏ ଏ ନର୍କକୁଣ୍ଡ ଭିତରକୁ ପେଲି ଦଉନ ।’’ ଓଡ଼ିଆ ହୋଇଥିଲେ ନିଶ୍ଚୟ ଭାବିବ–‘‘ହେ ଭଗବାନ୍‌ ସେ ଲୋକଟାର କଛା କି କୁଞ୍ଚର କାନି ଟିକିଏ ତଳକୁ ଆସନ୍ତା କି; ମୁଁ ତାକୁ ଏକା ଝିଙ୍କାରେ ତଳକୁ ଟାଣି ଆଣନ୍ତି । ନର୍କରେ ପଡ଼ିଥିବା କେହି ବି ଲୋକ କହିବନି–ହେ ଭଗବାନ ମୁଁ ପଛେ ଏମିତି ନର୍କରେ ପଡ଼ିଥାଏଁ ସେ ଉପର ଲୋକଟି ସୁଖରେ ରହୁ । ଏପରି ମଙ୍ଗଳବାଞ୍ଛା କେବଳ, ସୁସ୍ଥ ସଉକିଆ ଲୋକମାନଙ୍କ ପାଟିରୁ ବାହାରେ । କାରଣ ବାଞ୍ଛା କରିବାପାଇଁ କିଛି ପଇସା ପଡ଼େ ନାହିଁ । ବରଂ ତା ମନରେ ପ୍ରଚ୍ଛନ୍ନ ଭାବରେ ଏହି ଇଚ୍ଛା ଥାଏ କି ତା ନିକଟରେ ଥିବା ଅନ୍ୟମାନେ ତା’ର ଦୟା, କରୁଣାର ପରିଚୟ ପାଇ ଧନ୍ୟ ଧନ୍ୟ କରିବେ । ଦୁସ୍ଥ, ପୀଡ଼ିତ, ଅତ୍ୟାଚାରିତ ଲୋକମୁହଁରୁ କଦାପି ବାହାରିବ ନାହିଁ ।

 

ଏଣୁ ଉପସଂହାରରେ ଏହା କୁହାଯାଇପାରେ ଯେ ଏହି କବିତାଟିକୁ କୌଣସି ଏକ ଐଶ୍ୱର୍ଯ୍ୟପୂର୍ଣ୍ଣ ବ୍ୟକ୍ତି ଲେଖି, ଭୀମ ଭୋଇଙ୍କ ନାମରେ ଭଣିତା କରିଦେଇଛନ୍ତି । କବିତାର ନିର୍ଯାସ ଅପ୍ରାକୃତିକ ଓ ଜୀରାରୁ ଶୀରା କାଢ଼ୁଥିବା ଛାତ୍ରମାନଙ୍କ ଉପରେ କିଛିହେଲେ ପ୍ରଭାବ ପକାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ । ଅଧ୍ୟାପକମାନଙ୍କ ପକ୍ଷରେ ଅଯଥା ଗଳଦ୍‌ଘର୍ମ ହୋଇ ଛାତ୍ରମାନଙ୍କ ମସ୍ତିଷ୍କରେ ପୂରାଇବା ପାଇଁ ଚେଷ୍ଟିତ ହେବା ଏକ ବୃଥା ପ୍ରୟାସ ଓ ଅନାବଶ୍ୟକ ।

Image

 

ତୁହାଇ ତୁହାଇ ପୁଟ ଦେଲେ ହେଲେ ଲୁହା କି ହୋଇବ ସୁନା

 

କବିସୂର୍ଯ୍ୟ ଆଠଗଡ଼ରେ ଥାଇ ମାସିକ ଶହେ ଟଙ୍କା ଲେଖାଁଏ ବୃତ୍ତି ପାଉଥିଲେ । ଜଣେ ରାଜକର୍ମଚାରୀ ତାଙ୍କୁ ହଇରାଣ କରିବା ଲାଗି ଏ ବୃତ୍ତିକୁ ନାନା ଆଳ ଦେଖାଇ ୫ ମାସ ବନ୍ଦ କରିଦେଲେ । ଏଇଟା ଆଶ୍ଚର୍ଯ୍ୟର କଥା ନୁହେଁ । ଆଜିକାଲି ବି ସରକାରୀ ଗ୍ରାଣ୍ଟକୁ କେହି କେହି ତଳିଆ କର୍ମଚାରୀ ୫ ମାସ ଯାଏ ବିନା କାରଣରେ ବନ୍ଦ କରି ଦେଉଛନ୍ତି । କବିସୂର୍ଯ୍ୟ ଏକଥା ଜାଣି ଗୋଟିଏ କବିତା ଲେଖି ସେହି କର୍ମଚାରୀ ପାଖକୁ ପଠାଇଦେଲେ । ଉପରୋକ୍ତ ପଦଟି ଏହି କବିତାର ଘୋଷା ।

 

କବିତାଟିର ସାରକଥା ହେଲା–ବାସି ଫୁଲର ଯେତେ ପ୍ରଶଂସା କଲେ ତାହା କଅଣ ବାସିବ ? ଘାସିଟା କଅଣ ଆଡ଼ମ୍ବରପୂର୍ଣ୍ଣ ଆଶୀର୍ବାଦର ଯୋଗ୍ୟ ହେବ ? ପାଣି ଶିଉଳି ଫୁଲ ପଦ୍ମ ହେବ କି ? ଘୁଷୁରୀ କାମଧେନୁ ହେବ କି ? କୁଆ ପଞ୍ଜୁରୀରେ ରହିଲେ ଶୁଆ ହେବ ନା ଭୂଆଁ ଗୁହା ଭିତରେ ପଶି ରଡ଼ି ଦେଲେ ସିଂହଛୁଆ ହୋଇଯିବ ? ଲୁହାରେ ତୁହାଇ ତୁହାଇ ପୁଟ ଦେଲେ ସେ କେବେହେଲେ ସୁନା ହୋଇପାରିବ ନାହିଁ ।

 

କବିସୂର୍ଯ୍ୟ କେବଳ ସଂସ୍କୃତ, ଓଡ଼ିଆ ଓ ଫରାସୀ ଭାଷା ଭିତରେ ରହିଯାଇଥିଲେ । ଦି’ ଅକ୍ଷର ଇଂରାଜୀ ପଢ଼ି ସେ ଯଦି ବିଜ୍ଞାନ ପତ୍ରିକା ସାଧାରଣଜ୍ଞାନ କହି କିଣି ପଢ଼ିଥାଆନ୍ତେ ତେବେ ସେ ଆଦୌ ଏ କବିତା ଲେଖିନଥାନ୍ତେ କିମ୍ବା ଲେଖିବା ପରେ ଯଦି ପଢ଼ିଥାଆନ୍ତେ ତେବେ ସେ ପୋଥିରୁ ଏହି କବିତାଟି କାଢ଼ିନେଇ ଚୁଲିରେ ପୁରେଇ ଦେଇଥାଆନ୍ତେ ।

 

ଛାଡ଼ନ୍ତୁ ସେ କଥା । କଅଣ ହୋଇଥିଲେ କଅଣ ହୋଇଥାଆନ୍ତା । ସେହି ସବୁ ବିଷୟ ଘାଣ୍ଟି ସମୟ କରିବା ବୁଦ୍ଧିମାନ ଲୋକର କାର୍ଯ୍ୟ ନୁହେଁ । ଉପସ୍ଥିତ କ୍ଷେତ୍ରରେ ଯାହା ଆମ ଆଖିରେ ପଡ଼ିଲା ତାକୁଇ ଧରି ସମାଲୋଚନା ଚାଲୁଣିରେ ଚଳେଇବା ହେଉଛି ବୁଦ୍ଧିମାନ ଲୋକର କାର୍ଯ୍ୟ । ଏବେ କବିତା ଉପରକୁ ଆସିବା ହୁଅନ୍ତୁ । ପହିଲେ କବିସୂର୍ଯ୍ୟ କହିଛନ୍ତି କି ବାସିଫୁଲର ଯେତେ ଯତ୍ନ ନେଲେ ତାହା କଅଣ ବାସିବ ? ଆମେ କହିବୁ କାହିଁକି ନ ବାସିବ । ଆଜି ଫୁଲ ତୋଳା ହେଲା । ତାକୁ ଯଦି ଆମେ ଖରାଠାରୁ ଦୂରରେ ରଖିବା, ଫୁଲ ସହ ଡେମ୍ଫଯୁକ୍ତ ଦୁଇଟି ପତ୍ର ଥିବ ଏବଂ ସେହି ଡେମ୍ଫକୁ ଗିଲାସେ ରାସାୟନିକ ଉଦ୍ଭିଦ ଖାଦ୍ୟଯୁକ୍ତ ପାଣିରେ ବୁଡ଼ାଇ ରଖିବା ତେବେ ଫୁଲ ୫/୬ ଦିନ ଯାଏ ସତେକ ରହି ବାସିବ । ଗୋଲାପ, ଚମ୍ପା, ମଲ୍ଲୀ ଆଦି ଫୁଲକୁ ଅନେକେ ଏହିପରି ଭାବରେ ବୈଠକଖାନାରେ ରଖନ୍ତି । ତାହା ରୀତିମତ ବାସ ଦେଉଥାଏ । ବଉଳ ଫୁଲର କିଛି ନ ହେଲେ ବି ତାହା ବହୁଦିନ ଯାଏ ବାସେ । ୫/୬ ଦିନ ପରେ ଫୁଲର ପ୍ରାଣ ଚାଲିଯାଏ । ସେତେବେଳେ ତାହା ଆଉ ଫୁଲ ହୋଇ ରହେ ନାହିଁ । ତାହା ମୁର୍ଦ୍ଦାରରେ ପରିଣତ ହୋଇ ଗନ୍ଧାଏ-। ବାସି ହେଲେ ବି ଫୁଲ ପଦବାଚ୍ୟ ଥିବା ପର୍ଯ୍ୟନ୍ତ ତାହା ବାସିବ ହିଁ ବାସିକ । କବିସୂର୍ଯ୍ୟଙ୍କ ଅମଳ ଥିଲା ରସିକ ରାଜୁଡ଼ଙ୍କ କାରଖାନା । ଯଥେଷ୍ଟ ଫୁଲ ମିଳୁଥିଲା । ଆଜି ସନ୍ଧ୍ୟାବେଳେ ଦେହଲାଗି ହେଉଥିଲା ତ କାଲି ସକାଳେ ଅଳିଆ ଗାତରେ କୁଢ଼ା ହେଉଥିଲା । ରାତିରେ ଫୁଲଲାଗି ହୋଇଥିବା ରସିକମାନେ ପ୍ରେମରେ ମଜଗୁଲ୍‌ ହୋଇ ଫୁଲକୁ ଚକଟି ମନ୍ଥ ପକାଉଥିଲେ । ସକାଳୁ ସେ ଫୁଲ ମଢ଼ ହୋଇଯାଉଥାଏ । ଆଉ ବାସିବ କୁଆଡ଼ୁ ? କବିସୂର୍ଯ୍ୟ ଅସଲ କଥାଟା ନ ଜାଣି ଲେଖିଦେଲେ-। ଏଇଟା ଭୁଲ୍‍ ।

 

ଦ୍ୱିତୀୟରେ କବିସୂର୍ଯ୍ୟ ଲେଖିଲେ ଘାସିଟା କଅଣ ଆଡ଼ମ୍ବରପୂର୍ଣ୍ଣ ଆଶୀର୍ବାଦର ଯୋଗ୍ୟ-। ସେ ଯୁଗରେ ଲେଖା ହୋଇଥିଲା ବୋଲି କୌଣସି ମତେ ଚଳିଗଲା । ଆଜିକାଲି କଥା ହୋଇଥିଲେ ସର୍ବ ନିମ୍ନସ୍ତରର ଲୋକେ କଥାଟାକୁ ନିଜ ଦିହକୁ ଟାଣିନେଇ ସଦଳବଳ ମନ୍ତ୍ରୀଙ୍କ ପାଖରେ ହାଜର ହୋଇଯାଇ ବକ୍ତୃତା ଝାଡ଼ି ପକେଇ ଥାଆନ୍ତେ–‘‘ଏପରି ଆମ ପ୍ରତି ତାଚ୍ଛଲ୍ୟପୂର୍ଣ୍ଣ କାବ୍ୟ ପ୍ରୟୋଗକାରୀକୁ ସମୁଚିତ ଦଣ୍ଡ ଦିଅ ନ ହେଲେ ଆସନ୍ତା ନିର୍ବାଚନ ବେଳେ ତମକୁ ଭୋଟ ଦେବୁ ନାହିଁ । ଇନ୍‌କ୍ଳାବ ଜିନ୍ଦାବାଦ ।

 

ମନ୍ତ୍ରୀ ବିଚରା ଭୟରେ ଛେରି ମୁତି କବିସୂର୍ଯ୍ୟଙ୍କୁ ମିଶାରେ ଧରିନେଇ ଜେଲରେ ଠୁଙ୍କି ଦେଇଥାଆନ୍ତେ । ଆଜି କାଲି ଘାସୀହିଁ ସବୁଠାରୁ ବେଶି ଆଡ଼ମ୍ବରପୂର୍ଣ୍ଣ ଆଶୀର୍ବାଦ ଲାଭ କରୁଛି । ଏଣୁ ଏଇଟା ଭୁଲ୍‍ ।

 

ତୃତୀୟରେ କବିସୂର୍ଯ୍ୟ ଲେଖିଛନ୍ତି ପାଣିଶିଉଳି କଅଣ ପଦ୍ମ ଫୁଲରେ ପରିଣତ ହୋଇପାରିବ ? ଏଇଟା ଉଦ୍ଭିଦ ବିଜ୍ଞାନର କଥା ବିଛା ମନ୍ତ୍ର ନ ଜାଣି କବିସୂର୍ଯ୍ୟ ସାପ ଗାତରେ ହାତ ପୂରେଇ ଦେଇଛନ୍ତି । ଉଦ୍ଭିଦ ବିଜ୍ଞାନରେ ପାରଦର୍ଶୀ ନ ହୋଇ ଏପରି କଥା ଲେଖିଦେବା ଅନୁଚିତ । ଏବେ ଆମେ ଯେଉଁ ଆଳୁ ଖାଉଛୁ ତାହା ବିଜ୍ଞାନୀ ଲୁଥର ବର୍ବାଙ୍କ୍‌ଙ୍କ ସୃଷ୍ଟି । ଗୋଟାଏ ଫାଲତୁ ଅଖାଦ୍ୟ ଭୂମିଜାତ ଦ୍ରବ୍ୟକୁ କୃତିମ ପରାମ ସଂଯୋଗ ପ୍ରକ୍ରିୟାରେ ମାର୍ଜିତ କରାଇ କରାଇ ଶେଷରେ ଆମର ସର୍ବଶ୍ରେଷ୍ଠ ପରିବା ଆଳୁରେ ପରିଣତ କରିଛନ୍ତି । ଏବେ ମଧ୍ୟ ବିଜ୍ଞାନୀମାନେ ବହୁ ନୂଆ ନୂଆ ଫୁଲ ଓ ଫଳ ସୃଷ୍ଟି କରି ପାରୁଛନ୍ତି । ସେମାନେ ଇଚ୍ଛା କଲେ ପୋକଶୁଙ୍ଘା ଫୁଲକୁ ପାରିଜାତ ଫୁଲରେ ପରିଣତ କରିଦେଇ ପାରିବେ । ହଟିକଲଚର ଆଗ୍ରିକଲଚର ନ ପଢ଼ି କବିସୂର୍ଯ୍ୟ ଏଇଟା ଲେଖିଦେବା ଭୁଲ୍‍ ହେଲା । ଏବେ ପାଠକମାନେ ଏହାକୁ ପଢ଼ି ହସୁଛନ୍ତି ।

 

ଚତୁର୍ଥରେ କବିସୂର୍ଯ୍ୟ ଲେଖିଲେ ଘୁଷୁରୁଣୀଟାଏ କଅଣ କାମଧେନୁ ହୋଇପାରିବ ? ଏଠି କବିସୂର୍ଯ୍ୟ କିଛି ନ ଜାଣି ଜୀବ ବିଜ୍ଞାନ ବା ଜୁଲଜି ଭିତରେ ପଶି ଯାଇଛନ୍ତି । ଘୁଷୁରୁଣୀ ଓ କାମଧେନୁକୁ ଗୋଟିଏ ଜାଗାକୁ ଆଣିଛନ୍ତି । ତାଙ୍କର କହିବାର ତାତ୍ପର୍ଯ୍ୟ ହେଲା–ଘୁଷୁରୁଣୀ ଅତି ଅଳ୍ପ ଦୁଧ ଦିଏ, ଯାହାକି ଚାହାକୁ ନିଅଣ୍ଟ । କିନ୍ତୁ କାମଧେନୁ ଇଚ୍ଛା କଲେ ଦୁଧରେ ଗୋଟାଏ ସହରକୁ ଭସେଇ ଦେବେ । କବିସୂର୍ଯ୍ୟଙ୍କ ଅସଲ ମତଲବ ହେଲା ଯେତେ ଯାହା କଲେବି ସ୍ୱଳ୍ପ ଦୁଧ ଦେଉଥିବା ଘୁଷୁରୁଣୀ କାମଧେନୁ ପରି ଦୁଧ ଦେବ କି ? ଡାଏରୀ ଫାର୍ମିଂ ବିଷୟରେ କିଞ୍ଚିତ୍‌ ଜ୍ଞାନ ଥିଲେ କବିସୂର୍ଯ୍ୟ ବିଲକୁଲ ଏହା ଲେଖି ନ ଥାନ୍ତେ । ଆଗେ ଗାଈମାନେ ଖୁବ୍‌ କମ୍‌ ଦୁଧ ଦେଉଥିଲେ । ଜୀବ ବିଜ୍ଞାନୀମାନେ ବିଭିନ୍ନ ଗାଈ ଓ ଷଣ୍ଢର ସମ୍ମିଶ୍ରଣ କରାଇ ନୂଆ ନୂଆ ଦୁଧିଆଳୀ ଗାଈ ସୃଷ୍ଟି କଲେ । ଏବେ ଗୋଟାଏ ଗୋଟାଏ ଜର୍ସି ଓ ହୋଲଷ୍ଟିନ ଗାଈ ୩୦/୪୦ ଲିଟର ପର୍ଯ୍ୟନ୍ତ ଦୁଧ ଦେଉଛନ୍ତି; ଗାଈଠାରେ ଯାହା ସମ୍ଭବ ହେଲା ତାହା ଘୁଷୁରୁଣୀଠାରେ ସମ୍ଭବ ନ ହେବ କାହିଁକି ? ଲୋକେ ଘୁଷୁରୁଣୀ ଦୁଧକୁ ପସନ୍ଦ କରନ୍ତି ନାହିଁ । ତେଣୁ ଘୁଷୁରୁଣୀ ଉପରେ ନଜର ଦେଇନାହାନ୍ତି । ଦେଇଥିଲେ ଘୁଷୁରୁଣୀ ବି ହୋଲଷ୍ଟିନ ଗାଈ ପରି ଦୁଧ ଦେଉଥାନ୍ତା । ସୁତରାଂ ଏଇଟା ବି ଭୁଲ୍‍ ।

 

ତାହା ପରେ ସେ କହିଛନ୍ତି ଯେ କୁଆଟାକୁ ପଞ୍ଜୁରୀରେ ରଖି ଭଲ ଖାଇବା ପିଇବାକୁ ଦେଇ ଯେତେ ଯତ୍ନକଲେ ବି ସେ ଶୁଆ ହେବନି । ଉପରେ କୁହାଗଲା ଯେ ବୈଜ୍ଞାନିକ ଉପାୟରେ ଗାଈ ଦୁଗ୍‌ଧବତୀ ହେଲା ପରି ଘୁଷୁରୁଣୀ ମଧ୍ୟ ଦୁଗ୍‌ଧବତୀ ହୋଇପାରିବ । ସେହିପରି କୁଆଟା ବି ଶୁଆ ହୋଇପାରିବ । ସୃଷ୍ଟିର ଆରମ୍ଭରେ ଭଗବାନ ଗୋଟାଏ ଚଢ଼େଇ ସୃଷ୍ଟି କଲେ । ସେଇ ଚଢ଼େଇକୁ ଏପଟ ସେପଟ କରାଇ ଇଗଲ, ଚିଲ, ବଗ, କୁଆ, ଶୁଆ, ସାରୀ, କୋଇଲି ସବୁ ସୃଷ୍ଟିକରି ପକେଇଲେ । ବୈଜ୍ଞାନିକମାନେ ହେଲେ ବ୍ରହ୍ମଦର୍ଶୀ ବା ଭଗବାନଙ୍କ ପାଖ ଲୋକ । ଡାକ୍ତର ପାଖରେ କମ୍ପାଉଣ୍ଡର ବହୁତ ଦିନ ରହି କେଉଁ ରୋଗୀକୁ କେଉଁ ଔଷଧ କିପରି ତିଆରି କରିଦିଆଯାଏ ତାହା ଯେପରି ଶିଖିଯାଆନ୍ତି ବୈଜ୍ଞାନିକ ବା ବ୍ରହ୍ମଦର୍ଶୀମାନେ ଭଗବାନଙ୍କ ପାଖରେ ରହି କୁଆରୁ କେମିତି ଶୁଆ କରିବାକୁ ହେବ ତାହା ଜାଣିବା ବିଚିତ୍ର ନୁହେଁ । ସୁତରାଂ କୁଆଟା ଶୁଆ ହେବା ଅସମ୍ଭବ ନୁହେଁ । କବିସୂର୍ଯ୍ୟଙ୍କର ଏ କଥା ବି କାଟ ଖାଇଲା ।

 

ଶେଷରେ କବିସୂର୍ଯ୍ୟ ପୁଣି କହିଛନ୍ତି ଯେ ଭୁଆଁଟା ଗିରି ଗୁହାରେ ପଶି ଖୁବ୍‌ ଜୋରରେ ଯେତେ ରଡ଼ି ଦେଉ ପଛକେ ସେ ସିଂହଛୁଆ ହୋଇ ପାରିବନି । ଏ କଥାଟା ଗୋଟିଏ ପାଚିଲା କଦଳୀ ପଚ୍‌ କରି କାଟିଦେଲା ପରି ଅକ୍ଳେଶରେ କାଟିଦେଇ ହେବ । ବିରାଡ଼ି, ବାଘ, ଚିତା, ସିଂହ ସମସ୍ତେ ବିରାଡ଼ି ଜାତିର । ଅନେକ କହିଥାନ୍ତି ବାଘ ନ ଦେଖିଲେ ବିରାଡ଼ି ଦେଖ । ବାଘ ଯାହା ସିଂହ ସେଇଆ । ଭୁଆଁ ଟାତ କ୍ରମୋନ୍ନତି ଭିତର ଦେଇ ଗତି କରି ସିଂହ ବନିଛି । ତେଣୁ ଭୁଆଁ ଟା କାହିଁକି ସିଂହ ନ ହେବ ? କବିସୂର୍ଯ୍ୟ ଜୁଲଜି ବା ପ୍ରାଣୀ ବିଜ୍ଞାନ ଥରେ ଯଦି ଗଡ଼େଇ ଦେଇଥାଆନ୍ତେ ତେବେ ସେ ଏହି ପଦଟି ପୋଥିରୁ କାଟି ପକେଇ ଥାଆନ୍ତେ ।

 

କବିସୂର୍ଯ୍ୟ ପହିଲେ ଉଦ୍ଭିଦ ବିଜ୍ଞାନ ତା ପରେ ପ୍ରାଣୀ ବିଜ୍ଞାନରୁ ଉଦାହରଣ ଦେଇ ସାରି ଶେଷରେ ଖଣିଜ ବିଜ୍ଞାନ ଭିତରକୁ ଆସିଛନ୍ତି । ଅତି ଦୁଃଖର ସହିତ ଆମକୁ କହିବାକୁ ପଡ଼ୁଛି ଯେ କବିସୂର୍ଯ୍ୟ ଏଠାରେ ମଧ୍ୟ ମାଙ୍କଡ଼ଚିତ୍‌ ମାରିଛନ୍ତି । ସେ କହିଛନ୍ତି ତୁହାଇ ତୁହାଇ ପୁଟ ଦେଉଥିଲେ ଲୁହା କି ହୋଇବ ସୁନା !

 

ପରମାଣୁ ବିଭାଜନ ନ ହୋଇଥିବା ଯାଏ ଏ କଥାର କିଛି ମୂଲ୍ୟ ଥିଲା । ଏବେ ପରମାଣୁ ବିଭାଜନ ଯୁଗରେ ଏପରି ଉକ୍ତିର ଆଉ ସ୍ଥାନ ନାହିଁ । ପ୍ରତ୍ୟେକ ବସ୍ତୁର ପରମାଣୁରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଇଲେକଟ୍ରନ୍‌ ଅଛି । ଏହି ଇଲେକ୍‌ଟ୍ରନ ସଂଖ୍ୟାର ତାରତମ୍ୟ ଅନୁସାରେ ବସ୍ତୁଗୁଡ଼ିକର ତାରତମ୍ୟ ହୋଇଥାଏ । ଲୁହାର ପରମାଣୁରେ ଥିବା ଇଲେକ୍‌ଟ୍ରନ୍‌ ସଂଖ୍ୟାକୁ ଯଦି ଆମେ ବୈଜ୍ଞାନିକ ପ୍ରକ୍ରିୟାରେ ବଢ଼ାଇଦେଇ ସୁନା ପରମାଣୁର ଇଲେକ୍‌ଟ୍ରନ ସଂଖ୍ୟା ସହିତ ସମାନ କରିଦେଉ ତେବେ ଲୁହା ପରମାଣୁଟି ସୁନା ପରମାଣୁରେ ପରିଣତ ହୋଇଯିବ । ଅନ୍ୟ କଥାରେ ଲୁହାଟା ସୁନା ହୋଇଯିବ । ଏବେ ଅନେକ ମୌଳିକ ଗ୍ୟାସ୍‌ ପରିବର୍ତ୍ତିତ ହୋଇସାରିଲେଣି । ଲୁହାଟା ସୁନା ହେବା ଆଉ କେଇଟା ଦିନର କଥା । ଏଇଟା ଆଉ ଅସମ୍ଭବ କଥା ହୋଇ ରହିନି । ଏଇଟା ପାଣିକୁ ବରଫ କଲାପରି ସମ୍ଭବ ।

 

କବିସୂର୍ଯ୍ୟ ଆଜି ଯଦି ବଞ୍ଚିଥାଆନ୍ତେ ତେବେ ନିଜର ସ୍ୱଳ୍ପ ବ୍ୟାବହାରିକ ଜ୍ଞାନ ପାଇଁ ଲାଜରେ ସଢ଼ିଯାଇ ଘର କଣରେ ବୋଲି ଥାଆନ୍ତେ ‘‘ଲାଜରେ ସରିଗଲିତ ।’’ ଏଥିପାଇଁ କବିସୂର୍ଯ୍ୟଙ୍କୁ ଦୋଷ ଦେବା ଠିକ୍‌ ହେବନି । ଯେଉଁ କାଳରେ ଯେଉଁ ଜ୍ଞାନର ପ୍ରଚଳନ ଥାଏ । ଗାଲିଲିଓଙ୍କ ଅମଳରେ ‘‘ପୃଥିବୀ ସ୍ଥିର, ସୂର୍ଯ୍ୟ ଘୂରୁଛି’’ ଜ୍ଞାନର ପ୍ରଚଳନ ଥିଲା । ଗାଲିଲଓ ଏହା ଭୁଲ୍‍ ବୋଲି କହି ହଟହଟାରେ ପଡ଼ିଥିଲେ । ଏବେ କିନ୍ତୁ ଲୋକେ ତାକୁ ପରିତ୍ୟାଗ କଲେ । ସବୁ ପ୍ରକାର ଦୃଷ୍ଟିକୋଣରୁ ସେମାନେ ନିଧାର୍ଯ୍ୟ ଭାବରେ ବୁଝିଯିବାରୁ ତାକୁ ଭୁଲ୍‍ ବୁଝି ହସରେ ଉଡ଼େଇ ଦେଲେ । କବିସୂର୍ଯ୍ୟଙ୍କର ଲୁହା ପ୍ରତି ଉପହାସର ଅସାରତା ସମସ୍ତ ସବୁ ଦିଗରୁ ବୁଝିଗଲେ ‘ଉପହାସ’ଟା ଉପହସିତ ହୋଇଯିବ ।

 

କବିସୂର୍ଯ୍ୟ ଉପରୋକ୍ତ ଭୁଲ୍‍ ଉଦାହରଣଗୁଡ଼ିକ କାହିଁକି ବାଢ଼ିଥିଲେ ? ତାଙ୍କର ଅସଲ ଉଦ୍ଦେଶ୍ୟ କଅଣ ଥିଲା ? ଏବେ ତାହାହିଁ ବିଚାର୍ଯ୍ୟ ବିଷୟ । କବି ସୂର୍ଯ୍ୟଙ୍କର ଏସବୁ କହିବାର ଉଦ୍ଦେଶ୍ୟ ହେଲା–ଭଗବତ ସୃଷ୍ଟିରେ ଯିଏ ଯାହା ସେ ସେଇଆ ହୋଇ ରହିବ । ନୀଚକୁ ଯେତେ ସୁବିଧା ସୁଯୋଗ ଦେଲେ ବି ସେ ଉଚ୍ଚ ହୋଇପାରିବ ନାହିଁ । ରକ୍ଷା ହୋଇଛି ସେ ଏ ତଥ୍ୟ ଘୋଡ଼େଇ କହିଛନ୍ତି । କଥାଟା ଖୋଲାଖୋଲି ଭାବରେ କହିଥିଲେ ହରିଜନ, ଗିରିଜନ ଏବଂ ଅନ୍ୟାନ୍ୟ ତଫସିଲଭୁକ୍ତ ଜାତିର ଲୋକେ ସେ ସମୟରେ କବିସୂର୍ଯ୍ୟଙ୍କୁ ଘେରାଉ କରି ବହୁତ ହଇରାଣ କରିପକାଇ ଥାଆନ୍ତେ । ଏବେ ସେ ପଦର ଅନ୍ତର୍ନିହିତ ବିଷୟ ପ୍ରତି କାହାରି ନଜର ମଧ୍ୟ ପଡ଼ୁନି । ଅନୁନ୍ନତ ଶ୍ରେଣୀର ଲୋକମାନଙ୍କଠାରେ ସରକାର ତୁହାଇ ତୁହାଇ ପୁଟ ଦେଉଥିବାରୁ ସେମାନେ ସୁନା ପାଲଟୁଛନ୍ତି । ନେତାମାନେ ଦିନରାତି ସେହି ସୁନାମାନଙ୍କ ଦେହରେ ଘଷି ହେଉଛନ୍ତି । ଫଳରେ ସେମାନଙ୍କ ଦେହର କିଛି ଅଂଶ ବି ସୁନା ହୋଇଯାଉଛି ।

 

ସେହିପରି ଆହୁରି ଅନେକ ଛୋଟ ଜିନିଷ ବଡ଼ ହୋଇଯାଉଛି । କଳିଯୁଗର ମହର୍ଷି ଗୋବେଲ୍‌ସ୍‌ କହିଥିଲେ, ମିଛଟାକଚ ବାରମ୍ବାର କହିଲେ ବା ତୁହାଇ ତୁହାଇ ତହିଁରେ ପୁଟ ଦେଲେ ସେଇଟା ସତ ହୋଇଯାଏ । ଜର୍ମାନୀରେ ସେ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଇ ଦେଇଥିଲେ ।

 

କାଲି ସକାଳେ ଯିଏ ଦାଣ୍ଡର ଏକ ନମ୍ବର ଫାଡ଼ା, ଟାଉଟର, ସେ ପଲଟିକ୍‌ସ ପୁଟ ବୋଳିହୋଇ ଆଜି ଗୋଟାଏ ନେତା । ସମସ୍ତେ କାଲି ଯାହାକୁ ଦୁର୍‌ଦୁର୍‌ କରୁଥିଲେ ସେ ଆଜି ସମସ୍ତଙ୍କଠାରୁ ‘ଆଜ୍ଞା ହଁ, ଆଜ୍ଞା ହଁ’ ପଦ ଆଦାୟ କରୁଛି ।

 

ମୋଟା ଯୌତୁକ ପୁଟ ଲାଗିଲେ କିସ୍କିନ୍ଦା ସୁନ୍ଦରୀ ଊର୍ବଶୀ ବନିଯାଏ । ମୋଟ ଉପରେ ପୁଟ ଠିକ୍‌ ଭାବରେ ଲଗେଇ ଜାଣିଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ଏଇ ନିଘୂଢ଼ ସତ୍ୟଟି ଯଦି କବିସୂର୍ଯ୍ୟ ଜାଣିଥାଆନ୍ତେ ତେବେ ସେ ଏ କବିତାଟି କେବେହେଲେ ଲେଖି ନ ଥାନ୍ତେ । ରକ୍ଷା ହୋଇଛି ଏ କବିତାଟି ପାଠ ଭିତରେ ନ ରହି ଜୀବନୀ ଭିତରେ ରହିଛି । ଯଦି କେହି ଜୀବନୀ ଭିତରୁ ତାକୁ ଆବିଷ୍କାର କରେ ତେବେ କବିସୂର୍ଯ୍ୟଙ୍କ ଭକ୍ତମାନେ ପିମ୍ପୁଡ଼ି ଦେଖେଇ କହିଦେବେ ତାକୁ କବିସୂର୍ଯ୍ୟ ଲେଖି ନାହାନ୍ତି । ସେ ଲେଖିଥିଲେ, ତାହା ପାଠ ଭିତରେ ରହିଥାନ୍ତା । ସେଇଟା ପଣ୍ଡିତ କୁଳମଣି ଦାଶ, କାବ୍ୟତୀର୍ଥଙ୍କ କାମ । ବାସ୍‌, ସବୁକିଛି ଅପବାଦ କବିସୂର୍ଯ୍ୟଙ୍କ ମୁଣ୍ଡରୁ ଓହ୍ଲାଇ ପଣ୍ଡିତ କୁଳମଣି ଦାଶଙ୍କ ମୁଣ୍ଡରେ ଚଢ଼ିବ । ସବୁଠାରୁ ଭଲ ହେବ ଜୀବନୀର କେଉଁ ସ୍ଥାନରେ ଏ କବିତାଟି ଛପା ହୋଇଛି ତାହା ଉପରେ ଗୋଟାଏ ପଟି ଅଠାମାରି ପକେଇ ଦେବା । ଯେତେ ଶୀଘ୍ର ଏହା ହୁଏ ସେତେ ଭଲ ।

Image

 

ସୁନ୍ଦର ତୃପ୍ତିର ଅବସାଦ ନାହିଁ

 

ଏ ମିଛ କବିତାରେ ସାହିତ୍ୟିକ ମୂଲ୍ୟ ଅପେକ୍ଷା ଅର୍ଥନୈତିକ ମୂଲ୍ୟ ଯଥେଷ୍ଟ ବେଶି । ଚିଲିକା ତଥା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ମୂଳରେ ରହିଛି ଏଇ ଦୁଇପଦ ମିଛ କବିତା । ବଡ଼ ଦୁଃଖର କଥା, ଆମର ଅଧ୍ୟାପକମାନେ ଏହାକୁ ଏକ ଦରକାରୀ ମିଛ ବୋଲି ଜାଣିପାରୁନାହାନ୍ତି, ଓଲଟି ସତ ବୋଲି ଛାତ୍ରମାନଙ୍କୁ ପଢ଼ାଇ ଭୁଲ୍‌ ବାଟରେ ନେଇ ଯାଉଛନ୍ତି ।

 

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।

 

ଏ ଦୁଇଧାଡ଼ି କବିତାର ଜନକ ହେଲେ କବିବର ରାଧାନାଥ ରାୟ । ପ୍ରାୟ ଓଡ଼ିଆ ସାହିତ୍ୟର ସମସ୍ତ ସମାଲୋଚକ ଏହି ଦୁଇଧାଡ଼ି ପଢ଼ି ଆହା, ଓହୋ, ଉହୁ ଶବ୍ଦ କରିଥାନ୍ତି । ଅଧ୍ୟାପକମାନେ ଛାତ୍ରମାନଙ୍କୁ ପଢ଼ାଇଲାବେଳେ ଏହି ଦୁଇଧାଡ଼ି ପାଖରେ ପହଞ୍ଚିବା ମାତ୍ରେ ଅତ୍ୟଧିକ ଭାବପ୍ରବଣ ହୋଇପଡ଼ି ଆଖି ଖୋସି ଦିଅନ୍ତି । ସେମାନଙ୍କର କଷ୍ଠ ଗଦ୍‌ଗଦ ହୋଇଯାଏ-। ରାଧାନାଥଙ୍କୁ କିପରି ଭାବରେ ଓ କେଉଁ ଭାଷାରେ ପ୍ରଶଂସା କରିବେ ତାହା ଠିକ୍‌ କରି ନ ପାରି ବେଳେ ବେଳେ ଭକୁଆ ବନିଯାଆନ୍ତି । କେତେବେଳେ କହିପକାନ୍ତି ରାଧାନାଥ ପ୍ରକୃତିର ଲାଙ୍ଗୁଡ଼-। ଅର୍ଥାତ୍‌ ପ୍ରକୃତି ପଛେ ପଛେ ସେ ଧାଇଁ ଥାଆନ୍ତି । କେତେବେଳେ କହିପକାନ୍ତି ସେ ହେଉଛନ୍ତି ପ୍ରକୃତିର ପୂଜାପଣ୍ଡା । ଏପରି କହିଲେ ଆମ ମୁଣ୍ଡରେ ଅବଶ୍ୟ ଗୋଟିଏ ଧାରଣା ପଶୁଛି । ପୁରୀର ପଣ୍ଡାମାନେ ଯାତ୍ରୀମାନଙ୍କୁ ସାଙ୍ଗରେ ନେଇ ଚାରିଆଡ଼େ ବୁଲେଇ ଦିଅଁ ଦର୍ଶନ କରାଇଦିଅନ୍ତି ଓ ତାହା ସଙ୍ଗେ ତାଙ୍କଠାରୁ କିଛି ଧନ ହାତପଇଠ କରନ୍ତି । ରାଧାନାଥ ଅବଶ୍ୟ ଅନ୍ୟ ବାଟରେ ପଣ୍ଡାଗିରି କରିଛନ୍ତି । ସେ ସମସ୍ତଙ୍କୁ ନିଜ ବହିବାଟେ ନେଇ ଯାଇଛନ୍ତି । ସେହି ବହି ଭିତରେ ପାଠର ଯାତ୍ରୀମାନଙ୍କୁ ନେଇଯାଇ ଦେଖେଇ ଦେଇଛନ୍ତି–ହେଇ ଏ ପ୍ରକୃତି ଏମିତି, ସେ ପ୍ରକୃତି ସେମିତି । ପ୍ରଶ୍ନ ଉଠିପାରେ ପଣ୍ତାଏ ସିନା ଦିଅଁ ଦେଖାଇଲାପରି ପ୍ରକୃତି ଦେଖେଇଲେ, ହେଲେ ଯାତ୍ରୀଙ୍କୁ ସେ ଦକ୍ଷିଣା ବା ପାଉଣା କେଉଁଠି ମାଗିନାହାନ୍ତି । ଯାତ୍ରୀଏ ବି ଫଟା ପଇସାଟାଏ ତାଙ୍କୁ ଦେଇନାହାନ୍ତି । ଏପରି ସ୍ଥଳେ ତାଙ୍କୁ ପଣ୍ଡା କୁହାଯିବ କାହିଁକି ? ପାଠକମାନେ ଟିକିଏ ତଳେଇ କରି ଦେଖିଲେ ଅତି ସହଜରେ ଜାଣିପାରିବେ ଯେ ଯାତ୍ରୀମାନେ ଦକ୍ଷିଣା ସିଧାସଳଖ ନିଜ ହାତରେ ନ ଦେଇ ପ୍ରକାଶକମାନଙ୍କ ହାତରେ ଦିଆଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ିବ ଯେ କବିବର ରାଧାନାଥ ପ୍ରକୃତିର ପୂଜାପଣ୍ଡା । ବଡ଼ ଦେଉଳରେ ପଣ୍ଡା ଯେପରି ଯାତ୍ରୀକୁ ଚାରିଆଡ଼ ବୁଲେଇ ବୁଲେଇ ବିମଳାଙ୍କ ମନ୍ଦିର ଚଟାଣରେ ବସେଇଦିଏ, କବିବର ଠିକ୍‌ ସେହିପରି କବିତା ଯାତ୍ରୀମାନଙ୍କୁ ଭାରତର ଚାରିଆଡ଼ ବୁଲେଇ ବୁଲେଇ ଶେଷରେ ଚିଲିକା କୂଳରେ ବସେଇ ଦେଇଛନ୍ତି । ବେଳେ ବେଳେ ପଣ୍ଡାମାନେ କଞ୍ଚାରେ ଗାଲୁ ପେଲିଥାଆନ୍ତି । ଭୁବନେଶ୍ୱରର କେଦାରଗୌରୀ ପାଖରେ ଅନେକ, ପଣ୍ଡାମାନଙ୍କୁ କହିବାର ଶୁଣିଥିବେ–‘‘ହେଇ ଏଇଠି କେଦାର ଆସି ଉଙ୍କି ମାରୁଥିଲା, ଏଇଠି ଗୌରୀ ବସି କାନ୍ଦୁଥିଲା । ଏଗୁଡ଼ାକ କଞ୍ଚା ଗାଲୁ ନୁହେଁ ତ ଆଉ କଅଣ ? ଠିକ୍‌ ଏହିପରି କବିବର ପଣ୍ଡାଗିରି କରୁ କରୁ ଗାଲୁ ପେଲିଦେବାକୁ ଛାଡ଼ିନାହାନ୍ତି । ଉପରୋକ୍ତ ଦୁଇଧାଡ଼ି କବିତା ହେଲା ତାଙ୍କର ଏକ ଚମତ୍କାର ଗାଲୁ । ଏଇଟା କିପରି ଗାଲୁ ହେଲା ତାହା ପରେ ବୁଝାଇ ଦିଆଯିବ-। ପ୍ରଥମରେ ଆମର ଦେଖିବା ଉଚିତ୍‌ ସେ ଜାଣିଶୁଣି ସେ ଏପରି ଗାଲୁ କହିଛନ୍ତି ନା ଅଜାଣତରେ ଏହା ତାଙ୍କ ପାଟିରୁ ବାହାରିପଡ଼ିଛି ।

 

ମନ ଉପରେ ଶରୀରର ପ୍ରଭାବ ଖୁବ୍‌ ବେଶି ଥାଏ । ଦୁବ୍‌ଲା ନୁଡ଼ୁବୁଡ଼ିଆ ଲୋକଙ୍କର ମନ ଅତି ଅକ୍ଳେଶରେ ପ୍ରଭାବିତ ହୋଇଥାଏ । କବିବର ପିଲାଦିନରୁ ଯେ ଦୁବ୍‌ଲା, ନୁଡ଼ୁବୁଡ଼ିଆ ଥିଲେ, ତାର ଯଥେଷ୍ଟ ପ୍ରମାଣ ରହିଛି । ବହୁ ଆଗେ ଏଣ୍ଟ୍ରାନ୍‌ସ୍‌ ପାଶ୍‌ କରିବାଟା ଗୋଟାଏ ହିମାଳୟ ତାଡ଼ିବା ଭଳି କଷ୍ଟସାଧ୍ୟ କାମ ବୋଲି ଲୋକେ ବିଚାର କରୁଥିଲେ । ବଳୁଆ ଓ ସୁସ୍ଥ ଛାତ୍ରମାନେ କେବଳ ଏଣ୍ଟ୍ରାନ୍‌ସ୍‌ ପାଶ୍‌ କରନ୍ତି ବୋଲି ଲୋକେ ଭାବୁଥିଲେ । ସୁନ୍ଦର ରାୟଙ୍କ ପୁଅ ରାଧାନାଥ ରାୟ ଯେତେବେଳେ ଏଣ୍ଟ୍ରାନ୍‌ସ୍‌ ପାଶ୍‌ କରିଗଲେ ସେତେବେଳେ ବହୁ ଲୋକ ତାଙ୍କୁ ଦେଖିବାକୁ ଆସିଲେ । ତାଙ୍କର ଚେହେରା ଦେଖି ଭାବିଲେ ଏଣ୍ଟ୍ରାନ୍‌ସ୍‌ ପାଶ୍‌ଟା ବଡ଼ ନୁହଇ ପରା । ଯଦି ବଡ଼ ହୋଇଥାନ୍ତା ତେବେ ରାଧାନାଥଙ୍କ ପରି ଦୁବୁଲା ଶରୀରବିଶିଷ୍ଟ ଛାତ୍ର ତାହା କରିପାରି ନ ଥାନ୍ତେ । ଖୋଦ୍‌ ଫକୀର ମୋହନ ଏହାକୁ ଲେଖିଅଛନ୍ତି, ତେଣୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ । ବୁଢ଼ା ଦିନଯାଏ ସେ ସେହିପରି ଦୁବୁଲା ଥିଲେ । ପରିଣତ ବୟସରେ ସେ ଭାରତର ଉତ୍ତର ଓ ଦକ୍ଷିଣାଞ୍ଚଳ ବୁଲିଥିଲେ । ହିମାଳୟର ବିଶାଳତା ଦେଖିବାମାତ୍ରେ ସେ ହାଁ କରି ରହିଗଲେ । ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ଅକଲ ଗୁଡ଼ୁମ୍‌ ହୋଇଗଲା । ଦୃଷ୍ଟି ଭ୍ରମ ଘଟିଲା, ତାଙ୍କୁ ଜଣାଗଲା ଶିବଙ୍କର ଆର୍ବିଭାବ ହୋଇଛି ଯେମିତି । ସେଇଠି ସେ ଗୋଡ଼ତଳେ ପଡ଼ିଗଲେ । ହିମାଳୟ ତାଙ୍କୁ ବାଉଳା କରିଦେଲା ।

 

ତା’ ପରେ ସେ ରାଜସ୍ଥାନର ମରୁଭୂମି ଦେଖି ଭୀତତ୍ରସ୍ତ ହୋଇଗଲେ । ଡରିବାର କି ଦରକାର ଥିଲା ! ମରୁବାଲିଗୁଡ଼ାକ କଣ କାମୁଡ଼ି ପକେଇ ଥାଆନ୍ତେ କି ? ତୁଚ୍ଛାଟାରେ ପୋଖରୀଛୁଆଁ ହୋଇଥିଲେ ସିନା !

 

ସେହିଠାରୁ ସେ ଆସିଲେ ବିନ୍ଧ୍ୟାଦ୍ରି କାନ୍ତାର । ସେଠି ଜଙ୍ଗଲ, ନର୍ମଦା ନଈର ତୋଡ଼ ଆଉ ପ୍ରପାତର ଘୋର ଗର୍ଜନରେ ତାଙ୍କ ପିଳେହି ପାଣି ହୋଇଗଲା । ବୋଧହୁଏ ଜଳପ୍ରପାତର ରୁଦ୍ରମୂର୍ତ୍ତି ଦେଖି ସେ ହାଉଳି ଖାଇଗଲେ । ତାଙ୍କପରି ଦୁବ୍‌ଲା ଲୋକଙ୍କ ପକ୍ଷେ ଭୟରେ କାକୁସ୍ଥ ହୋଇଯିବା ସ୍ୱାଭିବିକ ।

 

ପୁନଶ୍ଚ ସେ ଦଣ୍ଡକାରଣ୍ୟରେ ପଶିଲେ । ନିବିଡ଼ ବଣ ମଧ୍ୟରେ ଭୁଆଁ ବୁଲିଗଲେ । ହିଂସ୍ର ପଶୁମାନଙ୍କ ଭୟରେ ଜୁଡ଼ୁବୁଡ଼୍‌ ହୋଇ ସେ ପଳେଇ ଆସିଲେ । ଏହିସବୁ ଭୀଷଣ, ବିରାଟ ଓ ବିକଟ ଦୃଶ୍ୟମାନ ତାଙ୍କୁ ଭଲ ଲାଗିଲାନି । କେଉଁଠି କାଠଭୂତ ପାଲଟି ଗଲେ, କେଉଁଠି ହାଉଳି ଖାଇଲେ, କେଉଁଠି ତାଙ୍କ ଦୃଷ୍ଟିଭ୍ରମ ଘଟିଲା । ଏଇଟା କିଛି ଆମେ ତାଙ୍କ ନାଆଁରେ ମିଛ କହୁନୁ, ସେ ଖୋଦ୍‌ ‘ଚିଲିକା’ରେ ଏ ସବୁ ଲେଖି ଦେଖି ଦେଇ ଯାଇଛନ୍ତି । ଜଣେ ତଗଡ଼ା କବି, ଅଧ୍ୟାପକ ଏସବୁ ଦୃଶ୍ୟ ଦେଖିଥିଲେ ଭୋକ ଶୋଷ ଭୁଲି ସେଇଠି ନାକେଇ ରହିଥାଆନ୍ତେ, କିନ୍ତୁ ରାଧାନାଥଙ୍କର ଠିକ୍‌ ଓଲଟା ହେଲା । ତାଙ୍କୁ ଭଲ ଲାଗିଲା ଚିଲିକା । କାହିଁକି ଯେ ଭଲ ଲାଗିଲା ତାହା ତାଙ୍କୁ ଜଣା । ଚିଲିକା ତାଙ୍କର ସଖୀ ବନିଗଲା । ମଇଳା ଲୁଣିଆ ପାଣି, ସଣସଣିଆ ପଙ୍କ, ଚାରି ପାଖରେ ପଡ଼ିଥିବା ମାଛ କାତି, କଣ୍ଟା, ଚୁଙ୍ଗୁଡ଼ି ଓ ଗେଣ୍ଡା ଶାମୁକାର ଖୋଳ, ତହିଁରୁ ଭଣ ଭଣ ହୋଇ ବାହାରୁଥିବା ପୋଚରା ଗନ୍ଧ କେମିତି ଯେ କବିବରଙ୍କୁ ଭଲ ଲାଗିଗଲା ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଚିଲିକା ଭିତରେ ଯେଉଁ କାଳିଜାଇ ପାହାଡ଼ଟି ଅଛି ତାହାର ଦୃଶ୍ୟ ବି କହିଲେ ନ ସରେ । ଦୁନିଆଯାକର ଚଢ଼େଇ ସବୁ ଆସି ଦୁଇ କରିବାରେ ଲାଗିଛନ୍ତି । ଚଢ଼େଇ ଦୁଇରେ ଚାରିଆଡ଼ ଯାଦୁ ପରି ଦିଶୁଛି । ନାନା କିସମର କେଁ କଟର ଶବ୍ଦରେ କାନ ଅତଡ଼ା ପଡ଼େ । ସେ ଶବ୍ଦରେ କବିତାର ଗୋସେଇଁ ବାପାବି ଛାଡ଼ି ପଳେଇବ । କବିବରଙ୍କୁ ଏପରି କଦର୍ଯ୍ୟ ସ୍ଥାନରେ କବିତାର ତଲବ ଦେଖାଇଲା କିପରି ତାହା ବିସ୍ମୟର କଥା । କେହି କେହି କହି ପାରନ୍ତି ଯେ ଜଣେ ଅତି ରୁକ୍ଷ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ଯେତେବେଳେ ସେ ଅପେକ୍ଷାକୃତ କମ୍‌ ରୁକ୍ଷ ପଦାର୍ଥର ସଂସ୍ପର୍ଶରେ ଆସେ ସେତେବେଳେ ସେଇଟା ତାଙ୍କୁ ଭଲ ଲାଗେ । ହେଉ ତାହାହିଁ ହେଉ । ୟା ବୋଲି ଆମେ ଅପେକ୍ଷାକୃତ କମ୍‌ ରୁକ୍ଷ ପଦାର୍ଥଟାକୁ କୋମଳ ବୋଲି କହିବା ନା !

 

ଆହୁରି ମଧ୍ୟ ପ୍ରଶ୍ନ ଉଠିପାରେ ଯେ ସୌନ୍ଦର୍ଯ୍ୟବୋଧଟା ସ୍ଥଳବିଶେଷରେ ବଦଳି ଯାଏ । କଂସେଇଖାନାରେ କେବଳ ସୌନ୍ଦର୍ଯ୍ୟବୋଧ ଜାତ ହୋଇପାରେ କିନ୍ତୁ ଜଣେ ସନ୍ନ୍ୟାସୀର କେବଳ ହୃତ୍‌କମ୍ପଜାତ କରିବା ସେହିପରି ଆସନା ଆବର୍ଜନାପୂର୍ଣ୍ଣ ଚିଲିକାଟା କବିବରଙ୍କୁ ଖୁବ୍‌ ସୁନ୍ଦର ଦିଶିଲା-। ହେଉ ହେଲା । ଆମ ମନକୁ ଏହା ପାଉ ନ ଥିଲେ ସୁଦ୍ଧା ଆମେ ଏ ଯୁକ୍ତିଟାକୁ ଗ୍ରହଣ କରି ନେଉଛୁ । କିନ୍ତୁ କବିବର ଏ କଥା ଲେଖିଲେ କାହିଁକି–‘‘ସୁନ୍ଦର ତୃପ୍ତିରେ ଅବସାଦ ନାହିଁ, ଯେତେ ଦେଖିଲେହେଁ ନୂଆ ଦିଶୁଥାଇ’’, ଏଇଟା ବିଲ୍‌କୁଲ୍‍ ଠିକ୍‌ ନୁହେଁ । ଆସକ୍ତିର ଲାଙ୍ଗୁଡ଼ ହେଉଛି ଅବସାଦ । ଆସକ୍ତି ଯେଉଁଠାକୁ ଯାଉନା କାହିଁକି, ଅବସାଦ ତା ପଛେ ପଛେ ଚାଲିଥିବ । ଜଣେ ଲୋକ ଅନେକ ଦିନଯାଏ ରସଗୋଲା ଖାଇଲେ କ୍ରମେ ତା’ପ୍ରତି ତାର ବିତୃଷ୍ଣା ଆସେ । ସେଥିରେ ତା’ର ତୃପ୍ତି ଆସେ ନାହିଁ । ତୃପ୍ତିର ଅବସାଦ ଅସିଯାଏ । ଗୋଟିଏ ଭଲ ଫିଲ୍ମ ଆସିଲେ ଦର୍ଶକ ଧସ୍ତାଧସ୍ତି ହୁଅନ୍ତି । ଟିକେଟ୍‌ରେ କଳାବଜାର ଚାଲେ । ଜଣେ ଜଣେ ଦର୍ଶକର ଖୁବ୍ ବେଶିରେ ଆଠ ଦଶଥର ପର୍ଯ୍ୟନ୍ତ ତୃପ୍ତି ଆସିପାରେ; ତାପରେ ? ତାର ଆଉ ଦେଖିବାକୁ ଇଚ୍ଛା ହୁଏ କି ? ତା’ର ତୃପ୍ତିର ଅବସାଦ ଆସେ କି ନାହିଁ ? ସେହିପରି ଗୋଟିଏ ବଢ଼ିଆ ଗୀତ କଥା ଧରାଯାଉ–

 

ବହୁବର୍ଷ ତଳେ ‘ସଙ୍ଗମ’ ନାମକ ଏକ ଫିଲିମ୍‌ ଆସିଥିଲା, ସେଥିରେ ଗୋଟିଏ ବଢ଼ିଆ ଗୀତ ବୋଲା ଯାଇଥିଲା–ମେରେ ମନ୍‌କି ଗଙ୍ଗା, ତେରେ ମନ୍‌କୀ ଯମୁନା କା ବୋଲ ରାଧା ବୋଲ୍‌ ସଙ୍ଗମ୍‌ ହୋଗା କି ନେହିଁ । ଏ ଗୀତ ପ୍ରତି ଲୋକେ ଏତେ ଆସକ୍ତ ହୋଇ ପଡ଼ିଲେ ଯେ ସବୁଠି, ସମସ୍ତଙ୍କ ମୁହଁରୁ, ସବୁବେଳେ ଏହି ଗୀତଟି ବାହାରିଲା । ଲୋକେ ତାକୁ ବୋଲି ଯେଉଁ ତୃପ୍ତି ପାଉଥିଲେ କ୍ରମେ ତହିଁରେ ଅବସାଦ ଆସିଗଲା । ଆଜି କାହା ମୁହଁରୁ ଆଉ ସେ ଗୀତ ବାହାରୁଛି କି ? ସେହିପରି ଗୋଟାଏ ଭଲ ବାସନା ଫୁଲ ବହୁଦିନ ଯାଏ ଶୁଙ୍ଘିଲେ ତା’ର ତୃପ୍ତିରେ ବି ଅବସାଦ ଆସିଯାଏ । ସେ ଫୁଲକୁ ଆଉ ଶୁଙ୍ଘିବାକୁ ଇଚ୍ଛା ହୁଏ ନାହିଁ ତ୍ୱକ୍‌ ଇନ୍ଦ୍ରିୟର ବି ସେହି ଅବସ୍ଥା । ଗୋଟିଏ ଶଯ୍ୟାରେ ବହୁଦିନ ଧରି ଶୋଇଲେ ସେ ଶଯ୍ୟାଟି ଆଉ ଭଲ ଲାଗେ ନାହିଁ । ପାଞ୍ଚଟି ଯାକ ଇନ୍ଦ୍ରିୟ ତୃପ୍ତିର ଅବସାଦ ଅଛି । ଏହା ପ୍ରକୃତିର ଏକ ନିୟମ, ଏହା ବିଜ୍ଞାନ ସିଦ୍ଧ ।

 

ଏଥିରୁ ସ୍ୱତଃ ଜଣାପଡ଼ୁଛି ଏ ଦୁଇଧାଡ଼ି କବିତା ସତ୍ୟ ନୁହେଁ ବିଜ୍ଞାନ ସମ୍ମତ ନୁହେଁ । ବର୍ତ୍ତମାନ ଦେଖିବାର କଥା, କବିବର ଅଜାଣତରେ ଏ କଥା କହିଚନ୍ତି କି ଜାଣିଶୁଣି ଏପରି ଅସତ୍ୟ କଥାଟାଏ ଲେଖି ଦେଇଛନ୍ତି । ଅଜାଣତରେ ଏକଥା କହିଥିବା ବିଷୟ ଅବିଶ୍ୱାସ୍ୟ । ତାଙ୍କ ସମୟରେ ଶିକ୍ଷାର ମାନ ଏତେ ଉଚ୍ଚରେ ଥିଲା ସେ ଜଣେ ମାଟ୍ରିକ୍‌ ପାଶ୍‌ କରିଥିବା ଲୋକ ଆଜି ଜଣେ ଏମ:ଏ, ପାଶ୍‌ କଲାବାଲାକୁ ବିଦ୍ୟା ଓ ବୁଦ୍ଧିରେ ସତରପଟା ଚିତା କାଟି ଦେବ । ଏହାର କାରଣ ହେଉଛି ସେତେବେଳେ ନା ଥିଲା କପି, ନା ଧରାଧରି ବା ଧମକାଧମକି । ପାଶ୍‌ କରିବା ପାଇଁ ପିଲାଏ ରୀତିମତ ପଢ଼ୁଥିଲେ । ସେମାନଙ୍କର ଜ୍ଞାନଟା ହାଇସ୍କୁଲରୁ ହିଁ ପାକଳ ହୋଇ ଯାଉଥିଲେ । କବିବରଙ୍କର ସେତେବେଳେ ସେହିପରି ପାକଳ ବୁଦ୍ଧି ଥିଲା । ଏତିକି ବିଜ୍ଞାନସିଦ୍ଧ ଜ୍ଞାନ ଯେ ତାଙ୍କର ନ ଥିଲା, ତାହା ନୁହେଁ । ଆଉ ମଧ୍ୟ ଶିକ୍ଷା ବିଭାଗର ସେତେବେଳକାର ସର୍ବୋଚ୍ଚ ଆସନ ସରକାର ତାଙ୍କୁ ଅର୍ପଣ କରିଥିଲେ । ଆଜିକାଲି ପଦୋନ୍ନତି ପାଇଁ କର୍ମଚାରୀମାନେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ତୈଳାକ୍ତ କରୁଛନ୍ତି, ସେମାନଙ୍କର ଘର ସଉଦା କରି ଦେଉଛନ୍ତି, ସେମାନଙ୍କ ପିଲାଙ୍କୁ କାଖଉଛନ୍ତି, ମଝିରେ ମଝିରେ ରସଗୋଲା ହାଣ୍ଡି ନେଇ ମାଆଙ୍କ ହାତରେ ଦେଉଛନ୍ତି । ସେତେବେଳେ ସେ ସବୁର ଚିହ୍ନ ବି ନଥିଲା । ଉଚ୍ଚକର୍ତ୍ତୃପକ୍ଷ ଦକ୍ଷତା ଦେଖି ପଦୋନ୍ନତି କରୁଥିଲେ । ଦକ୍ଷତାର କଷଟି ପଥରରେ କଷି ପଦୋନ୍ନତି ଦେଉଥିଲେ । ରାଧାନାଥ ନିମ୍ନ ଶିକ୍ଷକତାରୁ ଉଠି ଉଠି ସର୍ବୋଚ୍ଚ ପଦବୀ ସ୍କୁଲ ଇନ୍‌ସପେକ୍‌ଟର ହୋଇଥିଲେ । । ଜ୍ଞାନର ପରାକାଷ୍ଠା ଦେଖାଇ ନଥିଲେ ସେ ଉଚ୍ଚକୁ ଉଠିପାରି ନଥାନ୍ତେ । ଏଣୁ ଅଜ୍ଞାନରେ ଏପରି ମିଛ କଥା କହିଥିବାର ପ୍ରଶ୍ନହିଁ ଉଠି ପାରିବ ନାହଁ । ସେ ଜାଣିଶୁଣି ଏପରି ମିଛକଥା ଲେଖିଛନ୍ତି । ଏତେ ବଡ଼ ଜ୍ଞାନୀ ହୋଇ ଜାଣିଶୁଣି ଏପରି ମିଛକଥା କହିବାର କାରଣ କଅଣ ? ଜ୍ଞାନୀ ଲୋକେ ଜାଣିଶୁଣୀ ଏପରି ମିଛ କଥା କହନ୍ତି ନାହିଁ ବୋଲି କହିବା ମଧ୍ୟ ଏକ ଡାହା ମିଛ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦରକାର ପଡ଼ିଲା ବେଳେ ମିଛ କହିଛନ୍ତି ଓ ଜଣେ ସତ୍ୟବନ୍ତ ପୁରୁଷକୁ ମିଛ କହିବା ଶିଖେଇଛନ୍ତି । ସେଠାରେ ମିଛ କହିବା ନିହାତି ଦରକାର ଥିଲା, ତେଣୁ ଭଗବାନ ମିଛ କହିଲେ ଓ କୁହାଇଲେ । ଏପରି ନ କଲେ ତାଙ୍କର ସୃଷ୍ଟିରେ ଗଣ୍ଡଗୋଳ ହୋଇଯିବ, ଲୀଳା ବ୍ୟାହତ ହେବ । ଏଣୁ ଯେତିକି ପରିମାଣରେ ମିଛ ନିହାତି ଦରକାର, ସେତିକି କହିବାରେ ଦୋଷ ନାହିଁ । ରାଜନୀତିଜ୍ଞ, କୂଟନୀତିଜ୍ଞ ଓ ଟାଉଟର ମାନଙ୍କ ପରି ଶହେ ପ୍ରତିଶତ ମିଛ କହିବା ଭଲ କଥା ନୁହେଁ । ସମାଜର ସୁଶୃଙ୍ଖଳ ଓ ସାବଲୀଳ ଗତି ପାଇଁ ପାଞ୍ଚ ପ୍ରତିଶତ ମିଛ କହିବା ଯୁକ୍ତିଯୁକ୍ତ ।

 

କବିବର ରାଧାନାଥ ଅସୁନ୍ଦରୀ ଚିଲିକାକୁ ସୁନ୍ଦରୀ ଏବଂ ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ’ ବୋଲି ମିଛ କଥା କହିବାଟା ଅକାରଣ ନୁହେଁ, ସେଥିରେ ଏକ ଗୂଢ଼ ନିର୍ଦ୍ଦିଷ୍ଟ କାରଣ ଅଛି । ଏହି କାରଣ କହିବା ପୂର୍ବରୁ ଗୋଟିଏ ଉଦାହରଣ ଦେଲେ ଭଲ ହେବ । ଏହାଦ୍ୱାରା ପାଠକମାନେ ମିଥ୍ୟା କଥନର ଯାଥାର୍ଥ୍ୟ ଅଧିକ ଭଲ ଭାବରେ ହୃଦୟଙ୍ଗମ କରିପାରିବେ ।

 

ଗୋଟିଏ ଲୋକର ଗୋଟିଏ କୁତ୍ସିତ କଦାକାର କନ୍ୟା ଥିଲା । ତାକୁ କୌଣସି ବର ମିଳିଲେ ନାହିଁ । ନିଜେ କନ୍ୟା ଓ ତା’ର ପିତା ମାତା ବଡ଼ ଦୁଃଖରେ କାଳାତିପାତ କଲେ । ସେମାନଙ୍କ ପାଖରେ ଯଥେଷ୍ଟ ଧନ ମଧ୍ୟ ନ ଥିଲା । ଧନ ଥିଲେ ସେଥିରେ ବରକୁ ପୋତି ପକାଇ ତା ବେକରେ କନ୍ୟାକୁ ବାନ୍ଧିଦେଇ ପାରି ଥାଆନ୍ତେ । ଜଣେ ଆତ୍ମୀୟ ଦେଖିଲା ଯେ ଆଖପାଖରେ ଓଥଡ଼ ଯୁବକମାନେ କନ୍ୟାକୁ ଦେଖି ପାରିଛନ୍ତି ଏବଂ ତା’ ପିତା ମାତାଙ୍କ ଦାରିଦ୍ର୍ୟ ବିଷୟରେ ଜାଣି ପାରିଛନ୍ତି ବୋଲି ବାହା ହେବାକୁ ରାଜି ହେଉ ନାହାନ୍ତି । ଯିଏ ବା ଅକସ୍ମାତ ଜାଣି ନଥାନ୍ତି ତାଙ୍କୁ ସେ ଗାଆଁର ଲୋକେ ଫୁସ୍‌ଫୁସ୍‌ କରି କହି ଦିଅନ୍ତି । ଏଣୁ ଜିଲ୍ଲାପାରି ବରଟିଏ ଯୋଗାଡ଼ କରିବା ଦରକାର । ଏହା ଭାବି ସେ ବହୁ ଦୂରରେ ଥିବା ଆଉ ଗୋଟିଏ ଜିଲ୍ଲାରେ ରକ୍ଷଣଶୀଳ ଘରୁ ବର ଠାବ କଲେ । ଝିଅ ଅତି ସୁନ୍ଦରୀ ଏବଂ ଯୌତୁକ ଜବ୍‌ରର କହି ସେ ବରକୁ କାବୁ କରିଦେଲା । କନ୍ୟା ଦେଖାବେଳେ ଆଉ ଗୋଟିଏ ସୁନ୍ଦରୀ କନ୍ୟା ଦେଖେଇ ଦେଲା । ବାହାଘର ସୁରୁଖୁରୁରେ ହୋଇଗଲା । ରକ୍ଷଣଶୀଳ ଘରର ପୁଅ ହୋଇ ଥିବାରୁ ଓଥଡ଼ାଟି ଚଉଠି ପୁର୍ବରୁ କନ୍ୟାକୁ ଦେଖି ପାରିଲା ନାହିଁ । କନ୍ୟା ଶାଶୁ ଘରକୁ ଗଲାପରେ କଥାଟା ପ୍ରଘଟ ହୋଇଗଲା । ଓଥଡ଼ା ଡିଆଁ ଡେଇଁ କରିବାରୁ ମଧ୍ୟସ୍ଥ ସାଫ୍‌ ସାଫ୍‌ ଶୁଣେଇ ଦେଲା–‘‘ହେ ଜାଣିଛ ନା ଏବେ ଇନ୍ଦିରାଗାନ୍ଧୀଙ୍କ ହାତରେ ପାବାର (ପାଓ୍ୱାର) ଅଛି । ଜାଣିଛୁ ସେ ଜଣେ ସ୍ତ୍ରୀ ଲୋକ । ଜାଣିଛୁ ନା ସେ ଯାହା ଉପରେ ବିଗିଡ଼ନ୍ତି ତା’ର ସର୍ବନାଶ କରି ଦିଅନ୍ତି । ଜାଣିଛୁ ନା ସେ ଯୌତୁକ ପ୍ରଥାର ଘୋର ବିରୋଧୀ । ଏସବୁ କଥା ତାଙ୍କ କାନକୁ ଗଲେ ତୋତେ ସେ ଏକାବେଳକେ କଳାପାଣିକୁ (ଦ୍ୱୀପାନ୍ତର) ଠେଲି ଦେବେ । ତୋ ବାପ, ମାଆ ଓ ପୁରୋହିତକୁ ମଧ୍ୟ ଠୁଙ୍କି ଦେବେ । ଏସବୁ ଚିନ୍ତା କରି ଯାହା କରୁଛି କର ।’’ ବର ଓ ତା’ର ପିତା ମାତା କାନମଣ୍ଡା ଆଉଁସି ରହିଲେ । ପରେ କନ୍ୟାଟି ନିଜ ସେବା ଗୁଣରେ ସମସ୍ତଙ୍କୁ ମଜେଇ ଦେଲା ଓ ସୁଖରେ ଘର କଲା ।

 

କହନ୍ତୁ ତ ଦେଖି ଆତ୍ମୀୟ ଜଣକ ଆବଶ୍ୟକୀୟ ମିଛ କହି ନଥିଲେ କନ୍ୟାଟି ଓଥଡ଼ି ହୋଇ ରହିଯାଇ ନ ଥାନ୍ତା । ଭଗବାନଙ୍କ ସୃଷ୍ଟି ଲୀଳା ଏହିଠାରେ ବ୍ୟାହତ ହୋଇ ଥାଆନ୍ତା କି ନାହିଁ-? ଆବଶ୍ୟକୀୟ ମିଛ ଏଠି କୁହା ଯିବାରୁ ଭଗବାନଙ୍କ ସୃଷ୍ଟି ଲୀଳା । ଏଠି ସାବଲୀଳ ଗତିରେ ଆଗେଇ ଚାଲିଲା ।

 

କବିବରଙ୍କର ଠିକ୍‌ ଏଇଭଳିଆ ମିଛ କଥା କହିବାର ପରିଣତି କିପରି ମଙ୍ଗଳଜନକ ହୋଇଛି ତାହା ଦେଖାଯାଉ । ଚିଲିକା ଯେ ଅସୁନ୍ଦର ତାହା ପୂର୍ବରୁ ବର୍ଣ୍ଣିତ ହୋଇଅଛି । ଏବେ ଦେଖାଯାଉ କେଉଁ ଅତ୍ୟାବଶ୍ୟକୀୟ ଗୂଢ଼ କାରଣ ଯୋଗୁଁ କବିବର ଏ ଡାହା ମିଛ କଥା ଲେଖିଲେ-। ପୂର୍ବେ କବିମାନେ ଅତି ସତ୍ୟବାଦୀ ଥିଲେ । ତେଣୁ ସେମାନେ ଚିଲିକା ଉପରେ କିଛି ଲେଖି ନ ଥିଲେ । ଅସୁନ୍ଦର ଜିନିଷକୁ କେହି କେବେ ଦେଖାଏ ନାହିଁ କି କହେ ନାହିଁ । ସେଥିଲାଗି ଲୋକେ ଚିଲିକା ଫାଇଦା ମାଡ଼ୁ ନଥିଲେ । ବରଂ ଜଗନ୍ନାଥ ମନ୍ଦିର ଆଡ଼େ ଧାଉଁଥିଲେ । କବିବର ଦେଖିଲେ ଏହି ବାହାର ଯାତ୍ରୀମାନଙ୍କ ପାଇଁ ଜଗନ୍ନାଥ ମନ୍ଦିରର ବିପୁଳ ଅଭ୍ୟୁଦୟ ଘଟିଛି । ସେ ସ୍ଥିର କଲେ ଯେ ଅସୁନ୍ଦର ଚିଲିକାକୁ ମିଛରେ ସୁନ୍ଦରୀ କହି ଗୁଡ଼ାଏ ବନେଇ ଚୁନେଇ ଲେଖିଦେଲେ ପର୍ଯ୍ୟଟକମାନେ ଚିଲିକା ଆଡ଼େ ଧାଇଁବେ । ଥରେ ଚିଲିକା ଆସିଲେ କିଛି ହେଲେ ଚିଙ୍ଗୁଡ଼ି ଭଜା ନିଶ୍ଚୟ ସେମାନଙ୍କ ପାଟିରେ ବାଜିବ । ଥରେ ସେମାନେ ଚିଙ୍ଗୁଡ଼ି ସୁଆଦ ପାଇଗଲେ ସବୁବେଳେ ଚିଲିକାକୁ ଦଉଡ଼ିବେ । ପ୍ରତ୍ୟେକ ଚୁଙ୍ଗୁଡ଼ି ଭଜା ଖିଆ ଯାତ୍ରୀ ତା’ର ବନ୍ଧୁ ବାନ୍ଧବ ପ୍ରିୟାପ୍ରୀତି ମାନଙ୍କ ଅଲ୍‌ବତ୍‌ କହିବେ । ତେଣିକି ଶୁଣିଲା ଲୋକେ ସମସ୍ତେ ଲଙ୍ଗଳା ମୁକୁଳା ହୋଇ ଧାଇଁବେ । ସ୍ଥାନୀୟ ଲୋକେ ଚୁଙ୍ଗୁଡ଼ି ପାଇଁ ବେଶି ପଇସା ଦେଉ ନଥିଲେ । ସେଥିଲାଗି କେଉଟମାନେ ବେଶି ଚୁଙ୍ଗୁଡ଼ି ଧରିବାକୁ ଚେଷ୍ଟା କରୁ ନଥିଲେ । ବେଶି ପଇସା ବାହାରର ଯାତ୍ରୀମାନଙ୍କ ଠାରୁ ମିଳିଲେ ସେମାନେ ବେଶି ଧରିବେ । ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ । ବାହାର ଯାତ୍ରୀମାନଙ୍କ ପାଇଁ ସେମାନେ ହୋଟେଏ, ସିନେମା ହଲ୍‌ ସବୁ ଖୋଲିବେ । ଯାତ୍ରୀମାନଙ୍କ ନୌବିହାର ପାଇଁ ବହୁ ଡଙ୍ଗା ଓ ଲଞ୍ଚ୍‌ର ବ୍ୟବସ୍ଥା ହେବ । ପୁନଶ୍ଚ ଯାତ୍ରୀମାନେ ନିଜ ନିଜ ଅଞ୍ଚଳରେ ଚିଲିକା ଚୁଙ୍ଗୁଡ଼ି ପାଇବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଖୋଲିବେ । ଫଳରେ ଚୁଙ୍ଗୁଡ଼ି ବେପାର ଅସମ୍ଭବ ଭାବରେ ବଢ଼ିଯାଇ ଓଡ଼ିଶାର ରାଜକୋଷକୁ ଫୁଲେଇବ । ଏହିସବୁ ଭବିଷ୍ୟତ କଳ୍ପନା କରି କବିବର ଏପରି ମିଛ କବିତା ଲେଖିଥିଲେ । ପାଠକେ ଏଥର ଉପଲବ୍‌ଧି କରନ୍ତୁ ଏପରି ଲେଖିବାରେ କବିବରଙ୍କର ଯାଥାର୍ଥ୍ୟ ଥିଲା କି ନାହିଁ । ଆମେ କହିବୁ ବରଂ ଇସ୍‌ପିତ ଉନ୍ନତି ଠାରୁ ଏବେ ଆହୁରି ଅଧିକ ଉନ୍ନତି ହୋଇ ସାରିଲାଣି । ଏବେ ଚିଲିକାରେ ଏକ ନୌସେନା ତାଲିମ କେନ୍ଦ୍ର ସ୍ଥାପିତ ହୋଇ ସାରିଲାଣି । ଏ ମିଛ କବିତାରେ ସାହିତ୍ୟିକ ମୂଲ୍ୟ ଅପେକ୍ଷା ଆର୍ଥନୀତିକ ମୂଲ୍ୟ ଯଥେଷ୍ଟ ବେଶି । ଚିଲିକା ତଥା ଓଡ଼ିଶାର ଆର୍ଥନୀତିକ ଅଭିବୃଦ୍ଧି ମୂଳରେ ରହିଛି ଏହି ଦୁଇପଦ ମିଛ କବିତା । ଯେଉଁ ମିଛ ଦ୍ୱାରା ଦେଶର ମଙ୍ଗଳ ହୁଏ ତାହା ଦରକାରୀ ମିଛ । ତାହା ସାଦର ଗ୍ରହଣ ଯୋଗ୍ୟ । ବଡ଼ ଦୁଃଖର କଥା ଆମର ଅଧ୍ୟାପକମାନେ ଏହାକୁ ଏକ ଦରକାରୀ ମିଛ ବୋଲି ଜାଣିପାରୁ ନାହାନ୍ତି । ଓଲଟି ସତ ବୋଲି ଛାତ୍ରମାନଙ୍କୁ ପଢ଼ାଇ ଭୁଲ୍‌ ବାଟରେ ନେଇ ଯାଉଛନ୍ତି । ଅଧ୍ୟାପକ ମାନଙ୍କର ଆଖି ଅତିଶୀଘ୍ର ଖୋଲିଯିବ ବୋଲି ଆଶା କରାଯାଏ ।

Image

 

ବଡ଼ କ୍ରୁରକାଳ ବଡ଼ ଅବିଶ୍ୱାସୀ

 

ବଡ଼ କ୍ରୁରକାଳ ବଡ଼ ଅବିଶ୍ୱାସୀ–

ହାବୋଡ଼ି ଯିବସେ ଆଚମ୍ବିତେ ଆସି

ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ–

ହସି ସେ ତା ପଛେ ଆସି ଲୁଚିବସେ ।

 

କବିବର ରାଧାନାଥ ଯଦି ଏ ଉପରୋକ୍ତ ୪ପଦ କାବ୍ୟାଂଶ ଛାଡ଼ିଦେଇ ‘ଦରବାର କାବ୍ୟଟି ଲେଖିଥାଆନ୍ତେ, ତେବେ ସେ କାଳ କାଳକୁ ବାହାବ୍‌ବା ପାଇଥାନ୍ତେ । କବିବର ନ ହୋଇ କବି ଏଭରେଷ୍ଟ ହୋଇଥାନ୍ତେ । ଏହି ଚାରିପଦ ସବୁ ସାରିଦେଲା । ଗୋଟାଏ ବିରାଟ ଅମୃତକୁଣ୍ଡ ଭିତରେ ବୁନ୍ଦାଏ ବିଷ ପକାଇ ଦେଲା ପରି ହେଲା । ଲେଖାର ନିଶାରେ ସେ ଲେଖୁ ଲେଖୁ ବେକଣ୍ଟ୍ରୋଲ ହୋଇ ଏତକ ଲେକିଦେଲେ । ଆଗପଛ ବିଚାର କଲେ ନାହିଁ । ସେ ଯଦି ମନେମନେ ଟିକିଏ ଭାବିଥାଆନ୍ତେ ଯେ ଉତ୍ତର କାଳରେ ଏହା ହୁଏତ କୌଣସି ଛିଦ୍ରାନ୍ୱେଷୀ ଫମାଲୋଚକ ଦୃଷ୍ଟିରେ ପଡ଼ିପାରେ, ତେବେ ସେ କେବେହେଲେ ଏହାକୁ ଲେଖି ନ ଥାନ୍ତେ । ଯାହା ହେବାର ହୋଇ ଗଲାଣି । ଯେ ପର୍ଯ୍ୟନ୍ତ ଏହାର ଅସଲ ମଞ୍ଜିଟା କାହାରି ନଜରରେ ପଡ଼ିନଥିଲା ସେପର୍ଯ୍ୟନ୍ତ ସବୁ ଚଳିଗଲା; ଆଡ଼କୁ ଆଉ ଚଳିବ ନାହିଁ । ଯେତେବେଳେ ଏହା ଆମ୍ଭପରି ଜଣେ ଫମୋଲୋଚକ ହାବୁଡ଼ରେ ପଡ଼ିଗଲାଣି ଆଉ ତାର ରକ୍ଷା ନାହିଁ । କବିବରଙ୍କ ପ୍ରତି ଆମ୍ଭର ଏକ ମିଲିଗ୍ରାମ ମାତ୍ର ଭକ୍ତି ଉଣା ହୋଇନାହିଁ । ତଥାପି ସାହିତ୍ୟର ସ୍ୱାର୍ଥ ଦୃଷ୍ଟିରୁ ଆମ୍ଭେ ଏହି ପଦଚତୁଷ୍ଟୟରୁ ବିଷାକ୍ତ ମଞ୍ଜିଟି କାଢ଼ି ସାହିତ୍ୟ ପ୍ରେମୀମାନଙ୍କ ପାଖରେ ଥୋଇଦେବୁ । ତେଣିକି ସେମାନେ ତାକୁ ରଖିଲେ ରଖନ୍ତୁ, ଫୋପାଡ଼ିଲେ ଫୋପାଡ଼ନ୍ତୁ । ମଞ୍ଜିଟି କଢ଼ାହୋଇ ସମସ୍ତଙ୍କ ଆଗରେ ଥୁଆ ହୋଇଗଲେ ଆମ କାମ ସରିଲା । ଆଉ ଗୋଟିଏ କଥା ଆମେ ଆଗରୁ କହି ରଖିଛୁ । ଆମେ ହେଲୁ ଫମାଲୋଚକ । ସମାଲୋଚକମାନଙ୍କ ପରି କଳିତକରାଳ ଆମେ କରି ପାରିବୁନି । ବିଷୟ ବସ୍ତୁକୁ ଛାଡ଼ି ସମାଲୋଚକମାନେ ଯେପରି ପରସ୍ପରର ଗୋଇ ଖୋଳାଖୋଳି ହୁଅନ୍ତି ସେପରି ନ ଶ୍‌ ନା କାମ ଆମେ କରିବୁନି । ବାନ୍ଧି ବାଡ଼େଇଲେବି ନୁହେଁ, କି ଚାରଣା ପାଞ୍ଚଣା ଘୁଷ୍‌ ହେଲେ ବି ନୁହେଁ ।

 

ପାଠକଗଣ ଏବେ କାବ୍ୟାଂଶ ଉପରକୁ ଆସନ୍ତୁ । କବିବର ନିଶ୍ଚିତ ଭାବରେ କାଳ ଉପରେ ବିଗିଡ଼ି ଯାଇଛନ୍ତି ତା ନ ହେଲେ ସେ କାଳକୁ କ୍ରୁର ବୋଲି କହି ନଥାନ୍ତେ । କାଳ ଉପରେ ସେ ବିଗିଡ଼ିଲେ କାହିଁକି ? ଏହାର ଉତ୍ତର ଖୋଜି ବାହାର କରିବାକୁ ବେଶିବାଟ ଯିବାକୁ ପଡ଼ିବନି । ରାଧାନାଥ ଗ୍ରନ୍ଥାବଳିରେ ଥିବା କବିବରଙ୍କ ଆଲୋକଚିତ୍ର ଦେଖିଲେହିଁ ସବୁକିଛି ହୃଦୟଙ୍ଗମ କରି ହେବ । ଚିତ୍ରରୁ ଜଣାଯାଇଛି ଯେ କବିବର ଜଣେ ଭଗ୍ନସ୍ୱାସ୍ଥ୍ୟ ବିଶିଷ୍ଟ ଲୋକ । ତାଙ୍କ ଜୀବନୀରୁ ଜଣାଯାଏ ଯେ ସେ ଶ୍ୱାସ ବା ଆଜ୍‌ମା ରୋଗରେ ବଡ଼ କଷ୍ଟ ପାଉଥିଲେ । ତାଙ୍କର ପୀଡ଼ା ବେଳେ ବେଳେ ଏତେ ଗୁରୁତର ଓ କଷ୍ଟଦାୟକ ହେଉଥିଲା ଯେ ସେ ମନେ ମନେ ଠିକ୍‌ କରି ନେଉଥିଲେ ଯେ କାଳ ବା ଯମ ତାଙ୍କୁ ନେବାକୁ ଆସିଗଲା । ଯଦି ତାର ନେବାର ଇଚ୍ଛା ହେଲା ତେବେ ଆସିଥାନ୍ତା, ଆସନ୍ତୁ ‘ବୋଲି’ କହି ହାତ ଧରି ନେଇ ଯାଆନ୍ତା, ଏତେ ଅନାବଶ୍ୟକ କଷ୍ଟ ଦେଉଛି କାହିଁକି ? ଓଃ ! ଏଇଟାର ଟିକିଏ ହେଲେ ଦୟାମାୟା ନାହିଁ । ଏଇଟା ବଡ଼ କ୍ରୂର । ଏପରି ଭାବିବା ତାଙ୍କ ପକ୍ଷରେ ଖୁବ୍ ସ୍ୱାଭାବିକ । ଯେତେବେଳେ ଜଣକର ପେଟକୁ ଖୁବ୍‌ ଜୋରରେ ମାରୁଥିବ, ସେତେବେଳେ ତା ଆଗରେ ଯଦି ହିଜ୍‌ ମାଷ୍ଟର୍ସ ଭୟେସ୍‌ର ଷ୍ଟେରିଓ ଗ୍ରାମଫୋନଟାଏ ଥୋଇ ଲତା ମୁଙ୍ଗେସ୍‌କରଙ୍କ ଗୋଟିଏ ରେକର୍ଡ଼ ଲଗାଇ ଦିଆଯାଏ ତେବେ ସେ ଗ୍ରାମଫୋନକୁ ଦି ଗୋଇଠା ପକେଇବ । ପାହାଳ ରସଗୋଲା, ଜଟଣି ଲେଡ଼ିକିନି, ନୟାଗଡ଼ୀ ଛେନାପୋଡ଼ ଥିବା ଗୋଟିଏ ପ୍ଲେଟ ଆଣି ତା ମୁହଁ ଆଗରେ ଧରାଯାଏ ତାହାହେଲେ ସେ ହାତ ଛିଞ୍ଚାଡ଼ି ପ୍ଲେଟକୁ ଦୂରକୁ ଫିଙ୍ଗିଦେବ । ସେହିପରି ବିଶ୍ୱାମିତ୍ରଙ୍କ ତପଭଗ୍ନ କାରିଣୀ ମେନକା ସଦୃଶ ଗୋଟିଏ ସେବିକା ତା ପାଖରେ ରଖିଲେ ସେ ତା ଆଡ଼କୁ ଚାହିଁଯିବ ନାହିଁ । ଓଲଟି ତା ଉପରକୁ ଖିଙ୍କାରି ହେବ । ପେଟମରା ରୋଗୀ ଏ ତିନି ବିଷୟ ପ୍ରତି ବିରକ୍ତି ପ୍ରକାଶ କଲା ବୋଲି ଏ ତିନିଟି ବିଷୟ କଅଣ ଖରାପ । କେଉଁ ଲୋକଟା ଲତା ମୁଙ୍ଗେସକର ଗୀତକୁ ଭଲ ନ ପାଇବ, କେଉଁ ଲୋକଟାକୁ ଭଲା ପାହାଳ ରସଗୋଲା, ଜଟଣି ଲେଡ଼ିକିନି, ନୟାଗଡ଼ ଛେନାପୋଡ଼ ଭଲ ନ ଲାଗିବ ? ଆଉ କଥାଟା କହିବାର ଦରକାର ନାହିଁ । ଅଥଚ ପେଟମରା ରୋଗୀ ଏ ତିନି ବିଷୟ ପ୍ରତି ବିରକ୍ତ ପ୍ରକାଶ କରିବ, ବୀତସ୍ପୃହ ହେବ ।

 

କବିବର ରାଧାନାଥ ଠିକ୍‌ ଏମିତିଆ ଅବସ୍ଥାରେ ପଡ଼ି କାଳ ବା ଯମକୁ ବଡ଼ କ୍ରୁର ବୋଲି କହିଲେ । କହିବାଟା ତାଙ୍କ ପକ୍ଷରେ ସ୍ୱାଭାବିକ ଥିଲା ଏଥିଲାଗି ତାଙ୍କୁ ଦୋଷ ଦେବା ସମ୍ପୂର୍ଣ୍ଣ ଠିକ୍‌ ହେବନି । ଏହା ବୋଲି ଅବଶ୍ୟ ସେ ଠିକ୍‌ କହିଛନ୍ତି ବୋଲି କେହି କେହି ପାରିବ ନାହିଁ ।

 

ପ୍ରକୃତରେ ଯମଦେବତା ନିଷ୍ଠୁର, ଖରାପ, ବଦ୍‌ରାଗୀ କି ଦୟାଳୁ ଶାନ୍ତ ସ୍ୱଭାବର ସୁନ୍ଦର ଦେବତା ତାହା ଦେଖାଯାଉ । ଭଗବାନ ଯେତେବେଳେ ଯମ ଦେବତାଙ୍କୁ ଶେଷନିଶ୍ୱା ସତ୍ୟାଗୀମାନଙ୍କ ଥଇଥାନ ଅଫିସର ରୂପେ ମୁକରିର କଲେ ସେତେବେଳେ ଯମରାଜ ଭଗବାନଙ୍କ ପାଦତଳେ ନିଉଛାଳି ହୋଇ କହିଲେ, ‘‘ସାର୍‌, ମୋତେ ରକ୍ଷାକରନ୍ତୁ । ଥଇଥାନ କରିବାକୁ ମୁଁ ଯାହାକୁ ଆଣିବି ତାର ବାପ, ମା, ଭାଇ, ବନ୍ଧୁକୁଟୁମ୍ବ, ଭାରିଜା, ପିଲାପିଲି ସମସ୍ତେ ମୋତେ କଟୁଭାଷାରେ ଗାଳିଦେବେ । କଟକିଆ ହୋଇଥିଲେ ମୋ ମା’ ଭଉଣୀଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଦେବେ । ଅଯଥାରେ ମୋ ଉପରେ ଲୋକଙ୍କ କ୍ରୋଧାଗ୍ନି ବର୍ଷିବ ସାର । ମୋତେ ମାଫ୍‌ କରନ୍ତୁ, ସାର୍‌ ଏ ଚାକିରି ମୋର ଦରକାର ନାହିଁ ସାର୍‌ । ମୋତେ ଦୟା କରନ୍ତୁ ସାର୍‌ । ମୁଁ ମରିଯିବି ସାର୍‌, ମୋତେ ରକ୍ଷାକରନ୍ତୁ, ସାର୍‌ ।’’

 

ଯମ ଦେବତାଙ୍କୁ ଏପରି ଅଧୈର୍ଯ୍ୟ ହୋଇ ପଡ଼ିବାର ଦେଖି ଭଗବାନ ହାତ ଟେକି କହିଲେ–‘‘ ଆଚ୍ଛା ବେଟା ଫିକର ମତ୍‌ କର । ମର୍ତ୍ତ୍ୟ ଛାଡ଼ିବାକୁ ଥିଲା ଲୋକମାନଙ୍କ ପାଖକୁ ମୁଁ ପହିଲି ମ୍ୟାଲେରିଆ, ଟାଇଫଏଡ଼, ଟିଟାନସ୍‌, କଲେରା, କ୍ୟାନସର୍‌ ରୋଗମାନଙ୍କୁ ପଠାଇ ଦେବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନେ ଶିକାରଙ୍କ ପାଖେଇ ରହି ତା ପରେ ତୁମ ଆଡ଼କୁ ପେଲି ଦେବେ-। ତୁମେ ଖାପୁ କରି ଧରିନେଇ ପଳେଇ ଆସିବ । ଲୋକେ କୁହାକୁହି ହେବେ–ହୋ ସେ ଅମୁକକୁ କ୍ୟାନସର ନେଇଗଲା, ସମୁକକୁ କଲେରା ନେଇଗଲା-। ଢମୁକକୁ ଟାଇଫଏଡ଼୍‌ ନେଇଗଲା-। କେହି କହିବନି ଯେ ସେମାନଙ୍କୁ ଯମ ନେଇଗଲା । ବାସ୍‌ ଏଥର ମନ ମାନିଗଲାତ-?’’

 

ଯମ ଦେବତା, ‘ହଁ ସାର୍‌ ଏଥିରେ ମୁଁ ରାଜି ସାର୍‌ । ଏଥର ଆଜ୍ଞା ଦିଅନ୍ତୁ ସାର୍‌’’ କହି ଚାଲିଗଲେ । ମର୍ତ୍ତ୍ୟରୁ ରିଫ୍ୟୁଜ୍‌ ମାନଙ୍କର ଥଇଥାନ କାବରେ ମୁତୟନ ହୋଇ ନିଶ୍ଚିନ୍ତରେ ରହିଲେ-। ମର୍ତ୍ତ୍ୟରେ ଡାକ୍ତରମାନେ ରୋଗ ବା ଯମର ଆଗୁଆଣି ଥାଟମାନଙ୍କ ସାଙ୍ଗରେ ତେରି ମେରି ହେଉଥିଲେ । ଯମ ଏଥିରେ ଭଗବାନଙ୍କ ପାଖରେ ଫେରାଦ ହେବାରୁ ଭଗବାନ ପଟ୍ଟନାୟକ ସରକାରଙ୍କୁ ସପନେଇଲେ । ସରକାର ‘ହୁ’ କରି ଉଠିପଡ଼ି ଡାକ୍ତରମାନଙ୍କ ଘରୋଇ ଚିକିତ୍ସା ବନ୍ଦ କରିଦେଲେ । ଯମ ଓ ତାର ଆଗୁଆଣି ଥାଟମାନ ଆଶ୍ୱସ୍ତ ହେଲେ ।

 

ଏଥିରୁ ଜଣାଯାଉଛି ଯମକୁ ବଡ଼ କ୍ରୁର ବୋଲି କହିବା ଏକ ମାନହାନିସୂଚକ କାର୍ଯ୍ୟ । କବିବରଙ୍କର ଏପରି କହିବା ବିଲକୁଲ ଠିକ୍‌ ହୋଇନି । ଏବେ ଦେଖାଯାଉ ଯମ ଦେବତା ପ୍ରକୃତରେ କ୍ରୁର ନା ଅତି ଦୟାଳୁ । ଅଙ୍ଗମ୍‌ ଗଳିତଂ ପଳିତଂ ମୁଣ୍ଡମ୍‌ ହୋଇ ଲୋକେ କି ମର୍ମନ୍ତୁଦ କଷ୍ଟ ନ ପାଆନ୍ତି ! ଶେଷ ଅବସ୍ଥାଟା ଗୋଟାଏ ନରକ ଯନ୍ତ୍ରଣା ଭୋଗ ନୁହେଁ ତ ଆଉ କଣ ? ଯେ ପର୍ଯ୍ୟନ୍ତ ଯମ ଦେବତାଙ୍କ କରୁଣା ନ ମିଳିଛି ସେ ପର୍ଯ୍ୟନ୍ତ ଲୋକଟି ନର୍କଯନ୍ତ୍ରଣା ଭୋଗ କରୁଥିବ ଯେତେବେଳେ ଯମଦେବତା ଦୟାରେ ବିଗଳିତ ହୋଇ ତାକୁ ଆଶୀର୍ବାଦ କରନ୍ତି ସେତେବେଳେ ସେ ଚିରଦିନ ପାଇଁ ଯନ୍ତ୍ରଣାମୁକ୍ତ ହୋଇଥାଏ, ଚିରଦିନ ପାଇ ସେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରେ । ଏପରି ନବନୀତ ହୃଦୟବିଶିଷ୍ଟ ଦୟାଳୁ ଦେବତାଙ୍କୁ ବଡ଼ କ୍ରୁର ବୋଲି କହିବା ଘୋର ଅନ୍ୟାୟ ନୁହେଁ ତ ଆଉ କଅଣ ?

 

ପୁନଶ୍ଚ କବିବର ତାଙ୍କୁ ବଡ଼ ଅବିଶ୍ୱାସୀ ବୋଲି କହିଛନ୍ତି । ସେ କଅଣ ଅବିଶ୍ୱାସର କାମ କଲେ ଯେ ତାଙ୍କୁ ଅବିଶ୍ୱାସୀ ବୋଲି କହିଲେ । କିଏ ତାଙ୍କ ପାଖରେ କଅଣ ଶହେଷାଠିଏ ବିଶ୍ୱାସରେ ରଖିଥିଲା, ଯେ ସେ ତାଙ୍କୁ ପଟି ମାରିଦେଲେ ? ଭଗବାନ ତାଙ୍କୁ ଯେତିକି ରିଫ୍ୟୁଜିଙ୍କ ଥଇଥାନ କରିବାକୁ କହିଛନ୍ତି ତାଠାରୁ କଅଣ ବେଶି ରିଫ୍ୟୁଜିଙ୍କୁ ଚୋରାରେ ନେଇଯାଇ ସେ ବାଟରେ କିଛି ମୋଟା କିଳାପୋତେଇ ଟଙ୍କା ଆଦାୟ କରୁଛନ୍ତି ? ଏ କଅଣ ମର୍ତ୍ତ୍ୟ କଥା ହୋଇଛି ଯେ ସରକାରଙ୍କ ବଣବିଭାଗ ଅର୍ଡ଼ର କରିଦେଲେ ଏତିକି ଗଛ କଟାହୋଇ ବିକ୍ରି ହେବ, କିନ୍ତୁ କର୍ମଚାରୀମାନେ ଅବିଶ୍ୱାସର କାମ କରି ଏତିକି ବା ତିନି ଏତିକି କାଠ କଟେଇ ସରକାରଙ୍କ ପାଖରେ ଏତିକି କାଠର ଦାମ୍‌ ପଇଠ କରି ବାକିତକ ନିଜ ପକେଟରେ ପୂରେଇ ଦେଉଛନ୍ତି । ଏପରି ସବୁ କିଛି କାମ ମର୍ତ୍ତରେ ହୁଏ । ମର୍ତ୍ତ ବାହାରେ ଏପରି ଅବିଶ୍ୱାସୀ କାମ କରିବା ପାଇଁ କ୍ଷେତ୍ର ହିଁ ନାହିଁ । ସେଠାରେ ଟଙ୍କା ପଇସା ବା ରୁବଲର ପ୍ରଚଳନ ନାହିଁ କି ଚାହିଦା ନାହିଁ । ଏଣୁ ଅବିଶ୍ୱାସର ସ୍ଥାନ ହିଁ ନାହିଁ ।

 

ଆଉ ବି ଦେଖନ୍ତୁ, ଶାସ୍ତ୍ରରେ ଅଛି କଣ୍ଡେ ‘ନିମିଷେ ଥିଲେ ପ୍ରାଣ’ ନନେଇ ପାରେ ଜନ୍ତୁରାଣ’ । ଭଗବାନ ଯାହାକୁ ପର୍ମିଟ ଦେଉଛନ୍ତି ଯେ ସେ ମର୍ତ୍ତ୍ୟରେ ଅଣଷାଠି ବର୍ଷ ଏଗାର ମାସ ସତେଇଶି ଦିନ ତେଇଶି ଘଣ୍ଟା ଅଣଷାଠି ମିନିଟ ଅଣଷାଠି ସେକେଣ୍ଡ ରହିବ, ଯମ ତ ଯମ, ତାଙ୍କ ଅଜା ଆସିଲେ ବି ଅଠାବନ ସେକେଣ୍ଡ ବେଳେ ନେଇ ପାରିବ ନାହିଁ କି ପୁରା ଷାଠିଏ ଯାଏ ଅପେକ୍ଷା କରିବ ନାହିଁ । ତେବେ ଯମ ଦେବତା ଅବିଶ୍ୱାସୀ ହେଲେ କିପରି ? ଯଦି ସବୁଠାରୁ ବଡ଼ ବିଶ୍ୱାସୀ ଦେବତା କେହି ଥାଆନ୍ତି ତେବେ ସେ ହେଉଛନ୍ତି ଯମ । ଦାୟିତ୍ୱହୀନ ଭାବରେ ଅବିଶ୍ୱାସୀ ବୋଲି କହିଦେବା ଘୋର ଆପତ୍ତିଜନକ ଓ ସମ୍ମାନକ୍ଷୁଣ୍‌ଣକର ।

 

ଏତିକିରେ କ୍ଷାନ୍ତ ନ ହୋଇ କବିବର ପୁଣି ଲେଖିଲେ ‘‘ହାବୋଡ଼ି ଯିବ ସେ ଆଚମ୍ବିତେ ଆସି ।’’ ଯମ କେବେହେଲେ ହଠାତ୍‌ ଆସି ହାବୋଡ଼ି ଯାଆନ୍ତି ନାହିଁ । ତାଙ୍କର ଆଗୁଆଣି ଥାଟ ଆସି ଭଲ ଭାବରେ ଢୋଲ ପିଟି ଜଣେଇ ଦିଅନ୍ତି । ଲୋକ ପାଞ୍ଚଛଅ ଦିନଠାରୁ ଆରମ୍ଭ କରି ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରେ । ସମ୍ପତ୍ତି ହସ୍ତାନ୍ତର ପାଇ ଟିପ ଚିହ୍ନ, ରେଜିଷ୍ଟ୍ରେସନ୍‌, ଇଉଲପତ୍ର କରିବାଯାଏ ବି ଯମ ସମ୍ଭାଳେ । ପହିଲି ଘଣ୍ଟା ବାଜେ, ତା’ପରେ ଦ୍ୱିତୀୟ ଘଣ୍ଟା, ତାପରେ ତୃତୀୟ ଘଣ୍ଟା ବାଜିଯାଏ । ତାପରେ ଗାର୍ଡ଼ ସାହାବ ହୁଇସଲ୍‌ ଦିଏ ଓ ଶେଷରେ ନେଳିଝଣ୍ଡା ହଲାଏ । ଏତେ କାମ ପରେ ଗାଡ଼ି ଛାଡେ । ମଣିଷଙ୍କ କ୍ଷେତ୍ରରେ ଠିକ୍‌ ଏମିତି । ଯମ ନେବା ପୂର୍ବରୁ ବହୁ ସଙ୍କେତ ଦେଇଥାଏ । ଅନେକ ତାର୍କିକ କହିପାରନ୍ତି, ‘‘ଏମିତି ବି ହୁଏ । ଲୋକଟା ରାସ୍ତାରେ ଯାଉଛି ହଠାତ୍‌ ଟ୍ରକଟାଏ ଆସି ଚଢ଼ିଗଲା । ଆଖି ପିଛୁଳାକେ ସେ ଖତମ୍‌ ପାଇଗଲା । ଏଇଟାକୁ କଅଣ କୁହାଯିବ’’-। ଏମିତିଆ ଘଟଣା ହଜାରେକରେ ଗୋଟାଏ ହୁଏ କି ନହୁଏ । ହଜାରେ ଲୋକ ପରୱାନା ପାଇଗଲେ ଜଣେ ଅଧେ ଏମିତି ଭୁଷ୍‌ କରି ଡିଆଁଟାଏ ମାରିଦେଇ ପାର୍‌ ହୋଇଗଲେ । ଏହା ଗୋଟିଏ ବ୍ୟତିକ୍ରମ । ସବୁଥିରେ ଏପରି ବ୍ୟତିକ୍ରମ ଥାଏ । ଏମାନେ ଖୁବ୍‌ ଭାଗ୍ୟବାନ ହୋଇ ଥିବାରୁ ବିଲ୍‌କୁଲ କଷ୍ଟ ନପାଇ ଭୟରେ ଦରମରା ନ ହୋଇ ଚାଲି ଯାଆନ୍ତି । ଏମାନଙ୍କ କଥା ବିଚାର୍ଯ୍ୟ ନୁହେଁ । ସୁତରାଂ ଦେଖାଗଲା ଯେ ଆଚମ୍ବିତେ ଆସି ହାବୋଡ଼ି ଯିବାଟା ବିଲ୍‌କୁଲ ଭୁଲ୍‍ ।

 

ପୁନଶ୍ଚ ୩ୟ ୪ର୍ଥ ପଦ ଦେଖନ୍ତୁ । ‘‘ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚି ବସେ ।’’ ଅର୍ଥାତ୍‌ ଯେଉଁଲୋକ ଭାବେ ଯେ ଯମ ତାଠାରୁ ବହୁତ ଦୂରରେ ଅଛି, ଅନ୍ୟ କଥାରେ କହିଲେ ତାର ପରମାୟୁ ଖୁବ୍‌ ବେଶି ଥିବାରୁ ନିକଟରେ ଯମ ସଙ୍ଗେ ତାର ଭେଟ ହେବ ନାହିଁ, ଏଇଆ ଭାବି ସେ ଫୁଲାଫାଙ୍କିଆ ହୋଇ ହସିଦିଏ, ତା’ରି ପଛରେ ଯମ ହସି ହସି ଆସି ଲୁଚି ବସେ । ଏ ଦୁଇଧାଡ଼ି ଯାକ ଏକାବେଳକେ ଭୁଲ୍‍ । ଶାସ୍ତ୍ରରେ ଲେଖା ଅଛି ‘‘ଜନମ ମରଣ ବରଷା–କହି ନ ପାରନ୍ତି ପୁରୁଷା ।’’ ଯମ କଅଣ ଆଖିକୁ ଦେଖାଯାଆନ୍ତି ଯେ ଜଣେ ତାଙ୍କୁ ଦୂରରେ ଅଛନ୍ତି କି ପାଖରେ ଅଛନ୍ତି ଜାଣି ପକେଇବ । ଧରାଯାଉ ସେ ବିଶେଷ ଧରଣର ଇନଫ୍ରାଇଡ଼ ଟେଲିସ୍କୋପ ସାହାଯ୍ୟରେ ଦେଖିନେଲା ଯେ ଯମ ଦେବତା ଦୂରରେ ଠିଆହୋଇ ତାକୁ ଚାହିଁଛନ୍ତି । ସେ ଆଉ ହସିବ ନା । ଦେଖିଲା ମାତ୍ରେ ସେ ତ ଜାଣିଯିବ ଯେ ମୃତ୍ୟୁ ଆଜି ନ ହେଲେ କାଲି ହେବ । ମୃତ୍ୟୁ କଥା ମନେ ପଡ଼ିବା ମାତ୍ରେ ତା ଦେହ ଶୀତେଇ ଉଠିବ । ହସିବାର ପ୍ରଶ୍ନ ଉଠିବ କୁଆଡ଼ୁ ? ଏଗୁଡ଼ାକ ଭାଣ୍ଡ କଥା । ଯମଙ୍କୁ ଦେଖିପାରିବା ଓ ହସିବା କଥା ବିଲକୁଲ ଗ୍ରହଣଯୋଗ୍ୟ ନୁହେଁ । ବିଧାନସଭାରେ ବିରୁଦ୍ଧଦଳଙ୍କ କଥା ସରକାରୀ ଦଳଙ୍କ ଦ୍ୱାରା ମୂଳପୋଛ ହୋଇଗଲା ପରି କଥାଟା କାଟ ଖାଇଯିବ ।

 

ଶେଷରେ ଅଛି ‘‘ହସି ସେ ତା ପଛେ ଆସି ଲୁଚି ବସେ ।’’ କିହୋ, କଅଣ ଗୋଟାଏ ହସକଥା ଏଠି ହୋଇଗଲା ଯେ ଖୋଦ୍‌ ଯମ ଦେବତା ହସି ପକାଇଲେ । ଜଣେ ଲୋକ ଘର ଦ୍ୱାର, ପିଲାପିଲି, କିଳାପୋତା ଧନ ସମ୍ପତ୍ତି ସବୁକିଛି ଛାଡ଼ିବାର ଦୁଃଖ ବହନ କରି ଚିର ବିଦାୟ ନେଇ ଯାଉଥିଲା ବେଳେ, ନିହାତି ଶତ୍ରୁ ନ ହୋଇଥିଲେ କେହି କେବେ ହସିପାରିବ କି ? ଚିଫ୍‌ ଜଣ୍ଟିସ୍‌ ଜଣେ ଆସାମୀକୁ ଫାଶୀଦଣ୍ଡଦେଶ ଦେଲାବେଳେ ହସନ୍ତି କି ? ଏଠି ଯମଙ୍କ ଅବସ୍ଥା ଠିକ୍‌ ସେହିପରି । ସେ ହସନ୍ତି ବୋଲି କହିବା ଏକ ଅସଙ୍ଗତ କଥା ।

 

ପୁନଶ୍ଚ ସେ ତା ପଛକୁ ଯାଇ ଲୁଚିବେ କାହିଁକି ? ସେ କଅଣ ଚୋର କି ଠାଉଆ ହୋଇଛନ୍ତି ଯେ ତା ପଛେ ଯାଇ ଲୁଚି ବସିବେ । ସେ ନିଜେ କିଆଁ ଲୁଚିଛପି ଆସି ତା ପଛରେ ବସିବେ ? ସେ ତ ସେହି ଦୂରରେ ଥାଇ ହଇଜା, ଟିଟାନସ ଓ କ୍ୟାନସର ଆଦି ଦୂତମାନଙ୍କୁ କହିଦେବେ–‘‘ଆବେ ସେଠି କଅଣ ଦେଖୁଛ, ତାକୁ ଜଲଦି ନେଇଆସ’’ । ବାସ୍‌ ସେତିକିରେ ତ କାମ୍‌ ଖତମ୍‌ । ସେ ହସିବେ କାହିଁକି ? କଅଣ ଗୋଟାଏ ଗଡ଼ ଜୟକରି ପକେଇଲେ କି ? ସେ ନିଜେ ଆସିବେ କାହିଁକି ? କଅଣ ତାଙ୍କ ପାଖରେ ଦୂତମାନେ ନାହାନ୍ତି କି ? ତା ପଛରେ ଲୁଚି ରହି ବସିବେ କାହିଁକି ? କଅଣ ତାକୁ ଡରନ୍ତି ନା ତା’ର ଶହେଷାଠିଏ ଖାଇଛନ୍ତି ?’’ ଉପରୁ ୪ପଦ ଯାକ କବିତା ବିଲ୍‌କୁଲ ଭୁଲ୍‍ ।

 

ଯମ ଦେବତା କେଡ଼େ ସୁନ୍ଦର ଦେଖିବାକୁ ! କେଡ଼େ ଦୟାଳୁ ଦେବତା ! କେଡ଼େ ନିରପେକ୍ଷ ତାଙ୍କର ବିଚାର ! କେଡ଼େ ବଢ଼ିଆ ବାହାନରେ ସେ ନ ବୁଲନ୍ତି ! ମଇଁଷି ଉପରେ ବସି ସେ ପ୍ରଚାର କରନ୍ତି–ମଇଁଷି ଦୁଧ ପିଅ, ମଇଁଷି ଦହି ଖାଅ, ମଇଁଷି ଘିଅ ଖାଅ ! ଏହା ଶସ୍ତା ଓ ଖୁବ୍‌ ବଳକାରକ । ମଇଁଷି ଶିଙ୍ଘ ରଖ, ସେଥିରେ ବଢ଼ିଆ ପାନିଆ ହେବ । ହାତରେ ଗୋଟାଏ ଟାଣୁଆ ଦଉଡ଼ି ଧରିଛନ୍ତି । ମଇଁଷି ହୁରୁଡ଼ିଲେ ସେହି ଦଉଡ଼ି ସାହାଯ୍ୟରେ ରାସ୍ତାପାଖ କୌଣସି ଏକ ଗଛରେ ଡାଳ ଉପରକୁ ଉଠିଯିବେ । ଏପରି ଜଣେ ଭଲ ଦୟାଳୁ ଦେବତାଙ୍କ ବଦନାମ କରିବା କବିବରଙ୍କ ପକ୍ଷେ ଅଶୋଭନୀୟ ହୋଇଛି । ଏହି ଚାରିପଦ ‘ଦରବାର’ କାବ୍ୟରୁ ବହିଷ୍କୃତ ହେବା ଏକାନ୍ତ ବାଞ୍ଛନୀୟ ।

Image

 

କେହି ରହିନାହିଁ ରହିବେନାହିଁଟି

 

କେହି ରହିନାହିଁ ରହିବେ ନାହିଁ ଭବରଙ୍ଗ ଭୂମିତଳେ

ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବେଳେ ।

 

କବିବର ରାଧାନାଥଙ୍କ ପାର୍ବତୀ କାବ୍ୟରେ ଏହି ଦୁଇପଦ କବିତା ଆମ୍ଭେମାନେ ଦେଖିବାକୁ ପାଉ । ଲେଖାର ଆଲୋଚନା ପୂର୍ବରୁ ଲେଖକର ସମ୍ୟକ୍‌ ଆଲୋଚନା ନିହାତି ଦରକାର । ଏହାଦ୍ୱାରା ଲେଖକ କି ଅବସ୍ଥାରେ ପଡ଼ି ଏପରି ଲେଖା ଲେଖିଛନ୍ତି ତାହା ଜାଣିହୁଏ । ଏପରି ଲେଖିଲାବେଳେ ମନର ଅବସ୍ଥା କିପରି ଥିଲା ଏହା ଜାଣିଲେ ଲେଖାଟା ଠିକ୍‌ ହେଲା କି ନାହିଁ ଜରାପଡ଼ିବ ଏବଂ ସେହି ହେତୁ ଲେଖକଙ୍କ ପ୍ରତି ଅନୁରାଗ ବା ବିରାଗ ଭାବ ଜାତ ହେବ । ଗୋଟିଏ ଉଦାହରଣ ଦେଲେ ପାଠକେ କଥାଟାର ସାର–ଭାଙ୍ଗ ଠିକ୍‌ ଭାବରେ କରି ପାରିବେ । ଜଣେ ଲୋକ ଆଉଜଣକୁ କହିଲା–‘‘ତୋର ସର୍ବନାଶ ହେଉ ।’’ ଏହିକଥା ପାଇଁ ପରିସ୍ଥିତି ଭେଦରେ ପାଠକେ କହିବା ଲୋକକୁ ଭଲ–କହିବେ, ମନ୍ଦ ବି କହିବେ । ଯଦି ଗାଳି ଖାଇବା ଲୋକ ଗାଳିଦେବା ଲୋକର ଭୀଷଣ କ୍ଷତି କରିଥାଏ ତେବେ ଗାଳି ଦେବା ଲୋକଙ୍କୁ ସମସ୍ତେ ଠିକ୍‌ କରିଛି ବୋଲି କହି ବଧେଇ ଦେବେ । ଯଦି ଗାଳି ଦେବା ଲୋକ ଗାଳିଖାଇବା ଲୋକର ସର୍ବସ୍ୱ ଗ୍ରାସ କରିବାକୁ ତା’ର ସର୍ବନାଶ କାମନା କରୁଥାଏ । ତେବେ ଲୋକେ ଗାଳିଦେବା ଲୋକକୁ ଦୋଅକ୍ଷରୀ ତ୍ରିଅକ୍ଷରୀ ଶବ୍ଦଯୁକ୍ତ ଗାଳିରେ ପୋତି ପକାଇବେ । ଗୋଟିଏ କଥା ପରିସ୍ଥିତି ଭେଦରେ କିପରି ପୂରା ବିପରୀତଧର୍ମୀ । ଦୁଇ ପ୍ରକାର କାମ କଲା ତାହା ପାଠକେ ଦେଖିଲ ତ । ଏବେ ଠିକ୍‍ ସେହିପରି କେଉଁପରି ଅବସ୍ଥାରେ ଥାଇ କବିବର, କେହି ରହି ନାହିଁ.....,ଦୁଇପଦ କବିତା ଲେଖିଦେଲେ ତାହା ଆଲୋଚନା କରିବା । କବିବର ଯେଉଁ ସମୟରେ ଏଫ୍‌: ଏ: ପାସ୍‌: କରି ଚାକିରି କଲେ ସେତେବେଳେ ଜଣେ କିଏ ମାଇନ୍‌ର ପାସ୍‌ କଲେ ପୁରୋହିତମାନେ ଶହ ଶହ ସଂଖ୍ୟାରେ କନ୍ୟା କୋଷ୍ଠୀସବୁ ଧରି ପୁଅର ଗର୍ବିତ ପିତାର କୃପା ଭିକ୍ଷା କରୁଥିଲେ । ଯିଏ ମାଟ୍ରିକ୍‌ଟାଏ ପାସ୍‌ କରି ଦେଉଥିଲା ତାକୁ ଦେଖିବାକୁ ଲୋକେ ଧାଉଁଥିଲେ । ସେ ଖୋଦ୍‌ ସରସ୍ୱତୀଙ୍କର ବରପୁତ୍ର କି ଗଣେଶଙ୍କର ଅସୀମ କୃପା ଲାଭ କରିଥିବା ଜଣେ ସ୍ୱର୍ଗରୁ ଖସି ପଡ଼ିଥିବା ବାଳକ ତାହା ଜାଣିବା ଲାଗି ଓ ସ୍ୱଚକ୍ଷୁରେ ଦେଖିବା ଲାଗି ଠେଲମ୍‌ ଠେଲା ଓ ପେଲମ୍‌ ପେଲା ଲଗାଉ ଥିଲେ । ଆଉ ଯିଏ ଏଫ୍‌: ଏ: ବା ବି: ଏ: ଟା ପାଶ୍‌ କରି ଯାଉଥିଲା ସେ ସଙ୍ଗେ ସଙ୍ଗେ ଦେବତା ପାଲଟି ଯାଉଥିଲା । ଲୋକେ ତା ପାଖକୁ ଭକ୍ତମିଶା ଭୟରେ ଯାଉନଥିଲେ । ତା ପାଖକୁ କେବଳ ବଡ଼ ବଡ଼ ସରକାରୀ କର୍ମଚାରୀ ଯାଉଥିଲେ । ତାକୁ ଫୁଲ ଚନ୍ଦନ ଦେଇ ନିମନ୍ତ୍ରଣ କରି ଆଣୁଥିଲେ ଗୋଟାଏ ସରକାରୀ ଉଚ୍ଚ ଆସନରେ ବସାଇବାକୁ । ଆଜିକାଲି ଅବଶ୍ୟ ପିଅନ ଚାକିରି ଖଣ୍ଡିଏ ପାଇ ଘୁଷ୍‌ ଯାଚୁଥିବା ଏମ୍‌: ଏ: ପଢ଼ୁଆଙ୍କୁ ଏ କଥା ଆଈବୁଢ଼ୀ କାହାଣୀ ପରି ଲାଗୁଥିବ । ସେତେବେଳେ କିନ୍ତୁ ସେଇ ଅବସ୍ଥା ଥିଲା । କବିବର ଏଫ୍‌: ଏ: ପାଶ୍‌ କରି ଚାକିରି ପାଇଲେ । ସମ୍ପତ୍ତି, ପ୍ରଭୂତ୍ୱ ସବୁକିଛି ପାଇଲେ । ଯୌବନକୁ ଉପଭୋଗ୍ୟ ବି କଲେ । ଖସଡ଼ା ପଥରେ ତାଙ୍କ ଗୋଡ଼ ମଧ୍ୟ ଥରେ ଅଧେ ଖସି ଯାଇଥିଲା । ସେଥିପାଇଁ ସେ ବହୁ ମନସ୍ତାପ କରିଥିଲେ । ଏପରିକି ଆତ୍ମହତ୍ୟା କରିବାର ସଂକଳ୍ପ ମଧ୍ୟ କରିଥିଲେ । ଶେଷ ଆଡ଼କୁ ତାଙ୍କର ଗୋଟାଏ ବାବଜିଆଢ଼ଙ୍ଗ ହୋଇଗଲା । ହତାଶାର ପଚାଟାଏ ତାଙ୍କ ମୁଣ୍ଡରେ ବସିଲା । ସେ ଜୀବନ ଟାକୁ, ଜଗତଟାକୁ ତୁଚ୍ଛ ମନେକଲା । ସେ ଭାବିଲେ କିଛି ଚିରସ୍ଥାୟୀ ନୁହେଁ । ଏ ପୃଥିବୀଟା ଗୋଟାଏ ରଙ୍ଗଭୂମି, ଯିଏ ଆସୁଛି ତା ଖେଳ ଦେଖାଇ ଚାଲି ଯାଉଛି । ଏ ସଂସାରରେ ବୀରତ୍ୱ ଦେଖାଇବା କି ଦରକାର । ଏମିତିଆ ବାବାଜିଆ ଚିନ୍ତା ସବୁ ତାଙ୍କ ମୁଣ୍ଡରେ ସବୁବେଳେ ଖେଳିଲା । ସେ ତ କବି ଥିଲା । ଯେଉଁଠି ସେ ଥାଆନ୍ତୁ ପଛକେ କବିତା ଲେଖିବା ତାଙ୍କର କାମ ଥିଲା । ଏଇଟା ଅବଶ୍ୟ ଅବିଶ୍ୱାସ କରିବାର କଥା ନୁହେଁ । ଆଜିକାଲି ଏଇଟାତ ବେଶୀ ଚାଲିଛି । କଲେଜମାନଙ୍କରେ ପାଠପଢ଼ା ହେଉଥିଲା ବେଳେ ପଛ ବେଞ୍ଚରେ ପିଲାଏ ସହପାଠିନୀମାନଙ୍କ ଉଦ୍ଦେଶ୍ୟରେ କବିତା ଲେଖାରେ ବ୍ୟସ୍ତ ଥାଆନ୍ତି । ପ୍ରତି ଦପ୍ତରରେ କର୍ମଚାରୀମାନେ ଫାଇଲ ପତ୍ର ସବୁ ତଳେ ଫୋପାଡ଼ି ଦେଇ କବିତା ଲେଖାରେ ବ୍ୟସ୍ତ । ଅଳସୁଆ ଇଞ୍ଜିନିଅର, ଡାକ୍ତର, ଓକିଲ, ଶିଳ୍ପୀ ସମସ୍ତେ କବିତା ଲେଖିବାରେ ବ୍ୟସ୍ତ । ଏଣୁ କବିବର ଯେ କବିତା ଲେଖିବାରେ ବ୍ୟସ୍ତ । ଏଣୁ କବିବର ଯେ କବିତା ଲେଖିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

କବିବର ପାର୍ବତୀ କାବ୍ୟରେ ରାଜା ଗଙ୍ଗେଶ୍ୱରଙ୍କୁ ଦେଶ ଜୟ କରିବାକୁ ପଠେଇ ଦେଇଛନ୍ତି । ବୃଦ୍ଧ କଞ୍ଚୁକ ସିଂହାଦ୍ୱାରରେ ବସି ବିଜୟ ସଙ୍କେତକୁ ଅପେକ୍ଷା କରି କରିଛି । କିଞ୍ଚୁକି ମୁଣ୍ଡରେ ଭାବନା ସବୁ ପରାଇଛନ୍ତି–ହାତ୍‌ତେରିକା, ଏ ରାଜା ସବୁବେଳେ ଯୁଦ୍ଧରେ ମାତିଲେ ଯେତେ ଜୟ କଲେ ବି ତାଙ୍କ ମନ ଅରମାନ ମେଣ୍ଟୁନି । ଦିନେ ନା ଦିନେ ପୁଣି ସେ ଏ ସଂସାର ଛାଡ଼ି ଚାଲିଯିବେ । ସେତେବେଳେ ତ ଏ ବିଜିତ ଦେଶ କିଛି ସାଙ୍ଗରେ ନେଇଯିବେ ନାହିଁ । ଏହା ସଙ୍ଗେ ସଙ୍ଗେ କଞ୍ଚୁକି ମୁହଁରେ କବିବର ଏହି ଦୁଇଧାଡ଼ି କବିତା ମଧ୍ୟ କୁହାଇ ଅଛନ୍ତି । ଏପରି ବାବାଜିଆ କବିତା ହତାଶାବାଦୀମାନଙ୍କ ତୁଣ୍ଡରୁ ବାହାରେ । କବିବର ପୂରାପୂରି ହତାଶାବାଦୀ ପାଲଟି ଯାଇଥିଲେ । ତେଣୁ ତାଙ୍କ ମୁଣ୍ଡରୁ କଞ୍ଚୁକି ତୁଣ୍ଡ ଦେଇ ଏହି କଥା ବାହାରିଲା । କବିବରର ଯଦି ଗଜା ଭେଣ୍ଡିଆ ହୋଇ ଥାଆନ୍ତେ ତାଙ୍କ ମନରେ ଦୁଃଖ ଗ୍ଳାନି ପରିବର୍ତ୍ତେ ଉତ୍ସାହ, ଉଦ୍ଦୀପନା ଓ ବୀରରସ ଟକମକ ହୋଇ ଫୁଟୁ ଥାଆନ୍ତା ତେବେ ସେ ଉପରୋକ୍ତ ଦୁଇପଦ କବିତା ପରିବର୍ତ୍ତେ ଲେଖିଥାଆନ୍ତେ–

 

ସର୍ବେ ରହିଛନ୍ତି ସର୍ବଦା ରହିବେ ଭବରଙ୍ଗ ଭୂମି ପରେ

ନାନା ବେଶ ଧରି କରୁଥିବେ ସବା ଅଭିନୟ ଆନନ୍ଦରେ ।

 

ଛାଡ଼ନ୍ତୁ ସେକଥା । କଅଣ ହୋଇଥିଲେ କଅଣ ହୋଇଥାନ୍ତା ସେ ଗୁଡ଼ାକ କଳ୍ପନାବିଳାସୀ ଅଳସୁଆଙ୍କ କାମ । ଯାହା ହୋଇଛି ତା’ରି ଉପରେ ମତାମତ ପେଶ କରିବା ହେଲା ଯଥାର୍ଥ କାମ । କବିବରଙ୍କର ଯଦି ମନରେ ଘୋର ଦୁଃଖ ଓ ଶରୀରରେ ଦାରୁଣ ପୀଡ଼ା ଥିଲା ତେବେ ସେ ବରଂ ଏହି ଦୁଇପଦ କବିତା ଲେଖି ନ ଥାନ୍ତେ । ତାଙ୍କର ଭାବିବା ଉଚିତ୍‌ ଥିଲା ଯେ ସେ ଜଣେ ଇତର ଲୋକ ନୁହନ୍ତି, ସେ ଜଣେ ଉଚ୍ଚଶିକ୍ଷିତ ଗଣ୍ୟମାନ୍ୟ ଶିକ୍ଷାବିତ୍‌ । ସେ ଯାହା କହିବେ ଜନ ସାଧାରଣ ତାହା ଶୁଣିବେ, ସେହି ଅନୁଯାୟୀ କର୍ମ କରିବେ । ଗୀତାରେ ଭଗବାନ କହିଛନ୍ତି ଯେ ବଡ଼ଲୋକମାନେ ଯାହା କରନ୍ତି ବା ଯେପରି ଆଚରଣ ଦେଖାନ୍ତି ଇତରଲୋକମାନେ ତା’ର ଅନୁସରଣ କରନ୍ତି । ଏବେ ଦେଖାଯାଉ କବିବର ଏଇ ଯେଉଁ କବିତା ଦୁଇପଦ ଲେଖିଦେଲେ ତା ଠିକ୍‌ କି ଭୁଲ୍‍, ଠିକ୍‌ ଆଚରଣ କି ଭୁଲ୍‍ ଆଚରଣ । କବିତା ପ୍ରଥମରୁ କିପରି ଅସଙ୍ଗତ ଦେଖନ୍ତୁ । ଘରେ ପଶୁ ପଶୁ କବିଙ୍କ ମୁଣ୍ଡ ଚାଳରେ ବାଜିଛି । ସେ କିଛି ନଭାବି ନଚିନ୍ତି ଠୋ ଫଟାସ କହିଦେଲେ–କେହି ରହିନାହିଁ ରହିବେ ନାହିଁଟି । କିହୋ ‘କେହି’ ଭିତରେ ଭଗବାନ ଯେ ଚାଲିଯାଉଛନ୍ତି ସେଇଟା କଅଣ ତାଙ୍କୁ ମାଲୁମ ନଥିଲା ? ଭଗବାନ ସବୁବେଳେ ଥିଲେ, ସବୁବେଳେ ଅଛନ୍ତି ଓ ସବୁବେଳେ ରହିବେ ଏକଥା ପରା ସେ ବହୁ ସ୍ଥାନରେ କହିଛନ୍ତି । ଏ କବିତା ବେଳକୁ ଭୁଲିଗଲେ କାହିଁକି ? ଭଗବାନଙ୍କୁ ବାଦ୍‌ ଦେଇ ଯଦି ସେ ଏକଥା ଲେଖିଲେ ବି ଯଦି ଭାବିଲେ ଯେ ଉପର ଧାଡ଼ି ତଳ ଧାଡ଼ିର ଅକ୍ଷର ସଂଖ୍ୟା ଠିକ୍‌ ରହିବନି; ଛନ୍ଦ, ଯତିପାତ ଆଦିରେ ଗଣ୍ଡଗୋଳ ହୋଇଯିବ ତେବେ ଆଧୁନିକ କବି ବନିଗଲେନି । କୌଣସି ପାଠକର ‘ଉଁ ଆଁ’ କରିବାର ଯୁ ନଥାନ୍ତା । ଯଦିବା କୌଣସି ଦୁଃସାହସୀ ପାଠକ ପଚାରି ଦେଇଥାନ୍ତା–‘‘ଆଜ୍ଞା ଏମିତିଆ ଅବାଗିଆ କବିତାଟାଏ ଲେଖିଲେ କାହିଁକି ?’’ ଉତ୍ତରଟା ପଟାସ କରି ତା ଗାଲରେ ଯାଇ ବାଜି ଥାଆନ୍ତା–‘‘ଆରେ ହଟ୍‌ ହଟ୍‌ ମୂର୍ଖ, ମୋ କବିତା ବୁଝିବାକୁ ତୁ ପୁଣି ଗୋଟାଏ ମଣିଷ ହୋଇଗଲୁଣି । ଯା ଯା ଓଡ଼ିଆରେ ଆଗ ଏମ୍‌: ଏ: ପାଶ୍‌କର, ତାପରେ ଜଣେ ଆଧୁନିକ କବି ପାଖରେ ଗୋଲାମ ଭାବରେ ରହି ଖୁବ୍‌ କମ୍‌ରେ ଦଶବର୍ଷ ସେବାକରି ତାକୁ ସନ୍ତୁଷ୍ଟ କର । ତାପରେ ସେ ଯଦି ତୋତେ କିଞ୍ଚିତ୍‌ କୃପା କରିବା ତେବେ ଯାଇ ମୋ କବିତାରୁ କିଛି ବୁଝିବୁ । ଏବେ ସଙ୍ଗେ ସଙ୍ଗେ ଏଠୁ ବାହାରିଯା ଆରେ କିଏ ଅଛରେ ଏ ମୂର୍ଖଟାକୁ ତଣ୍ଟିଆ ଦେଇ ଫାଟକ ପାରକରିଦେ ।’’ ବାସ୍‌ କବିବର ଏଥର ଅନାୟାସରେ ଏତକ କରିଦେଇ ପାରିଥାଆନ୍ତେ ।

 

ଏତକ କରିଥିଲେ ସାଧାରଣ ପାଠକ ବା ସମାଲୋଚକମାନଙ୍କର ମନ ଅବଶ୍ୟ ମାନି ଯାଇଥାନ୍ତା, କିନ୍ତୁ ଆଧ୍ୟାତ୍ମିକ ସରୋବରର ଶେଉଳମାଛମାନେ ଏହା ଦେଖି ନିଶ୍ଚୟ ନାକ ଟେକିବେ ଓ ଅପସନ୍ଦ କରି କହୀବେ–‘‘କିହୋ ଜୀବ କିଏ ପରମ ବା ଭଗବାନ କିଏ ? ସବୁକିଛି ଏକ । ତେଣୁ ‘କେହି ରହି ନାହିଁ ରହିବେ ନାହିଁ’ ପରି ଭୁଲ୍‍ କଥା ଗୁଡ଼ାକ ବନ୍ଦ କର ।’’

 

ସାଧାରଣ ଲୋକେ କଥାଟାକୁ ଠିକ୍‌ ଧରିପାରିବେ ନାହିଁ ଶେଉଳମାନଙ୍କ କଥା ବୁଝିପାରିବେ ନାହିଁ । ଏବେ ଆମେ ଦଣ୍ଡଖିରି ବନି ସର୍ବସାଧାରଣଙ୍କୁ ଅତି ପ୍ରାଞ୍ଜଳଭାବରେ ବୁଝାଇ ଦେଉଛୁ ।

 

ଏବେ ଆମେ ଭଗବାନ, ପରମ ଆଦି ଶେଉଳିଆ କଥା ଛାଡ଼ି ଦେଇ ମଣିଷଙ୍କ କଥା, ଜୀବଙ୍କ କଥା କହୁଛୁ । ‘କେହି ରହିନାହିଁ ରହିବ ନାହିଁଟି’ କଥା ମଣିଷଙ୍କୁ ବି ଖାପିବ ନାହିଁ । ରାଜ୍ୟପାଳ କି ରାଷ୍ଟ୍ରପତି ପରି ଶୀର୍ଷପଦ ସବୁଦିନେ ଅଛି ଓ ରହିବ । ରାଷ୍ଟ୍ରପତିଙ୍କ ଦେହାନ୍ତ ହୋଇଗଲେ, ଉପରାଷ୍ଟ୍ରପତି ସଙ୍ଗେ ସଙ୍ଗେ ରାଷ୍ଟ୍ରପତି ବନି ଯାଆନ୍ତି । ରାଷ୍ଟପତି ରହନ୍ତି ଓ ରହିବେ-। ସେମିତି ରାଜ୍ୟପାଳ ରହନ୍ତି ଓ ରହିବେ । ଓଲଟା କଥାଟା କହିଦେବା କବିବରଙ୍କର ଭୁଲ୍‍-

 

ଏତିକ ଭୁଲରେ କବିବର କ୍ଷାନ୍ତ ହୋଇ ନାହାନ୍ତି । ସେ ପୁଣି ଲେଖିଦେଇଛନ୍ତି ‘ଭବରଙ୍ଗ ଭୂମିତଳେ’ । ଲୋକମାନଙ୍କୁ ସେ ଅଭିନେତା ସଜେଇଛନ୍ତି । ଭବରଙ୍ଗ ଭୂମି ତଳେ ସେମାନେ କୁଆଡ଼େ ଥାଆନ୍ତି, ଆଉ ଅଭିନୟ ସାରି ପଳାନ୍ତି । ଅଭିନେତାମାନେ ରଙ୍ଗଭୂମି ଉପରେ ଥାଆନ୍ତି ବୋଲି ସମସ୍ତେ ଜାଣନ୍ତି । ତଳେ ଥାଆନ୍ତି ଦର୍ଶକ । କବିବରଙ୍କ କଥା ଅନୁସାରେ ଅଭିନେତାମାନେ ନିଜେ ଦର୍ଶକମାନଙ୍କ ସ୍ଥାନରେ ଅଭିନୟ କରନ୍ତି ତେବେ ଦର୍ଶକମାନେ ରଙ୍ଗଭୂମି ଉପରେ ଅର୍ଥାତ୍‌ ପେଣ୍ଡାଲ ଉପରେ ବସି ଦେଖିବେ । ମୁଷ୍ଟିମେୟ ଅଭିନେତା ଗୋଟିଏ ବିରାଟ ପୋଖରୀରେ ଦୁଇ ଚାରିଟି ଦଣ୍ଡଖିରି ମାଛ ପହିଁରିଲା ପରି ଦର୍ଶକମାନଙ୍କ ସ୍ଥାନରେ ଅଭିନୟ କରିବେ ଆଉ ବହୁତ ଦର୍ଶକ ମିନିବସ୍‌ରେ ଯାତ୍ରୀ ଖୁନ୍ଦାହେଲା ପରି ପେଣ୍ଡାଲ ଉପରେ ଖୁନ୍ଦିହୋଇ ଅଭିନୟ ଦେଖିବେ । ଏପରି ବିଚିତ୍ର ପରିକଳ୍ପନା କବିବରଙ୍କ ମୁଣ୍ଡରେ କାହିଁକି ପଶିଲା ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ଅଭିନୟ ସାରି ସେମାନେ ପୁଣି ବାହୁଡ଼ିବେ ।

 

ପୁନଶ୍ଚ ଆମେ ପଚାରୁ ଅଭିନୟଟା କାହାର ସରିଲା ଆଉ କେତେବେଳେ ସରିଲା । ଭବରଙ୍ଗ ଭୂମିରେ ହେଉଥିବା ଅଭିନୟ କାହାର ସରିବାର ନୁହେଁ । ଅଭିନୟ ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥିବ । ନବଜାତ ଶିଶୁଟିଏ ରଙ୍ଗଭୂମିରେ ଶିଶୁର ଅଭିନୟ କରି ଲାଗିଲା । ଏ ଅଭିନୟ ସାରି ସେ କିଶୋର ଅଭିନୟ କଲା, ତାପରେ ଯୁବକ, ପ୍ରୌଢ଼, ବୁଦ୍ଧ ଓ ମୃତ୍ୟୁର ଅଭିନୟ କଲା । ମୃତ୍ୟୁରେ ବି ଅଭିନୟ ସରିନି । ଭାଗବତ କହିଛି ଏ ଜୀବ ମରଣ ନିକଟ, ବେଗେ ଚିନ୍ତଇ ଅନ୍ୟ ଘଟ । ଅର୍ଥାତ୍‌ ମୃତ୍ୟୁ ଅଭିନୟ ପରେ ସେ ଏକ ଜନନୀ ଜଠରରେ ଭ୍ରୂଣର ଅଭିନୟ କରେ । ତାପରେ ପୁଣି ଶିଶୁ, କିଶୋର, ଯୁବକ, ପ୍ରୌଢ଼, ବୁଦ୍ଧ ଓ ମୃତ୍ୟୁ ଅଭିନୟର ଆବର୍ତ୍ତ । ଲାଗିରହେ । ମୃତ୍ୟୁଟାରେ ସବୁ ସରିଗଲା ବୋଲି ଧରିବା ଏକ ମସ୍ତବଡ଼ ମୂର୍ଖାମି । ଏହା ଏକ ପରିବର୍ତ୍ତନ, ଏକ ବସ୍ତୁରୁ ଅନ୍ୟ ବସ୍ତୁକୁ ପରିବର୍ତ୍ତନ, ଏକ ରୂପାନ୍ତର । ଗୋଟିଏ ଅଭିନୟ ଅନ୍ୟ ଅଭିନୟରେ ପରିଣତ ହୁଏ । ଏଣୁ ଅଭିନୟ ସରିବ କୁଆଡ଼ୁ ଯେ ଜଣେ ତାକୁ ସାରିଦେଇ ବାହୁଡ଼ି ଯିବ । ଏ ପର୍ଯ୍ୟନ୍ତ ଦେଖାଗଲା ଯେ ‘କେହି ରହିନାହିଁ, ରହିବ ନାହିଁଟି ଭବରଙ୍ଗ ଭୂମିତଳେ’ ପଦଟି ଗୋଟାକ ଯାକ ଭୁଲ୍‍ । ସମସ୍ତଙ୍କର ଅଭିନୟଟା ସାରିଦେବା କଥାଟା ବି ଅନ୍ୟ ଏକ ଭୁଲ୍‍ ତା ସଙ୍ଗେ ସଙ୍ଗେ ଚାଲିଛି ବର ସାଙ୍ଗେ ମାରକୁଣ୍ଡି ପରି ।

 

ବାକୀ ରହିଗଲା ‘ବାହୁଡ଼ିବେ କାଳବଳେ’ । ପୃଥିବୀର ଗୋଲତ୍ୱ ପ୍ରମାଣ କରିବାକୁ ପଣ୍ଡିତମାନେ କହିଥାନ୍ତି–ସୂର୍ଯ୍ୟ, ଚନ୍ଦ୍ରାଦି ଗ୍ରହମାନେ ଗୋଲ, ତେଣୁ ପୃଥିବୀଟା ଗୋଲ । ଆମେ ସେହିପରି ପଣ୍ଡିତ ପଣିଆ ଦେଖାଇ କହିବୁ ଯେ ଏହି ଦୁଇ ପଦର ଅନ୍ୟାନ୍ୟ ଅଂଶ ସବୁ ଭୁଲ୍‍ । ତେଣୁ ଏ ଶେଷ ଅଂଶଟି ନିଶ୍ଚୟ ଭୁଲ୍‍ । ଗୋଟାଏ କଲମ ଗାରରେ ଏଇଟାକୁ ଏକାବେଳକେ ଭୁଲ୍‍ କହିଦେଇ ହେବ । ଅଭିନୟ ଯଦି ସରନ୍ତା ତେବେ ସିନା ଅଭିନେତାମାନେ ନିଜନିଜ ଘରକୁ ବାହୁଡ଼ନ୍ତେ । ମୂଳରୁ ଅଭିନୟ ତ ସରୁନାହିଁ, ଅଭିନେତାମାନେ ବାହୁଡ଼ନ୍ତେ । ମୂଳରୁ ଅଭିନୟ ତ ସରୁନାହିଁ, ଅଭିନେତାମାନେ ବାହୁଡ଼ିବେ କିପରି ! ଅଭିନୟ ନ ସାରି ପଳେଇବା ଲୋକଙ୍କୁ ତିନିପୁର ବାସ ମିଳିବ ନାହିଁ । ଦେଖଣାହାରିଏ ତ ଉଣ୍ଡି ପକଡ଼ି ନେବେ, ତେଣିକ ମାଡ଼ି ଭରଣକ ପଇସାଏ । ତେଣୁ ବାହୁଡ଼ିବା କଥା ମିଛି । ମୋଟ ଉପରେ ଦେଖିଲେ କବିତା ଦୁଇପଦ ଅଗରୁ ମୂଳଯାଏ ମିଛ ।

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି କବିବରଙ୍କପରି ଜଣେ ଉଚ୍ଚ ଶିକ୍ଷିତ ଶିକ୍ଷାବିତ୍‌ ଜ୍ଞାନୀ ବ୍ୟକ୍ତି ଏପରି ଅସଙ୍ଗତ କବିତା ଲେଖିଲେ କାହିଁକି ? ଆଜିକାଲି ଯେପରି ମିଛ ଓ ଅସଙ୍ଗତ କଥାର ଆଦର ଅତ୍ୟଧିକ ବଢ଼ି ଯାଇଛି କବିବରଙ୍କ ସମୟରେ ତାହା ନଥିଲା । ସୁତରାଂ କବିବର କଅଣ ଅପଖ୍ୟାତି କିଣିବା । ପାଇଁ ଏ ଦୁଇପଦ ଲେଖିଦେଲେ । ଆମ୍ଭେ ଏଠାରେ ଦୃଢ଼ତାର ସହ ବଜ୍ରଗମ୍ଭୀର ସ୍ୱରରେ ଘୋଷଣା କରୁଛୁ ଯେ କବିବର ଏ କବିତାକୁ ଲେଖି ନାହାନ୍ତି । ତାଙ୍କର ମୂଳ କବିତା କାଳକ୍ରମେ ଅପାରଗ ପ୍ରେସମାନଙ୍କ ଦ୍ୱାରା ରୂପାନ୍ତରିତ ହୋଇ ଯାଇଛି । ପାଠକେ ଭଲ ଭାବରେ ଜାଣିଥିବେ ଅଜ୍ଞ ଲେଖନକାରମାନଙ୍କ ଯୋଗୁଁ ସାରଳାଦାସଙ୍କ ମହାଭାରତ କାଳକ୍ରମେ କିପରି ନିଜର ମୌଳିକତା ହରାଇ ରୂପାନ୍ତରିତ ହୋଇଗଲା ! ଓଡ଼ିଆ ସାହିତ୍ୟରେ ଆମ୍ବଟା କାଳକ୍ରମେ କଦଳୀ ହେବାର ଦୃଷ୍ଟାନ୍ତ ଯଥେଷ୍ଟ ରହିଛି । ଆମ୍ଭର ଥରେ ସୌଭାଗ୍ୟ ଅତି ବେଶୀ ହୋଇଯିବାରୁ ଆମ୍ଭେ କବିବରଙ୍କ ପାଣ୍ଡୁଲିପିଟା ପାଇଥିଲୁ । ପାର୍ବତୀ ପାଣ୍ଡୁଲିପିଟା ଦେଖିବାମାତ୍ରେ ଆମ୍ଭ ଆଖି ଖୋସି ହୋଇଗଲା । ତହିଁରେ ଆଲୋଚ୍ୟ ଦୁଇପଦ କବିତା ଅନ୍ୟପ୍ରକାରର ଥିଲା । ଲେଖା ହୋଇଥିଲା—

 

‘‘କେହି ରହିନିକି, ରହିବ ନାହିଁ କି ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ନିତ୍ୟକର୍ମ ସାରି

ସୁଆଙ୍ଗ ମାତିବେ ଭୋଳେ ।’’

 

ଏହା ପଢ଼ିବା ମାତ୍ରେ ସବୁ କୁହୁଡ଼ି ଉଭେଇ ଯାଉଛି । ଅର୍ଥ, ଚକୁଳି ପିଠା ଓଲଟିଲା ପରି ପୁରା ଓଲଟି ଯାଉଛି । କବିବର ପଚାରିଛନ୍ତି–କେହି ରହିନି କି ? ମାନେ ସମସ୍ତେ ରହିଅଛନ୍ତି । ରହିବ ନାହିଁକି ? ମାନେ ସମସ୍ତେ ରହିବେ, ଅର୍ଥାତ୍‌ ଏ ଭବରଙ୍ଗ ଭୂମିରେ ସମସ୍ତେ ଅଭିନୟ କରୁଛନ୍ତି ଓ କରୁଥିବେ । ଆଉ ସମସ୍ତେ ନିଜ ନିଜ ନିତ୍ୟକର୍ମ ସାରି ମାନେ ଦାନ୍ତଘଷି, ପାଇଖାନା ଯାଇ, ଗାଧୋଇ, ଖାଇସାରି ହରଦମ୍‌ ଅଭିନୟ କରିବାରେ ମାତି ରହିଥିବେ ।

 

ଏବେ କବିବରଙ୍କ ଯଥାର୍ଥ ପରିଚୟ ମିଳିଗଲା । ପ୍ରେସ୍‌ବାଲାଙ୍କ ଗଲ୍‍ତି ଯୋଗୁ କବିବରଙ୍କୁ କେଡ଼େ ଦୁର୍ନାମଟାଏ ସହିବାକୁ ପଡ଼ୁ ନ ଥିଲା ।

 

ଅତି ଦୁଃଖରେ ସହିତ ଜଣାଉ ଅଛି ଯେ ଆମ୍ଭର ଶନିସପ୍ତା ହେତୁ ପାଣ୍ଡୁଲିପିଟି ଗୋଟିଏ ବୁଲା ଷଣ୍ଢ ପୂରାପୂରି ଗର୍ଭସାତ୍‌ କରିଦେଲା । ଏଣୁ ଆମ୍ଭେ ପାଣ୍ଡୁଲିପିକୁ ସେନ୍ଦେହୀ ଗବେଷକମାନଙ୍କୁ ଦେଖାଇ ପାରିବୁ ନାହିଁ ।

Image

 

ଧର୍ମ ଏକ ପୋତ

 

ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି

ତରିବାକୁ ଏହି ସଂସାର-ବାରିଧି

ଧର୍ମ ଏକା ସିନା ମହତପଣିଆ

ଆଉ ବଡ଼ପଣିଆ ଅଢ଼େଇ ଦିନିଆ ।’’

 

କବିବର ରାଧାନାଥ ରାୟ ଯେଉଁ ‘ଦରବାର’ ଖଣ୍ଡକାବ୍ୟ ଲେଖି ବହୁତ ଖ୍ୟାତି ଅର୍ଜନ କରିଯାଇଛନ୍ତି, ଉପରୋକ୍ତ ଚାରି ଧାଡ଼ି ତାହାର ଅଂଶବିଶେଷ । ଉତ୍କଳ ବିଶ୍ୱବିଦ୍ୟାଳୟ ଏହାକୁ ପାଠ୍ୟପୁସ୍ତକରେ ସ୍ଥାନ ଦେଇ ଓଡ଼ିଆ ଅଧ୍ୟାପକମାନଙ୍କ ଜରିଆରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ମୁଣ୍ଡରେ ପୂରେଇବାରେ ଲାଗିପଡ଼ିଛନ୍ତି । କବିବର ଯେଉଁ ସମୟରେ ଏ କବିତା ଲେଖିଥିଲେ ସେଇ ସମୟ ଥିଲା ନିଆରା । ସେତେବେଳେ ଇଂରେଜ ସରକାର ଭାରତର ଏକଛତ୍ର ଆଧିପତ୍ୟ ଥିଲେ । ସେମାନେ କେବଳ ନିଜ ବେପାର ବଣିଜ ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ । ଦେଶୀ ଲୋକ କେହି ଯଦି ସେଥିରେ ଖୁଟ୍‌ମାଟ କରୁଥିଲା ତେବେ ବାଘ ମାଡ଼ିବସିଲା ପରି ଘାଉଁକରି ମାଡ଼ିବସି ତାର ଦଫାରଫା କରି ଦେଉଥିଲେ । ଭାରତର ଧର୍ମ, ଫର୍ମ, ଆଧ୍ୟାତ୍ମିକତା ବିଷୟରେ ଟିକିଏ ହେଲେ ମୁଣ୍ଡ ଖେଳାଉ ନ ଥିଲେ । ତେଣିକି ଚାହିଁ ଯାଉ ନଥିଲେ । ଧର୍ମ ନାଆଁରେ କିଏ କେତେ ଗାଲୁ ପେଲିଲା, ଲୋକଙ୍କୁ ଭଣ୍ଡିଲା ସେକଥା ବିଲକୁଲ ଶୁଣିଯାଉ ନଥିଲେ । ଧର୍ମ ନାଆଁରେ ଗାଲୁପେଲା ଯଦି କେହି ଜବରଦସ୍ତ ନେଇ ତାଙ୍କ ଆଗରେ ପେଶ୍‌ କରୁଥିଲା ତେବେ ସେ ସାଫ୍‌ ସାଫ୍‌ କହି ଦେଉଥିଲେ–ଆହେ ରଖ ହୋ ତମ ନାଲିସ୍‌ । ଆମେ ସେସବୁ ମୋଟେ ଶୁଣିବୁ ନାହିଁ । ଦୟାଳୁ କ୍ୟାନିଂ ଏସବୁ କାନରେ ନ ପୁରାଇବାକୁ ତାଗିଦ୍‌ କରି ଦେଇଛନ୍ତି । ଆମ ବେପାର ଭଲ କି ଆମେ ଭଲ । ଫେରାଦ୍‌ ହେଇଥିବା ଲୋକଟି କାନମୂଳ କୁଣ୍ଡେଇ କୁଣ୍ଡେଇ ଫେରି ଆସୁଥିଲା । କବିବର ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିବାରୁ ଏସବୁ ହାଲତ ଭଲଭାବରେ ଜାଣିଥିଲେ-। ତେଣୁ ଧର୍ମ ନାଆଁରେ ଏକ ଅଦରକାରୀ ଗାଲୁ ଚଳେଇ ଦେଲେ । ସେତେବେଳେ ଛେନାରୁ ଚୋପା ଛଡ଼େଇବା ଲୋକ ବିଲ୍‌କୁଲ ନଥିଲେ । ସେଥିଲାଗି ଦରବାର ଖଣ୍ଡକାବ୍ୟରେ ଏହି ଚାରିଧାଡ଼ି ଅନାବଶ୍ୟକ ଗାଲୁ ରଖିଦେଲେ । କେହି ଏ ପ୍ରବନ୍ଧ ଲେଖକକୁ ପଚାରି ପାରନ୍ତି–ଯୁବା ବୟସରେ ଏହି ଚାରିଧାଡ଼ି ସେ କେତେଥର ପଢ଼ିଥିବେ । ସେତେବେଳେ ସେ ତାକୁ ଅନାବଶ୍ୟକ ଗାଲୁ ବୋଲି ନକହି ଏତେବେଳେ ରଡ଼ି ଛାଡ଼ିଛନ୍ତି କିଆଁ ? ଏଇଟା ଏକ ଭଲ ପ୍ରଶ୍ନ । ଉତ୍ତରରେ ଲେଖକ କହିବ ଯେ ସେ ସେତେବେଳେ ଇଂରେଜ ଶାସନାଧୀନରେ ଥିଲା । ସେତେବେଳେର ମନୋବୃତ୍ତି ଗୋଲାମୀ ହୋଇଯାଇଥିଲା । ସତକଥା କହିବାକୁ ଡର ଲାଗୁଥିଲା । ସେହିହେତୁ କହି ନଥିଲା । ଏବେ ସ୍ୱାଧୀନ ହୋଇଗଲା । ଘିଅ ମହୁରେ ଗାଧୋଇଲା । ଖାଉଟି ଦ୍ରବ୍ୟ ଗୁଡ଼ାକ ଅତି ସୁଲଭ ହୋଇଯିବାରୁ ଶରୀରେ ଓ ମନରେ ବିକାଶ ଦୁଇଶହ ଊଣେଇଶି ପ୍ରତିଶତ ହୋଇଗଲା । ସତକଥାଗୁଡ଼ାକ ଜଳ ଜଳ ହୋଇ ଦେଖାଗଲା । ସେଗୁଡ଼ିକ ପ୍ରକାଶ କରିବାକୁ ତୁଣ୍ଡ ମଧ୍ୟ ବ୍ୟଗ୍ର ହୋଇ ଉଠିଲା । ତଥାପି ଲେଖକ ତୁଣ୍ଡକୁ ସଂଯତ ରଖିଥିଲା । ଯି’ଏ ପଢ଼ୁଛି ପଢ଼ୁ । ସତ ମିଛ ବଳେ ବାଛିବ ନାହିଁ ଯେ କିନ୍ତୁ ଲେଖକ ଯେତେବେଳେ ଦେଖିଲା ବିଶ୍ୱବିଦ୍ୟାଳୟ ନେଇ ତାକୁ ପାଠ୍ୟପୁସ୍ତକ ଭିତରେ ଭରିଲେଣି ଆଉ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷା ନିର୍ଦ୍ଦେଶକଙ୍କ ଆଜ୍ଞାବହ ଅଧ୍ୟାପକମାନେ କୋମଳମତି ଛାତ୍ର ଛାତ୍ରୀମାନଙ୍କ ମଥାରେ ଏହାକୁ ଜବରଦସ୍ତ ପୁରେଇଲେଣି, ସେତେବେଳେ ସ୍ୱାଧୀନ ଦେଶର ସ୍ୱାଧୀନ ଚିନ୍ତା କରୁଥିବା ଲେଖକ ଆଉ ସ୍ଥିରହୋଇ ରହି ପାରିଲାନି । ପ୍ରତିବାଦର ସ୍ୱର ଉତ୍ତୋଳନ କଲା । ଉପରୋକ୍ତ ଚାରିଟି ଧାଡ଼ିକୁ ବିଶ୍ଳେଷଣ କରୁଛି ।

 

‘‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି ।’’ ପୋତ ବା ଜାହାଜ ତିଆର କରିବା ଇଞ୍ଜିନିଅରମାନଙ୍କ କାମ । କାଠୁଆ, ଡଙ୍ଗା, ପର୍ତ୍ତନଗୁଡ଼ାକ ଦେଶୀ ବଢ଼େଇ ମାନେ ତିଆରି କରିପାରନ୍ତି । କିନ୍ତୁ ଜାହାଜ ବା ପୋତବେଳକୁ ସେମାନେ ପଛେଇଯିବେ । ପୂର୍ଣ୍ଣ ତାଲିମପ୍ରାପ୍ତ ଇଞ୍ଜିନିଅର ନହେଲେ ଏ କାମରେ କେହି ହାତ ଦେବେନି । ଗଢ଼ି ଲାବାଲା ‘ବିଧି’ଟି ନିଶ୍ଚୟ ଇଞ୍ଜିନିଅର ହୋଇଥିବ । ତେବେ ଖୋଜାଯାଉ ସେ କେଉଁ ଇଞ୍ଜନିଅରିଂ କଲେଜରୁ କେଉଁ ସାଲରେ ପାଶ୍‌ କରିଥିଲେ । ଲେଖକ ଭାରତର ସବୁ ଇଞ୍ଜିନିଅରିଂ କଲେଜ ସହିତ ସମ୍ପର୍କ ସ୍ଥାପନ କରି ଜାଣିପାରିଛି ‘ବିଧି’ ନାମଧେୟ କୌଣସି ବ୍ୟକ୍ତ କେଉଁଠରୁ ହେଲେ ଇଞ୍ଜିନିଅରିଂ ପାଶ୍‌ କରି ନାହାନ୍ତି-। ମୂଳରୁ ମାଇପ ନାହିଁ, ପୁଅ ନା ଗୋପାଳିଆ । ‘ବିଧି’ ବୋଲି ତ କେହି ଇଞ୍ଜିନିଅରିଂ ନଥିଲେ-। ଧର୍ମପୋତ ବା ଜାହାଜଟାଏ ସେ ଗଢ଼ିଲା କେମିତି ? ଏପରି ଆକାଶତୋଳା ମିଛ ଏ ଯୁଗରେ ଚଳିବ ନା ?

 

ପୁନଶ୍ଚ ଦେଖାଯାଉ ଏ ଜାହାଜଟା ଗଢ଼ା ହେଲା କେଉଁଠି ? ସେତେବେଳେ ଇଂରେଜ ସରକାର ଭାରତକୁ କିରାସିନି କଣ୍ଟାଟିଏ ବି ତିଆରି କରିବାକୁ ଦେଉ ନଥିଲେ । ଏତେବଡ଼ ଜାହାଜଟାଏ ତିଆରି ହୋଇଗଲା କିପରି ? ଜାହାଜଟାଏ ତିଆରି କରିବାକୁ ହେଲେ ଗୋଟାଏ ବିରାଟକାୟ ସିପ୍‌ ବିଲଡ଼ିଂ ୟାର୍ଡ଼ ଦରକାର । ଏଇଟା ପୁଣି ସମୁଦ୍ର କୂଳରେ ହୋଇଥିବ । ସେତେବେଳେ ଭାରତ ବର୍ଷରେ ସିପ୍‌ ବିଲ୍‌ଡ଼ିଂ ବିଷୟ ଚିନ୍ତା କରିବାକୁ ବି ମନା ଥିଲା । ଆଉ ସେଇଟା କଅଣ ଛୋଟିଆ ମୋଟିଆ ଜିନିଷ ହୋଇଛି ଯେ ତାକୁ ଲୁଚେଇ ଗଡ଼ିଆ ଭିତରେ ତିଆରି କରିଦେଇ ହେବ । ପୋତଟା ଯେ ବିରାଟ ତାହା ଅନ୍ୟ ଧାଡ଼ିରୁ ସୂଚିତ ହୁଏ । ସେଇଟା ହେଲା ‘ତରିବାକୁ ଏହି ସଂସାର ବାରିଧି ।’ ବାରିଧି ବୋଇଲେ ସାଗର ବା ମହାସାଗର । ଏ ଜାହାଜ ସାଗର ଓ ମହାସାଗର ଉପରେ ଯିବା ଆସିବା କରିବ କେବଳ ଏକ ବିରାଟକାୟ ପୋତ ସାଗର ଓ ମହାସାଗର ଉତ୍ତାଳ ତରଙ୍ଗମାଳା ଭେଦକରି ଯିବା ଆସିବା କରିବାକୁ ସକ୍ଷମ । ଏଥିରୁ ସ୍ପଷ୍ଟ ଅନୁମତି ହେଲା ପୋତଟି ବିରାଟକାୟ ତେଣୁ ଏହାକୁ ଲୁଚେଇ ଗାଡ଼ିଆ ଭିତରେ ତିଆରି କରି ପକେଇବା ଅସମ୍ଭବ ଓ ଅବାସ୍ତବ ମଧ୍ୟ । ଧରାଯାଉ ବ୍ରିଟେନ ଏ ପୋତକୁ ତାର ଏକ ସିପ୍‌ ବିଲିଡ଼ିଂ ୟାର୍ଡ଼ରେ ତିଆରି କରି ଭାରତକୁ ନେଇ ଆସିଥିଲା । ଏପରି ବହୁତ ଜାହାଜ ଅବଶ୍ୟ ଆସିଥିଲା । ହେଲେ କାହାରି ନାଁ । ‘ଧର୍ମ’ ନଥିଲା ସବୁଗୁଡ଼ିକ ସାହାରୀ ନାଆଁ ।

 

ଏଥିରୁ ଦେଖାଯିବ ଯେ କବିବର ଲେଖିଥିବା ପଦ୍ୟାଂଶ ‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି’ ଅର୍ଥାତ୍‌ ବିଧି ନାମକ ଇଞ୍ଜିନିୟର ଧର୍ମ ନାମକ ଏକ ଜାହାଜ ଗଢ଼ିଥିବା କଥା ଏକାବେଳକେ ମିଛ । ଏପରି ମିଛ କଥା ଲେଖିବାର ଆବଶ୍ୟକତା ନଥିଲା । ତେଣୁ ଏହା ଅନାବଶ୍ୟକ ଗାଲୁ । ସଂସାର ନାମକ କୌଣସି ସାଗର ବା ମହାସାଗର ବି ନାହିଁ । ମରିସନ୍‌ ସାହେବ କୃତ ଭୂଗୋଳ ପାଠ ତନ୍ନ ତନ୍ନ କରି ଖୋଜିଲେ ଏହା ବେଶ୍‌ ଉପଲବ୍‌ଧି କରିହେବ । ଏବେ ତୃତୀୟ ଓ ଚତୁର୍ଥ ଧାଡ଼ି ଦେଖାଯାଉ । କବିବର ଲେଖିଛନ୍ତି ‘‘ଧର୍ମ ଏକା ସିନା ମହତ ପଣିଆ, ଆଉ ବଡ଼ ପଣ ଅଢ଼େଇ ଦିନିଆ ।’’ କବିବରଙ୍କର ଏହି ଦୁଇଧାଡ଼ି ଲେଖିବା କି ଦରକାର ଥିଲା । ଅଯଥାରେ କିଛି କାଳି ଓ କାଗଜ ନଷ୍ଟ କଲେ ସିନା । ଦ୍ୱାପର ଯୁଗ ପରେ ଧର୍ମ ତ ସ୍ୱର୍ଗକୁ ଗଲେ । ପୃଥିବୀରେ ଧର୍ମ ଆଉ ରହିଲେ କେଉଁଠି ? କବିବର ତ ଘୋର କଳିଯୁଗର ଲୋକ । ଘୋର କଳିଯୁଗରେ ସେ ଧର୍ମକୁ ଦେଖିଲେ କୁଆଡ଼େ ? ଯଦି ତାଙ୍କର କେହି ଜବରଦସ୍ତ ଖୋସାମତିଆ ଡିହାଳିଆ ପଣ ଦେଖାଇ କହେ—ହିଁ ସେ ଦେଖିଥିଲେ, ତେବେ ତାଙ୍କୁ ବୁଝେଇ ଦେବାକୁ ପଡ଼ିବ ଯେ ବୟସାଧିକ୍ୟ ହେତୁ କବିବରଙ୍କର ଦୃଷ୍ଟିଭ୍ରମ ବା ଅପଟିକାଲ ଇଲ୍ୟୁଜନ ରୋଗ ଥିଲା । ରଜ୍ଜୁ ତାଙ୍କୁ ସର୍ପବତ୍‌ ପ୍ରତୀୟମାନ ହେଉଥିଲା । ଅଧର୍ମଗୁଡ଼ାକ ସେହିପରି ତାଙ୍କୁ ଧର୍ମ ପରି ଦେଖାଯାଉଥିଲା । ଧର୍ମ ତ ବିଲକୁଲ ନାହିଁ । ତା’ ର ପୁଣି ମହତପଣିଆ କବିବର କେଉଁଠୁ ଦେଖିଲେ ? ହୋଇପାରେ ନିଜର ଅପ୍‌ଟିକାଲ ଇଲ୍ୟୁଜନ ବା ଦୃଷ୍ଟିଭ୍ରମ ହେତୁ ଅଧର୍ମର ମହତ ପଣଟା ଧର୍ମର ମହତପଣ ଭଳି ଦେଖାଦେଇଛି । ତା ସଙ୍ଗେ ସଙ୍ଗେ ପୁଣି କୁହାଯାଇଛି ‘‘ଆଉ ସବୁ ପଣ ଅଢ଼େଇ ଦିନିଆ ।’’ ଭାରତବର୍ଷ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହା ଏକ ଗୁରୁତର ସମସ୍ୟା ରୂପେ ଦେଖାଦେବ । ‘ଆଉ ସବୁ ପଣ’ ବୋଇଲେ ଅସୁମାରି ପଣ ମୁଣ୍ଡ ଟେକୁଛି । ଯଥା–ବଡ଼ପଣ, ଛୋଟପଣ, ରାଜପଣ, ମନ୍ତ୍ରୀପଣ, ଟାଉଟରୀପଣ, ଲୋଭୀପଣ କାନ୍ଦୁରାପଣ, ଚୋରପଣ, ସାଧୁପଣ, ବୀରପଣ, ଡରୁଆପଣ, ସହିବାପଣ, ମିଛୁଆପଣ, ଦବାପଣ, ନବପଣ ସବୁ ମାତ୍ର ଅଢ଼େଇ ଦିନ ବା ଷାଠିଏ ଘଣ୍ଟା ରହେ, କିନ୍ତୁ ଧର୍ମ ନାମକ ମହତପଣଟା ସବୁଦିନେ ରହେ । ଆଜିକାଲି ଏ କଥାକୁ କାନରେ ପୂରେଇବ କିଏ । ଭାରତରେ ଅଧିକାଂଶ ରାଜନୈତିକ ଦଳ ସଂଖ୍ୟାନ୍ୟୂନ ସମ୍ପ୍ରଦାୟ ଠାରୁ ଭୋଟ ଖଣ୍ଡିକ ପାଇବା ପାଇଁ କେତେ ଯେ ପେଖେନା କାଢ଼ୁଛନ୍ତି ତାହାର ଇୟତ୍ତ ନାହିଁ । ‘ଆମେ ଧର୍ମ ନିରପେକ୍ଷ’ କହିଦେଲେ ସଂଖ୍ୟାନ୍ୟୂନ ଗୋଷ୍ଠୀ ଆମ ଉପରେ ଆସ୍ଥା ସ୍ଥାପନ କରିବେ ଆଉ ଆମକୁହିଁ ଦେଇଥିବେ । କିଏ ହିନ୍ଦୁ ଧର୍ମଟାକୁ ବେଶୀ ତଡ଼ି ସଂଖ୍ୟାଲଘୁ ସମ୍ପ୍ରଦାୟର ବେଶି ପ୍ରିୟପାତ୍ର ହେବ ଏବଂ ବେଶୀ ଭୋଟ ପାଇ ପାରିବ ସେଥିଲାଗି ରାଜନୈତିକ ଦଳମାନେ ଧରାପରା ଲଗେଇଛନ୍ତି । ଏଣୁ ଧର୍ମ ନାଆଁଟା ଘୋର ବିପଦଜନକ ବିବେଚିତ ହେଲାଣି । ଆମ ରାଷ୍ଟ୍ର ପାକିସ୍ତାନ ବା ଇରାନ ପରି ନୁହେଁ । ସେଠିତ ହିନ୍ଦୁ ନାହାନ୍ତି । ତାଙ୍କୁ ପାକଳେଇବାର ପ୍ରଶ୍ନ ଉଠୁନି । ସୁତରାଂ ସେଠାରେ ଧର୍ମ ଚେକାମାଉଲି ପକାଇ ବସିଛି । ଇସଲାମ ଧର୍ମ ଭିତ୍ତିରେ ସେଠି ସବୁ କାମ ହଉଛି । ଧର୍ମ ନାଆଁ ରେ ସେ ସବୁ ଥାନରେ ସବୁ କିଛି ଚଳିବ । ଆମ ରାଷ୍ଟ୍ରରେ କିନ୍ତୁ ସବୁ ଓଲଟା, ଧର୍ମ ନାଁ ଧରିବା ମାତ୍ରେ ଆଗ ମନ୍ତ୍ରୀମାନେ ଚିଲେଇ ଉଠିବେ—ବାଡ଼ିଆ, ବାଡ଼ିଆ, ତଡ଼, ତଡ଼, ଶୀଘ୍ର ଧର୍ମକୁ ତଡ଼ି ସେଠାରେ ଗୋବରପାଣି ଛିଞ୍ଚି । ମନ୍ତ୍ରୀଙ୍କ ମୁଖୁ ଏସନ ଶୁଣି ସଚିବମାନେ ଧର୍ମ ଦିହରେ ଦାନ୍ତ ଲଗେଇ ଦେବେ । ତାଙ୍କୁ ବାଘ ମଢ଼ କେଳେଇଲା ପରି କେଳେଇ ପକେଇବେ-। ଶିକ୍ଷାବିଭାଗର ନିର୍ଦ୍ଦେଶକ ମାନେ ହୁକୁମ ଜାରି କରିଦେବେ—ଧର୍ମ ନାମ ଆଜିଠାରୁ ମୋ ଶ୍ରବଣେ କେହି ଢୁକାଇବ ନାହିଁ ଗୋ ।

 

ରକ୍ଷା ହୋଇଛି ଓଡ଼ିଆ ଭାଷାଟାକୁ ଓଡ଼ିଆ ଛଡ଼ା ବାହାରେ କେହି ପଚାରନ୍ତି ନାହିଁ, କି ବୁଝନ୍ତି ନାହିଁ । ସେଇଥିଲାଗି ‘ଧର୍ମ ଏକା ସିନା ମହତ ପଣିଆ’ ଧାଡ଼ିଟା ଏ ପର୍ଯ୍ୟନ୍ତ ତିଷ୍ଠି ରହିଛି । ବିଶ୍ୱବିଦ୍ୟାଳୟ ଏ ଧାଡ଼ିକୁ ଯେପରି ଭାବରେ ଏ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ସ୍ଥାନ ଦେଇ ଆସିଲେଣି ତାହା ଅତି ଉଦ୍‌ବେଗ ଜନକ । କେନ୍ଦ୍ର ମନ୍ତ୍ରୀଙ୍କ କାନରେ କେହି ଯଦି ଏହା ଫୋଡ଼ିଦିଏ ତେବେ ବିଶ୍ୱବିଦ୍ୟାଳୟ ଅବସ୍ଥା ଦି ଗଣ୍ଡା ଦି କଡ଼ା ହୋଇଯିବ ।

 

ଏବେ ଶେଷପଦ ଦେଖାଯାଉ । ଶେଷଟା ଅଛି ‘‘ ଆଉ ସବୁ ପଣ ଅଢ଼େଇ ଦିନିଆ’’ ବା ଷାଠିଏ ଘଣ୍ଟିଆ । କବିବର ତାକୁ ୬୧ ଘଣ୍ଟିଆ ନ କରି କାହିଁକି ଷାଠିଏ ଘଣ୍ଟିଆ କଲେ । ଅର୍ଥାତ୍‌ ଅନ୍ୟ ଯେତେ ପଣ ଅଛି ସମସ୍ତଙ୍କ ପରମାୟୁ ମାତ୍ର ଷାଠିଏ ଘଣ୍ଟା । ଯେ କୌଣସି ଅନ୍ୟ ପଣ ଦେଖାଦେବାର ଷାଠିଏ ଘଣ୍ଟା ପରେ କୁଆଡ଼େ ଉଭେଇଯିବ । ତାକୁ ଖୋଜିଲେ ବି କେହି ପାଇବେ ନାହିଁ । ଏଡ଼େବଡ଼ ଡାହା ମିଛ କଥାଟାକୁ ପୁଣି ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଇଛି ! ଏ ବିଷୟରେ ପାଠକମାନଙ୍କ ଟିକିଏ ମୁଣ୍ଡ ଖେଳେଇ ବିଚାର କରିବାକୁ ଲେଖକ ଅନୁରୋଧ କରୁଛି । ଆଚ୍ଛା, ସବୁ ପଣ ବିଷୟରେ ଘାଣ୍ଟିଲେ ତ ରାତିପରେ ରାତି ପାହିଯିବ, ଦିନ ପରେ ଦିନ ବିତିଯିବ, ମାସ ପରେ ମାସ ଗଡ଼ିଯିବ, ତଥାପି ସରିବ ନାହିଁ । ସବୁ ପଣ ଭିତରୁ ଲେଖିକ ବର୍ତ୍ତମାନ ଦୁଇଟି ପଣ ବାଛୁଛି । ସେ ଦିଓଟି ପଣ ହେଲେ ଗାଲୁଆ ପଣ ଆଉ ବାହାପିଆ ପଣ । ଏ ଦିଓଟି ଯେ ସବୁ ପଣ ଭିତରେ; ତାହା କେହି ଅସ୍ୱୀକାର କରିବାକୁ ସାହସ କରିବେ ନାହିଁ । କେଉଁ ଜ୍ୟୋତିଷୀ ବା ପଣ୍ଡିତ ଛାତିରେ ହାତଦେଇ କହିପାରିବ ଯେ ଗାଲୁଆ ପଣ ଓ ବାହାପିଆ ପଣର ପରମାୟୁ ମୋଟେ ଷାଠିଏ ଘଣ୍ଟା । ଜଣେ ଗାଲୁଆ ବା ବାହାପିଆର ଗାଲୁଆ ପଣ ଓ ବାହାପିଆ କଣ କଅଣ ତା’ଠାରେ ମାତ୍ର ଷାଠିଏ ଘଣ୍ଟା ପରେ ଶୁଦ୍ଧ ସୁବର୍ଣ୍ଣ ପାଲଟିଯାଏ ? ଆଉ ତା’ ମୁହଁରୁ କଅଣ କେବେହେଲେ ଗାଲୁ ବା ବାହାପିଆ କଥା ବାହାରେ ନାହିଁ ? କବିବର କେଡ଼େବଡ଼ ଭୁଲ୍‍ କଥାଟାଏ ଲେଖି ନ ଦେଲେ । ଯିଏ ଗାଲୁଆ, ସେ ମରିବା ଯାଏ ଗାଲୁଆପଣ ତା’ ଠାରୁ ଯାଏନାହିଁ । ଯିଏ ବାହାପିଆ ସେ ମଲାଯାଏ ବି ତାଠୁ ବାହାପିଆପଣ ଛାଡ଼େନାହିଁ । ଜ୍ୱଳନ୍ତ ଉଦାହରଣ ବି ଏହାର ରହିଛି । ହିଟ୍‌ଲରିଆ ଜର୍ମାନୀର ପ୍ରଚାର ମନ୍ତ୍ରୀ ଗୋବେଲସ୍‌ ଗାଲୁ ପେଲି ପେଲି ସାରା ଜୀବନଟା ବିତାଇ ଦେଲେ । ବାହାପିଆ କଥା କହି କହି ଇଟାଲିର ମୁସୋଲିନି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏ ଗୁଣ ଦୁଇଟି ଯାହାଠରେ ଦେଖାଯାଏ ତା’ଠାରେ ସବୁଦିନ ପାଇଁ ରହେ । ଷାଠିଏ ଘଣ୍ଟା ମାତ୍ର ରହେ ବୋଲି କହିବା ସତ୍ୟର ଅପଳାପ ଛଡ଼ା ଆଉ କିଛି ନୁହେଁ । କବିବର କାହିଁକି ଯେ ଏହା ଲେଖିଲେ ତାହା ଆଶ୍ଚର୍ଯ୍ୟର ବିଷୟ । ସମ୍ଭବତଃ ତାଙ୍କ ସମୟରେ ଅର୍ଥାତ୍‌ ଇଂରେଜ ଶାସନ ଅମଳରେ କେହି ଯଦି ଗାଲୁଆ ବା ବାହାପିଆ କଥା କହୁଥିଲା ତେବେ ଇଂରେଜ ଶାସକମାନେ ଅଦା ଛେଚି ରସ ବାହାର କରିଦେଲା ପରି ଗାଲୁଆ ବା ବାହାପିଆକୁ ଆଚ୍ଛାକରି ଛେଚି ତା’ ଠାରୁ ଗାଲୁଆ ପଣ ବା ବାହାପିଆ ପଣ କାଢ଼ି ଦେଉଥିଲେ । ସେ ଭୟରେ ଆଉ ଗାଲୁ ବା ବାହାପିଆ କଥା କହୁ ନଥିଲା । ତ’ ହେଲେ ବି ଷାଠିଏ ଘଣ୍ଟା ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଅସମ୍ଭବ ।

 

ଉପସଂହାରରେ ଏତିକ କୁହାଯାଇପାରେ ଯେ ‘ଦରବାର’ ରେ ଥିବା ଏହି ଚାରିଧାଡ଼ି ଅତିଶୀଘ୍ର ଉଠେଇ ଦେବାର ସମୟ ଆସିଯାଇଛି । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବର୍ଜନୀୟ ବସ୍ତୁଗୁଡ଼ିକ ତୁରନ୍ତ କାଢ଼ି ଦେବା ଦରକାର । ଫିଲ୍ମମାନଙ୍କରୁ ଅଶ୍ଳୀଳ, ସରକାର ବିରୋଧୀ ବା ଅରୁଚିକର ଅଂଶଗୁଡ଼ିକ ଯେପରି ସେନ୍‌ସର୍‌ ବୋଡ଼ କାଟିଦିଅନ୍ତି, ଦରବାରରୁ ସେହି ପରି ଏହି ଚାରିଧାଡ଼ି ଅତିଶୀଘ୍ର କାଢ଼ିଦେବା ନିତାନ୍ତ ଦରକାର କୋମଳମତି ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ଆଉ ଏଭଳି ଭ୍ରମାତ୍ମକ ବିଷୟବସ୍ତୁ ପୂରେଇବା କୌଣସି ସଭ୍ୟ ଦେଶ ପକ୍ଷେ ବାଞ୍ଛନୀୟ ନୁହେଁ ।

Image

 

Unknown

ମାତୃ ଭାଷାର ମମତା

 

ମହାପୁରୁଷମାନେ ୯୯ପ୍ରତିଶତ ଭଲ କାମ କରନ୍ତି, ଭଲ କଥା କହନ୍ତି, ଭଲ ବ୍ୟବହାର ଦେଖାନ୍ତି, ଭଲ ଲୋକଙ୍କ ପାଖରେ ବସା ଉଠା କରନ୍ତି । ସମସ୍ତଙ୍କଠାରେ ଯଦିଓ ୧ ପ୍ରତିଶତ ଗଣ୍ଡଗୋଳିଆ କଥା ରହିଥାଏ କିନ୍ତୁ ୯୯ ପ୍ରତିଶତ ଭଲଥିବା ଯୋଗୁ ୧ ପ୍ରତିଶତ ମନ୍ଦଟା କାହାରି ନଜରରେ ପଡ଼େ ନାହିଁ, ଭଲର ସମୁଦ୍ର ମଧ୍ୟରେ ମନ୍ଦର ଗୋଡ଼ିଏ ଟୁବ୍‌ କରି ବୁଡ଼ିଯାଏ ।

 

ନିଉଟନ୍‌ କେଡ଼େବଡ଼ ବୁଦ୍ଧିଆ ଲୋକ ନଥିଲେ ! ଜଗତକୁ କେତେ ନୂଆ ବୈଜ୍ଞାନିକ ତଥ୍ୟ ନ ଦେଇଥିଲେ ତାଙ୍କ ପ୍ରଦତ୍ତ ଜ୍ଞାନରୁ ଲୋକେ କେତେ ଉପକୃତ ନ ହୋଇଛନ୍ତି । ତାଙ୍କ ଭଳିଆ ଲୋକ ଦିନେ କିପରି ଏକ ଓଲମା କାମ କରିଥିଲେ ଦେଖନ୍ତୁ । ତାଙ୍କର ଗୋଟିଏ ପୋଷା ବିରାଡ଼ି ଥିଲା । ବିରାଡ଼ି ଛୁଆ କଲା । ନିଉଟନଙ୍କ ଶୋଇବାଘରେ ସେ ଶୁଏ । ଲୋକେ ସନ୍ଧ୍ୟାବେଳେ ପିଲାଙ୍କ ହାତ ଧରି ନଈକୂଳ ବା ପାର୍କକୁ ବୁଲି ଗଲାଭଳି ନିଉଟନ୍‌ଙ୍କ ଶୋଇବା ଘରେ ଶୋଉଥିବା ମିସେସ୍‌ ବିରାଡ଼ି ତା’ର କୁନୁମୁନୁମାନଙ୍କୁ ଧରି ରାତିରେ ବୁଲି ବାହାରେ । ରାତ୍ର ଭ୍ରମଣରୁ ଫେରୁ ଫେରୁ ପ୍ରାୟ ୨ଟା ବାଜି ଯାଇଥାଏ । ନିଉଟନ୍‌ ସେତେବେଳେ କବାଟ କିଳି ଶୋଇ ଯାଇଥାଆନ୍ତି । ଶ୍ରୀମତୀ ବିରାଡ଼ି ବାହାରେ ଥାଇ ମ୍ୟାଉଁ ମ୍ୟାଉଁ ରଡ଼ି ଦିଏ ଓ କବାଟକୁ ନଖରେ ରାମ୍ପୁଡ଼େ । ନିଉଟନ୍‌ଙ୍କ ନିଦ ଭାଙ୍ଗେ ସେ କବାଟ ଖୋଲନ୍ତି । ଶ୍ରୀମତୀ ବିରାଡ଼ି ସସନ୍ତାନ ଘରେ ପଶି ନିଜର ଶୋଇବା ସ୍ଥାନରେ ଶୁଏ । ଏହିପରି ନିତି ନିଉଟନ୍‌ଙ୍କ ନିଦ ଭାଙ୍ଗିବାରୁ ସେ ବିବ୍ରତ ହୋଇପଡ଼ିଲେ । ଏହି ଅଡ଼ୁଆ ପରିସ୍ଥିତିରୁ ଉଭୟ ସେ ଓ ବିରାଡ଼ି ପରିବାରଟି କିପରି ରକ୍ଷା ପାଇବେ ସେ ବିଷୟ ଚିନ୍ତାକଲେ । ଯିଏ ଜଟିଳ ବୈଜ୍ଞାନିକ ତଥ୍ୟ ସବୁ ଉଦ୍ଭାବନ କରି ସାରା ମଣିଷ ଜାତିର କଲ୍ୟାଣ ସାଧନ କରିପାରୁଛନ୍ତି ସେ କଅଣ ଏପରି ଏକ ସାମାନ୍ୟ ଅସୁବିଧା ଏଡ଼ାଇ ଗୋଟିଏ ବିରାଡ଼ିର କଲ୍ୟାଣ କରିପାରି ନଥାନ୍ତେ, ଯେଉଁ କଲ୍ୟାଣରେ ପୁଣି ତାଙ୍କର ଅଧେ ଭାଗଥିଲା । ସମାଧାନ ତାଙ୍କ ମୁଣ୍ଡରେ ସଙ୍ଗେ ସଙ୍ଗେ ପଶିଗଲା । ସେ ସଙ୍ଗେ ସଙ୍ଗେ ବଢ଼େଇକୁ ଡାକିଲେ । ବଢ଼େଇକୁ ନିଉଟନ୍‌ ସ୍ୱୀୟ ନବଲବ୍‌ଧ ପରିପୁଷ୍ଟ କରାଇ ଆଦେଶ ଦେଲେ–‘‘ଏହି କବାଟର ତଳ ଅଂଶରେ ଦୁଇଟି ଛୋଟ ବାଟ କରିଦିଅ । ଗୋଟିଏ ବଡ଼ ବିରାଡ଼ିର ଗଳିଯିବା ପରି ମାପରେ ହେବ, ଅନ୍ୟଟି ତା ଛୁଆ ଗଳିଯିବା ପରି ହେବ ।’’

 

ମୁର୍ଖ ବଢ଼େଇ କି ବିଜ୍ଞାନ ଜାଣେ ? ସେ ନିଉଟନ୍‌ଙ୍କର ଉଚ୍ଚକୋଟୀର ଜ୍ଞାନକୁ ବୁଝି ନ ପାରି ଇତସ୍ତତଃ ହେଲା । ଗହନ ବୈଜ୍ଞାନିକ ତଥ୍ୟର ଅନୁଶୀଳନ କରିବାକୁ ବଢ଼େଇ ମୁଣ୍ଡରେ ଥାନ ନଥିଲା । ନିଉଟନ ପୁନର୍ବାର ବୁଝେଇ କହିଲେ—‘‘ଆରେ କଥାଟା ଭଲ କରି ଶୁଣ । ଯେଉଁଠି ସନ୍ଦେହ ହେବ ବା ବୁଝି ନପାରିବୁ ସେଇଠି ମୋତେ ପଚାରିବୁ । ବିରାଡ଼ିର ଅଧରାତିରେ ଘର ଭିତରକୁ ପଶିବା ଦରକାର । ରାତିରେ କବାଟଟି ବନ୍ଦ ରହୁଛି, ତେଣୁ ସେ ପଶି ନପାରି କବାଟକୁ ରାମ୍ପୁଡ଼ୁଛି ଓ ମ୍ୟାଉଁ ମ୍ୟାଉଁ ରଡ଼ି ଛାଡ଼ୁଛି । କବାଟରେ ସେ ପଶିବା ଭଳି ଗୋଟିଏ କଣା କରିଦେଲେ ସେ ଆଉ ରଡ଼ି ନଛାଡ଼ି ଗୁଳ୍‌ କରି ଗଳିଯିବ । ବିରାଡ଼ିଟି ଏକୁଟିଆ ନୁହେଁ । ତାର ଗୋଟାଏ ଛୁଆ ଅଛି । ତା’ ପାଇଁ ମଧ୍ୟ ଆଉ ଗୋଟିଏ ସାନ କଣା କରିଦେ । ଛୁଆଟା ମଧ୍ୟ ଗୁଳକରି ଗଳିଯିବ ।’’

 

ବଢେଇଟି ଏପରି ଜଟିଳ ବୈଜ୍ଞାନିକ ତଥ୍ୟ ବୁଝି ନପାରି ପଚାରିଲା—‘‘ଆଜ୍ଞା, ଦୁଇଟା କଣା କାହିଁକି କରାଯିବ ମୁଁ ବୁଝି ପାରୁନି । ଯେଉଁ ବଡ଼ କଣାବାଟେ ମାଆ ପଶିପାରିବ, ସେହି କଣାବାଟେ ଛୁଆ କଅଣ ପଶିଯାଇ ପାରିବନି ?’’

 

ନିଉଟନ ଏତେବେଳେ ଯାଏ ସ୍ୱୀୟ ଭ୍ରମ ବା ଫାଲାସି, ଧରିପାରି ନ ଥିଲେ । ସାମାନ୍ୟ ଜଣେ ବଢ଼େଇ ତାହା ଦେଖାଇ ଦେଲା । ତାଙ୍କପରି ସବୁ ମହାପୁରୁଷଙ୍କର ମଧ୍ୟ ବେଳେବେଳେ ଏମିତିଆ କିଛି ନା କିଛି ଭୁଲ୍‍ ହୁଏ । ଦେବତା ମାନଙ୍କର ମଧ୍ୟ ଭୁଲ୍‍ ହୁଏ । ମଣିଷ କିବା ଛାର । ଏଥିଲାଗି ମହାପୁରୁଷ ମାନଙ୍କୁ ଦୋଷ ଦେଲେ ଚଳିବନି । କେବଳ ନମ୍ରତାର ସହିତ ଭ୍ରମଟି ଦେଖାଇ ଦେବାକୁ ହେବ । ତା’ ନ ହେଲେ ଭ୍ରମଟା ଆର୍ଷ ପ୍ରୟୋଗ ପରି ଶୁଦ୍ଧ ହୋଇଯିବ ।

 

ସ୍ୱଭାବକବି ଗଙ୍ଗାଧର ଉପରୋକ୍ତ ପଦ୍ୟାଶଂରେ ସେପରି ଏକ ପ୍ରତିଶତ ଭୁଲ୍‍ ରଖି ଦେଇଛନ୍ତି । ତାଙ୍କ କାବ୍ୟକୁସୁମର ଶୋଭା ଅତୁଳନୀୟ । ତାହା ପାଠକର ମନକୁ ମସଗୁଲ କରିଦିଏ । ତାଙ୍କ କାବ୍ୟ କୃତିର ୯୯ ଭାଗ ହେଲା ସୌରଭ ଭରା ବସରା ଗୋଲାପ ଆଉ ଉପରୋକ୍ତ ପଦ୍ୟାଶଂଟି ହେଲା ୧ଭାଗ ପସାରୁଣୀ ପତର । ବସରା ଗୋଲାପର ଭୁରୁ ଭୁରୁ ଗନ୍ଧ ଭିତରେ କ୍ଷଣକାୟ ଦୁଷ୍ଟା ପସାରୁଣୀଟାର ଦୁର୍ଗନ୍ଧକୁ କେହି ବାରି ପାରନ୍ତି ନାହିଁ । ସମାଲୋଚକମାନଙ୍କ ନାକ ତାର ଦୁର୍ଗନ୍ଧକୁ ବାରି ପାରିବାର ଶକ୍ତି ହାସଲ କରି ପାରି ନାହିଁ । ସେ ନାକ ଅଛି କେବଳ ଫମାଲୋଚକମାନଙ୍କର । ସମାଲୋଚକମାନଙ୍କର ଅକ୍ଷମ ନାକମାନଙ୍କ ଯୋଗୁ ପସାରୁଣୀ ରୁପୀ ଏହି ପଦ୍ୟାଶଂଟି ନିଜର ଅସ୍ତିତ୍ୱ ଆଜିଯାଏ ରଖି ପାରିଲା । ଏବେ ଫମାଲୋଚକର ନାକ ତାକୁ ଠାବ କରିଛି । ୯୯ ପ୍ରତିଶତ ଗୋଲାପ ଭିତରୁ ଏକ ପ୍ରତିଶତବିଶିଷ୍ଟ ଏହି ପସାରୁଣୀର ସ୍ୱରୂପ ଓ ଗନ୍ଧକୁ ପାଠକମାନଙ୍କ ଆଗରେ ବାଢ଼ି ଦେବ । ତେଣିକି ପାଠକମାନେ ତାକୁ ରଖିଲେ ରଖନ୍ତୁ, ଫୋପାଡ଼ିଲେ ଫୋପାଡ଼ନ୍ତୁ, ସେମାନଙ୍କର ମର୍ଜି ।

 

ଏବେ କାବ୍ୟାଂଶ ଉପରକୁ ଆସନ୍ତୁ । ଏହାକୁ ପଢ଼ି ସମସ୍ତେ କହିବେ—ସତ କଥାଟାଏ ଏକା ! ମାତୃଭୂମି ଆଉ ମାତୃଭାଷା ପ୍ରତି ଯାହାର ମମତା ନାହିଁ, ଯିଏ ଏହି ଦୁଇଟି ଜିନିଷକୁ ଭଲ ପାଏ ନାହିଁ, ସେ ଡାହା ମୂର୍ଖ । କଥାରେ ଅଛି, ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ଲୋକଙ୍କୁ ଉତ୍ତର ନାହିଁ । ଗଙ୍ଗାଧର ଜଣେ ମହାନ୍‌ ବା ବଡ଼ଲୋକ ଥିଲେ । ସେ ଆଜି ବଞ୍ଚିଥିଲେ ଆମେ ଏଥିରେ ବିଲ୍‌କୁଲ ଉଁଚୁଁ କରି ନଥାନ୍ତୁ । ସେ ବହୁବର୍ଷ ହେଲା ସ୍ୱର୍ଗକୁ ଗଲେଣି, ତେଣୁ ଆମେ କହୁଛୁ । ପହିଲେ ଦେଖାଯାଉ ମାତୃଭୂମି କାହାକୁ କୁହାଯିବ । ଯେଉଁ ଏନ୍ତୁଡ଼ିଶାଳରେ ଜଣେ ଜନ୍ମଲାଭ କଲା, ଯେତିକି ଭୂମିରେ ସେ ପଡ଼ି, ପହିଲେ କୁଆଁ କୁଆଁ ରଡ଼ି ଦେଲା, ଯେଉଁ ସ୍ଥାନରେ ସେ ପ୍ରଥମେ ମାତୃସ୍ତନ୍ୟ ପାନ କଲା ସେହି ଟିକ ଭୂମିଖଣ୍ଡ ବା ପ୍ଲଟଟିକୁ ତାର ମାତୃଭୂମି ବୋଲି କୁହାଯାଇପାରେ । ସେହି ଏନ୍ତୁଡ଼ିଶାଳଟି ଓଡ଼ିଶା ଭିତରେ ଅଛି ବୋଲି ଓଡ଼ିଶାକୁ ଏବଂ ଓଡ଼ିଶା ଭାରତବର୍ଷକୁ ଆମର ମାତୃଭୂମି ବୋଲି କାହିଁକି କହିବା ? କାରଣ ଏନ୍ତୁଡ଼ିଶାଳଟା ଭାରତବର୍ଷର ଭୂଇଁ ସହିତ ଏକ ହୋଇ ରହିଛି ବୋଲି ତ ଆମ ଏନ୍ତୁଡ଼ିଶାଳଟି ପାକିସ୍ଥାନ ସଙ୍ଗେ ବି ଲାଗିଛି । ତେବେ ଆମେ ପାକିସ୍ଥାନକୁ ଆମ ମାତୃଭୂମି ବୋଲି କାହିଁକି ନ କହିବା ? ସେହିପରି ଦେଖିବାକୁ ଗଲେ ସାରା ପୃଥିବୀଟା ଭୂଇଁ ଓ ପାଣିଦ୍ୱାରା ଲାଗି ଗୋଟିଏ ହୋଇଯାଇଛି । ପୃଥିବୀ ଥରେ ଘୂରିଲେ ସବୁ ଅଞ୍ଚଳ ଘୂରନ୍ତି । କେହି ଅଲଗା ହୋଇ ରହନ୍ତି ନାହିଁ । ସୁତରାଂ ଆମେ ସମସ୍ତେ ପୃଥିବୀକୁ ଆମର ମାତୃଭୂମି ବୋଲି ନ କହିବା କାହିଁକି ? କେତେକ ୠଷିପ୍ରତିମ ମହାନ ବ୍ୟକ୍ତି ଓ ଦାର୍ଶନିକ ପୃଥିବୀଟାକୁ ନିଜର ମାତୃଭୂମି ବୋଲି ବିଚାରନ୍ତି । ପକ୍ଷାନ୍ତରେ ଦେଖନ୍ତୁ, ବ୍ରିଟିଶ ଶାସନ ସମୟରେ ଚର୍ଚ୍ଚିଲ, ଆମେରି ଆଦି ବହୁ ଗୋରାଲୋକ ଭାରତବର୍ଷରେ ଜନ୍ମି ଶିଶୁ-ଜୀବନ ଅତିବାହିତ କରିଥିଲେ ସୁଦ୍ଧା ଭାରତବର୍ଷକୁ ସେମାନଙ୍କର ମାତୃଭୂମି ବୋଲି ଭାବୁ ନଥିଲେ । ଓଲଟି ଭାରତର ଠେଙ୍ଗୁଣୀ ଛେଚିବାକୁ ସେମାନେ ଭଲ ପାଉଥିଲେ । ଆଉ ବି ଦେଖନ୍ତୁ ଜଣେ ଯେଉଁ ଏନ୍ତୁଡ଼ିଶାଳରେ ଜନ୍ମ ହୋଇଥିଲା ସେଠାରେ ୩୦ ବର୍ଷ ପରେ ହୁଏତ ସେ ଏନ୍ତୁଡ଼ିଶାଳର ଚିହ୍ନ ନଥିବ । ଯଦି କାଳକ୍ରମେ ସେଠି ଏକ ବିରାଟ କଳ କାରଖାନା ଧୂଆଁ ଉଦ୍‌ଗାରୁଥିବ, ସେ ସେହିଠାରେ ଜନ୍ମ ହୋଇଥିଲା ବୋଲି ସେ ସ୍ଥାନକୁ ଆଉ ଚିହ୍ନି ବି ପାରିବ ନାହିଁ କି ତାକୁ ନିଜର ମାତୃଭୂମି ବୋଲି କହି ପାରିବନି । ଖୁବ୍‌ ବେଶି, ଆମେ ଉପରେ ଏନ୍ତୁଡ଼ିଶାଳର ଯେଉଁ ପ୍ଲଟ କହିଲୁ, ତାକୁହିଁ ମାତୃଭୂମି କହିବାରେ କିଛି ଯଥାର୍ଥତା ଥାଇପାରେ । କିନ୍ତୁ ଆମେ ସେହି ପ୍ଲଟଟାକୁ ଚିହ୍ନିବା କିପରି ? ଆମେ କେବଳ ଅନ୍ୟଠାରୁ ଶୁଣୁ । ସେ ଅନ୍ୟ ଲୋକ କଅଣ ଆମେ ଜନ୍ମିବାବେଳେ ଖଡ଼ରେ ଗାର ପକାଇ ଚିହ୍ନିତ କରିଥିଲା, କି ନକ୍‌ସାରେ ପ୍ଲଟଟାକୁ ଆଙ୍କି ଦେଇଥିଲା ? ସବୁଠାରୁ ବେଶି ବିଶ୍ୱାସଯୋଗ୍ୟ ମାଆ ମଧ୍ୟ ଗୃହ ଜଞ୍ଜାଳରେ ବ୍ୟସ୍ତ ରହି ନିର୍ଦ୍ଦିଷ୍ଟ ପ୍ଲଟଟିକୁ ଭୁଲିଯିବ । ଆଉ ଯେଉଁ ପିଲାମାନଙ୍କୁ ଲୋକେ ବାଟରୁ ଗୋଟାଇ ପାଇଥାଆନ୍ତି ତାଙ୍କ ଜନ୍ମ ପ୍ଲଟଟି ଠିକ୍‌ କେଉଁଠି ତା କିଏ କିପରି କହିବ ?

 

ଏବେ ଗୋଟାଏ ଦୁଆ ଉଠିଲଣି ତୁମେ ଯେଉଁଠି ରହି ନିଜର ପେଟପାଟଣା କଥା ବୁଝୁଛ ସେହି ସ୍ଥାନକୁ ନିଜର ମାତୃଭୂମି ବୋଲି ବିଚାର । ଏପରି ବିଚାର କଲେ, ଜଣେ ଆଇ. ଏ. ଏସ୍‌. ଅଫିସର ଯେଉଁଠି ଜନ୍ମଲାଭ କରିଥାଆନ୍ତୁ ନା କାହିଁକି ଆଜି ଓଡ଼ିଶାକୁ ମାତୃଭୂମି ତ କାଲି ବଙ୍ଗଳାକୁ, ପଅରଦିନ ବିହାରକୁ ମାତୃଭୂମି ବୋଲି କହିବେ । ଆଉ କେତେକ ଇଂଲାଣ୍ଡ, ଆମେରିକା, ରୁଷିଆ ଚାଇନା, ଜାପାନକୁ ବି ବାଧ୍ୟ ହୋଇ ମାତୃଭୂମି ବୋଲି କହିବେ । ମୋଟ ଉପରେ ‘ମାତୃଭୂମି’ ଶବ୍ଦଟି ମୂଳରୁ ଭୁଲ୍‍ । ଲୋକଙ୍କୁ ଠକିବା ପାଇଁ ରାଜନୀତିଜ୍ଞମାନଙ୍କର ଏହି ଶବ୍ଦର ଉଦ୍ଭାବନ, ଗୋଟାଏ ଚାଲ୍‌ । ଦୁନିଆରେ ଏମିତି କେହି କାଢ଼ୁ ମର୍ଦ୍ଦନ ଟୋକା ନାହିଁ ଯିଏ କି ନିଜର ଯଥାର୍ଥ ମାତୃଭୂମି ବା ପ୍ରଥମେ ଯେଉଁ ଭୂଇଁ ଉପରେ ପାଦ ଦେଲା ତାର ଠିକ ଠିକ୍‌ ନକ୍‌ସା କରି କାହାକୁ ଦେଖେଇ ପାରିବ, ଗୋଟାଏ ମିଲିମିଟର ଯେପରି ଏପାଖ ସେପାଖ ନହୁଏ । ଯେଉଁ ସ୍ଥାନଟିର ଅସ୍ତିତ୍ୱ ସଠିକ ଭାବରେ ଜଣା ନଯିବ ତା’ ପ୍ରତି ମମତା କାହାର ବା ଜାଗ୍ରତ ହେବ । ସାଇବେରିଆ ଭାଲୁ ଆମେ ଦେଖିନୁ କି ଆମେରିକାର ଈଗଲ ଦେଖିନୁ । ଏପରି ସ୍ଥଳେ ଏ ଦୁହିଁଙ୍କ ପ୍ରତି ଆମର ମମତା ଜନମିବ କୁଆଡ଼ୁ ? ସେହିପରି ମୂଳରୁ ମାତୃଭୂମି ବୋଲି ଗୋଟାଏ ଠିକଣା ଭୂଇଁ ନାଇଁ, ତା ପ୍ରତି ଆମର ମମତା ଆସିବ କୁଆଡ଼ୁ ? ଜୋରଜୁଲମ କରି ବନ୍ଧୁକ ଦେଖାଇଲେ ଆମେ ଭୟରେ ସିନା କହିଦେବୁ—ହଁ ହଁ ଆମର ମମତା ଜନ୍ମ ହେଲାଣି କେହି କେହିବା କହିପାରନ୍ତି–ହଁ ହଁ ପେନ୍‌ ହଉଛି, ଆଉ ଟିକିଏ ପରେ ଜନ୍ମ ହେବ ବୋଲି ହେଲେ ବନ୍ଧୁକ ବାଲା ଚାଲିଯିବା ପରେ ସମସ୍ତେ କହିବେ ଯା ଯାଆବେ ମାତୁରୁଭୂମି ଦେଖଉଚି । ନିଜ ମାତରୁଭୂମି ଖୋଜବେ । ଯା ବିଚି କର ପାଖକୁ, ସେଠି ଗୋଟାଏ ମାତୃଭୂମି ପାଇବୁ ବେ’ ।

 

ଏବେ ମାତୃଭୂମିକୁ ଛାଡ଼ି ମାତୃଭାଷା ପାଖକୁ ଆସନ୍ତୁ । ମାତୃଭାଷାଟା କହିଲେ ଆମେ କଅଣ ବୁଝୁ । ନିଜ ମାଆଠାରୁ ଆମେ ଯେଉଁ ଭାଷା ଶୁଣୁ ଆଉ କ୍ରମେ ଶିଖୁ । ଶିଶୁ ମାଆ ପାଖରେ ବେଶି ସମୟ ରହେ । ତାକୁ ଦୁଧ ପିଆଇଲା ବେଳେ, ଗେଲ କଲାବେଳେ ମାଆ ନାନା ଢଗଢ଼ମାଳି ବୋଲେ, କେତେ ବୁଢ଼ୀ ଅସୁରୁଣୀ କଥା କହେ । ଶିଶୁ ସବୁ ଶୁଣେ । ଗୋଟିଏ ଗୋଟିଏ ଶବ୍ଦ ଶିଖେ-। ଗୁଲରୁ ଗୁଲୁରୁ କରି ପଦେ ଅଧେ କଥା କହୁ କହୁ ବହୁତ କଥା କହିବା ଶିଖିଯାଏ । ପିଲା ପ୍ରକୃତରେ ଭାଷାଟା ମାଆଠାରୁ ଶିଖୁଥିବାରୁ ତାର କହୁଥିବା ଭାଷାକୁ ମାତୃଭାଷା କହନ୍ତି । ବାପା ମାଆ ଓଡ଼ିଆ ହୋଇଥିଲେ ଓଡ଼ିଆଟାହିଁ ପିଲାର ମାତୃଭାଷା ହେବ । ବାପ ଓଡ଼ିଆ, ମାଆ ବଙ୍ଗାଳୁଣୀ ସେଠି ପୁଅର ମାତୃଭାଷା କଅଣ ହେବ ? ଯେଉଁଠି ପୁଅ ତା ମାଆ ମୁହଁରୁ ବଙ୍ଗଳା ଶିଖିଲା, ବଙ୍ଗଳା ଖନେଇ ଖନେଇ କହୁକହୁ ଭଲ ଶୁଦ୍ଧ ବଙ୍ଗଳା କହିଲା । ପିଲା ବାପର ହୋସ୍‌ ହେଲା ବେଳକୁ ପୁଅ ଓଡ଼ିଶା ସୀମା ଡେଇଁ ସାରିଲାଣି । ସେ ବଡ଼ ହେବା ପରେ ଓଡ଼ିଆ ମାଷ୍ଟର ପାଖରେ ଓଡ଼ିଆ ପଢ଼ାଇଲା । ହେଲେ ପିଲାର ମାତୃଭାଷା ସେଠି କାହାକୁ କୁହାଯିବ ?

 

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମାତୃଭାଷାଟା କାଳକ୍ରମେ ବଦଳିଯାଏ । ମେଦିନିପୁରରେ ଯେଉଁ ମାଇତି, ସାସମଲ, ଜାନା, ସାଇଁ ମଲ୍ଲିକମାନେ ଏବେ ମାତୃଭାଷା ବଙ୍ଗଳା ବୋଲି କହୁଛନ୍ତି, ସେମାନଙ୍କ ପୂର୍ବ ପୁରୁଷମାନେ ଯଥାକ୍ରମେ ମହାନ୍ତି, ଜେନା, ସ୍ୱାଇଁ, ଓ ମଳିକ ଥିଲେ । ସେମାନେ ନିର୍ଧୂମ ଓଡ଼ିଆ ଥିଲେ । ସେତେବେଳେ ବଙ୍ଗାଳୀ ଶସକମାନେ ସେମାନଙ୍କ ଜିଭ କଟା ଆରମ୍ଭ କରିଦେଲେ । ସେମାନଙ୍କ ମୁହଁରୁ ଓଡ଼ିଆ ଛଡ଼େଇ ନେଲେ । ସେତେବେଳେ ଯଦି ବ୍ରିଟିଶ ସରକାର ଭାରତ ଶାସନ କରୁନଥାନ୍ତେ ତେବେ ଆଜି ଆମେ ଆମର ମାତୃଭାଷା ବଙ୍ଗଳା ବୋଲି କହୁଥାନ୍ତୁ । ରକ୍ଷା ହୋଇଛି, ସାହେବମାନେ ଆମ ଜିଭ କଟେଇ ଦେଲେ ନାହିଁ । ଇଏତ ପୁରୁଣା କଥା । ଜହରଲାଲ, ରାଜେନ୍ଦ୍ର ପ୍ରସାଦ ଅଳ୍ପଦିନ ତଳେ ଆମର ଜଣେ ନେତାଙ୍କୁ ଧରି ସିଂହଭୂମିଟାକୁ ବିହାରୀଙ୍କ ହାତକୁ ଟେକିଦେଲେ । ବିହାର ସରକାର ଏବେ ସେଠାରେ ଓଡ଼ିଆଙ୍କ ଜିଭ କଂସେଇଙ୍କ ପରି କଚାକଚ କାଟିବାରେ ଲାଗିଛନ୍ତି । ଆଉ ଗୋଟାଏ ପୁରୁଷ ପରେ ସେଠାର ନିରୁତା ଓଡ଼ିଆମାନେ କହିବେ, ହମାରା ମାତୃଭାଷା ହିନ୍ଦୀ ହୈ । ଏଥିରୁ ସ୍ପଷ୍ଟ ଜଣାଯାଉଛି ମାତୃଭାଷା ବି ସ୍ଥିର ନୁହେଁ । ଗୋଟାଏ ଜିନିଷ ନିର୍ଦ୍ଦିଷ୍ଟ ରହିଲେ ସିନା ତା ପ୍ରତି ଜଣକର ମମତା ଜନମିବ । ପ୍ରତିଦିନ ଯଦି ସେ ଗୋଟିଏ ଗୋଟିଏ ନୂଆ ଜିନିଷ ଦେଖେ ତେବେ ତାର ମମତା କାହାରି ଉପରେ ହେବନି । ଶିଶୁ ଯେତିକି ଭାଷା ମାଆ ମୁହଁରୁ ଶୁଣିଲା ଓ ସେଗୁଡ଼ିକ କହି ଶିଖିଲା ତାକୁ ଆମେ ମାତୃଭାଷା ବୋଲି ମାନି ନେଉଛୁ । ତାପରେ ସେ ଯେତେବେଳେ ସେ ସାଙ୍ଗଙ୍କ ମୁହଁରୁ ସାଙ୍ଗଭାଷା, ମାଷ୍ଟରଙ୍କ ମୁହଁରୁ ମାଷ୍ଟର ଭାଷା, ବଜାରୀ ଲଫଙ୍ଗାଙ୍କ ଠାରୁ ଦୋଅକ୍ଷରୀ ଭାଷା ଶୁଣେ ଓ ଶିଖେ । କବିତା, ଗଳ୍ପ ଓ ଉପନ୍ୟାସ ବାଟେ ବହୁ ବାହାର ଭାଷା ଅନିମନ୍ତ୍ରିତ କୁଣିଆ ପରି ପଶିଯାଆନ୍ତି । ସବୁ ମିଶି ଏକ ଖେଚୁଡ଼ି ଭାଷା ହୋଇଯାଏ । ଆଉ ଏହୀ ଖେଚୁଡ଼ି ଭାଷା ମାତୃଭାଷାକୁ ଗିଳି ହଜମ କରିଦିଏ । ମାତ୍ର କେଇ ଶହ ବର୍ଷ ତଳେ ସାରଳା ଭାଷା ଆମର ମାତୃଭାଷା ଥିଲା । ଆଜି ଆଉ ସେ ଭାଷା ଅଛି ? ଆଉ ପାଞ୍ଚଶହ ବର୍ଷ ପରେ ସାରଳା ଭାଷାକୁ କେହି ମାତୃଭାଷା ବୋଲି କହିବେ କି ? ଅଥଚ ସାରଳାଭାଷା ହିଁ ଆମର ଠିକ୍‌ ଖାଣ୍ଟି ମାତୃଭାଷା ।

 

ବର୍ତ୍ତମାନ ଆମେ ଦେଖିଲୁ ଉଭୟ ମାତୃଭୂମି ଓ ମାତୃଭାଷା ପରିବର୍ତ୍ତନଶୀନଳ । ଏମାନେ; ବାଲିଗରଡ଼ା ପରି, ଗଡ଼ିଗଡ଼ିକା ଆଗେଇ ଚାଲିଛନ୍ତି । ବାଲିଗରଡ଼ା ଗଡ଼ିଗଡ଼ି ଚାଲୁଥିବାରୁ ତହିଁରେ ଶିଉଳି ଧରେ ନାହିଁ । ମମତାଟା ହେଲା ଏଇ ଶିଉଳି ଭଳିଆ ଏକ ଜିନିଷ । ଗୋଟିଏ ଜିନିଷ ସ୍ଥିର ରହିଲେ ସେଥିରେ ଧୀରେ ଧୀରେ ମମତା ଜମେ । କାଳକ୍ରମେ ମମତା ଶିଉଳି ପରି ଚାରିପାଖରେ ଜମାଟ ବାନ୍ଧିଯାଏ । ମାତୃଭୂମି ଓ ମାତୃଭାଷା ଅସ୍ଥିର ବାଲିଗରଡ଼ା ପରି ପରିବର୍ତ୍ତିତ ହେବାରେ ଲାଗିଥାଏ । ସେଥିରେ ମମତା ଶିଉଳି ଜନମିବ କୁଆଡ଼ୁ ? ଏଇଟା ଏକ ସ୍ୱାଭାବିକ ବିଷୟ ।

 

ଏଠାରେ ପ୍ରଶ୍ନ ଉଠିପାରେ–ଏଇଟା ଯେବେ ଏକ ସ୍ୱାଭାବିକ କଥା, ତେବେ ହଜାର ହଜାର ପାଠୁଆ ଜ୍ଞାନୀ ଲୋକେ ବିପରୀତ କାମ କରୁଛନ୍ତି କାହିଁକି ? ଅର୍ଥାତ୍‌ ମାତୃଭୂମି ? ଓ ମାତୃଭାଷାରେ ମମତା ରଖି ବେଳେବେଳେ ଅସୀମ ନିର୍ଯ୍ୟାତନା ଓ ଲାଞ୍ଛନା ଭୋଗ କରନ୍ତି କାହିଁକି-? ଏହା କରିବାକୁ ସେମାନଙ୍କୁ କିଏ ମତାଏ ?

 

ଏହାର ଉତ୍ତର ହେଲା–ରାଜନୀତିଜ୍ଞଗଣନା ମାନେ ସ୍ୱୀକୃତିପ୍ରାପ୍ତ ବୁଦ୍ଧିମାନ ବେକାର ଲୋକେ, ଏମାନଙ୍କ ଦ୍ୱାରା ଖଡ଼ା ଖଣ୍ଡେ ସିଝେ ନାହିଁ, ଏମାନେ ପସାଏ ବି ମାଟି ହାଣି ପାରିବେ ନାହିଁ, ଦି ଚାରି ବୁଦା ବାଳୁଙ୍ଗା ବି ବାଛି ପାରିବେ ନାହିଁ, କିଛି ହେଲେ ବି ଗୋଟିଏ ଜିନିଷ ଉତ୍ପାଦନ କରି ପାରିବେ ନାହିଁ, ଅଥଚ ଏହି ନିକମାମାନେ ପୃଥିବୀରେ ସବୁଠାରୁ ବେଶି ଶକ୍ତିଶାଳୀ । ମଣିଷ ଜାତିଟାକୁ ଅଲଗା ଅଲଗା କରି ରଖିବା, ଜଣକ ବିରୁଦ୍ଧରେ ଆଉ ଜଣକୁ ଲଗେଇଦେବା, ନାରଦ ମୁନିଙ୍କ ପରି ଚାରିଆଡ଼େ କଳିମୁଣିରୁ ବାଲି ଫୋପାଡ଼ିବା ଏବଂ ଚାରିଆଡ଼େ ହଟ୍ଟଗୋଳ ଲଗେଇ ଦେଇ ନିଜେ ଭଦ୍ରଲୋକ ପରି ଚାରିଆଡ଼କୁ ଆଖି ମିଟିମିଟି କରି ଚାହିଁବା ହେଲା ଏମାନଙ୍କର ନିତିଦିନିଆ କାମ । ଏଥିପାଇଁ ସେମାନଙ୍କର ବଡ଼ ଅସ୍ତ୍ର ହେଲା ‘ମାତୃଭୂମି ଓ ମାତୃଭାଷା’ । ଏଇ ଦୁଇଟାକୁ ସାହିତ୍ୟ ପାଣିରେ ଘୋରି ବୋକା ଲୋକମାନଙ୍କୁ ଟୋପାଏ ଟୋପାଏ ପିଆଇ ଦିଅନ୍ତି । ଏହାର ନିଶା ମଦ ଗଞ୍ଜେଇ ଓ ଅଫିମ ନିଶାଠାରୁ ଅଧିକ ମାରାତ୍ମକ । ଏହାର ନିଶାରେ ଲୋକେ ବାଇଆ ହୋଇ ଯାଆନ୍ତି । ରାଜନୀତିଜ୍ଞମାନେ ଯେମିତି ନାଚିବାକୁ କହନ୍ତି ସେମିତି ଦିନରାତି ନାଚୁ ଥାଆନ୍ତି ।

 

ଭୂଇଁ ଉପରେ ଗୋଟାଏ କାଠିରେ ଗାର ପକାଇ ଦେଇ ରାଜନୀତିଜ୍ଞମାନେ ଲୋକଙ୍କୁ ମତେଇ ଦିଅନ୍ତି–‘‘ଦେଖ, ଗାର ଏପାଖଟା ତୁମର ମାତୃଭୂମି । ତାହା ତୁମର ମାଆ ସଙ୍ଗେ ସମାନ । ଗାର ସେପାଖର ଲୋକେ ତୁମ ଶତ୍ରୁ । ସେମାନଙ୍କୁ ଗାର ଏପାଖକୁ ପାଦ ପକେଇବାକୁ ଦେବ ନାହିଁ । ସେଥିପାଇଁ ପ୍ରାଣ ଯାଉ ବା ରହୁ । ଦରକାର ପଡ଼ିଲେ ଗାର ଡେଇଁ ସେପାଖକୁ ମାଡ଼ିଯାଅ । ଆଉ ଗୋଟାଏ ନୂଆ ଗାର କାଟିଦେଇ ଆଣ୍ଟରେ ସେଇଠି ରୁହ । ମାତୃଭୂମିର ସୀମାକୁ ବଢ଼ାଅ । ଏ କାର୍ଯ୍ୟରେ ମଲେ ତୁମେ ସ୍ୱର୍ଗକୁ ଯିବ । ତୁମର ମୂର୍ତ୍ତିସବୁ ଗଢ଼ାଯାଇ ଅନୁଷ୍ଠାନ ଓ ପାର୍କମାନଙ୍କରେ ସୁରକ୍ଷିତ ହୋଇ ରହିବ । ଆମେ ତୁମ କଥା ସବୁ ଇତିହାସ ଓ ସାହିତ୍ୟରେ ପୂରେଇଦେଇ ପିଲାମାନଙ୍କୁ ଘୋଷେଇବୁ । ତୁମ ଜୀବନ ସାର୍ଥକ ହୋଇଯିବ ।

 

ଲୋକଗୁଡ଼ାଙ୍କୁ ଏମିତି ନିଶା ଘାରେ ଯେ ସେମାନେ ଟିକିଏ ହେଲେ ଭାବିପାରନ୍ତି ନାହିଁ–ଆରେ ମଲାପରେ କଅଣ ହେବ, ସେଥିରେ ମୋର କଅଣ ଯାଏ ? ଯେଉଁମାନେ ସ୍ୱର୍ଗ, ନର୍କ କଥା କହୁଛନ୍ତି ସେମାନେ କଣ ସେଗୁଡ଼ାକ ଦେଖିଛନ୍ତି ? ନଦେଖି ଗୁଡ଼ାଏ ଗାଲୁମାଲୁ କଥା କହୁଛନ୍ତି କାହିଁକି ? ମାତୃଭୂମିର ଗାର କେବେହେଲେ ସ୍ଥିର ରହୁନି । ତୁଚ୍ଛଟାରେ ଆମେ କିଆଁ ମାତୃଭୂମି ମାତୃଭୂମି ଚିଲେଇ ପ୍ରାଣ ହରେଇବା । ମୁଣ୍ଡ ଭିତରେ ନିଶା ତ ଖୁନ୍ଦିହୋଇ ରହିଛି, ଏସବୁ ପ୍ରଶ୍ନପାଇଁ ଜାଗା କାହିଁ ? ଆମେରିକା ଓ ରୂଷ୍‌ ଲୋକେ ନିଶାରେ ଘାରିହୋଇ ଏବେ କେମିତି ଡେଉଁଛନ୍ତି ଦେଖ । ସେମାନଙ୍କ ତାଣ୍ଡବ ନାଚରେ ପୃଥିବୀର ଅବସ୍ଥା ଅଠା ଠିକ୍‌ ଧରିଲାଣି ।

 

ଆଜିକାଲି ଆମେ ଯଦି ମାତୃଭାଷାଟିକୁ କେବଳ ଜକଟିମକଟି ଧରି ଅନ୍ୟ ଭାଷାମାନଙ୍କୁ ତଡ଼ି ପକେଇବା ବା ସେସବୁ ଉପରେ ଗୋବରପାଣି ଛାଟିବା ତେବେ ଆମେ ଚଳି ପାରିବା ନାହିଁ । ଦଶଟା ଭାଷା ଜାଣିଲେ ସିନା ଆମେ ଦଶଜାଗା ଯାଇ ବେପାର ବଣିଜ କରିବା, ଆରାମରେ ରହିବା ! ସାହାବମାନେ ଅଧା ପୃଥିବୀକ କେମିତି ଅଧିକାର କରିଗଲେ ? ଯେଉଁ ସ୍ଥାନରେ ଆସ୍ଥାନ ଜମେଇବାକୁ ଚାହୁଁଥିଲେ ସେଠାର ଭାଷାଟାକୁ ଆଗ ଶିଖି ଯାଉଥିଲେ । ତା’ପରେ ସେଠା ଲୋକଙ୍କ ସାଙ୍ଗେ ମିଶି ଅଙ୍ଗୁଳି ପ୍ରବେଶାତ୍‌ ବାହୁ ପ୍ରବେଶ କରିଗଲେ । ଏଥିରୁ ବହୁତ କିଛି ଶିଖିବାର ଅଛି । ମାତୃଭାଷା ବୋଲି କୁହାଯାଉଥିବା ଭାଷାଟା ଜାଣିବାରେ ଆପତ୍ତି ନାହିଁ । କିନ୍ତୁ ସେଥିରେ ମମତା ରଖିଲେ ଅନ୍ୟ ଭାଷା, ବିଶେଷତଃ ଇଂରାଜୀ ଭାଷା ପ୍ରତି ଆଗ୍ରହ ଆସିବ ନାହିଁ । ଏହି ଦୂରଦୃଷ୍ଟି ଥିବାରୁ ଆମର ବହୁ ପାଠୁଆ ଇଂରେଜୀ ପଢ଼ିଲେ ଓ ଇଂରାଜୀ ଅଧ୍ୟାପକ ହେଲେ । ସେମାନେ କଣ ତୁଚ୍ଛାଟାରେ ଓଡ଼ିଆ ଭାଷା ଓ ଓଡ଼ିଆ ଅଧ୍ୟାପକମାନଙ୍କ ଉପରେ ଖିଙ୍କାରି ମିଙ୍କାରି ହେଉଥିଲେ ? ଏବେବି ହେଉଛନ୍ତି । କେଉଁ ବୁଡ଼୍‌ ବକଟା ସ୍ୱଭାବ କବିଙ୍କୁ ‘ମାତୃ’ ନିଶା ପିଆଇ ଦେଲା କେଜାଣି ସେଇ ସୁଅରେ ଭାସିଗଲେ । ଆମର କେଡ଼େ ବଡ଼ ଐଶ୍ୱର୍ଯ୍ୟର ବାଟରେ କଣ୍ଟା ପକାଇ ଦେଇଥିଲେ-? ତାଙ୍କର ଏକାବେଳେକେ ଧାରଣା ହୋଇଗଲା ଯେ ମାତୃଭୂମି ଓ ମାତୃଭାଷାରେ ମମତା ନଥିବା ଲୋକଙ୍କୁ ଆମେ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନୀ କେଉଁଠି ରହିବେ ? ସେତେବେଳେ ଅବଶ୍ୟ ସ୍ୱଭାବ କବିଙ୍କୁ ଏଇଟା ଦିଶୁ ନଥିଲା । ଆଜି ସେ ଯଦି ବଞ୍ଚିଥାଆନ୍ତେ ତେବେ ଦେଖିଥାଆନ୍ତେ ଜ୍ଞାନୀମାନେ ମାତୃଭାଷାକୁ ନିନ୍ଦି ଶିକ୍ଷା ବିଭାଗରେ ବଡ଼ପାହ୍ୟା ଅଧିକାର କରି ବସିଛନ୍ତି । କେତେକ ପେନସନ ନେଇ ଘରେ ଇଂରାଜୀରେ କଥାବାର୍ତ୍ତା ହେଉଛନ୍ତି, ଗାଳି ଦିଆଦେଇ ହେଉଛନ୍ତି, ଡିନାର ଖାଉଛନ୍ତି, ନାତି ନାତୁଣୀଙ୍କୁ ‘ଟା–ଟା’ କରୁଛନ୍ତି ଆଉ ଓଡ଼ିଆ ଅଧ୍ୟାପକଙ୍କ ପିଠିରେ ମୋହର ମାରି ଦେଇଛନ୍ତି । ଅଜ୍ଞାନମାନେ ବି ଓଡ଼ିଆ ଅଧ୍ୟାପକ, ମାଷ୍ଟର ପଦରେ ରହି ଯାଇଛନ୍ତି ଓ ଶ୍ରେଣୀରେ ପଢ଼ାଇଲା ବେଳେ ଅର୍ଥକୁ ଇଂରାଜୀରେ ବୁଝାଇ ଦେଉଛନ୍ତି । ଏ ସବୁ କଥା ଜାଣିଥିଲେ ଗଙ୍ଗାଧରଙ୍କୁ ଆଉ ଧନ୍ଦି ହେବାକୁ ପଡ଼ି ନଥାନ୍ତା ।

Image

 

କାଞ୍ଚନେ ବାଞ୍ଛା

 

‘‘କାଞ୍ଚନେ ବାଞ୍ଛା ନାହିଁ ମୋର,

ମାଗଇ ପ୍ରଭୁ କୃପା ତୋର’’

 

ଏହି ବାବାଜିଆ ପଦଟି ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ ରେ ଆମ ବୁଢ଼ାବାପା ପଢ଼ିଥିଲେ, ଆମ ବାପା ପଢ଼ିଲେ, ଆମେ ପଢ଼ିଲୁ, ଏବେ ଆମ ପୁଅ ଘରେ ପଢ଼ୁଛି । ସରକାରୀ ‘ବର୍ଣ୍ଣବୋଧ’ ପଢ଼ିଲେ ଓଡ଼ିଆ ଜ୍ଞାନରେ ଖଇଚା ରହିଯାଉଛି । କେବଳ ସରକାରୀ ‘ବର୍ଣ୍ଣବୋଧ’ ନ ପଢ଼େଇ ଘରେ ଅବଧାନମାନେ ପକ୍‌କା ଓଡ଼ିଆ ଜ୍ଞାନ ଅଣେଇବାକୁ ମଧୁରାଓଙ୍କ ଏହି ‘ବର୍ଣ୍ଣବୋଧ’ ପଢ଼ାଉ ଅଛନ୍ତି । ଏହିପରି ଭାବରେ ଏ ‘ବର୍ଣ୍ଣବୋଧା’ ଟି ଆହୁରି ଶହ ଶହ ବର୍ଷ ଯାଏ ବୋଧହୁଏ ପଢ଼ା ହେଉଥିବ । ମ୍ୟାକମିଲାନ ଏଣ୍ଡ କୋ କଲିକତା, ବୋମ୍ୱାଇ, ମାନ୍ଦ୍ରାଜ ଲଣ୍ଡନ ଏ ବହିରୁ କୋଟି କୋଟି ସଂଖ୍ୟାରେ ଛାପି ହାତ ଓ ମନର କଣ୍ଡୁ ମେଣ୍ଟେଇ ସାରିଛନ୍ତି । ତାଙ୍କ ପରେ ଆମ ଦେଶୀ ଲୋକେ କୋଟି କୋଟି ସଂଖ୍ୟାରେ ଛାପୁଛନ୍ତି । ଅଧିକ ଛବିଳ ଓ ମନୋହର କରି ଛାପୁଛନ୍ତି । ଶହ ଶହ ବର୍ଷ ହେଲା କୋଟି ଓଡ଼ିଆ ପିଲା ଏହାକୁ ପଢ଼ି ଆସିଛନ୍ତି । ଜଣେ ହେଲେ କେହି ଏପର୍ଯ୍ୟନ୍ତ ଅନୁଭବ କଲାଣି କି ଏ ପଦଟା ଏକାବେଳେକେ ନିକମା ଅର୍ଥାତ ଏ ପଦ ଯେଉଁ ଉଦ୍ଦେଶ୍ୟରେ ଲେଖା ହୋଇଥିଲା ତାହା ଏଯାବତ୍‌ ସଫଳ ହୋଇ ପାରିନାହିଁ । ଏ ନିଷ୍କ୍ରିୟ ପଦଟି କେବଳ ମୁଖ ଗହ୍ୱରର ଗୁଆପରି ହୋଇ ଆସିଛି । ଗୁଆ ଖଣ୍ଡିଏ ଏ ପାଟି ଭିତରେ ଥିଲେ ପାଟି ତାକୁ ଏ କଳ ସେକଳ କରୁଥାଏ ଏବଂ ଚୋବାଇ ଲାଗିଥାଏ । ଗୁଆ ବିଷୟକ କୌଣସି ଜ୍ଞାନ ମୁଣ୍ଡକୁ ପଶୁ ନଥାଏ-। ଚୋବାଉ ଥିବା ବ୍ୟକ୍ତି ଚୋବାଉ ଥିଲାବେଳେ ଅନ୍ୟାନ୍ୟ ବିଷୟ ଚିନ୍ତା କରୁଥାଏ–ସେଦିନ, କାହାର ଛିଦ୍ର ଅନ୍ୱେଷଣ କରିବ, କାହାର କିପରି କୁତ୍ସାରଟନା କରିବ, କାହାପାଇଁ କେଉଁଠି ଗାତ ଖୋଳିବ, କାହାର ଶହେ ଷାଠିଏ କିପରି ମାରିନେବ । ସେ ଟିକିଏ ହେଲେ ଗୁଆ ବିଷୟରେ ଚିନ୍ତା କରୁନଥାଏ । ସେ ଟିକିଏ ହେଲେ ଭାବୁ ନଥାଏ–ସେ ଗୁଆଟି କେଉଁ ସ୍ଥାନରେ ଫଳିଥିଲା । କେଉଁ ବ୍ୟବସାୟୀ ତାକୁ ଧନ ଦେଇ କିଣିଥିଲା, ତା ମୂଲ୍ୟକୁ ବଢ଼େଇବାକୁ କେତେ ବର୍ଷ ସେ ତା’ର ଗମ୍ଭୀରି ଘରେ ଲୁଚାଇ ରଖିଥିଲା, ସେ ଗୁଆରେ ଭିଟାମିନ୍ ଅଛି କି ନାହିଁ, ଏହାକୁ ପାନରେ ଦେଇ ଚୋବାଇବା ଭଲ କି କେବଳ ତାକୁ ଚୋବାଯାଇବା ଭଲ, ଏ ଗୁଆ ଚୋବାଇବାରେ କିଛି ଉପକାର ହେଉଛି କି ନା, କଟକୀ ସେର ଚାରି ଅଣା ଥିଲା, କେବଳ ଯେତିକି ଗୁଆ ଚୋବାଉଥିଲା, ଏବେ କିଲୋ ପନ୍ଦର ଟଙ୍କା ବେଳେ ସେତିକି ଚୋବାଇବାରେ ଆର୍ଥନୀତିକ ଔଚିତ୍ୟ ଅଛି କି ନା ଇତ୍ୟାଦି ଇତ୍ୟାଦି ।

 

ମଧୁ ରାଓଙ୍କର ଏ ପଦ୍ୟଟି ଠିକ୍ ଏହି ମୁଖସ୍ଥ ଗୁଆ ପରି । ଶହ ଶହ ବର୍ଷ ହେଲା ଓଡ଼ିଆମାନେ ଏହାକୁ ପଢ଼ି ଆସୁଛନ୍ତି–‘‘କାଞ୍ଚନେ ବାଞ୍ଛା ନାହିଁ ମୋର, ମାଗଇ ପ୍ରଭୁ କୃପା ତୋର ।’’ କାଞ୍ଚନ ବୋଇଲେ ସୁନା ବା ଧନରେ ମୋ ଇଚ୍ଛା ନାହିଁ, ହେ ପ୍ରଭୁ ତୋ କୃପାହିଁ କେବଳ ମାଗୁଛି । ଏ ପଦଟାକୁ ସମସ୍ତେ କେବଳ ପାଟିରେ ପାକୁଳି କରୁଛନ୍ତି । ଏଇଟା କିନ୍ତୁ ମୁଣ୍ଡକୁ ଭେଦୁନି । ମନଟା ତାର ବୋଲି ଲାଗିଛି–‘କାଞ୍ଚନେ ଇଚ୍ଛା ଅଛି ମୋର, ଭରିଦେ ପ୍ରଭୁ ମୋର ଘର’ । ମନରେ ଯଦି ଏତକ ନ ଥାଆନ୍ତା ତେବେ ବ୍ୟବସାୟୀ ଏ ଅପମିଶ୍ରଣରେ ମାତି ମାସକୁ ଗୋଟାଏ ଲେଖାଏଁ ଦୋମାହାଲା କୋଠା ବାଡ଼େଇ ଦେଉ ନ ଥାନ୍ତେ । ଅମଲାମାନେ ଫାଇଲ ପିଚା ତଳେ ମାଡ଼ି ବସି ଗୁହାରିଆ ମାନଙ୍କଠାରୁ ପଣି ଆଦାୟ କରୁ ନ ଥାନ୍ତେ, ଡାକ୍ତରମାନେ ସରକାରଙ୍କଠାରୁ ମୋଟା ଦରମା ପାଉଥିଲେ ସୁଦ୍ଧା ଘରୋଇ କ୍ଲିନିକ୍ ସବୁ ଖୋଲି, ସରକାରୀ ଡାକ୍ତରଖାନାରୁ ରୋଗୀସବୁ ସେଠାକୁ ଅଡ଼େଇ ନେଇ, ଘରୋଇ ଚିକିତ୍ସା କରି ରୋଗୀମାନଙ୍କ ତଣ୍ଟି ଅଧିକରୁ ଅଧିକ ଚିପି ବ୍ୟାଙ୍କରେ ଟଙ୍କା ଜମା କରୁ ନ ଥାଆନ୍ତେ, ଇଞ୍ଜିନିୟରମାନେ କଣ୍ଟ୍ରାକ୍ଟର ମାନଙ୍କଠାରୁ ପଣି ଆଦାୟ କରି ଦେଶର ବନ୍ଧ, ବାଡ଼, ରାସ୍ତା ଘାଟ, କୋଠାବାଡ଼ିଗୁଡ଼ାକୁ ଗରମଜବୁତ୍ କରୁ ନ ଥାଆନ୍ତେ । ମନ୍ତ୍ରୀମାନେ ଗାଦିକୁ ଚିରସ୍ଥାୟୀ କରିବା ଲାଗି ମିଲ୍ ମାଲିକ, ଖଣି ମାଲିକ, କେନ୍ଦୁପତ୍ରିଆ ଠିକାଦାରମାନଙ୍କଠାରୁ ଫୁଲାମୁଣିଆ ଚାନ୍ଦା ଆଦାୟ କରି ଭଣ୍ଡାର ଘରେ ସାଇତୁ ନ ଥାନ୍ତେ । ଏ କାଞ୍ଚନ ବାଞ୍ଛା ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ଏତେ ପ୍ରବଳ ହେଲାଣି ଯେ ତାହା ସବୁ ସ୍ଥାନରେ ସବୁ ସମୟରେ ପରିଲକ୍ଷିତ ହେଉଛି । ଏଇଟା ସମସ୍ତଙ୍କର ଦିହଘସରା ହୋଇଗଲାଣି । ଗୋଟିଏ ପରିବାର ପ୍ରତି ଦୃଷ୍ଟି ନିକ୍ଷେପ କରାଯାଉ । ସକାଳୁ ସମସ୍ତେ ଉଠି ନିତ୍ୟ କର୍ମ ସାରିବା ପରେ ଛୁଆ ପୁଅ ବାପ ପାଖକୁ ଆସି ଚାରଣିଟିଏ ମାଗୁଛି । ସ୍ତ୍ରୀ ପଡ଼ୋଶୀର ଶାଢ଼ି ପରି ଶାଢ଼ିଟିଏ ଆଣିବାକୁ ଟଙ୍କା ମାଗୁଛି । ଛୁଆକୁ ପଢ଼ାଉଥିବା ଅବଧାନ ଟଙ୍କା ମାଗୁଛି । ଗୃହସ୍ୱାମୀ ଅଫିସ ଗଲାବେଳେ ରିକ୍‌ସାବାଲା ଆଠଅଣା ଯାଗାରେ ଟଙ୍କାଟିଏ ମାଗୁଛି । ବାଟରେ ପାନ ଖଣ୍ଡେ କିଣିଲେ ଦୋକାନୀ ଅଳପ ଗୁଆଗୁଣ୍ଡି ଦେଇ ବେଶି ପଇସା ମାଗୁଛି । ବାବୁ ମଧ୍ୟ ଅଫିସରେ ବସି ଗୁହାରିଆମାନଙ୍କୁ ଅନ୍ୟାୟ ପାଉଣା ମାଗୁଛନ୍ତି । ସେତକ ଧରି ସେ ଘରେ ପହଞ୍ଚିବା ମାତ୍ରେ ଦୁଧ ନାମଧେୟ ପାଣି ଯୋଗାଇଥିବା ଗଉଡ଼ ଓ ଅଟା ନାମଧେୟଚୋକଡ଼ ଯୋଗାଇଥିବା ମୁଦି ଦୋକାନୀ ପ୍ରକୃତ ପ୍ରାପ୍ୟଠାରୁ ଯଥେଷ୍ଟ ବେଶି ଧନ ବାଞ୍ଛା କରୁଛନ୍ତି । ଏ କାଞ୍ଚନ ବାଞ୍ଛା କେବଳ ମଣିଷଙ୍କଠାରେ ସୀମାବଦ୍ଧ ହୋଇ ରହିନି । ଏହା ପଶୁଙ୍କ ଉପରକୁ ଡେଇଁଲାଣି । ଦେଖାଯାଉଛି ଗୋଟିଏ ହାତୀ ପ୍ରତ୍ୟେକ ଦ୍ୱାର ଆଗରେ ଠିଆ ହୋଇ ଥୋଡ଼ ପାହାଡ଼କୁ ଲମ୍ୱାଇ ନିଏ । ଗୃହସ୍ଥ ଗୋଟିଏ ଦଶପଇସି ତା ଥୋଡ଼ରେ ଦେଲେ ସେ ତା’କୁ ତା’ ଉପରେ ବସିଥିବା ମାହୁନ୍ତ ହାତକୁ ବଢ଼ାଇ ଦେଇ ସ୍ଥାନ ପରିତ୍ୟାଗ କରେ । ନ ପାଇଥିବା ଯାଏ ସେ ସ୍ଥାନ ଛାଡ଼େ ନାହିଁ । ଖେଳ ଦେଖାଯାଉଥିବା ପୋଷା ମାଙ୍କଡ଼ମାନେ ମଧ୍ୟ ଦର୍ଶକମାନଙ୍କ ପାଖରେ ପଇସା ପାଇଁ ଅଳି କରି ଥାଆନ୍ତି । ଏଣୁ କାଞ୍ଚନ ବାଞ୍ଛା କି ମଣିଷ, କି ପଶୁ ସମସ୍ତଙ୍କଠାରେ ଅତି ଉଗ୍ର ଭାବରେ ଭରି ରହିଅଛି । ମଧୁସୂଦନ ରାଓଙ୍କ ଭଳି ଏକ ପୂଜନୀୟ ଗୁରୁସ୍ଥାନୀୟ କବି ଏପରି ଏକ ନିକମା ପଦ୍ୟ ଲେଖିବା ବଡ଼ ଆଶ୍ଚର୍ଯ୍ୟ ଓ କ୍ଷୋଭର ବିଷୟ । ଭାଗ୍ୟେ ଓଡ଼ିଆ ଭାଷା ଓଡ଼ିଶା ଭିତରେ ହିଁ ସୀମାବଦ୍ଧ । ପଡ଼ୋଶୀମାନେ ଯଦି ଓଡ଼ିଆ ବୁଝୁ ଥାଆନ୍ତେ ତେବେ ଏଇ ନିକମା ପଦ୍ୟ ପାଇଁ ଆମକୁ ଏବଂ ଆମ କବିକୁଳକୁ ଯେ କେତେ ଟିଟିକାରି ମାରୁଥାଆନ୍ତେ ତା’ର ଇୟତ୍ତା ନାହିଁ ।

 

ପୁନଶ୍ଚ ଦେଖନ୍ତୁ ଏଠି କାଞ୍ଚନର ଅର୍ଥ ସୁନା ହେଲେହେଁ ସୁନା ଅର୍ଥରେ କୁହା ଯାଇନି । ସୁନାର ଏକ କ୍ରୟକାରୀ ଶକ୍ତି ଅଛି । ପୃଥିବୀରେ ଯେ କୌଣସି ଜିନିଷ ସୁନା ଦେଇ କିଣି ହୁଏ । ଭରିଏ ଓଜନର ସୁନା କାର୍ଡ଼ ଖଣ୍ଡିଏ ଅଣ୍ଟାରେ ମାରି ଯାଇ ଆସି ହେବ । କିନ୍ତୁ ସେଇ ସୁନା ମୂଲ୍ୟରେ ଖରିଦ କରିଥିବା ଘସି ମୁଣ୍ଡା ରଖିବାକୁ ଘରଦ୍ୱାର ପିଣ୍ଡା ସବୁ ନିଅଣ୍ଟ ହେବ । ସୁନାର ଏତିକି ବିପଦ ହେଲା–ଚୋର ଓ ଖଣ୍ଟମାନେ କିସ୍‌କଦରରେ ଏହାକୁ ଚୋରି କରି ନେଇ ଯାଇ ପାରନ୍ତି । ଏଥି ଲାଗି କେତେକ ଚାଲାଖ୍ ଲୋକ ସୁନା ନ ରଖି ଧାନ ମୁଗ ଓ ମାଣ୍ଡିଆ ଇତ୍ୟାଦି ରଖନ୍ତି । ଚୋର ଏଗୁଡ଼ାକୁ ଚାହିଁ ଯିବନି । ଏ ଗୁଡ଼ାକ ଚୋରି କରି ନେବା ବି ବିପଦଜନକ । ପିଠିରେ ବସ୍ତା ଲଦି ଚୋର ଦୌଡ଼ି ପଳାଇ ଯାଇ ପାରିବନି । ବରଂ ମାଲିକ ପଛରୁ ଦୌଡ଼ି ଯାଇ ଗୋଡ଼କୁ ଠେଙ୍ଗାଏ ପକାଇ ଛୋଟା କରି ଦେବ । ଏଇଥିପାଇଁ ଅନେକ କାଞ୍ଚନକୁ ବାଞ୍ଛା କରନ୍ତି ନାହିଁ । କାଞ୍ଚନ ଦ୍ୱାରା କ୍ରୟ ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସବୁ ବାଞ୍ଛା କରନ୍ତି । କବି ମଧୁସୂଦନ ଏହି ଧରଣର ଲୋକ ଅଟନ୍ତି । କାଞ୍ଚନ ପରିବର୍ତ୍ତେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସବୁ ମାଗିଛନ୍ତି । ଆଜିକାଲି ମନୁଷ୍ୟର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ସଂଖ୍ୟା କିଛି କମ୍ ନୁହେଁ । ଗୋଟି ଗୋଟିକର ନାଆଁ କହି ଗୋଟିଏ ଧାଡ଼ିରେ ସଂପୂର୍ଣ୍ଣ କରିବା ଯେ କୌଣସି କବି ପକ୍ଷେ ସମ୍ଭବ ନୁହେଁ । ଉଦାହରଣ ସ୍ୱରୂପ–‘କାଞ୍ଚନେ ବାଞ୍ଛା ନାହିଁ ମୋର, ମାଗଇ ପ୍ରଭୁ ଧାନ ଦିସେର, ଶହେ ମଶୁର, ତେଲ ଲିଟର, ପାଏ ଓଖର, ଗୋଟେ ସିଗାର, ଲୁଗା ଚାଦର, ସ୍ନୋ ପାଉଡ଼ର, ଓଷ୍‌ଦି ପତର, ଟିକଟ ଦୁର୍ଗାର, ଇତ୍ୟାଦି, ଇତ୍ୟାଦି । ଏମିତି ମାଗି ଲାଗିଥିଲେ ରାତି ପାହିବ ପଛେ ମାଗୁଣି ସରିବ ନାହିଁ । ଚତୁର ଗଣେଶ ପୃଥିବୀ ପ୍ରଦକ୍ଷିଣ କରିବା ପାଇଁ ଯେପରି ଶିବଙ୍କ ଚାରି ପାଖରେ ଘୂରିଗଲେ ଚତୁର କବି ସେହିପରି ଏତେ ଏତେ ଜିନିଷ ମାଗିବାରେ ସମୟର ଅପବ୍ୟୟ ନ କରି କହିଦେଲେ–‘‘ମାଗଇ ପ୍ରଭୁ କୃପା ତୋର’’ । କେଉଁ ଜିନିଷଟା ପ୍ରଭୁଙ୍କ କୃପା ନୁହେଁ କୁହନ୍ତୁ । ଚତୁର କବି ସୁନା ନ ମାଗି ଚୋରକୁ ଚିତାକାଟିଲେ । ପ୍ରଭୁଙ୍କର କେବଳ କୃପା ମାଗି ସମୟର ଅପଚୟକୁ ବନ୍ଦ କରି ଦେଲେ । କବି ପ୍ରଭୁଙ୍କର ଜଣେ ବଡ଼ ଭକ୍ତ । ସେ ଯେତେବେଳେ କୃପା ମାଗିଛନ୍ତି ପ୍ରଭୁ ନିଶ୍ଚୟ ତାହା ଦେଇଥିବେ । ଭକ୍ତର ଲୋଡ଼ା କଅଣ ? ତେଣିକି ସବୁ ପ୍ରଭୁଙ୍କର ଦାୟିତ୍ୱା ଭକ୍ତକୁ ଭୋକ ହେଲା–ସେ ଦିବ୍ୟ ଅନ୍ନ ବ୍ୟଞ୍ଜନ ଆଣି ଯୋଗାଇ ଦେବେ, ଅବଶ୍ୟ କୌଣସି ଅଜ୍ଞାତ ଲୋକ ଜରିଆରେ । ଭକ୍ତଙ୍କର ଲୁଗା ଚିରିଗଲା–ପ୍ରଭୁ କୌଣସି ବ୍ୟବସାୟୀକୁ ସପନେଇବେ– ‘‘ହେ-! ଯାଆ ମୋର ଭକ୍ତକୁ ଦୁଇ ଯୋଡ଼ା ସୁଫର ଫାଇନ୍ ଲୁଗା ଚାଦର ଦେଇ ଆ । ନଚେତ୍ ତୋର ବ୍ୟବସାୟରେ ଗଣ୍ଡଗୋଳ କରିଦେବି । ତୋ ପଛରେ ସେଲ୍‌ ଟିକସ ଓ ଇନ୍‌ବମ୍ ଟିକସ ବାଲା ଲଗେଇ ଦେବି । ବାସ୍, ଏତିକିରେ ବ୍ୟବସାୟୀ ଜଣକ ସକାଳୁ ଅଘଷା ପାଟିରେ ଭକ୍ତଙ୍କ ଘରକୁ ଯାଇ ଦଶଯୋଡ଼ା ସୁଫର ଫାଇନ ଅମ୍ୱିକା ମିଲର ଲୁଗା ଚାଦର, ବକିଂହାମ କନା ଦୁଇଥାନ୍, ଶୀତ ଦିନ ପାଇଁ ଲାଲ୍‌ମିଲ କମ୍ୱଳ, ଶୋଇବା ପାଇଁ ଡନ୍‌ଲୋପିଲୋ ଗଦି ଓ ତକିଆ ଇତ୍ୟାଦି କୁଢ଼େଇ ଦେଇ ଆସିବ । ଭକ୍ତ ଖାଲି ଗୋଡ଼ରେ ଚାଲି ନ ପାରିଲେ ପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ବାଟା କଂପାନି ଚପଲ ଓ ଯୋତା ବୋଝେ ନେଇ ତାଙ୍କ ଘରେ ଥୋଇ ଦେଇ ଆସିବି । ସେହିପରି ଭକ୍ତଙ୍କ ଦେହ ଖରାପ ହେଲେ କୁଆଡ଼ୁ ଡାକ୍ତର ମାନେ ଧାଇଁ ଆସି ନିଜ ହାତରୁ ଓଷଧପତ୍ର ଓ ପଥି ଦେଇ ତାଙ୍କୁ ଭଲ ନ କରିବା ଯାଏ ଛାଡ଼ିବେ ନାହିଁ । ପ୍ରଭୁଙ୍କ କୃପା ହେବତ ସବୁ ମିଳିଗଲା । ତେବେ ତୁଚ୍ଛାଟାରେ କାହିଁକି ସେ ମାଗିବେ କାଞ୍ଚନ ଦିଅ, ଖାନା ଦିଅ, କପଡ଼ା ଦିଅ, ଓଷଦ ଦିଅ । କେବଳ କୃପାରେ ହିଁ ଏ ସବୁ ଅନାୟାସରେ, ଅଯାଚିତ ଭାବରେ ମିଳିଯିବ । ସେଇଥିଲାଗି କବି ଅତି ଚତୁରତାର ସହିତ ମାଗି ଦେଲେ କାଞ୍ଚନେ ବାଞ୍ଛା ନାହିଁ ମୋର, ମାଗଇ ପ୍ରଭୁ କୃପା ତୋର ।

 

ଏବେ ଦେଖାଯାଉ କେଉଁମାନଙ୍କ ପାଇଁ ଓ କେଉଁ ବହିରେ ଏହା ଛପା ହେଲା । ଛୁଆପିଲାଏ ଖଡ଼ି ଧରିବା ସଙ୍ଗେ ସଙ୍ଗେ ଏହି ବହିକୁ ଧରିଥାନ୍ତି । ଯେଉଁ ଗୁଢ଼ ଆଧ୍ୟାତ୍ମିକ ଅର୍ଥରେ ଭକ୍ତକବି ଏହାକୁ ଲେଖିଥିଲେ ତାହା କୋମଳ–ମତି ଶିଶୁଏ ବୁଝି ପାରିବେ ତ ? ସେମାନେ କହିବେ–ସୁନା ମୁଁ ମାଗୁ ନାହିଁ । ଆଉ ପ୍ରଭୁଙ୍କ କୃପାକୁ ସେମାନେ ବୁଝିବେ ଯେ ଅବଧାନେ ଆଉ ବେତରେ ନ ବାଡ଼ାନ୍ତୁ, ବାପା ସବୁ ପଇସା ବାକ୍‌ସରେ ନ ରଖି କିଛି ପଇସା କାମିଜ ପକେଟରେ ରଖି ଥାଆନ୍ତୁ, ବାପା ଆକଟ କଲାବେଳେ ବୋଉ ଧାଇଁ ଯାଇ ତାଙ୍କ ସାଙ୍ଗରେ କଳି କରୁ, ଆମ ବିରୁଦ୍ଧରେ ବାପାଙ୍କ ପାଖରେ ଫେରାଦ ହେବାକୁ ଯାଉଥିବା ଲୋକଙ୍କୁ ବାଟରେ ଗୋଖର ସାପ କାମୁଡ଼ୁ, ବୋଉ ଖାନା ଡୋଲିଟାରେ ଚାବି ନ ପକେଇ ପୋଖରୀ ପାଣି ଯାଉ । ଏ ସବୁ କୃପାରୁ କିଛି କିଛି ସେମାନଙ୍କୁ ମିଳିଲେ ବା ନ ମିଳିଲେ କିଛି ଯାଏ ଆସେ ନାହିଁ । କିନ୍ତୁ ‘‘କାଞ୍ଚନେ ବାଞ୍ଛା ନାହିଁ ମୋର’’ ଘୋଷି ଘୋଷି ଶିଶୁର ମନରେ ଯଦି ସେଇଟା ରହି ଯାଏ ଆଉ ଶିଶୁ ତା ପ୍ରତି ଆସକ୍ତି ନ ରଖେ ବା ତାର ମହତ୍ୱ ଉପଲବ୍‌ଧି ନ କରେ ତେବେ ବଡ଼ ଦିନକୁ ସେ ଗୋଟିଏ ବିଫଳ ନାଗରିକ ହେବ । ଚାକିରି ଯେପରି ଦୁର୍ମୂଲ୍ୟ ହେଲାଣି ସେଥିରେ ସେ ଚାକିରିଟାଏ ପାଇ ପାରିବନି-। ଆଉ ଧନର ମହତ୍ୱ ଜାଣିବାରେ ଅକ୍ଷମ ଥିବାରୁ ସେ କୌଣସି ବ୍ୟବସାୟ ବି କରି ପାରିବନି-। ଯୁବକଟି ଚାରିଆଡ଼ୁ ବିଫଳମନୋରଥ ହେଲେ ଶେଷରେ କୌଣସି ଏକ ଡାକୁ ଦଳରେ ଯୋଗ ଦେବ । ଏକ ଭୟଙ୍କର ଅସାମାଜିକ ବ୍ୟକ୍ତି ହୋଇ ଉଠିବ ଏବଂ ଏହାର କାରଣ ହେବେ ଭକ୍ତକବି ମଧୁସୂଦନ ରାଓ ଓ ତାଙ୍କର କବିତା ‘‘କାଞ୍ଚନେ ବାଞ୍ଛା.... ।’’

 

ଯେଉଁ ସମୟରେ ଏ ପଦ୍ୟଟି ‘‘ବର୍ଣ୍ଣବୋଧ’’ର ଅନ୍ତର୍ଭୁକ୍ତ ହେଲା ସେତେବେଳେ ଶିକ୍ଷାର କର୍ଣ୍ଣଧାର ଥିଲେ ଗୋରା ସାହେବଗଣ । ସେମାନଙ୍କ ପରି ଚତୁର କର୍ତ୍ତୃପକ୍ଷ କୁତ୍ରାପି ଦେଖିବାକୁ ମିଳିବେ ନାହିଁ । ସେମାନଙ୍କ ମନରେ ଇଚ୍ଛା ଥିଲା ଯେ ଭାରତୀୟମାନେ ସବୁବେଳେ ଗୋଲାମ ହୋଇ ରହି ଥାଆନ୍ତୁ । କେହି ଶିଳ୍ପପତି ବା ମିଲ୍ ମାଲିକ ନ ହୁଅନ୍ତୁ । ତାହାହେଲେ ସେମାନେ ବିଲାତର ଜିନିଷସବୁ ଆଣି ଏଠି ବିକ୍ରି କରିବେ । ଭାରତ ଗୋରା ସାହେବଙ୍କର ସବୁଦିନ ପାଇଁ ଏକ ସମୃଦ୍ଧିଶାଳୀ ବଜାର ହୋଇ ରହିଥିବ । ଭାରତୀୟମାନଙ୍କୁ ଗୋଲାମ ମନୋଭାବାପନ୍ନ କରିବାକୁ ହେଲେ ସେମାନଙ୍କୁ ଶିଶୁ ଅବସ୍ଥାରୁ ହିଁ ଗଢ଼ିବାକୁ ହେବ । କଥାରେ ଅଛି, ‘‘ଯାହା ନ ହୋଇଛି ବାଳ କାଳେ, ତାହା କି ହେବ ପାଚିଲା ବାଳେ । ନା ହବନି । ଆଉ ମଧ୍ୟ ଭାରତବର୍ଷଟା ମୁନିରୁଷିଙ୍କ ଦେଶ-। ମୁନି ରୁଷିମାନେ ହିଁ କହିଛନ୍ତି ‘‘ମୂଢ଼ ଜହୀହି ଧନାଗମ ତୃଷ୍ଣା, କୁରୁ ତନୁ ବୃଦ୍ଧେ ମନସି ବିତୃଷ୍ଣା’’-। ତେଣୁ ଗୋରାମାନେ ଦେଖିଲେ ଭାରତୀୟମାନଙ୍କ କଥାରେ ଭାରତୀୟମାନଙ୍କୁ ଦରିଦ୍ର ଭିକ୍ଷୁକ ସହଜରେ କରି ହେବ । ସେମାନେ ଯେତେବେଳେ ଦେଖିଲେ ବାବାଜି କବି ମଧୁସୂଦନ ରାଓ ଲେଖିଛନ୍ତି, ‘‘କାଞ୍ଚନେ ବାଞ୍ଛା ନାହିଁ ମୋର’’ ସେମାନେ ଖାପୁ କରି ସେଇଟିକୁ ଧରି ପକେଇଲେ ଆଉ ତାକୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ‘‘ବର୍ଣ୍ଣବୋଧ’’ରେ ପୂରେଇ ଦେଲେ । ଶିଶୁମାନେ ପାଠ ଆରମ୍ଭରୁ ଯେପରି ଘୋଷୁଥିବେ ‘‘କାଞ୍ଚନେ ବାଞ୍ଛା ନାହିଁ ମୋର ।’’ ଅର୍ଥାତ୍ ‘‘ମୁଁ ଶିଳ୍ପପତି ହେବିନି, ମୁଁ ମିଲ୍ ମାଲିକ ହେବିନି, ମୁଁ ଭିକ ମାଗିବି, ମୁଁ ବାବାଜି ହେବି’ ଆମ ଲୋକେ ବଡ଼ଦିନକୁ ସେଇଆ ହେବେ । ଗୋରା ସାହାବମାନେ ବିଲାତି ଜିନିଷ ସବୁ ଆଣି ଆମକୁ ବିକିବେ । ଭୁଲ୍ ଚୁକ୍‌ ରେ କିଛି କାଞ୍ଚନ ଯଦି ଆମ ପାଖରେ ଅଟକି ଯାଇଥାଏ ତେବେ ତାକୁ ଝାମ୍ଫିନେଇ ପଳେଇବେ । ଆମ ଲୋକେ ବି କାଞ୍ଚନକୁ ରଖିବା ପାଇଁ ଚେଷ୍ଟା କରିବେ ନାହିଁ । କାରଣ ସେମାନଙ୍କର କାଞ୍ଚନରେ ବାଞ୍ଛା ନ ଥିବ ।

 

ଏ ଧରଣର ପଦ୍ୟ ବୋଧହୁଏ ଭାରତରେ ଅନ୍ୟ କୌଣସି ଭାଷାରେ ନ ଥିବ । ସେହିହେତୁ ସେସବୁ ଅଞ୍ଚଳ ଓଡ଼ିଶା ଠାରୁ ଧନୀ; ଓଡ଼ିଶା ସବୁଠାରୁ ଗରିବ ।

 

ଗୋରାମାନେ ୩୨ ବର୍ଷ ହେଲା ଏ ଦେଶ ଛାଡ଼ି ଦେଇ ଗଲେଣି । ବଡ଼ ଦୁଃଖର କଥା ଏଡ଼େ ଏଡ଼େ ବଡ଼ ଅର୍ଥନୀତିଜ୍ଞମାନେ ସାଲୁ ସାଲୁ ହେଉଥିଲା ବେଳେ ଜଣେ ହେଲେ କାହାରି ଏ ପଦ ପ୍ରତି ନଜର ପଡ଼ୁନି । ସଭାରେ ବକ୍ତୃତା ଦେଲାବେଳକୁ ଦୁନିଆଯାକର ଅର୍ଥନୀତିକୁ ସଭାକୁ ଟାଣି ଆଣୁଛନ୍ତି ଅଥଚ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟଟାଏ କାହାରି ନଜରରେ ପଡ଼ୁନି । ଅର୍ଥନୀତିଜ୍ଞମାନେ ହୁଏତ ସେ ପଦ ଦେଖି ନାହାନ୍ତି ତେଣୁ କିଛି କରି ପାରିଲେ ନାହିଁ । ଆମ ଶିକ୍ଷାବିତ୍‌ମାନେ କରୁଛନ୍ତି କଣ ? ସେମାନଙ୍କ ଦୃଷ୍ଟିରେ ବି ଏହା ପଡ଼ୁନି । –ଖାଲି ପନ୍ଦର କରିବାକୁ ୧୦+୨+୩ କରୁଛନ୍ତି ତ ତାକୁ ଲିଭେଇ ୧୦+୩ +୨, ତାକୁ ଲିଭେଇ ୯+୪+୨, ଏମିତି କରିବାରେ ସମୟ କେବଳ ଅପବ୍ୟୟ କରିବାରେ ଲାଗିଛନ୍ତି ।

 

ଉପସଂହାରରେ ଆମେ କେବଳ ଏତିକି କହୁଛୁ ଯେ ଏ ପଦ୍ୟଟି ଅତି ମୂଲ୍ୟବାନ ସତ । କିନ୍ତୁ ଏହା ଶିଶୁମାନଙ୍କପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଶିଶୁମାନେ ଏହାର ସୂକ୍ଷ୍ମ ଅର୍ଥ ବୁଝି ନ ପାରି ସ୍ଥୂଳ ଅର୍ଥକୁ ଗ୍ରହଣ କରିବେ ଏବଂ ନିଜର ସର୍ବନାଶ କରିବେ । ଅତି ଶୀଘ୍ର ଏହାକୁ ‘ବର୍ଣ୍ଣବୋଧ’ରୁ କାଢ଼ି ନେଇ ଏମ୍:ଏ: ପାଠ୍ୟପୁସ୍ତକରେ ପୁରାଇ ଦିଆଯାଉ । ଏମ୍:ଏ: ଛାତ୍ରମାନେ ଏହାର ଅସଲ ଉଦ୍ଦେଶ୍ୟ ବୁଝିପାରି ତଦନୁଯାୟୀ କାର୍ଯ୍ୟ କରିବେ । ଫଳରେ ଦେଶରେ ଆର୍ଥନୀତିକ ଦୁର୍ଗତି ହେବନାହିଁ ।

Image

 

ରହ ରହ କ୍ଷଣେ ବାଷ୍ପୀୟ ଶକଟ

 

‘‘ରହ ରହ କ୍ଷଣେ ବାଷ୍ପୀୟ ଶକଟ–

ଦେଖିବି ଚିଲିକା ଚାରୁଚିତ୍ରପଟ...’’

 

ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ କାଳ ହେଲା ଓଡିଆ ସାହିତ୍ୟର ଗବେଷକ ତଥା ସମାଲୋଚକଗଣ ଏକ ସ୍ୱରରେ କହି ଆସୁଛନ୍ତି ଯେ ଏହି ପଦ୍ୟଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଲିଖିତ । ଅତି ଦୁଃଖର ଜଣେ ହେଲେ କେହି ଗବେଷକ ଏ ମତ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନାହାନ୍ତି । ଏ ପଦ୍ୟଟି ଉତ୍କଳମଣିଙ୍କର ନୁହେଁ ବୋଲି କହିବାର ‘ଅସୀମ–ସତ୍‌–ସାହାସ’ ବା ସଂକ୍ଷେପରେ କହିଲେ ‘ଅସତ୍‌ ସାହାସ’ କରି ନାହାନ୍ତି । ଏ କବିତାଟି ଉତ୍କଳମଣିଙ୍କ ଦ୍ୱାରା ରଚିତ ବୋଲି କହିବାଦ୍ୱାରା ଜାତିର ମଉଡ଼ମଣିଙ୍କ ପ୍ରତି ଯେ କେଡ଼େ ଅପମାନ ହେଉଛି ତାହା କେହି ଭାବିବାକୁ ଚେଷ୍ଟା କରୁନାହାନ୍ତି । ଅନେକ ପଚାରୁଛନ୍ତି ଯେ ଏହି କବିତାଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ରଚିତ ବୋଲି କହିବାଟା ତାଙ୍କ ପ୍ରତି ଅପମାନଜନକ ହେଲା କିପରି ? ଏହା ପୁଣି ଆମର ପ୍ରବୀଣ ସାହିତ୍ୟିକ ତଥା ଗବେଷକମାନଙ୍କୁ କଅଣ ବୁଝାଇବାକୁ ପଡିବ ! ହା ଦୁର୍ଦୈବ ! ଆମ ସାହିତ୍ୟକ ଓ ଗବେଷକମାନଙ୍କୁ ଘୋର ଜ୍ଞାନମାନ୍ଦ୍ୟ ରୋଗ ଘୋଟିଗଲା ! ମା ସରସ୍ୱତୀ ତୁମେ ହିଁ ସାହା । ତଥାପି ଏମାନଙ୍କୁ ବୁଝେଇ ଦେବାର ଧୈର୍ଯ୍ୟ ଆମର ଅଛି । ହେ ପ୍ରଶ୍ନକର୍ତ୍ତା ଭଦ୍ର ମହୋଦୟଗଣ ! ଆମ୍ଭେ ଆପଣମାନଙ୍କୁ ଅତି ବିନୟରସହ ପ୍ରଶ୍ନ କରୁଅଛୁ–ଯଦି ଜଣେ କେହି ‘‘ଆଲୋ ମଣି, ତୁ ଫରକେ ପୋଛୁଥିଲୁ ନାକ ସିଘାଂଣି’’ କବିତାଟି କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ବୋଲି କହେ ତେବେ ତାହା କବି ସମ୍ରାଟଙ୍କ ପକ୍ଷେ ଅପମାନଜନକ ହେବ ନାହିଁକି ? ଯଦି କେହି କହେ ଯେ ‘‘ରସ ବୋହିଯାରେ’’ ଅଶ୍ଳୀଳ କବିତା ପୁସ୍ତକଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ରଚିତ ତେବେ ତାହା ଭକ୍ତକବିଙ୍କ ପ୍ରତି ଅପମାନଜନକ ହେବ କି ନାହିଁ । ପୁନଶ୍ଚ ପ୍ରଶ୍ନ କରୁଛି ଯଦି କୁହାଯାଏ ‘‘ହେ ଭଗବାନ, ତୁମକୁ ଠିଆ ଫାଡି ଦେବି’’ କବିତାଟି ସାଲବେଗଙ୍କ ଦ୍ୱାରା ରଚିତ ତେବେ ସାଲବେଗଙ୍କ ଆତ୍ମା ସ୍ୱର୍ଗରେ ବୋପାଲୋ ମାଆଲୋ ଚିତ୍କାର କରି ତଳେ ଗଡ଼ିବେ କି ନାହିଁ ? ଏ ସବୁର ଉତ୍ତର ପ୍ରଶ୍ନକର୍ତ୍ତାଗଣ ଦେଇ ପାରିବେ ତ ? ନା ଦେଇ ପାରିବେ ନାହିଁ । କେବଳ ମୁଣ୍ଡ ପଛପଟେ କୁଣ୍ଡେଇ ହେବା ସାର ହେବ । ଯଦି ସେମାନଙ୍କର ବିବେକ ଜାଗ୍ରତ ହୁଏ ତେବେ ସେମାନେ କୁନ୍ଥେଇ ମୁନ୍ଥେଇ ଉତ୍ତର ଦେବେ–‘‘ଉଁ–ଉଁ ହଁ–ଅଁ ଏହା ପ୍ରକୃତରେ ଅପମାନଜନକ ବୋଲି ଜଣା ପଡୁଛି ।’’ ଏଥର ବନ୍ଧୁଗଣ ଠିକ ରାସ୍ତାକୁ ଆସିଛ । ସେଥିଲାଗି ଧନ୍ୟବାଦ ।

 

ଏଁ ଏଁ ଆପଣ ପୁଣି କଅଣ କହୁଛନ୍ତି ? ଓ–ହୋ ! ଆପଣଙ୍କର କହିବାର ଉଦ୍ଦେଶ୍ୟ ହେଉଛି ‘‘ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁଚିତ୍ରପଟ’’ କବିତାଟି ଅଶ୍ଳୀଳ ନୁହେଁ । ପଣ୍ଡିତ ଗୋପବନ୍ଧୁଙ୍କ ଅନ୍ୟାନ୍ୟ କବିତା ଶୈଳୀର ଅନୁରୂପ । କବିତାର ସବୁ ଧର୍ମ ଏଥିରେ ନିହିତ । ଅପ୍ରାକୃତିକତା ଓ ଅସଙ୍ଗତି କେଉଁଠାରେ ପରିଲକ୍ଷିତ ହେଉ ନାହିଁ । ଭ୍ରମରେ ଯଦି କେହି ଏହାର ଲେଖକ ପଣ୍ଡିତ ଗୋପବନ୍ଧୁ ବୋଲି କହିଦିଅନ୍ତି ତେବେ ସାମାନ୍ୟ ‘ନା’ଟିଏ ତ ସମସ୍ୟାର ସମାଧାନ କରିଦେବ । ଏଥିରେ ମାନାପମାନର ପ୍ରଶ୍ନ ଉଠୁଛି କିପରି ?

 

ଠିକଅଛି ବନ୍ଧୁ । ଅସୁରୁଣୀର ଜୀବନନାଟିକାକୁ ସାତତାଳ ପାଣି, ସାତତାଳ ପଙ୍କ ଭିତରୁ ବାହାର କଲାପରି ଆମ୍ଭେ ଅତି ଗଭୀର ସ୍ଥାନରୁ ‘କାହିଁକି’ର ଉତ୍ତର ଉତ୍ତୋଳନ କରୁଛୁ । ଧୈର୍ଯ୍ୟ ଧରି ଶୁଣିବା ହୁଅନ୍ତୁ ।

 

ଘରେ ପଶୁ ପଶୁ ଚାଳରେ ମୁଣ୍ଡ ବାଜିଲା ପରି ବାଷ୍ପୀୟଶକଟ ନାମକରଣକୁ ଦେଖନ୍ତୁ । ଭୀମକାୟ ଏକ ବିରାଟ ଲୋକୋମୋଟିଭ ଦ୍ୱାରା ଆକର୍ଷିତ ଦ୍ରୁତଗାମୀ ଟ୍ରେନ୍‌କୁ ବାଷ୍ପୀୟଶକଟ ବା ଶଗଡ଼ କହିବା ଟ୍ରେନ ପ୍ରତି ଘୋର ଅପମାନଜନକ । କାହିଁ ଟ୍ରେନ କାହିଁ ଶଗଡ଼ । ଏଥିରୁ ଜଣାଯାଉଛି ଯେ ଯାହା ଦୁନିଆ ବ୍ୟୋମ ଭ୍ରମଣ ଯୁଗର ଆଗମନ ପୁରୁଣାକାଳର ବଳଦଟଣା ଶଗଡ଼ ଭିତରେ ରହିଛି । କବି ମାଡ୍ରାସ ପାସେଞ୍ଜର ବୋଲି ଲେଖି ପାରିଥାନ୍ତେ । ଆମେ ବହୁ ଇଂରାଜୀଶବ୍ଦକୁ ଆମ ନିଜର କରି ନେଲୁଣି । ଟେବୁଲ୍‌, ପେନ୍‌ସିଲ, ଫାଉଣ୍ଟେନ୍‌, ସିଗାରେଟ, କପ୍‌, ଷ୍ଟୋବ୍‌, କାର୍‌, ବସ୍‌, ପରି ଶହ ଶହ ଇଂରାଜୀ ଶବ୍ଦ ଆମେ ଗଦ୍ୟ ପଦ୍ୟରେ ବ୍ୟବହାର କରୁଛୁ । ସେହିପରି ମାଡ୍ରାସ ମେଲ ବା ପୁରୀ ମାଡ୍ରାସ ପାସେଞ୍ଜର ବୋଲି ଖୁସିରେ ଲେଖାଯାଇ ପାରିଥାନ୍ତା-। ତା ନକରି ତାକୁ ବାଷ୍ପୀୟ ଶଗଡ଼ କହିବା କେତେ ଅରୁଚିକର ଓ ଟ୍ରେନ୍‌ ପ୍ରତି ଅପମାନଜନକ ! ଟ୍ରେନ୍‌ର ଯଦି ଟିକିଏ ଭାବିବାର ସ୍ୱତନ୍ତ୍ର ଅଧିକାର ଥାଆନ୍ତା ତେବେ ହୁଏତ ସେ ଟ୍ରାକରୁ ବାହାରି ଯାଇ କିମ୍ବା ଅନ୍ୟ ଏକ ଟ୍ରେନ୍‌ ସହିତ ପିଟି ହୋଇଯାଇ ଅତ୍ମହତ୍ୟା କରିଥାନ୍ତା । ଏହା ମଧ୍ୟ ସମ୍ଭବ ଟ୍ରେନ ଧାବମାନ ହେଲାବେଳେ ଘୋର ଘର୍ଘର ନିନାଦ ଜାତ ହେବାଦ୍ୱାରା ଏହି ପଦଟି ଶୁଣି ପାରିନାହିଁ । କବି କଣ୍ଠ ଲାଳିତ୍ୟପୂର୍ଣ୍ଣ । ସେ ପାରୁପର୍ଯ୍ୟନ୍ତ ପାଟି କଲେ ବି ଡବା ଭିତରେ ଦୂରେଇ ହୋଇ ବସିଥିବା ଯାତ୍ରୀଙ୍କୁ ଶୁଭେ କି ନ ଶୁଭେ । ଏପରିସ୍ଥଳେ ଟ୍ରେନ ଶୁଣିବ କିପରି ! ଏପରି ପିଲାଳିଆ କବିତା ଓଡ଼ିଶାର ସର୍ବଶ୍ରେଷ୍ଠ ଜନନାୟକ, ବୁଦ୍ଧିଜୀବୀ ତଥା ଜଣେ ଉଚ୍ଚକୋଟିର କବି ପଣ୍ଡିତ ଗୋପବନ୍ଧୁଙ୍କ ପକ୍ଷରେ ସମ୍ଭବ କି ?

 

ପୁନଶ୍ଚ ଦେଖନ୍ତୁ, ଯେଉଁ ସମୟରେ ଏ କବିତା ଲେଖା ଯାଇଛି ତାହା ଇଂରେଜ ରାଜତ୍ୱ ସମୟ । ସେମାନେ ଗୋଟିଏ ମିନିଟ୍‌ ଏପାଖ ସେପାଖ ହେବାକୁ ଦିଅନ୍ତି ନାହିଁ । ଆଜିକାଲି ଆମର ମନ୍ତ୍ରୀମାନେ ଯେପରି ନିର୍ଦ୍ଧାରିତ ସମୟର ଘଣ୍ଟାକ ପରେ ସଭାସ୍ଥଳରେ ପହଞ୍ଚନ୍ତି ତାହା ସେତେବେଳେ ଭାବନାତୀତ ଥିଲା । ରେଳଗାଡ଼ି ଗୁଡିକ ମଧ୍ୟ ସେହିପରି ସମୟାନୁବର୍ତ୍ତିତା ଅବଲମ୍ବନ କରୁଥିଲେ । ଶଗଡ଼ ଗାଡ଼ିକୁ ଅଟକାଇ ଦେଇ ଯେପରି ଜଣେ ଶଗଡ଼ଯାତ୍ରୀ ପଦାରେ ଏକ କରେ ଏବଂ ପୁଣି ଶଗଡ଼ରେ ବସି ଯାତ୍ରାର ପୁନରାରମ୍ଭ କରେ ଟ୍ରେନରେ ସେପରି ଆଶା କରିବା ହାସ୍ୟାସ୍ପଦ କଥା । ଟ୍ରେନକୁ ଟିକିଏ ରହ ରହ କହିବା ମଧ୍ୟ ଅନ୍ୟାୟ । ଟ୍ରେନରେ ଯେ କେବଳ କବି ଓ ତାଙ୍କପରି ସମସ୍ତେ ମଉଜ ଭ୍ରମଣକାରୀ ଥିବେ ତାହା କୁହାଯାଇ ନ ପାରେ । କିଏ ଗୋଟିଏ ରୋଗୀ ନେଇ ତୁରନ୍ତ ସହରରେ ଯାଇ ପହଞ୍ଚିବାକୁ ଆପ୍ରାଣ ଉଦ୍ୟମ ଚଳେଇଥିବେ । ଘରେ କିଏ ତାର ଭୀଷଣ ପୀଡ଼ାଗ୍ରସ୍ତ ବାପା ବା ମାଆକୁ ଦେଖିଯିବା ପାଇଁ ବିଦେଶରୁ ଟ୍ରେନରେ ଫେରୁଥିବ । କେହି ଶ୍ୱଶୁରଘରେ ଥିବା ନିଜର ସ୍ତ୍ରୀକୁ ଆଣିବା ପାଇଁ ଉତାଲା ହୋଇ ଟ୍ରେନ‌ରେ ଧାଉଁଥିବ । କେହି କଚେରୀରେ ନିଜ ମକଦ୍ଦମାର ତତ୍ପିରି କରିବା ପାଇଁ ଲଙ୍ଗଳାମୁକୁଳା ହୋଇ ଧାଉଁଥିବ । କେହି ଛୁଟିର ଶେଷଦିନ ଅଫିସରେ ଯୋଗ ଦେବାକୁ ପ୍ରାଣ ବିକଳରେ ଧାଉଁଥିବ, ଠିକ୍‌ ସମୟରେ ନ ପହଞ୍ଚିଲେ ଛୁଟିତକ କଟିଯିବ, କିଏ ଶୀଘ୍ର ପଚନଶୀଳ ଚିଙ୍ଗୁଡି ମାଛ ନେଇ ସହରରେ ବିକିବାକୁ ଧାଉଁଥିବ, ଡେରି ହୋଇଗଲେ ସେଗୁଡ଼ିକ ବିକ୍ରିର ଅଯୋଗ୍ୟ ବିବେଚିତ ହୋଇ ମାଟିରେ ପୋତାହେବ । କିଏ କିପରି ଅତିଶୀଘ୍ର ପର ଷ୍ଟେସନରେ ପହଞ୍ଚିଲେ ଦୁଇ ତିନି କପ ଚାହା ପିଇଦେଇ ସାଷ୍ଟମ ହେବ କିମ୍ବା ତନ୍ତ୍ରତ୍ୟ କୌଣସି ହୋଟେଲରେ ପଶିଯାଇ ନିଜର କ୍ଷୁଧା ଜନିତ ଘୋର ଉଦର କଷ୍ଟ ଅପନୋଦନ କରିବ । କହନ୍ତୁତ ଦେଖି ମଝିରେ ଯଦି ଟ୍ରେନ୍‌କୁ ଅଟକାଇ ଦିଆଯାଏ ତେବେ ଏବଂବିଧ ଯାତ୍ରୀମାନଙ୍କର କି ଘୋର ଦୁର୍ଦ୍ଦଶା ନହେବ ! ଗୋପବନ୍ଧୁ ସମାଜରେ ପ୍ରତିଷ୍ଠିତ ଜଣେ ଅତି ବଡ଼ ଜନନାୟକ । ସେ କେବେହେଲେ କ୍ଷଣକ ପାଇଁ ସୁଦ୍ଧା ଟ୍ରେନ୍‌ଟାକୁ ଅଟକାଇବାକୁ ଚେଷ୍ଟା କରିବେ କି ? ନା ସେ ତାହା କଦାପି କରିବେ ନାହିଁ । ମାଡ୍ରାସ୍‌ ମେଲରେ ବସି ‘‘ରହ ରହ କ୍ଷଣେ ବାଷ୍ପୀୟ ଶକଟ’’ କହିଥିବା ବ୍ୟକ୍ତି କେବେହେଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ହୋଇନପାରନ୍ତି । ସେ ଉତ୍କଳର ବାପୁଜୀ ଥିଲେ । ଜନସାଧାରଣଙ୍କ ସୁଖଦୁଃଖ ସହତ ନିବିଡ଼ ସମ୍ପର୍କ ରଖିଥିଲେ । ବିପଦ ଆପଦ, ଅଭାବ ଅସୁବିଧା ତାଙ୍କର ଦୃଷ୍ଟିକୁ ଏଡ଼ାଇ ପାରୁନଥିଲା-। ମାଡ୍ରାସମେଲ ଭିତରେ ବସିଥିଲାବେଳେ ସହଯାତ୍ରୀମାନଙ୍କର ସମସ୍ୟା ଭଲ ଭାବରେ ହୃଦୟଙ୍ଗମ କରିଥିବେ । ଏପରି ସ୍ଥଳେ ସବୁ ଯାତ୍ରୀଙ୍କ ସମସ୍ୟା ପ୍ରତି ଭ୍ରୂକ୍ଷେପ ନ କରି ଟ୍ରେନ୍‌କୁ ଅଟକାଇବା ଲାଗି ଚେଷ୍ଟା କରିବା କେବେ ହେଲେ ଜନନାୟକ ଗୋପବନ୍ଧୁଙ୍କ ପକ୍ଷେ ସମ୍ଭବ କି ? ଏହା କେବଳ ଦାୟିତ୍ୱହୀନ ରେଳଯାତ୍ରୀ, ଅସାମାଜିକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କ ପକ୍ଷେ ସମ୍ଭବ, ଯେଉଁମାନେ କି ଟ୍ରେନ୍‌ର ଶିକୁଳି ଟାଣି ବରମ୍ବାର ତାକୁ ବାଟରେ ଅଟକାନ୍ତି ଆଉ ସହଯାତ୍ରୀମାନଙ୍କର କ୍ଳେଶ ଓ ପୀଡ଼ାରୁ ଅକଥନୀୟ ଆସୁରିକ ଆନନ୍ଦ ଲାଭ କରିଥାନ୍ତି । ଏହି ପିଶାଚମାନଙ୍କ ମେଳରେ ଜନନାୟକ ଉତ୍କଳମଣି ପଣ୍ତିତ ଗୋପବନ୍ଧୁଙ୍କୁ ନେଇ ବସେଇବା କାହାରି ପକ୍ଷେ ଉଚିତ କି ? ପ୍ରାଣ ଚାଲିଗଲେ ସୁଦ୍ଧା ପଣ୍ଡିତ ଗୋପବନ୍ଧୁ କେବେ ହେଲେ କହିବେ ନାହିଁ ରହ ରହ ବାଷ୍ପୀୟ ଶକଟ ।

 

ହଁ ବେଳେବେଳେ ଜରୁରୀ ଅବସ୍ଥାରେ ଟ୍ରେନ୍‌କୁ ଅଟକାଇବାକୁ ଦରକାର ପଡ଼େ । ଉଦାହରଣ ସ୍ୱରୁପ ଯଦି ଜଣେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼େ କିମ୍ବା ଯଦି କୌଣସି ଯାତ୍ରୀର ସର୍ବସ୍ୱ ଥିବା ଟ୍ରଙ୍କଟି ଟ୍ରେନ ଭିତରୁ ତଳକୁ ଖସିପଡ଼େ ତେବେ ଟ୍ରେନକୁ ଅଟକାଇବାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ । ଡ୍ରାଇଭର ଦେଖିଲା ଦୂରରେ ଟ୍ରକ ଉପରେ ଗୋଟିଏ କାଠଗଡ଼ ଥୁଆ ହୋଇଛି, କେହି ଲୋକ ଆତ୍ମହତ୍ୟା କରିବା ପାଇଁ ଲୁହାଧାରଣା ଉପରେ ବେକ ଦେଇ ଶୋଇଛି । ଲୁହାଧାରଣାର ଯୋଡ଼ ମୁହଁରୁ ଫିସଫ୍ଲେଟ ସବୁ କଢ଼ାହୋଇ ଯାଇଛି । ଏସବୁ କ୍ଷେତ୍ରରେ ଟ୍ରେନ୍‌କୁ ଅଟକାଇବା ଯୁକ୍ତିଯୁକ୍ତ । ନ ଅଟକାଇଲେ ଏକ ଧ୍ୱଂସଲୀଳା ସଂଘଟିତ ହୋଇଯିବ । କିନ୍ତୁ ଏ କ୍ଷେତ୍ରରେ ଟ୍ରେନ ଅଟକା ଯାଉଛି କାହିଁକି–ନା ‘‘ଦେଖିବି ଚିଲିକା ଚାରୁଚିତ୍ରପଟ ।’’ କି ଅବାନ୍ତର କଥା-! ଚିଲିକାର ଚିତ୍ରପଟଟିଏ ଦେଖିବାକୁ ଏଡ଼େବଡ଼ ଟ୍ରେନ୍‌ଟାକୁ ଅଟକାଇବା ପାଇଁ ଚେଷ୍ଟା ! କବି ବଜାରରୁ କିଛି ଟଙ୍କା ଦେଇ ‘ଚିଲିକା’ର ଚିତ୍ରପଟଟିଏ କିଣିନେଇପାରିଥାନ୍ତେ ଏବଂ ତାକୁ କାନ୍ଥରେ ଲଟକାଇ ଦିନରାତି ମନଇଚ୍ଛା ଦେଖୁଥାଆନ୍ତେ । ତା ନକରି ଏଇ ସାମାନ୍ୟ କଥା ପାଇଁ ଦ୍ରୁତଗାମୀ ଏକ ଟ୍ରେନ୍‌ ଅଟକାଇ ଏବଂ ହଜାର ହଜାର ଲୋକଙ୍କୁ ଅସୁବିଧାରେ ପକାଇ ଗୋଟିଏ ଚିତ୍ରପଟ ଦେଖିବା କେବେହେଲେ ଜନନାୟକ ପଣ୍ଡିତ ଗୋପବନ୍ଧୁଙ୍କ ପକ୍ଷେ ସମ୍ଭବ ନୁହେଁ । ଏପରି କର୍ମ ଜଣେ ଅବିମୃଷ୍ୟକାରୀ ପାଷଣ୍ଡ ପକ୍ଷେ ସମ୍ଭବ ।

 

ପଣ୍ଡିତ ଗୋପବନ୍ଧୁ ଯେ ଟ୍ରେନ୍‌କୁ ଅଟକାଇବାର ଚେଷ୍ଟା କରିନାହାନ୍ତି ତାହା ପୁରୁଣା ରେକର୍ଡପତ୍ରରୁ ମଧ୍ୟ ସହଜରେ ଜାଣିହେବ । ଟ୍ରେନ୍‌ଟାକୁ କହିଦେଲେ ଯେ ସେ ମନକୁ ଅଟକିଯିବ ତାହାନୁହେଁ । ଅଟକାଇବାକୁ ହେଲେ ବିପଦ ଶିକୁଳି ଟାଣିବାକୁ ହୁଏ । ଯଦି ପଣ୍ଡିତ ଗୋପବନ୍ଧୁ ଟାଣିଥିବେ ତେବେ ଗାଡ଼ି ବନ୍ଦ ହୋଇଥିବ । ଗାର୍ଡ ଓ ନିରାପତ୍ତା ରକ୍ଷୀମାନେ ସେହି କମ୍ପାଟମେଣ୍ଟକୁ ଧାଇଁ ଯାଇଥିବେ । କିଏ ଟାଣିଲା ଟାଣିଲା ଚିତ୍କାର କରି ପଣ୍ଡିତ ଗୋପବନ୍ଧୁଙ୍କୁ ପକଡ଼ି ଥିବେ । ତାଙ୍କୁ ପଚାରିଥିବେ–ବାବୁ ବିପଦ ଶିକୁଳି କାହିଁକି ଟାଣିଲ ? ପଣ୍ଡିତ ଗୋପବନ୍ଧୁ ଉତ୍ତର ଦେଇଥିବେ–ଚିଲିକାର ଚାରୁଚିତ୍ରପଟ ଦେଖିବାକୁ ଟ୍ରେନ୍‌କୁ ଟିକିଏ ଅଟକାଇ ଦେଇଛି । ଗାର୍ଡ ଓ ନିରାପତ୍ତାରକ୍ଷୀମାନେ ପଣ୍ଡିତ ଗୋପବନ୍ଧୁଙ୍କ ମୁହଁକୁ ବାଲୁବାଲୁ କରି ଚାହିଁଥିବେ, ଶିକୁଳି ତଳେ ମରାହୋଇଥିବା ଫଳକଟି ଦେଖାଇ ଦେଇଥିବେ ଯେଉଁଥିରେ କି ଲେଖା ହୋଇଥାଏ ଗାଡ଼ି ଅଟକାଇବାକୁ ଶିକୁଳି ଟାଣ । ଅପବ୍ୟବହାର ପାଇଁ ପଚାଶଟଙ୍କା ଜୋରିମାନା । ଆଉ କହିଥିବେ–ଆଜ୍ଞା ପଚାଶ ଟଙ୍କା ଅଣ୍ଟାରୁ କାଢ଼ନ୍ତୁ କିମ୍ବା ଜିଆର୍‌ପି ହାଜତକୁ ଆସନ୍ତୁ । ଆପଣମାନେ ହୁଏତ କହିପାରନ୍ତି ହଅ ମ, ପଚାଶଟାଟଙ୍କା ତୁଚ୍ଛ କଥା । ଗୋଟାଏ ଭିକାରୀର ଦେହମଳି ସଙ୍ଗେ ସମାନ । ପଣ୍ଡିତ ଗୋପବନ୍ଧୁ ଚୁପ୍‌ଚାପ୍‌ ଦେଇ ପକାଇଥିବେ । ଆଜ୍ଞା–ନା–ନା–ସେତେବେଳେ ପଚାଶ ଟଙ୍କାକୁ ଆଜିକାଲିର ପଚାଶଟଙ୍କା ବୋଲି ଭାବନ୍ତୁ ନାହିଁ । ତାହା ଏବର ହଜାର ଟଙ୍କା ସଙ୍ଗେ ସମାନ । ସେତେବେଳେ ପଣ୍ଡିତ ଗୋପବନ୍ଧୁଙ୍କ ଅଣ୍ଟାରେ ସେତେ ଟଙ୍କା ଥିବ କି ନା ସନ୍ଦେହ । ଘରୁ ବାହାରି ପଡ଼ିଲେ ପଣ୍ଡିତ ଗୋପବନ୍ଧୁ ଦୁଃଖୀରଙ୍କିଙ୍କ ହାବୁଡ଼ରେ ପଡ଼ୁଥିଲେ । ପରଦୁଃଖ ଦେଖିବା ମାତ୍ରେ କାନ୍ଦି ପକାଇ କିଛି ନା କିଛି ଅଣ୍ଟାରୁ କାଢ଼ି ଦେଇ ପକାଉଥିଲେ । ସେ ଏହିପରି ଦେଇ ଦେଇ ଷ୍ଟେସନରେ ପହଞ୍ଚିଥିବେ ଏବଂ ଡବାରେ ବସିଥିଲା ବେଳେ ବି ମାଗନ୍ତାମାନଙ୍କ ଆର୍ତ୍ତଧ୍ୱନିରେ ବିଗଳିତ ହୋଇ ଅଣ୍ଟା ସଫାକରି ଦେଇଥିବେ । ପଚାଶ ଟଙ୍କା ପୁଣି ଆଣିଲେ କୁଆଡ଼ୁ ? ମନେକର ସେଦିନ ଦୁଃଖୀରଙ୍କି ହାବୁଡ଼ି ନଥିବେ ଏବଂ ଏପରି ସାମାନ୍ୟ ଅସାମାଜିକ କଥାରେ ହାଜତକୁ ଯିବା ଅସମ୍ମାନଜନକ ଭାବି ଟଙ୍କାତକ ଦେଇ ପକାଇଥିବେ । ତେବେ ସେ ଟଙ୍କାର ରସିଦ୍‌ ଗାର୍ଡ ନିଶ୍ଚୟ ଦେଇଥିବ । କିନ୍ତୁ ସେ ରସିଦ୍‌ କାହିଁ ? ସେପରି ରସିଦ୍‌ର ଚିହ୍ନ ସମାଜ ସମ୍ପାଦକ ଡକ୍ଟର ଶ୍ରୀ ରାଧାନାଥ ରଥଙ୍କ ପାଖରେ ସୁଦ୍ଧା ନାହିଁ । ହଜିଯାଇଥିବ ବୋଲି କହିବା ମଧ୍ୟ ଅବାନ୍ତର । ପଣ୍ଡିତ ଗୋପବନ୍ଧୁଙ୍କ ଆାୟବ୍ୟୟ ରେକର୍ଡ, ଚିଠିପତ୍ର, ଚିରିକୁଟି ଆଦି ସବୁକିଛି ସମାଜ ଅଫିସରେ ଡକ୍ଟର ରଥଙ୍କ ଦ୍ୱାରା ସୁରକ୍ଷିତ ହୋଇ ରହିଛି । ତେବେ ଏ ରସିଦ୍‌ଟି ଗଲା କୁଆଡ଼େ ? ଧରନ୍ତୁ ସେ ଟଙ୍କା ନଦେଇ ଜେଲ ଯାଇଥିଲେ । ତାହା ହେଲେ ଜେଲ୍‌ ରେକର୍ଡରେ ସେକଥା ଥାଆନ୍ତା । ସେ କଥାତ କୌଣସି ରେକର୍ଡରୁ ବାହାରୁ ନାହିଁ । ଏପରି ଏକ ଘଟଣାରେ ସେ ବି ଜେଲ୍‌ ଯାଇ ନାହାନ୍ତି । ରେଳଯାତ୍ରା ବେଳେ ପଣ୍ଡିତ ଗୋପବନ୍ଧୁ ଜୋରିମାନା ଦେଇ ନାହାନ୍ତି କି ଜେଲ୍‌ ଯାଇ ନାହାନ୍ତି । ଟ୍ରେନ୍‌କୁ ଏପରି ଏକ ସାମାନ୍ୟ ଘଟଣାରେ ଅଟକେଇବାକୁ ଚେଷ୍ଟା କରିଥିଲେ ସେ ଏ ଦୁଇଟି ଦଣ୍ଡରୁ ଗୋଟିଏ ନିଶ୍ଚିତ ଭାବରେ ଭୋଗିଥାନ୍ତେ । ସୁତରାଂ ଏହା ନିଃସନ୍ଦେହରେ ପ୍ରମାଣିତ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଏ ପଦ୍ୟଟି ଲେଖି ନାହାନ୍ତି ।

 

ଅତ୍ୟଧିକ ନିଶାରେ ଆକ୍ରାନ୍ତ ହେଲେ ଜଣେ ବ୍ୟକ୍ତି ଅସମ୍ଭବ ଓ ଅପ୍ରାକୃତିକ କଥାସବୁ କହିଥାଏ । ଏ ପଦ୍ୟଟିକୁ ନିଶ୍ଚୟ କେହି ନିଶାରେ ଭୋଳଥିବା ରେଳଯାତ୍ରୀ ଲେଖିଦେଇଛି ଏବଂ ତାର ବହୁଳ ପ୍ରଚାର ଉଦ୍ଦେଶ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପବିତ୍ର ନାମକୁ ଯୋଖି ଦେଇଛି-। ଓଡ଼ିଶା ଶିକ୍ଷା ବିଭାଗ ତୁରନ୍ତ ଏ ଭୁଲ୍‍ ସଂଶୋଧନ କରେଇ ନେବା ଉଚିତ । ସରକାର ଯଦି ଏହାର ଆଶୁ ପ୍ରତିବିଧାନ ନ କରନ୍ତି ତେବେ ଆସନ୍ତା ନିର୍ବାଚନରେ ଘୋର ଅସୁବିଧାର ସମ୍ମୁଖୀନ ହେବେ । ଦୟାମୟ ପ୍ରଭୁ ଶିକ୍ଷାମନ୍ତ୍ରୀ ତଥା ଡି: ପି: ଆଇଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ।

Image

 

ବହୁତ ଲୋକ ଯହିଁ ମିଳି ଅବଶ୍ୟ ଉପୁଜଇ କଳି

 

ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା କରି ଗୋଟିଏ ତଥ୍ୟ ସାଧାରଣତଃ ବାହାର କରିଥାନ୍ତି । ସେଇଟା ଳୋକ ହିତକର ହୋଇଥାଉ ବା ଅହିତକର ହୋଇଥାଉ । ବେଗର ପରିଶ୍ରମରେ ତଥ୍ୟ ବା ସତ୍ୟ ବାହାରିବା ସମ୍ଭବ ନୁହେଁ । ଉପରଲିଖିତ ଦି’ଧାଡ଼ି କବିତା ଏକପ୍ରକାର ଗୋଟିଏ ତଥ୍ୟ ବା ସିଦ୍ଧାନ୍ତ ଅଟେ । କି କି ଘଟଣାବଳି ଦେଖି ଓ ସେ ଗୁଡ଼ିକର ପରୀକ୍ଷା ନିରୀକ୍ଷା କରି ଗବେଷକ ଏ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ଜାଣିଲେ ବିଷୟଟି ପ୍ରାଞ୍ଜଳ ହୋଇଯିବ ।

 

ଥରେ ଜଣେ ତିର୍ଲା ଉଦୁଖଳରେ ଧାନ କୁଟୁଥିଲା । ତାହାର ପ୍ରତି ହାତରେ ପାଞ୍ଚପଟ ଲେଖାଏଁ ଖଡ଼ୁ ଥିଲା । ହାତରେ ପାହୁରାଣି ଧରି ଧାନ କୁଟିଲା ବେଳେ ଝମ୍‌ ଝମ୍‌ ଶବ୍‌ଦ ହେଉଥିଲା-। ତାଙ୍କ ଘରେ ସେତେବେଳେ ଜଣେ କୁଣିଆ ଥିଲେ । ତିର୍ଲା ଜଣକ ଭାବିଲା ଯେ ତା ହାତର ଏ ଝମ୍ ଝମ୍ ଶବ୍ଦ ଶୁଣିଲେ କୁଣିଆ ଭାବରେ ଯେ ତିର୍ଲାଟା ସେ ଘରର ବୋହୂ ନୁହେଁ, ଧାନକୁଟୁଣୀ । ସେଥିଲାଗି ସେ ସେହି ଝମ୍‌ ଝମ୍‌ ଶବ୍‌ଦ ବନ୍ଦ କରି ଦେବାକୁ ଚାହିଁଲା । ଇଚ୍ଛା ବଳବତୀ ହେବାରୁ ଏଡ଼ିସନ୍‌ ଫନୋଗ୍ରାଫ ମାର୍କୋନି ବେତାର, ଜେମସ୍‌ ୱାଟ ବାଷ୍ପୀୟ ଯନ୍ତ୍ର, ରାଇଟ ବ୍ରଦର୍ସ, ଉଡ଼ାଜାହାଜ ନୋବେଲ ବନ୍ଧୁକ ବାରୁଦ ଆଦି ସଟ୍‌ ସାଟ୍‌ କାଢ଼ି ପକେଇଲେ । ତିର୍ଲା ଜଣକ ପଛେଇବ କାହିଁକି ? ସେ ଖୁବ୍‌ ଗବେଷଣା କଲା । ହଠାତ୍ ତା ମୁଣ୍ଡକୁ ଗୋଟାଏ ବୁଦ୍ଧି ପଇଟିଗଲା-। ପ୍ରତ୍ୟେକ ହାତରେ ପାଞ୍ଚପଟ ଲେଖାଏଁ ଖଡ଼ୁ ଥିଲା । ସେ ଦେଖିଲା ଖଡ଼ୁରେ ଖଡ଼ୁ ବାଜିବା ଦ୍ୱାରା ଝମ୍‌ ଝମ୍‌ ହୋଇ ଶବ୍‌ଦ ବାହୁରୁଛି । ଏ ଖଡ଼ୁ ସଙ୍ଘର୍ଷ ବନ୍ଦ କରି ଦେଲେ ଶବ୍‌ଦ ଆଉ ହେବ ନାହିଁ-। ତା ଆଗରେ ରାସ୍ତା ଫିଟିଗଲା ।

 

ତାର ଗବେଷଣା ସମ୍ପୂର୍ଣ୍ଣ ହୋଇଗଲା । ସଙ୍ଘର୍ଷରେ ଶବ୍ଦ ଜାତ ଓ ସଙ୍ଘର୍ଷର ବିରତିରେ ଶବ୍ଦର ବିରତି । ସେ ପାଞ୍ଚଟାଯାକ ଖଡ଼ୁ ପ୍ରତି ହାତରୁ କାଢ଼ି ଦେବାକୁ ପ୍ରଥମେ ସ୍ଥିର କଲା । ତା’ର ମନେ ପଡ଼ିଗଲା–ଉଁ ହୁଁ ଏଇଟା ରାଣ୍ଡତ୍ୱର ଚିହ୍ନ । ବୁଦ୍ଧିକୁ ପୁଣି କାମରେ ଖଟେଇ ଦେଲା । ପ୍ରତି ହାତରୁ ଚାରିପଟ ଲେଖାଏଁ ଖଡ଼ୁ କାଡ଼ିଦେଇ ସଙ୍ଘର୍ଷକୁ ବନ୍ଦ କରିଦେଲା । ସଙ୍ଗେ ସଙ୍ଗେ ଶବ୍ଦ ବି ବନ୍ଦ ହୋଇଗଲା । ବହୁ ଆୟାସଲବଧ ଏହି ଜ୍ଞାନକୁ ସେ ସମସ୍ତଙ୍କୁ ବିତରଣ କରିଦେଲା । କ୍ରମେ ବହୁତ ଖଡ଼ୁ, ବହୁତ ଲୋକରେ ପରିଣତ ହେଲା ଆଉ ଶବ୍ଦଟା କଳିରେ ପରିଣତ ହେଲା । ଜଗନ୍ନାଥ ଦାସଙ୍କ କାନରେ ଏଇଟା ପଡ଼ିଲା । ସେ ତାକୁ ଗ୍ରନ୍ଥସ୍ଥ କରିଦେଲେ । ଯୁଗ ଯୁଗ ଧରି ସମସ୍ତେ ପଢ଼ିଲେ–ବହୁତ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି ।

 

ଅନେକ ସମୟରେ ଜ୍ଞାନର ପରିମାର୍ଜଣ ଘଟେ । ପରିପାର୍ଶ୍ୱ ସମୟ ସମୟରେ ଅକାଟ୍ୟ ସତ୍ୟକୁ ଅକାଟ୍ୟ ମିଥ୍ୟାରେ ପରିଣତ କରିଦିଏ ଗାଲିଲିଓଙ୍କ ପୂର୍ବରୁ ‘ପୃଥିବୀ ସ୍ଥିର ଆଉ ସୂର୍ଯ୍ୟ ତା’ର ଚାରିପଟେ ବୁଲୁଛନ୍ତି’କୁ ସମସ୍ତେ ଅକାଟ୍ୟ ସତ୍ୟ ବୋଲି ବିଚାରୁଥିଲେ । ସେଇଟା ତ ପୁଣି ଅକାଟ୍ୟ ମିଥ୍ୟାରେ ପରିଣତ ହୋଇଗଲା ! ଠିକ୍‌ ଏହିପରି ‘ବହୁତ ଲୋକ ଯହିଁ ମିଳି’ର ଘଟ ପରିବର୍ତ୍ତନ ହୋଇଛି, ତାହା ମିଥ୍ୟାରେ ପରିଣତ ହୋଇଗଲାଣି । ଅର୍ଥାତ ବହୁଲୋକ ଏକାଠି ହେଲେ ସୁଦ୍ଧା ସେଠାରେ କଳି ହେଉନି । ଅନେକ ଜାଗାରେ ଏଇଟା ଦେଖାଦେଲାଣି; କାଳକ୍ରମେ ଏଇଟା ସବୁ ଜାଗାରେ ଦେଖାଦେବ ।

 

କେଉଁ କେଉଁ ସ୍ଥାନରେ ବହୁତ ଲୋକ ମିଳିଲେ ସୁଦ୍ଧା କଳି ଉପୁଜୁ ନାହିଁ ତାହା ବର୍ତ୍ତମାନ ଦେଖାଯାଉ । ଏଠି ହଜାର ହଜାର ଲକ୍ଷ ଲକ୍ଷ ଲୋକ ମିଳିମିଶି ଚଳନ୍ତି, ଟିକିଏ ହେଲେ କଳିଗୋଳ ଏଠାରେ ଦେଖାଦିଏ ନାହିଁ । କିନ୍ତୁ ବାହାରର ଆଉ ଦଳେ ସୈନ୍ୟ ବା ଶତ୍ରୁ ସୈନ୍ୟ ସେମାନଙ୍କର ମୁହାଁ ମୁହିଁ ହୋଇଗଲେ ଲାଗି ଯାଉଥିଳା କଳି । ବହୁତ ଲୋକ ଏକାଠି ରହି କଳି ଲଗାନ୍ତି ନାହିଁ । ବହୁତ ଦଳ ଏକାଠି ହେଲେ କଳି ଲାଗେ । ବହୁତ ଲୋକ ଏକାଠି ହେବାର ଆଉ ଗୋଟିଏ ଥାନ ହେଲା ବିଧାନସଭା । ବିଧାନ–ସଭା ଭିତରେ ପଶିବା ମାତ୍ରେ ଦେଖିବ, ସଭ୍ୟମାନେ ଦଳବାନ୍ଧି ବସିଛନ୍ତି । ସବୁଁଠୁ ମୋଟା ଦଳ ହେଲେ ଶାସକ ଦଳ । ତା ତଳକୁ ଆଳକୁଚି ମାଳକୁଚି ଦଳ ସବୁ ନିଜ ନିଜ ଅସ୍ଥାନ ମାଡ଼ି ବସି ରହିଛନ୍ତି । ବିଧାନ ସଭା ବାହାରେ ଏମାନେ ନିଜ ନିଜ ଘରେ କଳି ନକରି ଶାନ୍ତିରେ ଥାଆନ୍ତି । ଯେମିତି ବିଧାନସଭା ଭିତରକୁ ଯାଆନ୍ତି ଓ ଅନ୍ୟ ଦଳର ସଭ୍ୟମାନଙ୍କୁ ଦେଖନ୍ତି ସେମିତି ଖିଙ୍କରାଖିଙ୍କିରି ଆରମ୍ଭ କରି ଦିଅନ୍ତି । ଗୋଟାଏ ପାଖରେ ସରକାରୀ ଦଳ, ଅନ୍ୟ ପାଖରେ ବିରୋଧୀ ଦଳ ଭୋକ ଶୋଷ ଭୁଲି ସମୟ ସମୟରେ କଳି କରି ଘର କମ୍ପାଇ ଦିଅନ୍ତି ।

 

ପୁରାଣ ଯୁଗରେ ଘଟଣାବଳି ଦେଖିଲେ ଏହାର ସତ୍ୟତା ମଧ୍ୟ ପ୍ରତିବାଦନ କରିହେବ । ଦ୍ୱାପର ଯୁଗରେ ମହାଭାରତରେ ଏହାର ନଜିର ଦେଖିବାକୁ ମିଳେ । କୌରବ ଓ ପାଣ୍ଡବମାନେ ଦୁଇ ଦଳ ଥିଲେ । ସେମାନେ କେହି ନିଜ ନିଜ ଭିତରେ କଳି କରୁ ନ ଥିଲେ । ବଡ଼ଭାଇର ଆଦେଶକୁ ସାନ ଭାଇମାନେ ପାଳି ଯାଉଥିଲେ । ତେରିମେରିର ଗନ୍ଧ ସୁଦ୍ଧା ନଥିଲା । ଅଥଚ କୌରବ ପାଣ୍ଡବ ଦୁଇଦଳ ହୋଇ ଯେଉଁ କଳି କରିଥିଲେ ତାହା ମହାଭାରତରେ କାଳକାଳକୁ ଲିପିବଦ୍ଧ ହୋଇଗଲା । ରୁଷିଆରେ ଲୋକ ବହୁତ, ହେଲେ ଦଳ ଗୋଟାଏ । ସେଥିଲାଗି ସେଠି କଳିଗୋଳର ଗନ୍ଧ ନାହିଁ । ଆମେରିକାରେ ମାତ୍ର ଦୁଇଟା ଦଳ । ଦୁଇଟା ଦଳ ଥିବାରୁ ଅଳପ ଅଳପ କଳି ହୁଏ । ଇଂଲଣ୍ଡର ଦୁଇଟା ବଡ଼ ଦଳ ଛଡ଼ା ଆଉ ଗୋଟାଏ ଦୁଇଟା ଚୁଇଁଦଳ ଅଛନ୍ତି । ତେଣୁ ସେଠି ଟିକିଏ ବେଶି କଳି ଲାଗେ । ଆମ ଭାରତ ବର୍ଷ କଥା ଛାଡ଼ । ଏଠି କେତେ ଦଳ ଅଛନ୍ତି ତାହା ସ୍ୱୟଂ ଇଲେକ୍‌ସନ କମିଶନର ଟିପାଖାତା ନ ଦେଖିଲେ କହି ପାରନ୍ତି ନାହିଁ । ଆମର ଏଠି ସବୁବେଳେ କଳି ପୁରି ରହିଛି । ଦି ଦଳ ହାଲିଆ ହୋଇ ପଡିବା ମାତ୍ରେ ଆଉ ଦି ଦଳ କଳି ପୁରି ରହଛି । ଦି ଦଳ ହାଲିଆ ହୋଇପଡ଼ିବା ମାତ୍ରେ ଆଉ ଦି ଦଳ କଳି ଲଗାନ୍ତି । ଦିନ ରାତି ସବୁବେଳେ କଳି । ବର୍ଷ ସାରା ଅଷ୍ଟପ୍ରହରୀ ଅର୍ଥାତ୍‌ ୩୬୫X୮=୨୯୨୦ ପ୍ରହରୀ ଏଠି ଲାଗି ରହିଛି । ଲୋକସଭା କଳିରେ କେବଳ ପାଟି ପରିଶ୍ରମ କରେ । କିନ୍ତୁ ବିଧାନସଭା କଳିରେ ପାଟି, ହାତ ଗୋଡ଼, ଯୋତା, ଚପଲ ସମସ୍ତେ ପରିଶ୍ରମ କରନ୍ତି । ଯୋତା ଚପଲରେ ତ ପର ଲାଗିଯାଏ । ସେମାନେ ବିଧାନସଭା ଭିତରେ ଏପାଖ ସେପାଖ ଉଡ଼ନ୍ତି । ଗୋଟାଏ ନଗଦାନଗଦି ଉଦାହରଣ ଦେଖାଯାଉ । ଲୋକସଭାରେ ବହୁବର୍ଷ ଯାଏ କଂଗ୍ରେସ ଦଳ କ୍ଷମତାରେ ଥିଲେ । ସେ ଦଳଟା ଗୋଟାଏ ନିରୁତା ଦଳ ହୋଇଥିବାରୁ ନିଜ ନିଜ ଭିତରେ କଳି କରୁନଥିଲେ । ମନ ଭିତରେ ଯାହା ଥାଉ ପଛକେ ପଦାରେ କିଛି ପ୍ରକାଶ କରୁ ନଥିଲେ । ତାଙ୍କ ପରେ ଜନତା ଦଳ ଆସିଲେ । ଏ ଦଳଟା ନିରୁତା ଦଳ ନଥିଲା । ଅଗା, ବଗା, ଖଗା ଓ ବାଗାଙ୍କ ପରି କେତେଗୁଡ଼ିଏ ଦଳ ତରବରରେ ଗୋଟାଏ ଜନତା ଚାଦରରେ ଘୋଡ଼େଇ ହେଇପଡ଼ିଲେ । ବାହାରକୁ ସେମାନେ ଗୋଟାଏ ଦଳ ପରି ଦେଖାଗଲେ କିନ୍ତୁ ଭିତରେ ଯେଉଁ ଅଗା ବଗା ଖଗାକୁ ସେହି ଅଗା ବଗା ଖଗା । ଚାଦର ଭିତରେ ରହି ହେଲେ ଚିମୁଟା ଚିମୁଟି, କାମୁଡ଼ା କାମୁଡ଼ି । ଚାଦରଟା ଚିରିଗଲା । ସମସ୍ତଙ୍କର ସ୍ୱରୁପ ପ୍ରକାଶ ପାଇଗଲା । ଲୋକେ ସେମାନଙ୍କୁ ଠେଙ୍ଗୁଣିରେ ସେକିଦେଇ ନିକାଲି ଦେଲେ । ପୁଣି ନିରୁତା କଂଗ୍ରେସ ଆସିଲା ।

 

ଆଜିଯାଏ କାମକରି ଚାଲିଛି । ‘ଗୋଟାଏ ଦଳରେ ଚୁପଚାପ, ବହୁତ ଦଳରେ କଳି’ର ଗୋଟାଏ କାରଣ ଅଛି । ଗୋଟିଏ ଦଳରେ ଗୋଟାଏ ଷଣ୍ଢର ଭୁଷା ଭୟରେ ନିଜ ନିଜ ଭିତରେ ଗୋଳ କରନ୍ତି ନାହିଁ । ମନରେ ଯାହା କିଛି ବିରକ୍ତି ବା କ୍ରୋଧ ଦେଖାଦିଏ ତାକୁ ମନ ଭିତରେ ହଜମ କରି ଦିଅନ୍ତି । ଯେତେବେଳେ ଦୁଇ ବା ତତୋଽଧିକ ଦଳ ମୁହାଁମୁହିଁ ହୋଇ ଯାଆନ୍ତି ସେତେବେଳେ ଅବସ୍ଥାଟା ଅନ୍ୟ ପ୍ରକାର ହୋଇଯାଏ । ଦଳର ଷଣ୍ଢମାନେ ଫଁ ଫାଁ ଆରମ୍ଭ କରି ଦିଅନ୍ତି । ନିଜ ନିଜ ଷଣ୍ଢମାନଙ୍କୁ ଖୁସି କରିବା ଲାଗି ସଭ୍ୟମାନେ ଏକାବେଳକେ ତେରି ମେରି ହୋଇ ଉଠନ୍ତି । କଳି ପୁରା–ଦମରେ ଲାଗିଯାଏ ।

 

ଆହୁରି ଦେଖନ୍ତୁ–କ୍ଲାସ ଭିତରେ ଅନେକ ଛାତ୍ର ଥାଆନ୍ତି ସମସ୍ତେ ଶିକ୍ଷକଙ୍କ ଠାରୁ ପାଠ ଶୁଣିବାରେ ବ୍ୟସ୍ତ ରହନ୍ତି । କେହି କଳି ତକରାଳ କରନ୍ତି ନାହିଁ । କିନ୍ତୁ ଫୁଟବଲ ପଡ଼ିଆରେ ଦୁଇ କ୍ଲାସ ବା ଦୁଇ ସ୍କୁଲ ଯେତେବେଳେ ମୁହାଁମୁହିଁ ହୋଇ ଯାଆନ୍ତି ସେତେବେଳେ ଲାଗେ କଳି । ସାହି ଟୋକାଙ୍କ କଥା ଦେଖନ୍ତୁ । ଏମାନେ ଗୋଟି ଗୋଟିକିଆ ହୋଇ ରହିଥିଲେ କଳି ତକରାଳ ହୁଏ ନାହିଁ । ଟିକିଏ କଳି ଆରମ୍ଭ କରିବାକୁ ମନ ଖଜବଜ ହେଲେ ସେ ଆଗ କେତେଜଣକୁ ଏକାଠି କରି ଗୋଟାଏ ମେଣ୍ଟ ବା ଦଳ କରେ । ଯାହା ସାଙ୍ଗରେ କଳି ହେବ ସେ ମଧ୍ୟ ଆତ୍ମରକ୍ଷା ପାଇଁ ଗୋଟାଏ ମେଣ୍ଟ କରିନିଏ । ତାପରେ ଲାଗେ କଳି, ଆଉ ସେଇଟା ଜମେ । ବେଳେବେଳେ ଦେଖାଯାଇଥାଏ ଜଣଜଣିକିଆ ହୋଇ ଦୁଇଜଣ କଳି କରୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହାକୁ ଦିଜଣିଆ କଳି କୁହାଯାଇପାରିବନି । କଳି ଆଗରୁ ପ୍ରତ୍ୟେକ ବନ୍ଧୁମାନଙ୍କର ଦୈହିକ ଉପସ୍ଥିତି ନଥିଲେ ବି ସେମାନେ ଆଗରୁ ଦେଇଥିବା ଉତ୍ସାହ ଉଦ୍ଦୀପନା ତା ମନରେ ସତେଜ ହୋଇ ରହିଥାଏ । ସେଠି ଉତ୍ସାହ ଉଦ୍ଦୀପନା ସ୍ମରଣ କରି ସେ କଳି କରେ । ବନ୍ଧୁମାନେ ଯେ ତା ପଛରେ ଅଛନ୍ତି ତାହା ସେ ଅନୁଭବ କରି କଳି ଆରମ୍ଭ କରେ । ଏବେ ଆମେ ଦେଖୁଛୁ ବହୁତ ଲୋକ ଏକାଠି ହୋଇଗଲେ ଯେ କଳିଟା ଲାଗିଯିବ ତାହା ନୁହେଁ । ସେମାନଙ୍କ ଭିତରେ ଦୁଇ ତିନିଟା ମେଣ୍ଟ ବା ଦଳ ନ ହେଲେ କଳି ହବନି । ଜଗନ୍ନାଥ ଦାସ ଲେଖିଥାଆନ୍ତେ–ବହୁତ ଲୋକ ଯହିଁ ମିଳି, ବେଳେବେଳେ ଉପୁଜଇ କଳି, ତେବେ ତାହା ବିଚାରର ପରିସର ଭିତରକୁ ଆସିଥାଆନ୍ତା, କିନ୍ତୁ ‘ଅବଶ୍ୟ’ ଲେଖିଦେଇ ସେ ଭୂଲ୍‌ କରିଦେଲେ । ଲୋକେ ଏକାଠି ହୋଇଗଲେ ଅଲବତ କଳି ଲାଗିବ ବୋଲି କହିବା ଉଚିତ୍‌ ହେଲା ନାହିଁ । ଧର୍ମ ସଭାରେ, ମେଳା ଉତ୍ସବରେ ବହୁତ ଲୋକ ଏକତ୍ର ହେଲେ ସୁଦ୍ଧା ସେହି କଳି ଲାଗେ ନାହିଁ । ଖୋଜି ବସିଲେ ଏମିତି ବହୁତ ସ୍ଥାନ ମିଳିବ ଯେଉଁଠାରେ କି ବହୁତ ଲୋକ ଏକଜୁଟ୍ ହେଲେବି କଳି ଲାଗେ ନାହିଁ । ତେଣୁ ଏ କବିତା ଦୁଇପଦ ଭୂଲ୍‌ । କପିଳେଶ୍ୱର ପୁରରୁ ଆମେ ଗୋଟିଏ ଅସଲ ଭାଗବତ ପାଇଥିଲୁ । ସେଥିରେ ଲେଖାଥିଲା–‘‘ବହୁତ ଲୋକ ଯହିଁ ମିଳି, କ୍ୱଚିତ ଉପୁଜଇ କଳି’’ ଏହାକୁ ପଢ଼ି ଆମ ଆଖି ଖୋସି ହୋଇଗଲା । ଭାଗବତକାରଙ୍କ ଜ୍ଞାନ ବିଷୟରେ ଯେଉଁ ସନ୍ଦେହ ଉପୁଜିଥିଲା ତାହା ସଙ୍ଗେ ସଙ୍ଗେ ଦୂରୀଭୂତ ହୋଇଗଲା । କ୍ୱଚିତ୍‌’ଟା ‘ଅବଶ୍ୟ’ କିପରି ହେଲା ତାହା ଆମେ ବହୁ ଅନୁସନ୍ଧାନ ଓ ଗବେଷଣା କରି ଜାଣିପାରିଛୁ । ‘ଗିନା’ଟା ଗିନା ଗିନା ହୋଇ ତାଟିଆ ହୋଇ ଯାଇଥିବା କଥା ପ୍ରାୟ ଅଧିକାଂଶ ଅଧ୍ୟାପକ ଓ ସାହିତ୍ୟିକ ଜାଣନ୍ତି । ‘କ୍ୱଚିତ୍‌’ଟା ସେହିପରି ‘ଅବଶ୍ୟ’ ହୋଇଯାଇଛି । ‘କ’ ହେଉଛି ବ୍ୟଞ୍ଜନ ବର୍ଣ୍ଣର ପ୍ରଥମ ଅକ୍ଷର । ଏଇଟା ଭୟାଳୁ ନ୍ୟାୟରେ ପଛେଇ ପଛେଇ ସ୍ୱରବର୍ଣ୍ଣର ପ୍ରଥମ ଅକ୍ଷର ‘ଅ’ ହୋଇଗଲା ‘ଚ’ରେ ଲାଗିଥିବା ଇକାରଟି ସିଧା ହୋଇଯାଇ ‘ଚ’ର ତଳ ଦେଶରେ ଖୁଣ୍ଟପରି ଲାଗିଗଲା । ଅର୍ଥାତ୍‌ ‘ଚି’ଟା ‘ବ’ ହୋଇଗଲା । ‘ତ’ଟା ସବୁକିଛି ଆଇନ୍‌ କାନୁନ୍ ଭାଙ୍ଗି ‘ଶ୍ୟ’ ହୋଇଗଲା । କ୍ୱଚିତ୍‌’ଟା ଏହିପରି ଭାବରେ ‘ଅବଶ୍ୟ’ ହୋଇଗଲା । ଏଥିରେ ଭାଗବତକାରଙ୍କ କିଛି ହେଲେ କସୁର ନାହିଁ । ଆମ ମତରେ ଏବେ ଏ ‘ଅବଶ୍ୟ’କୁ ଉଠାଇ ସେଠାରେ ‘କ୍ୱଚିତ୍‌’ ସନ୍ନିବେଶ କରାଯାଉ । ଏହା ଭାଗବତକାରଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ ହେବ । ସତ କଥାଟା କେବେ ହେଲେ ଲୁଚିପାରେ ନାହିଁ । ଏବେ ଏହା ଉପରକୁ ଫୁଟି ଉଠିଛି । ସୁଧୀ ଅଧ୍ୟାପକ ଗଣ ଏହା ତୁରନ୍ତ ସଂଶୋଧନ କରିଦେବା ଉଚିତ୍‌ । ନହେଲେ ଗୁରୁପୂଜା ଦିବସରେ ଛାତ୍ରମାନେ ସେମାନଙ୍କୁ ପୂଜା କରିବା ସନ୍ଦେହ ଜନକ ହୋଇ ଉଠିବ ।

Image

 

ଏଇ ସହକାର ତଳେ

 

ଏହି ସହକାର ତଳେ

ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ

 

ଏ ପଦ୍ୟାଂଶଟି ଯେ ପ୍ରେମିକ କବି ସ୍ୱର୍ଗୀୟ ମାୟାଧର ମାନସିଂହଙ୍କର ଏଥିରେ କାହାରି ଦ୍ୱିମତ ହେବାର ନାହିଁ । କିନ୍ତୁ ପରମ ପ୍ରେମିକ କବି ମାନସିଂହଙ୍କର ଏହି ପଦ୍ୟାଂଶରୁ ଦୁଇଟିମାତ୍ର ଶବ୍ଦ ଅତି ଚତୁରତାର ସହ ବଦଳାଇ ଦିଆଯାଇଛି । କେଉଁ ଶବ୍ଦ ଦୁଇଟି ବଦଳାଇ ଦିଆଯାଇଛି ତାହା ଆମେ ପରେ କହିବୁ । ଏହି ପଦ୍ୟାଂଶଟି ଆଜିଯାଏ ପ୍ରେମ ଅଙ୍କୁରିତ ହେଉଥିବା ଅନଭିଜ୍ଞ କଲେଜଛାତ୍ରମାନଙ୍କୁ ନଚେଇ କୁଦେଇ ଗଣ୍ଠି ଦରଜ କରାଇ ଅସମ୍ଭବ ପ୍ରକାରର ହଲାପଟା କରେଇ ଆସିଛି ତାହା କେହି ଅସ୍ୱୀକାର କରି ପାରିବେ ନାହିଁ । କେତେ ଯେ ଛାତ୍ର ବହିପତ୍ର ଚୁଲିରେ ଭରିଦେଇ ଆମ୍ବତୋଟା ମାନଙ୍କରେ ଭୁଆ ବିରାଡ଼ି ପରି ପ୍ରିୟା ପ୍ରିୟା ରଡ଼ିଛନ୍ତି ତାର ହିସାବ କେହି ରଖିନାହାନ୍ତି । ରାତିରେ ବହୁ ଗଜା ଅନଭିଜ୍ଞ ପ୍ରେମିକ ଆମ୍ବତୋଟାରେ ପଶି ପ୍ରେମିକା ପରିବର୍ତ୍ତେ ଭୂତ ଦେଖି ଛାନିଆରେ ଲଙ୍ଗଳାମୁକୁଳା ହୋଇ ପଳାଇଛନ୍ତି ଓ ଛାନିଆଜର ଭୋଗିଛନ୍ତି । ଆମ୍ବ ସମୟରେ କେତେକ ଆମ୍ବଚୋର ଭାବରେ ଅଭିଯୁକ୍ତ ହୋଇ ହୃଦୟ ବେଦନା ପରିବର୍ତ୍ତେ ପିଠିବେଦନା ଓ ଥୋମଣି ବେଦନା ବହନ କରି ପଳାୟନ କରିଛନ୍ତି । ଗଜା ପ୍ରେମିକମାନଙ୍କର ଏସବୁ ହଲାପଟାର ମୂଳ କାରଣ ହେଉଛି ଉପରୋକ୍ତ ପଦ୍ୟାଂଶଟି । ଏହି ପଦ୍ୟାଂଶରୁ ହିଁ ପ୍ରେମିକାରଙ୍କୁଣାମାନେ ସ୍ୱୀୟ ଉର୍ବର ମସ୍ତିଷ୍କରେ ସିଦ୍ଧାନ୍ତ କରିନିଅନ୍ତି ଯେ ପ୍ରେମିକାମାନେ ହାତରେ କଙ୍କଣ ପିନ୍ଧି ରାତିରେ ଆମ୍ବଗଛ ମୂଳକୁ ଆସନ୍ତି ଆଉ ସେଇଠାରେ ଅପେକ୍ଷା କରିଥିବା ପ୍ରେମିକର ଗଳାରେ ଖଡ଼ୁ ପିନ୍ଧିଥିବା ହାତ ଦୁଇଟିକୁ ଭିଡ଼ିଦିଅନ୍ତି ଅର୍ଥାତ୍‌ ଛନ୍ଦି ଦିଅନ୍ତି । ଖଡ଼ୁ ବିହୀନ ହାତରେ ଛନ୍ଦା ଅପେକ୍ଷା ଖଡ଼ୁବିଶିଷ୍ଟ ହାତର ଗଳାଛନ୍ଦା ପ୍ରେମଉତ୍ପାଦକ ବୋଲି ମହର୍ଷି ବାତ୍ସାୟନ କୁଆଡ଼େ ମତ ଦେଇଛନ୍ତି । ବିକଳା ଗଜା ପ୍ରେମିକମାନଙ୍କୁ ସମ୍ଭାଳେ କିଏ ! ‘ଅନଳ ଦେଖିଣ ପତଙ୍ଗ, ଯେହ୍ନେ ଧାମନ୍ତି ଉଦବେଗ’ ପରି ରାତିରେ ଆମ୍ୱତୋଟାକୁ ଧାଇଁ ପରାଭବ ପାଆନ୍ତି । ଏପରି ନୁଙ୍ଗୁରା ଟୋକାଗୁଡ଼ାଙ୍କୁ ହଲାପଟା କରିବା ପାଇଁ କଅଣ ପରମପ୍ରେମିକ ମାୟାଧର ମାନସିଂହ ଏହି ପଦ୍ୟାଂଶଟି ଲେଖିଥିଲେ ? ନାଁ କସ୍ମିନକାଳେ ନୁହେଁ । ମାୟାଧର ମାନସିଂହଙ୍କ ପଦ୍ୟାଂଶରେ ଦୁଇଟି ମାତ୍ର ଶବ୍ଦ ବଦଳାଇ ଦିଆଯିବା ଫଳରେ ଏପରି ବିଭ୍ରାଟର ଉଦ୍ଭବ ହୋଇଛି । କବି ଓ ଲେଖକମାନଙ୍କର ମୂଳରଚନା ସେମାନଙ୍କ ବଂଶଧରମାନଙ୍କଦ୍ୱାରା ବଦଳା ବଦଳି ହେବାର ବହୁ ଦୃଷ୍ଟାନ୍ତ ଅଛି । ବ୍ୟାସକବି ଫକୀରମୋହନଙ୍କ ମୂଳଲେଖାକୁ କାଟ୍‌ ଛାଟ୍‌ କରାଯାଇ ଥିବା କଥା ସର୍ବଜନବିଦିତ । ଅଳ୍ପେ ବହୁତେ ପ୍ରାୟ ସବୁ କବିଙ୍କର ଏହିପରି ଅଦଳବଦଳ ହୋଇଛି । ମାନସିଂହଙ୍କ କବିତା ଏଥିରୁ ବାଦ ପଡ଼ିବ କିପରି ? ପଦ୍ୟାଂଶର ସମସ୍ତ ଶବ୍ଦ ଠିକ୍‌ ଅଛି । କେବଳ ‘ସହକାର’ ଆଉ ‘ତଳେ’ ଏହି ଦୁଇଟି ଶବ୍ଦ କୌଣସି ଏକ ଅନଭିଜ୍ଞ ଅଙ୍କୁରି ଉଠୁଥିବା ପ୍ରେମିକ ଦ୍ୱାରା ପରିବର୍ତ୍ତିତ ହୋଇ ଏହି ଶବ୍ଦ ଦୁଇଟି ସେହି ସ୍ଥାନ ଅଧିକାର କରିଛି । କବିଙ୍କର ଲେଖାଖାତାରୁ ଏହି ପଦ୍ୟଟିକୁ ଚିରି ଆଣିବାକୁ ବହୁ ଚେଷ୍ଟା କରିଥିଲି । ମୋର ଉଦ୍ଦେଶ୍ୟ ଥିଲା କେବଳ ମୁଁ ଏ ଜ୍ଞାନର ଅଧିକାରୀ ହୋଇ ରହିବି । ଅନ୍ୟମାନଙ୍କୁ ହେୟଜ୍ଞାନ କରି ହାଇକୋର୍ଟ ଦେଖାଉଥିବି । କିନ୍ତୁ ମୋ ଉଦ୍ଦେଶ୍ୟ ସଫଳ ହେଲାନାହିଁ । ଦିନେ କବି ମୋ ଆଗଚଲା ପଣରେ ବିରକ୍ତହୋଇ ତାଙ୍କପାଖରୁ ତଡ଼ିଦେଲେ । ସେ ଏତେ କ୍ରୁଦ୍ଧ ହୋଇଯାଇଥିଲେ ଯେ ମୋତେ ଭଣ୍ଡସଣ୍ଡ ଗାଳିଦେଇ ରାସ୍ତା ଉପରେ ଆସୁଥିବା ଅବସ୍ଥାରେ ମୋ ଉପରକୁ ତାଙ୍କର ହାତ ଖାତାଟାକୁ ସଜୋର ଛାଡ଼ି ଦେଲେ । ତାହା ମୋ ପିଠିରେ ଦୁମକରି ପଡ଼ିଲା । ମୁଁ ଉଠେଇ ଦେଖିଲି ସେଇଟା ତାଙ୍କ ହାତ ଖାତା । ଭାବିଲି ଗୋଟିଏ ଫର୍ଦ୍ଦ ଚିରିଥାନ୍ତି କିଆଁ, ଭଗବାନ ମୋତେ ସବୁଟା ଆଣିଦେଲେ । ତାକୁ ନେଇ ଏକା ନିଶ୍ୱାସରେ ଆସି ଘରେ ପହଞ୍ଚିଲି । ସେଥିରେ ଦେଖିଲି ‘ସହକାର’ ଆଉ ‘ତଳେ’ ଏ ଦୁଇଟିଯାକ ଶବ୍ଦ ବିଲକୁଲ ନାହିଁ । ମୁଁ ସେ ଅମୂଲ୍ୟ ଖାତାଟିକୁ କାହାକୁ ଦେଖାଇବି ନାହିଁ କି ମୋତେ ଯଦି କେହି ମିଛୁଆବୋଲି କହେ ମୁଁ ସେଥିରେ ଘାବରେଇ ଯିବିନି । ମୁଁ କିଛି ଛୋଟକାଟିଆ ମିଛୁଆ ନୁହେଁ ଯେ ଡରିଯିବି । ସମସ୍ତ ସାହିତ୍ୟକୁ ମିଛରେ ପୋତି ପକେଇବାର ତାକତ୍‌ ମୋର ଅଛି । ମୁଁ ଡରିବି କିଆଁ-। ଛାଡ଼ନ୍ତୁ; ପ୍ରଥମେ ଦେଖାଯାଉ କବି ମାନସିଂହ ଏ ପଦ୍ୟାଂଶଟି ଲେଖିଛନ୍ତି କି ନା । କବି ମାନସିଂହ ଜଣେ ପୋଖତ ପ୍ରେମିକ, ଉଚ୍ଚଶିକ୍ଷିତ ପ୍ରେମିକ । ଆଦିରସରେ ତାଙ୍କର ଯେ କେବଳ ପ୍ରୟୋଗିକା ବା ପ୍ରାକ୍‌ଟିକାଲ ଜ୍ଞାନ ଥିଲା ତାହା ନୁହେଁ, ପୁସ୍ତକଗତ ଜ୍ଞାନ ମଧ୍ୟ ଅତି ଉଚ୍ଚ ଥିଲା । ତାଙ୍କପରି ଜଣେ ରସଗ୍ରାହୀ ରସିକରାଜ କେବେହେଲେ ପ୍ରେମ କରିବା ପାଇଁ ପ୍ରିୟାକୁ ଆମ୍ୱଗଛ ମୂଳକୁ ଆସିବା ଲାଗି କହି ନଥିବେ । ସେ ସ୍ଥାନରେ ଯେ ଗୋଟିଏ ଆମ୍ୱଗଛ ଥିବ ତାହା ଅସମ୍ଭବ । ଚାରିଆଡ଼ ଫାଙ୍କା ଆଲୋକ ତ ଥିବ । ଏପରି ସ୍ଥଳେ ସମସ୍ତେ ଦେଖି ପାରୁଥିବା ଆମ୍ୱଗଛ ମୂଳରେ ପ୍ରେମ କାରବାର ହୋଇପାରିବ ନାହିଁ । ତେଣୁ ସ୍ଥାନଟି ଗହନ ଆମ୍ୱତୋଟା ନିଶ୍ଚୟ– । ବର୍ଷା ଓ ଶୀତଋତୁରେ ଆମ୍ୱତୋଟାରେ ପ୍ରେମର ପ୍ରଶ୍ନହିଁ ଉଠିପାରିବ ନାହିଁ । ଗ୍ରୀଷ୍ମଋତୁର ରାତ୍ରୀ ଏଥିପାଇଁ ପ୍ରଶସ୍ତ । ଏ ସମୟରେ କିନ୍ତୁ ଆମ୍ୱତୋଟାରେ ପ୍ରେମକାରବାର ଏକ ଅସମ୍ଭବ ବ୍ୟାପାର । ଏ ସମୟରେ ଆମ୍ୱଗଛର ଗଣ୍ଡି ଓ ପତ୍ରରେ କୋଟି କୋଟି କାଇପୋକ ରହିଥାନ୍ତି । ଆମ୍ବଗଛର ମୂଳକୁ କେହି ଗଲେ ଏ କାଇପୋକ ତା ଦେହଯାକ ଛାଇ ହୋଇ ଯାଆନ୍ତି । ଲୋକଟି ଅସ୍ତବ୍ୟସ୍ତ ହୋଇ ପଳାଇ ଆସେ । ସେ ପ୍ରେମ କରିବ ନା ଛାଟିପିଟି ହେବ । ‘ପ୍ରିୟା’ ବୋଲି କହିବା ମାତ୍ରେ ପଣେ ଦିପଣ କାଇ ପାଟି ଭିତରେ ପଶି ଏକା ବେଳେକେ କଣ୍ଠଯାଏ କ୍ଷେପିଯିବେ । ଲୋକଟି ଆଉ ପ୍ରିୟା ବୋଲି କହି ନପାରି କାଶିବାରେ ଲାଗେ । କିଛି ପୋକ ନାକ ଭିତରକୁ ଅଭିଯାନ କରିବା ଫଳରେ ପ୍ରବଳ ଛିଙ୍କର ଆବିର୍ଭାବ ହୁଏ । ଏ ଛିଙ୍କ ଓ କାଶ ପ୍ରେମର ପରମ ଶତ୍ରୁ । କାରଣ ପ୍ରେମଟା ହେଲା ଗୁପ୍‌ଚୁପିଆ କଥା । ଗୁପ୍‌ଚୁପ୍‌ କଥାଟାକୁ ଛିଙ୍କ ଓ କାଶ ଏକାବେଳେକେ ନଷ୍ଟ କରିଦିଏ । ତୋଟା ରକ୍ଷକ ଜାଣିଯାଏ ଯେ କୌଣସି ଏକ ବା ଏକାଧିକ ଚୌର କୌଣସି ମନ୍ଦ ଅଭିପ୍ରାୟ ରଖି ତୋଟାରେ ପ୍ରବେଶ କରିଛନ୍ତି । ତତ୍‌କ୍ଷଣାତ୍‌ ସେ ଅନ୍ୟାନ୍ୟ ସାହାଯ୍ୟକାରୀମାନଙ୍କ ସହ ଲଗୁଡ଼ ଓ ଅନ୍ୟାନ୍ୟ ଲୌହଶସ୍ତ୍ରରେ ସୁସଜ୍ଜିତ ହୋଇ ଚଢ଼ଉ ଆରମ୍ଭ କରି ଦିଅନ୍ତି । ବାସ୍‌ ଏତିକିରେ ପ୍ରେମ ଖତମ୍‌ । ପ୍ରେମିକ ପ୍ରେମିକା ଆଣ୍ଠୁଗଣ୍ଠି ଛିଣ୍ଡେଇ ପ୍ରେମଟାକୁ ନିଜନିଜ ଜୀବନରେ ପୁରେଇ ଛାଟିପିଟି ହୋଇ ପଳେଇବାକୁ ବାଟପାଆନ୍ତି ନାହିଁ । ଏପରି ସମ୍ଭାବନା ଥିବା ସ୍ଥାନକୁ ପ୍ରେମିକ କବି ମାନସିଂହ କେବେହେଲେ ଯାଇ ନଥିବେ । ତେଣୁ ସେ ଏହା ଲେଖିବେ କିପରି ?

 

ଆହୁରି ଦେଖନ୍ତୁ ଆଦିରସର ଉଦ୍ଦୀପନ ହେଲା–ଚନ୍ଦନ, ଜ୍ୟୋତ୍ସ୍ନା ସୁଲୁସୁଲିଆ ବସନ୍ତ ପବନ, ସୁବାସିତ ଫୁଲମାନଙ୍କ ସୌରଭ । ଅତି ଦୁଃଖର କଥା ଏହା ଭିତରୁ କୌଣସିଟା ଆମ୍ୱତୋଟାରେ ମିଳିବା ସମ୍ଭବ ନୁହେଁ । ଆଜିକାଲି କାହାଘରେ ଜଟିଳାମାନେ ନାହାନ୍ତି ? ପ୍ରେମିକା ଗିନାଏ ଚନ୍ଦନ ଘୋରି ବସିଲେ ଜଟିଳାର ବିଦ୍ରୂପୋକ୍ତି ଘଡ଼ଘଡ଼ି ପରି ଶୁଭେ–‘‘କିଲୋ ଛଟକି ଏ ଚନ୍ଦନଘୋରା କାହିଁକି ? କେଉଁ ନାଗର ଆଜି ଯୁଟିଛି କିଲୋ ? ହା ବେଲଜ୍ଜି ମୁହଁରୁ ସରମତକ ପୋଛି ହୋଇଗଲାଣି । ମୁଁ ଚୁଲିମୁଣ୍ଡରେ ବସି ଭାତ ରାନ୍ଧିବି ତୁ ଚନ୍ଦନ ନେଇ କୋଉ ସତିଆନାଶିଆ ନାଗର ଦିହରେ ବସି ବୋଳିବୁ । ରହ ତୋ ଗେରସ୍ତ ଆସୁ କହୁଛି ।’’ ଏହାପରେ ପ୍ରେମିକା ଖାଲି ହାତରେ ଆମ୍ୱତୋଟାକୁ ଯିବ । ହଉ ଚନ୍ଦନ ନହେଲା ନାହିଁ ଜୋତ୍ସ୍ନା ମିଳିବ କି ? ଆମ୍ବତୋଟା ବଡ଼ ନିଘଞ୍ଚ । ଗଛ ଉପର ଗୁଡ଼ାକ ଏପରି ଲଗାଲଗି ହୋଇଥାଆନ୍ତି ଯେ ପୂର୍ଣ୍ଣମୀ ରାତିରେ ଜହ୍ନ କିରଣରୁ ଟିକିଏ ବି ତଳେ ପଡ଼େନାହିଁ । ସେଠି ଜ୍ୟୋତ୍ସ୍ନାବି ସମ୍ଭବ ନୁହେଁ । ସୁଲୁସୁଲିଆ ପବନ ? ତୋଟା ଭିତରେ ତାହା ଆସିବ କୁଆଡ଼ୁ ? ଗଛଗୁଡ଼ିକ ତ ଝଡ଼ ତୋଫାନକୁ ଅଟକାଇ ଦିଏ । ସୁଲୁସୁଲିଆ ପବନ ତା ପାଖରେ କିବା ଛାର । ବରଂ ରାତିରେ ଗଛମୂଳଟା ଅତି ରୁନ୍ଧିଆ ତୁନ୍ଧିଆ ଲାଗେ । ଦିହରୁ ଝାଳ ନିଗଡ଼ିପଡ଼େ । ଝାଳରେ ପ୍ରେମ ନିଆଁ ଫୁତ୍‌କରି ଲିଭିଯାଏ । ତେଣୁ ସୁଲସୁଲିଆ ବସନ୍ତ ପବନ ବି ସେଠାରେ ସମ୍ଭବ ନୁହେଁ । ବାକି ଉଦ୍ଦୀପନଟା ହେଲା ସୁଗନ୍ଧ ପୁଷ୍ପ ସୌରଭ । ଆମ୍ୱତୋଟାରେ କେହି ମଲ୍ଲୀ, ଗୋଲାପ ଯାଇ, ଯୁଇ, ହେନା, ଚମ୍ପା, କେତକୀ ଗଛ ଲଗାଏ ନାହିଁ । ଲଗାଇଲେ ଉଧାଏ ନାହିଁ ।’ କଥାରେ ଅଛି–‘ଗଛର ଛାଇ ମଣିଷର ହାଇ, ସେଥିରେ କିଛି ଉଧାଏ ନାହିଁ । ଏସବୁ ଗଛ ଆମ୍ୱତୋଟାରେ ହେବନି । ତେଣୁ ସୁଗନ୍ଧ ଆସିବ କୁଆଡ଼ୁ ? ବରଂ ଗାଁ ବାଲାଏ ସେଠାରେ ବଡ଼ ଆରାମରେ ଦୁଇ କରନ୍ତି । କୁକୁର ବିଲୁଆ ବି ଦୁଇ କରନ୍ତି । ଗାଁ ଭିତରେ ସାପଟାଏ, ବେଙ୍ଗଟାଏ କି ବିରାଡ଼ିଟାଏ ମରିଗଲେ ସମସ୍ତେ ତୋଟା ଭିତରକୁ ଫୋପାଡ଼ି ଦିଅନ୍ତି । ଏସବୁ ପରିତ୍ୟକ୍ତ ପଦାର୍ଥରୁ ଉତ୍‌ଥିତ ଦୁର୍ଗନ୍ଧ ପ୍ରେମକୁ ତଣ୍ଟିଆମାରି ତଡ଼ିଦିଏ । ତତ୍‌ ପରିବର୍ତ୍ତେ ଘୃଣା ଦିହଯାକ ଚରିଯାଏ । ଆହୁରି ମଧ୍ୟ ପ୍ରେମିକ ପ୍ରେମିକା ଯଦି ପରିତ୍ୟକ୍ତ ଦୁଇ ପଦାର୍ଥ ଉପରେ ବସି ଯାଆନ୍ତି ତେବେ ପ୍ରାୟ ଦୁଇମାସ ଯାଏ ପ୍ରେମ ତାଙ୍କ ପାଖ ମାଡ଼ିବନି । ତେଣୁ କବି ମାନସିଂହଙ୍କ ପରି ଜଣେ ଆଦର୍ଶ ପ୍ରେମିକ ଉଦ୍ଦୀପନ ବିହୀନ ପ୍ରେମରସକୁ କେବେହେଲେ ପସନ୍ଦ କରି ନଥିବେ । ବରଂ ବାବାଜୀ ହୋଇଯିବେ ପଛକେ ଏପରି ଆମ୍ୱତୋଟିଆ ପ୍ରେମ ସେ କେବେହେଲେ ପ୍ରଶୟ ଦେଇନଥିବେ ।

 

କବି ମାନସିଂହ ଜଣେ ସାର୍ଥକ, ଶାସ୍ତ୍ରୀୟ ପ୍ରେମୀ । ସେ ଜଣେ ଧୀରସ୍ଥିର ଓ ଭଦ୍ର ଯୁବକ ଥିଲେ । ଯେଉଁ ପ୍ରେମରେ ‘ଦେ ବାଡ଼ଡ଼େଇଁ ପଶ, ହେଇ ଆସିଲାରେ....ଦେ ବାଡ଼ ମାଡ଼ିଦେଇ ପଳା’ ଦରକାର ପଡ଼େ ସେଠି ସେ ମୋଟେ ପାଦ ଦିଅନ୍ତି ନାହିଁ । ଏସବୁ ବେଭାର ଛୋଟକାଟିଆ ଉଚ୍ଛୃଙ୍ଖଳ ନୀଚସ୍ତରୀୟ ପ୍ରେମିକଙ୍କ କାମ । ଏସବୁ ଧୀରସ୍ଥିର ଚିତ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ପରିଷ୍କାର ଜଣାଯିବ ସେ ପ୍ରେମିକ କବି ମାୟାଧର ମାନସିଂହ ଆମ୍ୱତୋଟିଆ ପ୍ରେମର ପକ୍ଷପାତି ନଥିଲେ । ଏଣୁ ‘ଏଇ ସହକାର ତଳେ, ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ’ ପଦ୍ୟାଂଶର ପ୍ରଥମ ଅଂଶଟି ଅର୍ଥାତ୍‌ ‘ଏହି ସହକାର ତଳେ’ ଟି କବି ମାନିସିଂହଙ୍କ ପକ୍ଷରେ ଲେଖିବା ସମ୍ଭବ ନୁହେଁ କି ସେ ମଧ୍ୟ ଲେଖି ନାହାନ୍ତି । ଏହାର ଅକାଟ୍ୟ ପ୍ରମାଣ ହେଉଛି ତାଙ୍କ ହାତଲେଖା ଖାତା । ଏବେ ତାଙ୍କ ଖାତାରେ ‘ସହକାର ତଳେ’ ପରିବର୍ତ୍ତେ ଯାହା ଲେଖା ହୋଇଛି ତାହା ଆମ୍ଭେ ଏଠାରେ ଉଦ୍ଧାର କରୁଛୁ । କିନ୍ତୁ ଏହା କରିବା ପୂର୍ବରୁ ଆମ୍ଭେ ସାହିତ୍ୟ ସମାଲୋଚକମାନଙ୍କୁ ସତର୍କ କରି ଦେଉଛୁ ଯେ ଆମ୍ଭେ ଏହି ହାତଖାତାର ଏକମାତ୍ର ମାଡ଼ୁଆ ଅଧିକାରୀ । କବି ମୋ ଉପରକୁ ବୋଲୁଅ ଫିଙ୍ଗିଲାପରି ତାହା ଫିଙ୍ଗିଥିଲେ । ପିଠିରେ ଦରଜ ସହ ମୁଁ ଏହାର ଅଧିକାରୀ ହୋଇଛି । ବର୍ତ୍ତମାନ ସେହି ଖାତାରୁ ଯାହା ଆମ୍ଭେ ଏଠାରେ ଉଦ୍ଧାର କରିବୁ ତାହା ଆମ୍ଭର ସମ୍ପୂର୍ଣ୍ଣ ନିଜସ୍ୱ । ଯଦି କୌଣସି ସାହିତ୍ୟ ଅନୁଶୀଳକ ଏହାକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାଷାନ୍ତରିତ କରି ଆମ୍ଭର ଅନୁମତି ବିନା ପ୍ରକାଶ କରନ୍ତି ତେବେ ସେ ଫୌଜଦାରି ଦଣ୍ଡବିଧି ଆଇନାନୁଯାୟୀ ଦଣ୍ଡିତ ହେବେ । ଏବେ ଆମ୍ଭେ ସେହି ଉତ୍‌କଣ୍ଠା ଉଦ୍ଦୀପକ ଶବ୍‌ଦଦ୍ୱୟ ଉଲ୍ଲେଖ କରୁଅଛୁ । ହାତ ଖାତାରେ ଲେଖାଅଛି....‘‘ଏହି ସାହୁକାର ଘରେ, ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ ।’’ ସାହୁକାର ଅର୍ଥ ପ୍ରହରାଜଙ୍କ ଭାଷକୋଷ ଅନୁଯାୟୀ ହେଉଛି–ଋଣଦାତା ବାଣିଜ୍ୟାଦିର ମୂଳଧନୀ, ଧନାଧ୍ୟକ୍ଷ, ଶେଠ । ଗୋଟିଏ ଶେଠର ଘର ପ୍ରେମ କରିବା ପାଇଁ ଏକ ଯଥାର୍ଥ ସ୍ଥାନ । ଶେଠ ଘରର ସମସ୍ତେ ଆଦବ କାଇଦାର ଶୀର୍ଷ ସ୍ଥାନରେ ଥାଆନ୍ତି । ସେମାନେ ପ୍ରେମଟାକୁ ଖରାପ ଆଖିରେ ଦେଖନ୍ତି ନାହିଁ । ସେମାନେ ସର୍ବଦା ବ୍ୟବସାୟ ବାଣିଜ୍ୟ ଓ ଧନରେ ସମ୍ପୂର୍ଣ୍ଣ ମନୋନିବେଶ କରିଥାନ୍ତି । ହିସାବ କିତାବରେ କେଉଁଠି ପଇସାଟାଏ ଭୁଲ୍‍ ହୋଇଗଲେ ସେଥିପାଇଁ ଘଣ୍ଟା ଘଣ୍ଟା ଆଲୁଅ ଜାଳି ପଙ୍ଖା ଖୋଲି ଖୋଜିବାରେ ବ୍ୟସ୍ତ ଥା’ନ୍ତି । ଏହି ଅବସରଟି ବାହାର ଲୋକ ପକ୍ଷେ ପ୍ରେମ କରିବାର ପ୍ରକୃଷ୍ଟ ସମୟ । ଶୀତତାପନିୟନ୍ତ୍ରିତ ପ୍ରକୋଷ୍ଠ ଭେଲଭେଟ୍‌ ଗଦି, ମହାର୍ଘ ଧୂପକାଠିର ମହକ ଜଣେ ପ୍ରେମିକର ହୃଦୟକୁ ଦୋହଲାଇ ଦିଏ । କିଏ ଘରେ ପ୍ରେମ କଲା କି ନକଲା ସେ ବିଷୟ ଶେଠଜୀ ମୁଣ୍ଡରେ ପୁରାନ୍ତି ନାହିଁ, ବରଂ ଉଚ୍ଚଶିକ୍ଷିତ ବା ଉଚ୍ଚପଦାଋଢ଼ ଭଦ୍ରଲୋକ ତାଙ୍କ ଘରକୁ ଆସିଲେ ନିଜକୁ ଧନ୍ୟ ମନେ କରନ୍ତି । ତେଣିକି ତାଙ୍କ ସ୍ତ୍ରୀଙ୍କର କରକଙ୍କଣ ଯଦି ଭଦ୍ରବ୍ୟକ୍ତିଙ୍କ ଗଳାକୁ ଭିଡ଼ିଲା ସେଥିରେ ସେ କିଛି ମନେ କରନ୍ତି ନାହିଁ । ଶେଠଜୀଙ୍କ ପ୍ରେମ ପ୍ରକୋଷ୍ଠକୁ ମଧ୍ୟ କେହି ଉଙ୍କିମାରନ୍ତି ନାହିଁ । ଉଙ୍କି ମାରିବାଟା ଅଭଦ୍ରାମି ବୋଲି ସମସ୍ତେ ମନେ କରନ୍ତି । ଏହିପରି ଏକ ଘର ଯେ ପ୍ରେମ ପାଇଁ ସବୁଠାରୁ ନିରାପଦ ଓ ଉତ୍କୃଷ୍ଟ ସ୍ଥାନ ତାହା କହିବା ବାହୁଲ୍ୟ ମାତ୍ର । ପ୍ରେମରସର ଉଦ୍ଦୀପନ ଦରକାର, ଚାଲିଯାଅ ଛାତ ଉପରକୁ । ଜ୍ୟୋତ୍ସ୍ନାରେ ଗାଧେଇ ପଡ଼ିବ । ପ୍ରେମକୁ ଭଣ୍ଡୁର କରିବାକୁ କୌଣସି ବଜାରୀ ଲଫଙ୍ଗାର ସେଠାକୁ ପ୍ରବେଶ ଅସମ୍ଭବ । ସୁଗନ୍ଧ ପାଇଁ ଅତର, ଧୂପକାଠି ଯେତେ ଇଚ୍ଛା ସେତେ । ଶୀତତାପ ନିୟନ୍ତ୍ରକ ସବୁ ବସନ୍ତର ମଳୟକୁ ସେଠାରେ ବାନ୍ଧି ରଖିଛନ୍ତି । ଦିନରାତି ଏହିଠାରେ ବସ ପ୍ରେମ, ପ୍ରେମ, ପ୍ରେମ, ଭଜୁଥାଅ । ଏହିପରି ସାହୁକାରର ଘର ପ୍ରେମ ପାଇଁ ଏକ ଯଥାର୍ଥ ସ୍ଥାନ । କବି ମାନସିଂହ ନିଶ୍ଚିତ ଭାବରେ ଏହିପରି ଏକ ସାହୁକାର ଘରକୁ ଯାଇଥିଲେ ଏବଂ ଆନନ୍ଦରେ ବିହ୍ୱଳିତ ହୋଇ ଲେଖିଥିଲେ.....

 

ଏହି ସାହୁକାର ଘରେ

ସେଦିନ ପ୍ରିୟାର କରକଙ୍କଣ ବେଢ଼ିଥିଲା ମୋର ଗଳେ ।

 

‘ସହକାର ତଳେ, କଥାଟା ପୂରା ମିଛ ଏବଂ ଏହା ମୂଳକବିତା ସହ ଅପମିଶ୍ରିତ ହୋଇଛି-। ଓଡ଼ିଶା ଅପମିଶ୍ରଣରେ ଭାରତର ସର୍ବଶ୍ରେଷ୍ଠ ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି-

Image

 

‘ମାଟି’ ଓ କବି ଗଡ଼ନାୟକ

 

ଓଡ଼ିଶାର କାଳିଦାସ କବି ଶ୍ରୀ ରାଧାମୋହନ ଗଡ଼ନାୟକ ତାଙ୍କର ଅତୁଳନୀୟ କବିତା ‘ମାଟି’ ଲେଖି ବିଦଗ୍‌ଧ ପାଠକମାନଙ୍କୁ ବିମୁଗ୍‌ଧ କରି ଦେଇଛନ୍ତି । ସର୍ବଂସହା ଧରିତ୍ରୀର ବୈଶିଷ୍ଟ୍ୟ ଫୁଟାଇବାକୁ ଯାଇ ସେ ଯେଉଁ କଳ୍ପନା ଓ ଚାତୁରୀ ଦେଖାଇ ଅଛନ୍ତି ତାହା ଅନବଦ୍ୟ । ତାହା କବିତାପିପାସୁ ପାଠକମାନଙ୍କର ଦରଦୀ ହୃଦୟକୁ ଆନନ୍ଦର ବନ୍ୟାରେ ପ୍ଳାବିତ କରେ । ସାଧାରଣ ପାଠକମାନେ ମୁକ୍ତ କଣ୍ଠରେ କହନ୍ତି–କବି ଗଡ଼ନାୟକ ଧରିତ୍ରୀର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ବିଶ୍ୱସ୍ରଷ୍ଟା ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ମେଘ ଓ ପବନ ପ୍ରଭୃତିଙ୍କର ଏକ ସମ୍ମେଳନ କରାଇ ଅଛନ୍ତି-। ଆଜିକାଲି ଜଣେ କାହାକୁ ସମ୍ମାନିତ କରିବାକୁ ହେଲେ ଗୋଟିଏ ସଭା ଡକାଯାଏ । ସେଠାରେ ବିଭିନ୍ନ ବକ୍ତା ତାଙ୍କର ଗୁଣ କୀର୍ତ୍ତନ କରନ୍ତି, ତାଙ୍କ ବେକରେ ଫୁଲମାଳ ପକାନ୍ତି, ଚା’ ଜଳଖିଆ ଖୁଆନ୍ତି, ମାନପତ୍ରଟିଏ ଛାପି ଦିଅନ୍ତି । କବି ଗଡ଼ନାୟକ ଖାଲି ସମ୍ମେଳନଟିଏ କରାଇ ଦେଇଛନ୍ତି; ଏଠି ଚାହା–ଜଳଖିଆ, ଫୁଲମାଳ କି ମାନପତ୍ରର ବ୍ୟବସ୍ଥା କରିନାହାନ୍ତି । ସମ୍ମେଳନଟା ଠେଙ୍ଗା ଠେଙ୍ଗା ଶୁଖିଲା ହୋଇଯାଇଛି । ଏ ସମ୍ମେଳନଟା ଗୋଟିଏ ମୁଦି ଦୋକାନ ପରି ହୋଇଛି । ଦଳେ ଗରାଖ ଦୋକାନଦାରକୁ କାଲୁବାଲୁ କରି ମାଗନ୍ତି–‘‘ହୋ ମୋତେ ଶହେ ଲୁଣ ଦିଅ, ହୋ ମୋତେ ଅଡ଼େଇଶହ ଗଣେଶ ମାର୍କା ତେଲ ଦିଅ, ହୋ ମୋତେ କଠାଏ ସାହେବ ଫୋଟୁ ବିଡ଼ି ଦିଅ, ହୋ ମୋତେ ପଛ ମସଲାରୁ ଆଠଣାର ନ୍ଦିଅ ।’’ ଦୋକାନଦାର ବି ସମସ୍ତଙ୍କ ମନ ମଜେଇ କହୁଥାଏ–‘‘ହଉ ହଉ ଲିଅ ବାବୁ ତୁମର ଲୁଣ ଧରିବଟି, ହଁ, ତମେ ଆପଣ ଧର ବାବୁ ତେଲ, ତମର ସାହାବ ଫୋଟୁ ବିଡ଼ି ଧରିବଟି ବାବୁ । ଆଉ ହଁ ଲିଅ ଧର ତମ ପଛ ମସଲା ।’’ ଏ ଧସ୍ତାଧସ୍ତିରେ ଟକ୍‌କର ଦେଇ ନ ପାରି ସବା ଶେଷକୁ ରହିଯାଇଥିବା ଓ କିଛି କହୁ ନଥିବା ଛୁଆଟିକୁ ଦେଖି ଦୋକାନଦାର ପଚାରିବ–‘‘ହଇରେ ବାପା ତୁ କଅଣ କିଛି ମାଗୁନୁ ତ ! କଅଣ ନବୁ କହ ।’’ କଅଁଳିଆ ପିଲାଟି କହିବ–‘‘ତୁମ ଇଚ୍ଛା ଯାହା ଦଉଛ ଦିଅ । ମୁଁ ଭୁଲି ଗଲିଣି ।’’

 

ଏ ମୁଦି ଦୋକାନ ବେପାର ଯାହା, କବି ଗଡ଼ନାୟକଙ୍କ ‘ମାଟି’ କବିତାର ସମ୍ମେଳନ ଠିକ୍‌ ସେମିତି ହେଇଛି । ଏହି ବିଶ୍ୱସ୍ରଷ୍ଟା ହୋଇଛନ୍ତି ଦୋକାନଦାର । ଆକାଶ ମାଗୁଛି ମୋତେ ଅମୁକାଇ ଦିଅ, ସୂର୍ଯ୍ୟ ଚନ୍ଦ୍ର ମାଗୁଛନ୍ତି ମୋତେ ତମୁକେଇ ଦିଅ, ମେଘ ମାଗୁଛି ମୋତେ ସମୁକେଇ ଦିଅ । ପ୍ରଭଞ୍ଜନ ମାଗୁଛି ମୋତେ ହମୁକେଇ ଦିଅ । ଅଚଳା, ଅବଳା, ସର୍ବାଂସହା ମାଟିଟି ବିଚରା ସେଇଠି ମଉନ ହୋଇ ବସିଛି । ତା’ପାଇଁ କେହି ଟିକିଏ ମୁହଁ ଫିଟାଇ ପଦେ କହୁ ନାହାନ୍ତି । କେହି କହୁନାହିଁ–‘‘ଆଜ୍ଞା ଏ ଘୁଙ୍ଗିଟିକୁ ଅମୁକେଇ ଦିଅନ୍ତୁ । ସମସ୍ତେ ନିଜ ପାଇଁ ହସ ହସ । ମନ୍ତ୍ରୀ ଯେପରି ନିର୍ବାଚନମଣ୍ଡଳୀର ମାଗନ୍ତାମାନଙ୍କୁ ଭିକ୍ଷା ଦେଇ ଦେଇ ହାଲିଆ ହୋଇପଡ଼ନ୍ତି ବିଶ୍ୱସ୍ରଷ୍ଟା ସେହିପରି ମାଗନ୍ତାମାନଙ୍କୁ ଭିକ ଦେଇ ହାଲିଆ ହୋଇଗଲେ । ସମସ୍ତେ ଭିକ ପାଇଯିବା ପରେ ଦେଖାଗଲା ମାଟି ପାଟି ନ ଫିଟେଇ ଚୁପ୍‌ଚାପ୍‌ ବସିଛି । ବିଶ୍ୱସ୍ରଷ୍ଟା ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘କିଲୋ ! ତୁ ତ କିଛି ମାଗିଲୁ ନାହିଁ । ଆଉ ତ ଭିଡ଼ ନାହିଁ । ତୋର ଯାହା ଇଚ୍ଛା ମାଗ । ମୁଁ ଅଲବତ୍‌ ଦେବି ।’’

 

‘‘ମାଟି ତହୁଁ କହିଲେ–‘‘ତୁମ ଇଚ୍ଛା ଯାହା ଦଉଛ ଦିଅ । ସେହି ମୋର ଇଚ୍ଛା ।’’

 

ଆଃ ଲକ୍ଷେ ଟଙ୍କାର କଥାଟିଏ କହିଦେଲେ ଏକା । ବିଶ୍ୱସ୍ରଷ୍ଟାଙ୍କ ମନ ମଜ୍‌ଗୁଲା ହୋଇଗଲା । ଉଚ୍ଛ୍ୱସିତ ପ୍ରଶଂସା କରି ସେ ପଦଟିଏ ହାଙ୍କି ଦେଲେ । ‘‘ବିଜୟିନୀ ଆଜି ତୁମେ ଏ ବିଶ୍ୱଭୁବନେ । ସୁନ୍ଦର, କଲ୍ୟାଣି ! ନମ୍ରହୋଇ ହୋଇଛ ବିରାଟ, ଆଜି ତୁମେ ଜଗତର ରାଣୀ ।’’

 

ମାଟିର ମହତ୍ୱ କବି ଏଇଠି ଫୁଟାଇ ଦେଲେ । ସମସ୍ତେ ହେଲେ ବିଶ୍ୱସ୍ରଷ୍ଟାଙ୍କ ପାଖରେ ଭିକାରି । ମାଟି ହେଲେ ବିଶ୍ୱସ୍ରଷ୍ଟାଙ୍କ ଇଚ୍ଛା ପୁରଣକାରିଣୀ । କବି ଏଠାରେ ଏକ ଥିଏଟର କରାଇଦେଲେ । ସମସ୍ତଙ୍କର ଅଭିନୟ ଦେଖି ଦର୍ଶକ ବା ପାଠକମାନେ ଅଲବତ କହିବେ ମାଟି ସମସ୍ତଙ୍କ ଠାରୁ ତାବେ । ତାଙ୍କଠୁ ବଡ଼ ଆଉ କେହି ନାହିଁ । କବି ସ୍ୱୀୟ ଅମର ଲେଖନୀରେ ଏହା କାଳକାଳକୁ ଲିପିବଦ୍ଧ କରି ଦେଇଗଲେ ।

 

ଏଇଟା କେତେ ହଜାର କୋଟି ବର୍ଷ ତଳର କଥା । ଅର୍ଥାତ୍‌ ଯେତେବେଳେ ସୃଷ୍ଟିର ଆରମ୍ଭ ହେଲା । ପୁରାଣ ମାଧ୍ୟମରେ ଶୁଣାଶୁଣିରେ କବି ଏହା ଶୁଣି ଲିପିବଦ୍ଧ କରିଥିବେ । କବିଙ୍କର ଗୋଟିଏ ବିଶିଷ୍ଟ ଗୁଣ ହେଲା–ସେ ଯାହାକୁ ଭଲ ପାଆନ୍ତି ତାକୁ ସ୍ୱର୍ଗକୁ ଉଠେଇ ଦିଅନ୍ତି । ତା ବିରୁଦ୍ଧରେ ପୁଣି କେହି କିଛି କହିଲେ ସେ କାନରେ ଆଙ୍ଗୁଠି ପୂରାଇ ଦିଅନ୍ତି । ଯଦି ଗୋଟିଏ କାନରେ ଭୁଲ୍‍ ଚୁଲ‌ରେ କିଛି ପଶି ଯାଇଥାଏ ତାକୁ ସଙ୍ଗେସଙ୍ଗେ ଆର କାନବାଟେ କାଢ଼ି ଦିଅନ୍ତି । ସେ ମାଟି ଆଉ ତାର ପୂଜକମାନଙ୍କୁ ଯେଉଁ ଉଚ୍ଚ ସ୍ଥାନରେ ନେଇ ଥୋଇଦେଇ ଅଛନ୍ତି ସେଠାରୁ ସେମାନଙ୍କୁ କେବେହେଲେ ଖସାଇ ଦେବେ ନାହିଁ । ଏପରି କାର୍ଯ୍ୟ କ୍ଷମତା–ସୀନ ସନ୍ତୁଷ୍ଟିଆ ସଭ୍ୟମାନଙ୍କୁ ନାନା ପେଞ୍ଚପାଞ୍ଚ ଓ ଗାଲୁ ସାହାଯ୍ୟରେ ଖସେଇ ପକେଇବା ଲାଗି ଚେଷ୍ଠା କରୁଥିବା ଅସନ୍ତୁଷ୍ଟିଆମାନଙ୍କ ପକ୍ଷରେ ସମ୍ଭବ, କବି ଗଡ଼ନାୟକଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

ଆମେ କିନ୍ତୁ ଅତି ଦୁଃଖର ସହିତ କହୁଛୁ ଯେ କବି ଏସବୁ କଥା ଜଣେ କେହି ଗାଲୁଆ ସାମ୍ୱାଦିକଙ୍କଠାରୁ ଶୁଣିଛନ୍ତି । ସେ ଗାଲୁଆ, କବିଙ୍କ ମନରେ ଅତି ଚତୁରତାର ସହ ଏକ ଦୃଢ଼ ଧାରଣା ଜନ୍ମାଇ ଦେଇ ପାରିଛନ୍ତି ଯେ ଏସବୁ କଥା ସତ । ଅର୍ଥାତ୍‌ ସର୍ବଂସହା ସବୁ ସହୁଛନ୍ତି ଆଉ ଅନ୍ୟମାନେ ଅର୍ଥାତ୍‌ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ମେଘ ଓ ପ୍ରଭଞ୍ଜନ ଅତି ବିଶ୍ୱସ୍ତ ଭୃତ୍ୟପରି ତାଙ୍କରି ସେବାରେ ଲାଗିଛନ୍ତି ।

 

ପାଠକମାନଙ୍କ ପ୍ରତି ଆମର ଏକ ଦାୟିତ୍ୱ ଅଛି । ନିନ୍ଦା ବା ପ୍ରଶଂସା ପ୍ରତି ଭ୍ରୂକ୍ଷେପ ନକରି ଆମେ ପାଠକମାନଙ୍କୁ ସତ କଥାଟା ଅବଶ୍ୟ କହିବୁ । ମୁଣ୍ଡ ରହୁ ବା ଯାଉ ।

 

ପ୍ରଥମେ ଦେଖନ୍ତୁ–ବିଶ୍ୱସ୍ରଷ୍ଟାଙ୍କ ଇଚ୍ଛା ହିଁ ତାଙ୍କର କାମନା ବୋଲି ମାଟି କହିଦେବା ମାତ୍ରେ ବିଶ୍ୱସ୍ରଷ୍ଟା ତାଙ୍କ ଉପରେ କରୁଣା ଢାଳିଦେଇ ତାଙ୍କୁ ଆଶୀର୍ବାଦ କରିବା ପରେ ଅନମ୍ବର ଧରଣୀର ପଦପ୍ରାନ୍ତେ ମଥାପାତି ପ୍ରଣତି ଜଣାଇବା କଥାଟା ମୃଗତୃଷ୍ଣା ପରି ଏକ ଚାକ୍ଷୁସ ଭ୍ରମ ବା ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ । ଚକ୍ରବାଳଠାରେ ଆକାଶ ପୃଥିବୀ ସହିତ ଲାଗିଗଲା ପରି ଦିଶେ । ଫଳରେ କବି ଭାବିଦେଲେ ଯେ ଅନମ୍ବର ପୃଥିବୀର ପାଦରେ ମଥା ଲଗାଇ ପ୍ରଣାମ କରୁଛି । ଆକାଶର ଟିକିଏ ହେଲେ ବି ଭକ୍ତି ପୃଥିବୀ ପ୍ରତି ନାହିଁ । ତାହା ଥିଲେ ଦିନରାତି ସେ ଉଲକା ସବୁ ଦୁଷ୍ଟ ଟୋକା ଢେଲା ଫୋପାଡ଼ିଲା ପରି, ପୃଥିବୀ ଉପରକୁ ଫିଙ୍ଗୁ ନଥାନ୍ତା । ହାଲି କଥା ଦେଖନ୍ତୁ ନା-। ହେଇ ସ୍କାଇଲାବ୍‌ ପକେଇଲି, ହେଇ ସ୍କାଇଲାବ୍ ପକେଇଲି କହି ସାରା ପୃଥିବୀଟାକୁ ଥରେଇ ଦେଇନଥାନ୍ତା କି ଶେଷରେ ଅଷ୍ଟ୍ରେଲିଆ ଉପରେ ମଧ୍ୟ ପକାଇ ନ ଥାଆନ୍ତା ? ଏଗୁଡ଼ାକ ପୃଥିବୀ ପ୍ରତି ହେୟଜ୍ଞାନ । ଏ କବିତା ଲେଖା ହେଲାବେଳେ ଯଦି କେହି ତାଙ୍କ କାନରେ ଏକଥା ଫୁସ୍‌ଫୁସ୍‌ କରି କହି ଦେଇଥାଆନ୍ତ । ତେବେ କବି ଏ କବିତା କେବେହେଲେ ଲେଖି ନଥାନ୍ତେ-

 

ଏବେ ସୂର୍ଯ୍ୟ ଚନ୍ଦ୍ରଙ୍କ କଥା ଦେଖାଯାଉ ।

 

କବି ଲେଖିଲେ–‘‘ସଙ୍ଗେ ସଙ୍ଗେ ପ୍ରତାପୀ ତପନ, ତୁମରି ଚରଣ ପ୍ରାନ୍ତେ ରଶ୍ମିତାପ କଲେ ବିକୀରଣ ।’’ ସୂର୍ଯ୍ୟ ଯଦି ପ୍ରକୃତରେ ପାଦକୁ ଉଷୁମ ରଖିବାକୁ ସେକୁ ଥାଆାନ୍ତେ ତେବେ ଆମର କିଛି କହିବାର ନଥିଲା । ବୁଢ଼ାବୁଢୀଙ୍କର ପାଦକୁ ଉଷୁମ କନାରେ ସେକିଲେ ସେମାନଙ୍କୁ ଭଲଲାଗେ । ସେମାନେ ଆରାମ ବୋଧ କରନ୍ତି । କିଏ ନଜାଣେ ସୂର୍ଯ୍ୟ ପୃଥିବୀଟାକୁ ପ୍ରଚଣ୍ଡ ରଶ୍ମିଜାଳରେ ପୋଡ଼ି ପକାନ୍ତି । ତା ପୁଅମାନଙ୍କୁ ଛଟ ଛଟ କରାଇ ସନ୍‌ ଷ୍ଟ୍ରୋକ୍‌ରେ ମାରି ଦିଅନ୍ତି । ଜାଣୁ ଜାଣୁ ସେ ଏପରି ଦୁଷ୍କର୍ମ କରୁଥିଲା ବେଳେ କିଏ କହିବ ଯେ ତପନ ରଶ୍ମି ତାପ ଦ୍ୱାରା ପୃଥିବୀର ପାଦକୁ ଉଷୁମୁ କରୁଛନ୍ତି । କବିତା ଲେଖିଲା ବେଳେ କବି କଅଣ ଗ୍ରୀଷ୍ମଋତୁ ମଧ୍ୟାହ୍ନର ଅଭିଜ୍ଞତା ଭୁଲିଗଲେ ! କେତେଥର ଝାଳ ପୋଛିବାକୁ ତାଙ୍କର କବିତା ଲେଖା ବନ୍ଦ ହୋଇ ନଥିବ ! ତିକ୍ତ ଅଭିଜ୍ଞତା ସତ୍ତ୍ୱେ ଯଦି କବି ଏପରି ଲେଖନ୍ତି ତେବେ ଆମେ ନାଚାର । କଥାରେ ଅଛି ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ । ତେହିଁକି ଚନ୍ଦ୍ର ମହାଶୟ ବି କିମ୍‌ତି ଜନ୍ତୁ ନୁହଁନ୍ତି । ତାଙ୍କ ବିଷୟରେ ଲେଖା ଅଛି–‘‘ଚାରୁଚନ୍ଦ୍ରିକା ଲେପନେ ରଚିଲେ ଚନ୍ଦନ ଚର୍ଚ୍ଚା । ବିମଳିନି ତବ ଅପଘନେ ।’’ ଆମେ ମାନୁଛୁ କବି ଏଇଟା ଠିକ୍‌ ଲେଖିଛନ୍ତି । ପ୍ରକୃତରେ ଚନ୍ଦ୍ର ତାର ଶୀତଳ ଜ୍ୟୋତ୍ସ୍ନା ପୃଥିବୀରେ ବୋଳିଦିଏ, କିନ୍ତୁ ତାର ଫଳ କଅଣ ହେଲା ତାହା ହୁଏତ କବି ଜାଣି ନାହାନ୍ତି କିମ୍ୱା ଜାଣି ପ୍ରକାଶ କରିବାକୁ କୁଣ୍ଠାବୋଧ କରିଛନ୍ତି । ଏଇଟା ପ୍ରାୟ ଊଣା ଅଧିକେ ସମସ୍ତଙ୍କୁ ଜଣା ଯେ ତୋଫା ଜହ୍ନ ଆଲୁଅ ପଡ଼ିଲେ ବିରହୀ ଗୁଡ଼ାକ କାଲୁବାଲୁ ହୋଇ ଯାଆନ୍ତି । କାମାଗ୍ନିରେ ପଡ଼ି, ନିଆଁରେ ଜୀଅନ୍ତା ଗଡ଼ିଶା ମାଛ ଛଟ ଛଟ ହେଲାପରି ଛଟଛଟ ହୋଇ ଯାଆନ୍ତି । କେତେକ ଜୀବନ ବିକଳରେ ଦଉଡ଼ି ଲଗେଇ ଦିଅନ୍ତି । ଏ କାଲୁବାଲୁଟା ବେଶି ଦେଖାଯାଏ କଲେଜ ଟୋକାଙ୍କଠାରେ-। ସେମାନଙ୍କର ଡହଳବିକଳ ଦେଖିଲେ ଆଖିରେ ଲୁହ ଜକେଇ ଆସେ । ବହି ଚୂଲିକୁ ଯାଉ-। ଅଧିକାଂଶ ପାଗଳ ହୋଇ ପାଠର ନୋଟ୍‌ ଲେଖିବା ପରିବର୍ତ୍ତେ ପ୍ରେମ କବିତା ଲେଖନ୍ତି-। ଜୀବନରେ ଯିଏ ହୋଇଥାନ୍ତା ମୁଖ୍ୟମନ୍ତ୍ରୀ ସେ ହୁଏ ଦାଣ୍ଡର ଭାଗା । ଯିଏ ଦିନେ କଲେକ୍ଟର ହୋଇପାରିଥାନ୍ତା ସେ ହୁଏ ଭୁଆ ବିରାଡ଼ିଆ କବି–ରାତିଯାକ ରଡ଼ି ଛାଡ଼େ ‘ପ୍ରିୟା, ପ୍ରିୟା, ପ୍ରିୟା’ । ଭଲ ମଣିଷଙ୍କ ପରି ଖରାପ ଅସାମାଜିକ ଲୋକେ ବି ଊଣା ହଇରାଣ ହୁଅନ୍ତି ନାହିଁ । ଖରାପ ହେଲେବି ସେମାନେ ତ ପୃଥିବୀର ସନ୍ତାନ । ସେମାନେ ତ ଖରାପ କାମ କରି ବଞ୍ଚିବେ । ବାଘ ମଣିଷ ଖାଉଛି । ସରକାର ତ ପୁଣି ସେ କିପରି ବଞ୍ଚି ରହିବ ତାର ବ୍ୟବସ୍ଥା କରୁଛନ୍ତି । ଏପରି ଖରାପ ଲୋକ ହେଲେ ଚୋର । ଚନ୍ଦ୍ର ଚୋରମାନଙ୍କୁ କି ହଇରାଣରେ ନ ପକାଏ । ସେଥିପାଇଁ ପାଠ ମଧ୍ୟ କହୁଛି ‘ଚୌରଃ ନିନ୍ଦନ୍ତି ଚନ୍ଦ୍ରମା’ । ନିନ୍ଦିବାର କଥା । ବେଉସା ଉପରେ ଆଞ୍ଚ ଆସିଲେ କିଏ କାହାକୁ ଛାଡ଼ିବ । ଏହିସବୁ କାମରୁ ବେଶ୍‌ ପଡ଼ୁଛି ଚନ୍ଦ୍ର ପୃଥିବୀକୁ କିପରି ହଲାପଟା କରୁଛି ।

 

ଏବେ ଗୁଣବନ୍ତ ମେଘ ପୃଥିବୀରେ କିପରି ସେବା କରୁଛି ଦେଖନ୍ତୁ । ମନୁଆ ମେଘର ସେବା ନମୂନା ଦେଖାଯାଉ । କେଉଁଠି ମରୁଡ଼ି କଲାଣି ତ କେଉଁଠି ଘର ଦ୍ୱାର ଫସଲ ସବୁ ଭସାଇ ଦେଲାଣି । ପୃଥିବୀର ଦେହକୁ ଟିକି ଟିକି କରି ଖଣ୍ଡିଆ କରି ପକାଉଛି । କ୍ଷୟ ରୋଗ ଜୀବାଣୁ ମଣିଷକୁ ଖାଇଲାପରି ମେଘ ପୃଥିବୀକୁ ଖାଇ ଲାଗିଛି । ଚୋର ତଣ୍ଟିକଟାକୁ ସାଙ୍ଗରେ ରଖିଲା ପରି ମେଘ ଘଡ଼ଘଡ଼ିକୁ ରଖି ନିଜର ଦାଉ ସାଧୁଛି । ବେଳେ ବେଳେ ଅଚାନକ ପୃଥିବୀ ଉପରେ ଛେଚି ଦେଇ ଜୀବଜନ୍ତୁ ଓ ମଣିଷଙ୍କୁ ଖାଉଛି । ଗଛବୁରୁଛରେ ନିଆଁ ଲଗେଇ ଦେଉଛି । ଏଗୁଡ଼ାକୁ ଆମେ କଅଣ ସେବା କହିବା ? କବି ପୁଣି ଲେଖିଛନ୍ତି ‘‘ପ୍ରମତ୍ତ ମୁଦିର ଅଭିଷେକ ବଢ଼ାଇଲେ ଢାଳି ଧାରା ନୀର ।’’ କବିଙ୍କ ସଙ୍ଗେ ପାଠକେ ଏକ ମତ ହେବେ ତ ?

 

ପୁନଶ୍ଚ ସେବକ ପ୍ରଭଞ୍ଜନର ସେବା ଦେଖିବା ହୁଅନ୍ତୁ । କବି ଲେଖିଛନ୍ତି–‘‘ପ୍ରଭଞ୍ଜନ କଲେ ଚାମର ବ୍ୟଜନ । ପ୍ରାୟ ପ୍ରତିବର୍ଷ ଓଡ଼ିଶାରେ ଯେଉଁ ପ୍ରଚଣ୍ଡ ଝଡ଼ ହୋଇ ବିରାଟ ବିରାଟ ଦ୍ରୁମ ସବୁ ଉପୁଡ଼ି ଯାଇ ଗଡ଼ିଯାଆନ୍ତି, ସେଇଟା ପ୍ରଭଞ୍ଜନର ଚାମର ବ୍ୟଜନ ? ଯେଉଁ ଝଡ଼ ଫଳରେ ଲୁହାର ଖୁଣ୍ଟସବୁ ମୋଡ଼ିମାଡ଼ି ହୋଇଯାଏ, ଲୁହା ପଥର ବୋଝେଇ ଟ୍ରକସବୁ ଦିଆସିଲି ବାକ୍‌ସ ପରି ଉଡ଼ିଯାଇ ଖଣ୍ଡେ ଦୂରରେ କଚି ହୋଇପଡ଼େ, ଗାଈବଦଳ ଉଡ଼ିଯାଇ ଗଛ ଅଗରେ ଲାଖି ରହନ୍ତି ଚାଳ କଥା ପଚାରେ କିଏ କୋଠା ଛାତ ବି ଉପୁଡ଼ିଯାଏ ତାକୁ ଆମେ କଅଣ ପ୍ରଭଞ୍ଜନର ଚାମର ବ୍ୟଜନ କହିବା ? ପ୍ରଭଞ୍ଜନର ଏ ଧରଣର ଚାମର ବ୍ୟଜନ କେବଳ ଓଡ଼ିଶା କାହିଁକି ପୃଥିବୀର ସବୁ ଦେଶରେ ଊଣା ଅଧିକେ ଦେଖାଯାଉଛି । କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି, ହଜାର ହଜାର ଘର ଧ୍ୱଂସ ପାଇଛି । ଅଗଣିତ ଜୀବଜନ୍ତୁ, ମନୁଷ୍ୟ ମୃତ୍ୟୁମୁଖରେ ପଡ଼ିଛନ୍ତି । ପ୍ରଭଞ୍ଜନ ଏତିକିରେ କ୍ଷାନ୍ତ ହେଉନି । ସମୁଦ୍ର ବକ୍ଷରେ ପର୍ବତାକାର ଲହଡ଼ି ସୃଷ୍ଟି କରି ଉପକୂଳରେ ଥିବା ଗାଁ ଗଣ୍ଡା, ସହର ଭିତରକୁ ପୁରେଇ ଦେଉଛି । ପୃଥିବୀ ପ୍ରତି କି ନିର୍ମମତା, କି କଠୋରତା ସତେ ! ପ୍ରଭଞ୍ଚନର ଏ ଆଚରଣ କଦାପି କ୍ଷମଣୀୟ ନୁହେଁ । କବି ଏପରି କଅଁଳିଆ କଥା କହିବା ଫଳରେ ତାର ଔଦ୍ଧତ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ କବିଙ୍କର କହିବା ଉଚିତ–‘‘ରେ ପ୍ରଭଞ୍ଜନ ବନ୍ଦକର ତୋର ଚାମର ବ୍ୟଜନ, ଧରିତ୍ରୀର ନାହିଁ ପ୍ରୟୋଜନ ।’’

 

ବିଶ୍ୱସ୍ରଷ୍ଟାଙ୍କ ଅନୁମତି ଓ କବିଙ୍କ ସାବାସି ପାଇ ଅନମ୍ୱର ଧରିତ୍ରୀକୁ ଠକୁଛି ଓ ତେଲ ଫୋପାଡ଼ୁଛି । ସୂର୍ଯ୍ୟ ଚିଆଁ ଦେଉଛି, ଚନ୍ଦ୍ର ଡହଳ ବିକଳ କରାଉଛି; ମେଘ କ୍ଷୟ କରି ପକାଉଛି. ପ୍ରଭଞ୍ଜନ ଗଡ଼୍‌ ତଙ୍ଗ କରି ଦେଉଛି । ଦୂରରେ ଥାଇ ସମସ୍ତେ ପୃଥିବୀ ଉପରେ ଯାବତ ଅତ୍ୟାଚାର ଚଳାଇବାରେ ଲାଗିଛନ୍ତି । ଏଗୁଡ଼ାକ ବର୍ବରୋଚିତ କାର୍ଯ୍ୟଅସହ୍ୟ ।

 

ଇଏତ ଗଲା ସେବକମାନଙ୍କର ସେବାର ନମୂନା, ଏବେ ତଥାକଥିତ ଅବଳା, ସର୍ବଂସହାଙ୍କର ବିଷୟ ଦେଖାଯାଉ । ବିଶ୍ୱସ୍ରଷ୍ଟାଙ୍କୁ ଧରିତ୍ରୀ ଯେତେବେଳେ କହିଲେ ‘‘ତମର ଇଚ୍ଛା’’ ସେତେବେଳେ ସେ ଚେତାଇ ଦେଲେ ଯେ ତାଙ୍କ ଇଚ୍ଛା ବଡ଼ ଭୟଙ୍କର । ସେ ଯେଉଁ ମଣିଷ ସୃଷ୍ଟି କରିବେ ସେମାନେ ତାଙ୍କର ଦେହକୁ କୃଷିପାଇଁ ଚରିବେ, ଦେହରେ ଗାତ କରି ପକେଇବେ, ସେଗୁଡ଼ାକ ସେ ସହି ପାରିବେ ତ ? ଧରିତ୍ରୀ ସମ୍ମତି ଜଣାଇବାରୁ ବିଶ୍ୱସ୍ରଷ୍ଟା କୁଆଡ଼େ କହିଲେ–‘‘ବିଜୟିନୀ ଆଜି ତୁମେ ଏ ବିଶ୍ୱଭୁବନେ, ସୁନ୍ଦରି, କଲ୍ୟାଣି ! ନମ୍ର ହୋଇ ହୋଇଚ ବିରାଟ, ଆଜି ତୁମେ ଜଗତର ରାଣୀ ।’’

 

ବିଶ୍ୱସ୍ରଷ୍ଟା ଏକଥା କହିଥିବା ବିଷୟ କବି ଉଲ୍ଲେଖ କରି ଅଛନ୍ତି । ଆମର ପୂରା ବିଶ୍ୱାସ କବି ସ୍ୱୟଂ ଏକଥା ଆଦି ଗ୍ରନ୍ଥ ବେଦରୁ ପାଇ ନାହାନ୍ତି । କୌଣସି ଏକ ଗାଲୁଆ ମାଲୁଆ ସମ୍ୱାଦିକଠାରୁ ଶୁଣି ଲେଖି ଦେଇଛନ୍ତି । ବିଶ୍ୱସ୍ରଷ୍ଟା ସବୁ କିଛି ଜାଣୁ ଜାଣୁ କେବେହେଲେ ତାଙ୍କୁ ନମ୍ର କହିବେ ? ଜଗତର ରାଣୀ ବୋଲି କହିବେ ? ଧରିତ୍ରୀଙ୍କ ଗୁଣ କାହାକୁ ଅମାଲୁମ ଅଛି । ପ୍ରଚଣ୍ଡ ରାଗୁଣୀ, ଖିଟ୍‌ ଖିଟ୍‌ ମିଞ୍ଜାସିନୀ, ସନ୍ତାନ ଘାତିନୀ ସେ । ଏସବୁ ଗୁଣ ତାଙ୍କର ଶିରାରେ ଶିରାରେ ପୂର୍ଣ୍ଣ । ମଣିଷମାନଙ୍କ ଉତ୍ପାତ ଅବଶ୍ୟ ଏଥିପାଇଁ କେତେକାଂଶରେ ଦାୟୀ । ଏତକ ଯଦି ସହି ନ ପାରିଲେ ତାଙ୍କୁ ଆମେ ସର୍ବଂସହା କହିବା କାହିଁକି ? ନିଜ ଦେହକୁ ଥରେଇ ବା ଭୂମିକମ୍ପ କରି ଲୋକଙ୍କ ଘରଦ୍ୱାରା ଭାଙ୍ଗି ସେମାନଙ୍କୁ ହଜାର ହଜାର ସଂଖ୍ୟାରେ ସଂହାର କରନ୍ତି କାହିଁକି ? ଅଗ୍‌ନ୍ୟୁତ୍ପାତ କରାଇ ଲୋକମାନଙ୍କୁ ବିଲାତି ଆଳୁ ପୋଡ଼ିଲା ପରି ପୋଡ଼ି ପକାନ୍ତି ନାହିଁକି ? ଆଭାଲାଙ୍କ୍‌ ବା ବରଫ ଧସା ସୃଷ୍ଟି କରି ଗିରିଜନମାନଙ୍କୁ ନିପାତ କରନ୍ତି ନାହିଁକି ? ଲ୍ୟାଣ୍ଡସ୍ଲାଇଡ଼୍‌ ବା ପର୍ବତ ଧସେଇ ସୃଷ୍ଟି କରି ପାଦ ଦେଶରେ ଥିବା ହଜାର ହଜାର ନିରୀହ ଅଧିବାସୀଙ୍କୁ ଜୀଅନ୍ତା ସମାଧି ଦିଅନ୍ତି ନାହିଁକି ? ଏଗୁଡ଼ାକ ଏକ ପ୍ରଚଣ୍ଡ ରାଗୁଣୀ ଓ ପ୍ରତିଶୋଧ–ପରାୟଣାର ଲକ୍ଷଣ ନୁହେଁକି ? ବିଶ୍ୱସ୍ରଷ୍ଟା ତାଙ୍କୁ ବିଜୟିନୀ କୁହନ୍ତୁ କିଛି ଯାଏ ଆସେ ନାହିଁ ଆମେ ସେଥିପାଇଁ କିଛି କହିବୁ ନାହିଁ । କିନ୍ତୁ ଆମ କାନ ଦିଟା ଉନ୍ମୁକ୍ତ ଥିଲାବେଳେ ଯଦି ବିଶ୍ୱସ୍ରଷ୍ଟା ତାଙ୍କୁ କହନ୍ତି ନମ୍ର ତେବେ ଆମେ ତୀବ୍ର ପ୍ରତିବାଦ ଜଣାଇବୁ । ପାର୍ଲିଆମେଣ୍ଟରେ ବିପକ୍ଷଦଳର ପ୍ରତିବାଦଠାରୁ ତାହା ଢେର ଢେର ବେଶି ପ୍ରଖର । ଆମେ ଆଉ ସବୁକଥାରେ ହିଁ ମାରିଯିବା ଅବସ୍ଥାରେ ନାହୁଁ । ବେଶି ବେଶି ବିବ୍ରତ କଲେ ଆମେ କବି ରବିସିଂଙ୍କ ଶରଣ ପଶିବୁ ।

 

ପରିଶେଷରେ ଆମେ ଏତିକି କହିବୁ ଯେ କବି ଗଡ଼ନାୟକ ଅତି ସୁନ୍ଦର କବିତାଟିଏ ଲେଖିଲେ ସତ କିନ୍ତୁ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଲେଖିଲେ ସେମାନେ ଅଯୋଗ୍ୟ ।

Image

 

Unknown

ଗୋଲିଖଟିଆ କିମ୍ୱଦନ୍ତୀ

 

କିମ୍ୱଦନ୍ତୀମାନଙ୍କ ଭିତରେ କେତେକ ଖାଣ୍ଟି ସତକଥା ଥାଏ । ଇତିହାସର ଲେଖକମାନେ ଏଥିରୁ ସୂତା ଖିଅଟା ପାଇ ତାଙ୍କର ଇତିହାସିଆ ଜାଲ ବୁଣି ବସନ୍ତି । ଏହି ସୂତାଖିଅଟି ନ ପାଇଥିଲେ ଇତିହାସିଆମାନେ ଠିକଣା ସ୍ଥାନରେ ପହଞ୍ଚି ନପାରି ଭୁଆଁ ବୁଲୁଥାନ୍ତେ । କିମ୍ୱଦନ୍ତୀ ସେମାନଙ୍କୁ ଏ ପ୍ରକାର ଭୁଆଁ ବୁଲାରୁ ବଞ୍ଚାଇଥାଏ । ଏହା ସାହାଯ୍ୟରେ ଇତିହାସିଆମାନେ ମଧ୍ୟ ପାଠକ ଓ ଗବେଷକମାନଙ୍କୁ ଭୁଆଁ ବୁଲାରୁ ବଞ୍ଚେଇ ଥାଆନ୍ତି ।

 

ଆଉ କେତେ ଗୁଡ଼ିଏ କିମ୍ୱଦନ୍ତୀ ଅଛି ତାହା ନିରୁତା ଗୋଲିଖଟିରୁ ଜନ୍ମଲାଭ କରିଥାଏ । ଏସବୁ କିମ୍ୱଦନ୍ତୀରେ ଧର୍ମର ଛିଟା ଥିବାରୁ ଇତିହାସିଆମାନେ ଭୁଆଁ ବୁଲିବା ଭୟରେ ଖୋଳତାଡ଼ ନକରି ଇତିହାସରେ ପୂରାଇ ଦିଅନ୍ତି । ପାଠକମାନେ ବି ତା ଭିତରେ ଧର୍ମର ପୁଟଥିବା ଦେଖି ଏବଂ ସର୍ବଶକ୍ତିମାନ ଭଗବାନଙ୍କ କାର୍ଯ୍ୟକଳାପର ଗନ୍ଧ ତା ଭିତରେ ପାଇ ମୁଣ୍ଡ ଟୁଙ୍ଗାରିଦିଅନ୍ତି । ଯେଉଁଠି ସ୍ୱୟଂ ଭଗବାନ ନିଜେ କରୁଛନ୍ତି ସେଠି ସବୁକିଛି ସମ୍ଭବ ବୋଲି ଧରିନେଇ ଚିନ୍ତା ରାଜ୍ୟରେ ଆଉ ବେଶି ଦୂର ଆଗେଇ ଯାଆନ୍ତି ନାହିଁ । କିମ୍ୱଦନ୍ତୀ ଏହି ସୁବିଧାରେ ତାର ଏକଛତ୍ର ଆଧିପତ୍ୟ ବଜାୟ ରଖେ । ତାକୁ ପ୍ରଶ୍ନ କରିବାର ସାହସ କାହାରି ନଥାଏ । ଏ କିମ୍ୱଦନ୍ତୀ ହିଟ୍‌ଲର୍‌, ମୁସୋଲିନୀଠାରୁ ଆହୁରି ଟାଣୁଆ । ଦୁନିଆରେ କେହି କୋଳି ଖାଇ କୋଳିମଞ୍ଜି ପୋତିନି ଯେ ସେ କୋଳି ମଞ୍ଜି ଗଛ ହୋଇ ଫଳିବା ପର୍ଯ୍ୟନ୍ତ ଅପେକ୍ଷା କରିବ ଏବଂ ସେ କୋଳିକୁ ଖାଇ ତା ମଞ୍ଜିକୁ ପୋତି ପୁଣି ଅପେକ୍ଷା କରିବ । ହିଟ୍‌ଲର୍‌, ମୁସୋଲିନୀଙ୍କୁ କାଳ ଦି’ ନାତ୍‌ ଦେଇ ହଟାଇ ଦେଲା । କିମ୍ୱଦନ୍ତୀଟା କିବା ଛାର । ଗୋଲିଖଟ୍ୟୋଦ୍ଭବ କିମ୍ୱଦନ୍ତୀ ପିଚାରେ କାଳ ଅଲବତ୍‌ ନାତ ମାରିବ । ନାତ ମାରି ଉଡ଼ାଇ ଦେବ । ସେତେବେଳେ ଯାଇ ପାଠକ ତଥା ସାଧାରଣ ଲୋକେ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ଭାବିବେ–‘‘ଆରେ ଏ ମିଛ କି ଗୋଲିଖଟିଆ କିମ୍ବଦନ୍ତୀଟାକୁ ଆମେ ଆଜିଯାଏ କୁଣ୍ଡେଇ ବସିଥିଲୁ ନା ! ଆମେ କେଡ଼େ ବୋକାମ !’’ ବାସ୍‌ ଏ କିମ୍ୱଦନ୍ତୀ ପବନରେ ମିଳେଇଯାଏ ।

 

ଏହିପରି ଏକ ଗୋଲିଖଟିଆ କିମ୍ୱଦନ୍ତୀ ହେଲା–‘ମାଣିକ–ପାଟଣାର ଗଉଡ଼ୁଣୀ’ । ଏ କିମ୍ୱଦନ୍ତୀର ସାର କଥା ହେଲା–ପୁରୀ ଠାକୁର ରାଜାଙ୍କ କାନରେ କେହି ତୈଳ ମର୍ଦ୍ଦନକାରୀ ଦରବାରିଆ ଫୁସ୍‌ଫୁସ୍‌ କରି କହିଲା–‘‘ମଣିମା ଦକ୍ଷିଣରେ କାଞ୍ଚି ରାଜାଙ୍କର ଗୋଟିଏ ଅଉଲନମ୍ୱର ଝିଅ ଅଛି । ରମ୍ଭା ଉର୍ବଶୀ ମେନକା ତା କାଣି ଆଙ୍ଗୁଠିକୁ ସରି ନୁହନ୍ତି । ସେ ଠିଆ ହେଲେ ଏ ଅପ୍‌ସରାମାନେ ତା’ର ପୋଇଲିଠାରୁ ହୀନ ଦେଖାଯାଆନ୍ତି । ମଣିମା ସେଇ ଝିଅଟି ଛାମୁଙ୍କ ଲାଖି । ଏତକ ଖବର ଦେଇ ଅନୁସରଣିଆଟି ଦି ତିନିମାଣ ଜମି ଜାଗିରୀ ପାଇ ଆନନ୍ଦରେ ରହିଲା । ଠାକୁର ରାଜାଙ୍କ ହାଲତ୍‌ କିନ୍ତୁ ଗଣ୍ଡଗୋଳିଆ ଧରିଲା । ଲମ୍ୱା କଳିଆ କନ୍ଦର୍ପଟା କେଉଁଠି ଲୁଚିରହି ଶୁଣୁଥିଲା କେଜାଣି ରାଜାଙ୍କ ଉପରକୁ ଲକ୍ଷ୍ୟକରି ଶର ଉପରେ ଶର ନାଦି ଦେଲା । ଏଡ଼େ ବଡ଼ ରାଜା ଏକାବେଳେକେ ଘାଏଲ୍‌ । ଉତ୍ପାତିଆ କନ୍ଦର୍ପର ଶରପୀଡ଼ାରେ ଛଟ ଛଟ ହୋଇଗଲେ । ସେ ସବୁ ସମୟରେ ରାଜାମାନଙ୍କର ମାତ୍ର ଦୁଇଟି କାମ ଥିଲା । ଯୁଦ୍ଧକରି ରାଜ୍ୟ ବଢ଼ାଇବା ଆଉ ସେଠାରୁ ଅଉଲ ଅଉଲ ତିର୍ଲା ଧୁଣ୍ଡାଳି ଆଣି ଅନ୍ତପୁରରେ ଭରିବା । ରାଜାଙ୍କୁ କନ୍ଦର୍ପ ପୀଡ଼ିବାରୁ ସେ କାଞ୍ଚିରାଜାଙ୍କ ପାଖକୁ ବାତିନି ଲେଖି ପଠାଇଲେ–‘‘ଭୋ ଭୋ କାଞ୍ଚିରାଜା ତୁମ୍ଭ ଦୋହିତାକୁ ଆମ୍ଭ ଛାମୁକୁ ପଠିଆଅ । ଆମ୍ଭେ ତାହାନ୍ତ ବିଭା କରିବାକୁ ।’’

 

କାଞ୍ଚିରାଜ ବି ଉଣା ଟାଣୁଆ ନଥିଲେ । ସେ ବାତିନି ନେଇଥିବା ଦୂତକୁ ସାଫ ସାଫ୍‌ ଶୁଣାଇଦେଲେ –‘‘ତୋହର ରାଜାର ବହପ ଅଳପ ନୁହଇ । ଗୁଣ୍ଡଳ ପ୍ରାୟେକ ବଡ଼ଦାଣ୍ଡ ପହଁରା ଦେଉ ଅଛଇ । ଏଡ଼େକ ପ୍ରାକର୍ମ ତାର ! ମୋହର ଦୁଲାଳିକୁ ସ୍ତିରୀରତନ କରାଇବ । ପଳା ପଳା ବେଗ କରି ।’ ଦୂତ ବିଚାରା ସେହି ଖବର ରାଜାଙ୍କୁ ଦେଲା । ରାଜା ରକ୍ତ ଚାଉଳ ଚୋବେଇ–ପାଇକ ସେନାଙ୍କୁ ଶ୍ରୀମୁଖ ଦେଲେ–ଥାଟ ସଜକର କାଞ୍ଚିରାଜାର ମୂଢ଼ପଣର ଉଚିତ ପ୍ରାଭବ ଦିଆଇବାକୁ ହେବ । ଆମ୍ଭ ସାମରଥାକୁ ସେହୁ ଭାର୍ଜନ ନୋହିବ । ଫଉଜ ମାଣିକପାଟଣା ପାଖରେ ପହଞ୍ଚିବା ମାତ୍ରେ ସେଠାରେ ଦହି ବିକୁଥିବା ମାଣିକ ଗଉଡ଼ୁଣୀ ରାଜାଙ୍କୁ ଜଣେଇଲା ଯେ ଦିଜଣ ଘୋଡ଼ସବାର, ଜଣେ କଳା ଆଉ ଜଣେ ଧଳା ଘୋଡ଼ାରେ ବସି ଏଇବାଟ ଦେଇ ଯାଉଥିଲେ । ସେ ଦହି ଦେଖି ତାଙ୍କ ପାଟି ଲାଳେଇଲା । ସେମାନେ ଦହିତକ ପିଇଦେଲେ ଆଉ ‘‘ରାଜା ପଛରେ ଆସୁଛି ତାକୁ ଏ ମୁଦି ଦେଖେଇବ ସେ ପଇସା ଦେଇଦେବ’’ କହି ମୁଦିଟିଏ ଦେଇ ଚାଲିଗଲେ । ରାଜା ଦେଖିଲେ ସେଇଟା ସତକୁ ସତ ଜଗନ୍ନାଥଙ୍କ ମୁଦି । ଜଗନ୍ନାଥ, ବଳଦେବ ଦୁହେଁ ଠାକୁର ରାଜାଙ୍କ ଅପମାନ ସହି ନପାରି ସ୍ୱଦେହରେ ଯୁଦ୍ଧକ୍ଷେତ୍ରକୁ ଆସିଛନ୍ତି । ସୈନ୍ୟମାନଙ୍କ ଆନନ୍ଦ ଉତ୍ସାହ ଫାଟିପଡ଼ିଲା । ଦିହରେ ବଳ ତେଜ ବି ଉତୁରି ପଡ଼ିଲା ପ୍ରାଣମୂର୍ଚ୍ଛ । ଯୁଦ୍ଧକରି, କାଞ୍ଚିରାଜାକୁ ହଟେଇ ତାଙ୍କ ଝିଅକୁ ଡୋଲିରେ ବସେଇ ପୁରୀ ଫେରି ଆସିଲେ । ତାପରେ ମନ୍ତ୍ରୀ ଚାତୁର କରି କାଞ୍ଚିରାଜାର ଝିଅଙ୍କୁ ରାଜାଙ୍କ ସାଙ୍ଗରେ ବିବାହ କରିଦେଲା । ଏଇଟା ହେଲା ମୋଟାମୋଟି କିମ୍ୱଦନ୍ତୀର ବିଷୟବସ୍ତୁ ।

 

ଏବେ ଦେଖାଯାଉ, ଏ କିମ୍ୱତନ୍ତୀଟି ଖାଣ୍ଟି ସତସତିଆ ନା ଗୋଲିଖଟିଆ । ପ୍ରଥମରେ ପ୍ରଶ୍ନ ଉଠୁଛି ରାଜାଙ୍କୁ କନ୍ଦର୍ପ ପିଡ଼ିଲା । ସେ କାଲୁବାଲୁ ହୋଇ ଯାହା ତାହା କରିଗଲେ । ସେଥିରେ ଜଗନ୍ନାଥଙ୍କର କଅଣ ଗଲା ? ପୁରୀ ରାଜା ତାଙ୍କ ପୁଅ ଆଉ କାଞ୍ଚି ରାଜଜେମା ତାଙ୍କର ଝିଅ । ପୁଅ ପୁଅ କି ପୁଅ ଝିଅଙ୍କ ଭିତରେ ଝଗଡ଼ା ଲାଗିଲେ ବାପ ବା ଅନ୍ୟ ଯେ କୌଣସି ଅଭିଭାବକ ଧାଇଁ ଆସି ଦୁହିଁଙ୍କୁ ବୁଝେଇ ସୁଝେଇ କଳି ମେଣ୍ଟେଇ ଦିଅନ୍ତି । କଳି ସ୍ଥାନରୁ ଦୁହିଁଙ୍କୁ ଅଲଗା କରି ଆକଟ କରି ଉଭୟଙ୍କୁ ନିଜ ନିଜ ଘରକୁ ପଠେଇ ଦିଅନ୍ତି । ଛୁଆଙ୍କ କଳିରେ କୌଣସି ବଡ଼ ମଣିଷ ଗୋଟାଏ ପକ୍ଷରେ ରହି ଲଢ଼େନି କି କଳି ତେଜାଏ ନାହିଁ, ଏପରି କଲେ ସେ ନିନ୍ଦିତ ହୁଏ, ଧିକ୍‌କାର ଶୁଣେ । ବେଶୀ ରୋଆବ ଦେଖାଇଲେ ଆଉ ବଡ଼ ମଣିଷ ଆସି ତାକୁ ଜବତ କରି ଦିଅନ୍ତି । ଏ ପୁଅ ଝିଅ କଳିରେ ସ୍ୱୟଂ ଜଗନ୍ନାଥ ପୁରୀରଜା ପାଇଁ ଲଢ଼େଇ କରିବାକୁ ଯିବେ କାହିଁକି ? କାଞ୍ଚି ରାଜାଙ୍କର ସୈନ୍ୟସାମନ୍ତଙ୍କୁ ହାଣିବେ ବା କାହିଁକି ? ଏଇଟା ତ ଅତି ସାଧାରଣ ଜ୍ଞାନର କଥା । ଜଗନ୍ନାଥଙ୍କର ତ ଆହୁରି ବେଶୀ ସାଧାରଣ ଜ୍ଞାନ ତଥା ଅସାଧାରଣ ଜ୍ଞାନ ଅଛି । ସେ କେବେହେଲେ ପୁରୀରାଜାଙ୍କୁ ଗୋଟାଏ ଅନ୍ୟାୟ ଯୁଦ୍ଧରେ ବଡ଼ଭାଇ ବଳଦେବଙ୍କ ସହିତ ସାହାଯ୍ୟ କରିବାକୁ ଯିବେ ନାହିଁ । ସମସ୍ତଙ୍କ ତୁଣ୍ଡରେ ଯିଏ ଖରାପ ତାକୁ ଜଗନ୍ନାଥ କେବେହେଲେ ଭଲ ବୋଲି କହିବେ ? ପୁରୀ ରାଜାଙ୍କୁ ଜଗନ୍ନାଥ ସାହାଯ୍ୟ କରିବା ଲାଗି ଯୁଦ୍ଧକ୍ଷେତ୍ରକୁ ଯିବା କଞ୍ଚା ଗାଲୁ ଛଡ଼ା ଆଉ କିଛି ନୁହେଁ । ଆଉ ମଧ୍ୟ ଯଦି ଜଗନ୍ନାଥ ବିଚାରିଲେ କାଞ୍ଚିରାଜାଟା ଗଣ୍ଡଗୋଳିଆ ଲୋକ ତା’କୁ ଦଣ୍ଡଦବା ନିହାତି ଦରକାର ତେବେ ସେ ତ ତାଙ୍କ ମନ ଭିତରେ ସୁଦର୍ଶନଙ୍କୁ କହିଦେବେ–‘‘ଯାଅ ବାବା ସୁଦର୍ଶନ, କାଞ୍ଚିରାଜା ସୈନ୍ୟମାନଙ୍କୁ କଚାକଚ କାଟିଦେଇ ପୁରୀ ରଜାକୁ ଜିତେଇଦେ । ଏତକ ଭାବି ସାରିଲା ବେଳକୁ ତେଣେ ସୁଦର୍ଶନ ସବୁ କାମ ଖତମ କରି ଦେଇଥିବ । ତେବେ ତୁଚ୍ଛାଟାଏ ସେ ଏତେ ଦୀର୍ଘପଥ ଘୋଡ଼ାରେ ବସି କାହିଁକି ଯିବେ ? କାହିଁକି ଅଯଥାରେ ପିଚା ଦରଜ କରି ବାପାଲୋ ମାଆଲୋ ହେବେ ଆଉ ମାଆ ଲକ୍ଷ୍ମୀଙ୍କୁ ହଇରାଣରେ ପକାଇବେ । ମାଆ ଲକ୍ଷ୍ମୀ କେଉଁଠୁ ଖାଣ୍ଟି ସୋରିଷ ତେଲ ଆଣ, କେଉଁଠୁ ପାକିସ୍ଥାନୀ ଚୋରା ଅଫିମ ଆଣ, ତାକୁ ନିଆଁରେ ବସାଇ ଫୁଟା, ପୁଣି ତାକୁ ଉଷୁମ ଉଷୁମ ଜଗନ୍ନାଥଙ୍କ ପିଚାରେ ମାଲିସ କର । ଏଗୁଡ଼ାକ ଜଗନ୍ନାଥ କେବେହେଲେ କରିବେ ନାହିଁ କି କରେଇ ଦେବେ ନାହିଁ । ଯେଉଁଟା ଛୁଞ୍ଚିରେ ହେବ ତାପାଇଁ ସାବଳର କି ଦରକାର ! କେହି କେହି କହିପାରନ୍ତି ଜଗନ୍ନାଥ ତ ଶ୍ରୀକୃଷ୍ଣଙ୍କର ଦାରୁମୂର୍ତ୍ତି । ଶ୍ରୀକୃଷ୍ଣଙ୍କ ଆଦତ୍‌ କିଛି ଜଗନ୍ନାଥଙ୍କ ପାଖରେ ରହିଯାଇଥିବ । ଶ୍ରୀକୃଷ୍ଣଙ୍କ ପୁଅମାନେ ଯାହାର ଗୋଟିଏ ଭଲ ଝିଅ ଦେଖିଲେ ତାକୁ ପଟେଇ ନେଇ ଭାରିଯା କଲେ । କନ୍ୟାପିତା ଏଥିରେ ରାଗି ଯଦି କୃଷ୍ଣଙ୍କ ପୁଅକୁ ବାନ୍ଧି ପକାନ୍ତି ତେବେ ଶ୍ରୀକୃଷ୍ଣ ବଡ଼ଭାଇଙ୍କ ସହ ଯାଇ ଯୁଦ୍ଧ କରନ୍ତି ଓ କନ୍ୟାପିତାକୁ ପରାସ୍ତ କରି ପୁଅ ବୋହୂଙ୍କୁ ନେଇ ନିଜ ରାଜ୍ୟକୁ ଫେରନ୍ତି । ଜଗନ୍ନାଥଙ୍କ ଠାରେ ଏଇ ଖୋଇଟା ରହିଯାଇପାରେ । ଏପରି ଭାବିବା ଭ୍ରମାତ୍ମକ । ଶ୍ରୀକୃଷ୍ଣଙ୍କର ଯୁଦ୍ଧ କରିବାରେ କାରଣ ଥାଏ । ପହିଲେ ଝିଅ ଶ୍ରୀକୃଷ୍ଣଙ୍କ ପୁଅର ଚେହେରା ଦେଖି ଲଟ୍‌ ହୋଇଯାଏ । ଦୁହେଁ ରାଜିରୁଜାରେ ବାହାହୋଇ ପଡ଼ନ୍ତି, ଚଉଠି ବି ସରିଯାଏ । ଏତେବେଳେ ଯାଇ କନ୍ୟାପିତାର ନିଦ ଭାଙ୍ଗେ । କୃଷ୍ଣଙ୍କ ପୁଅକୁ ନୁଙ୍ଗୁରା ଭାବି ବାନ୍ଧି ପକାଏ, ଆଉ ହତ୍ୟା କରିବାକୁ ଆଦେଶ ଦେଇଦିଏ । ଏଥିରେ କୋଉ ଲୋକଟା ନ ରାଗିବ ! ତା ଝିଅଟା ଏଡ଼େ ସତୀ ହୋଇଗଲା ଆଉ କୃଷ୍ଣଙ୍କ ପୁଅଟା ଜନାକାରୀ ମକଦ୍ଦମାରେ ପଡ଼ିବ ! ଏମିତିଆ ଅନ୍ୟାୟରେ ଯିଏ ନାହିଁ ସିଏ ରାଗିବ । କୃଷ୍ଣ କଅଣ ଖରାପଟା କରି ପକେଇଲେ ? ଏଠି କିନ୍ତୁ ଅବସ୍ଥାଟା ଅନ୍ୟ ପ୍ରକାରର । ରାଜା ଆଗ କହିଲେ ବାହା ହେବାକୁ । କନ୍ୟାପିତା ମନାକଲା । ଏଥିରେ ରାଜା ରାଗିଯାଇ କନ୍ୟାପିତାଙ୍କୁ ବାନ୍ଧି ଜୋରଜୁଲମ କରି ଝିଅକୁ ଟେକି ନେଇଯିବା କଥାଟା କେଡ଼େ ଅସୁନ୍ଦର କଥା ! ରଜାଙ୍କର ଏଡ଼େ ଭୁଲ୍‍ କାମରେ ଜଗନ୍ନାଥ କେବେହେଲେ ସାହାଯ୍ୟ ହେବେନା ! ଏଣୁ ଜଗନ୍ନାଥ ଯୁଦ୍ଧ କରିଯିବା କଥା ଏକ ଗୋଲିଖଟି ଗପ ଛଡ଼ା ଆଉ କିଛି ନୁହେଁ ।

 

ଦ୍ୱିତୀୟରେ ଦେଖନ୍ତୁ, ଜଗନ୍ନାଥ ଆଉ ବଳଦେବ ଧଳା ଓ କଳା ଘୋଡ଼ାରେ ବସି ଯୁଦ୍ଧକୁ ଯାଇଥିଲେ । ବଡ଼ ଦେଉଳ ବେଢ଼ା ଭିତରେ କି ବାହାରେ ଘୋଡ଼ାଶାଳ ନାହିଁ । ସେମାନେ ଘୋଡ଼ା ଆଣିଲେ କେଉଁଠୁ ? ରାଜା ତାଙ୍କ ପାଇଁ ଘୋଡ଼ା ଦେଇଥିବା କଥା କେଉଁଠି ହେଲେ କହି ନାହାନ୍ତି କି ଅନ୍ୟ କେହି ଦୁହିଙ୍କୁ ଦୁଇଟି ଘୋଡ଼ା ଦେଇଥିବା କଥା କହିନାହାନ୍ତି । ଲୋକେ ଚିରା ଟଙ୍କିକିଆ ନୋଟ ଖଣ୍ଡେ ଚାନ୍ଦାରେ ଦେଲେ ‘ମୁଁ ଟଙ୍କାଟାଏ ଦେଇଛି’ ବୋଲି ସର୍ବସାଧାରଣରେ ରଡ଼ିଛାଡ଼େ । ଯେଉଁ ଲୋକ ଜଗନ୍ନାଥ ଓ ବଳଦେବଙ୍କୁ ଧଳା ଓ କଳା ଘୋଡ଼ା ଦେଇଥିବ ସେ ନିଶ୍ଚେ ପୋଥିପତର, ମାଦଳା ପାଞ୍ଜିରେ ଲେଖେଇ ଦେଇଥିବ । ଚାରିଆଡ଼େ ବଡ଼ପାଟିଆ ବା ମାଇକ ସାହାଯ୍ୟରେ କହି ବୁଲିଥିବ । ସେ କଥା ତ କିମ୍ବଦନ୍ତୀରେ ନାହିଁ, ମାଦଳା ପାଞ୍ଜିରେ ବି ନାହିଁ କି ଅନ୍ୟ କୌଣସି ପୋଥିପତ୍ରରେ ନାହିଁ । ତେଣୁ ଘୋଡ଼ାରେ ଚଢ଼ି ଯିବା କଥାଟା ମିଛ । ଆଉ ବି ତାଙ୍କ ପାଖରେ ଗରୁଡ଼ ଥାଉଁ ଥାଉଁ ସେ ଘୋଡ଼ାରେ ବସି ପିଚା ଦରଜ କରିବେ କାହିଁକି ? ଆମେରିକା ବୋଇଙ୍ଗ୍‌ ବିମାନରେ ବସି ଉଡ଼ିଗଲା ପରି ସେ ଦୁହେଁତ ଗରୁଡ଼ ପିଠିରେ ବସି ଯୁଦ୍ଧକ୍ଷେତ୍ରକୁ ଚାଲିଯାଇ ଥାଆନ୍ତେ ଆଉ ଉପରୁ ଦୁଇ ତିନିଟା ଅଟମ୍‌ ବମ୍‌ ଖସେଇ କାମ ଫତେ କରି ଦେଇଥାଆନ୍ତେ । ଏଣୁ ଏଥିରୁ ସ୍ପଷ୍ଟ ଜଣାଯାଉଛି ଘୋଡ଼ାରେ ଚଢ଼ି ଯିବା କଥାଟା ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ ।

 

ତା ପରେ ଆସନ୍ତୁ ମାଣିକ ପାଟଣାକୁ । ସେଠି ମାଣିକ ଗଉଡ଼ୁଣୀ ରାସ୍ତା କଡ଼ରେ ଦହି ବିକୁଥିଲା । ଜଗନ୍ନାଥ ଓ ବଳଦେବ ତା ଦହିକୁ ଦେଖି ଘୋଡ଼ା ପିଠିରୁ ଉତୁରି ଦହି ପିଇଲେ । ମାଣିକ ତା ଦହି ବିକିବାକୁ ହାଟକୁ ନଯାଇ ନିଛାଟିଆ ଜାତୀୟ ରାଜପଥ କଡ଼ରେ ବସିଥିଲା କାହିଁକି-? ସେଠି କଅଣ ଗହକି ହାଉଯାଉ ହେଉଥିଲେ ? କିମ୍ବଦନ୍ତୀରୁ ଯାହା ବୁଝା ପଡ଼ୁଛି ସେଥିରୁ ଜଣାଯାଏ ଯେପରିକି ମାଣିକ ହାଟରେ ଦହି ନ ବିକି ନିଛାଟିଆ ରାସ୍ତା କଡ଼ରେ ବିକୁଥିଲା । ବିକ୍ରୟ ସ୍ଥଳରେ ଜଗନ୍ନାଥ ବଳଦେବ ଆଉ ଦୁଇଟା ଘୋଡ଼ାଙ୍କ ଛଡ଼ା ଅନ୍ୟ କେହି ନଥିଲେ । ଯଦି କେହି ଥାଆନ୍ତେ ତେବେ ତାଙ୍କର ପଦେଅଧେ କଥା ବି ଲିପିବଦ୍ଧ ହୋଇଥାନ୍ତା ଜଣେ ନିଶ୍ଚୟ ଗଉଡ଼ୁଣୀର ଦହିକୁ ହୁଏତ ତାରିଫ୍‌ କରି କହିଥାଆନ୍ତେ–‘‘ବାବୁ ବଢ଼ିଆ ଦହି । ଥରେ ପିଇଥିଲେ ଜୀବନ ଭରି ମନେ ରହିଥିବ । ଏ ଖଣ୍ଡମଣ୍ଡଳରେ ଏମିତିଆ ଦହି ପାଇବେ ନାହିଁ’’ । ଅନ୍ୟ କେହି ଗଉଡ଼ୁଣୀର ଶତ୍ରୁ ବି କହିଦେଇ ଥାଆନ୍ତା–‘‘ବାବୁ ଏ ଦହି କାହିଁକି ପିଇବ । ତୁଚ୍ଛା ଗୁଣ୍ଡ ଦୁଧର ଦହି । ହୋ ସେ ଅମୁକ ଗାଆଁରେ ଖୋଜିବ । ମନ ମୁତାବକ ଦହି ପାଇବ’’ । ଗଉଡ଼ୁଣୀ ପାଖରେ ଲୋକେ ଏହିପରି ଦୁଇରକମ କଥା ନିଶ୍ଚୟ କହିଥାନ୍ତେ । ସେମିତିଆ କିଛି କିମ୍ବଦନ୍ତୀରୁ ନ ମିଳୁଥିବାରୁ ଧରି ନେବାକୁ ହେବ ଗଉଡ଼ୁଣୀ ନିଛାଟିଆ ଥାନରେ ଦହି ବିକୁଥିଲା । ହାଟକୁ ନଯାଇ ଜନଶୂନ୍ୟ ସ୍ଥାନରେ ପସରା ମେଲି ବସିବା ଏକ ଭାଣ୍ଡ କଥା । ସୁତରାଂ ମାଣିକ ଗଉଡ଼ୁଣୀ ନିଛାଟିଆ ରାସ୍ତାରେ ଦହି ହାଣ୍ଡି ଧରି ବସିବା କଥା ତୁଚ୍ଛା ମିଛ । ହାଣ୍ଡି ସହ ମାଣିକ ଗଉଡ଼ୁଣୀ ଯେହେତୁ ସେଠି ଥିବା କଥା ମିଛ, ଜଗନ୍ନାଥ ଓ ବଳଦେବଙ୍କ ଦହି ପିଇବା କଥା ସେହିପରି ମିଛ ।

 

ପୁଣି କୁହାଯାଇଛି କଅଣ ନା ଜଗନ୍ନାଥ, ବଳଦେବ ଦହି ପିଇସାରି ପକେଟ ଦରାଣ୍ଡନ୍ତି ତ ଫଟା ନୂଆ ପଇସିଟିଏ ବି ନାହିଁ । ସେମାନଙ୍କଠାରୁ ପକେଟମାରୁ କରିନେବା ରଥୀ ପୁଣି ପୃଥିବୀରେ ଥାଇପାରନ୍ତି ? ପକେଟମାରୁ ପକେଟ କାଟିବା କଥା ଭାବିବା ମାତ୍ରେ ଜଗନ୍ନାଥ ଜାଣି ଯାଇଥାଆନ୍ତେ । ଆଉ ପକେଟମାରୁର ହାତ ଧରି ପକାଇ କହିଥାନ୍ତେ–‘‘ଆବେ ମଣିଷ ଚିହ୍ନିନୁ କାହାର ପକେଟମାରୁ କରିବାକୁ ଯାଉଥିଲୁ ।’’ ପକେଟମାରୁ କଥା ସମ୍ଭବ ନୁହେଁ । ପକେଟରେ ପଇସା ନଥିବା କଥା ଦୁହିଁଙ୍କୁ ବେଶ୍‌ ଜଣାଥିବ । ସେମାନେ କିଛି ଭାଗା ନୁହନ୍ତି ଯେ ପଇସା ନାହିଁ ଜାଣି ସୁଦ୍ଧା ଖାଇଦେବେ ଆଉ ପଇସା ଦେଲାବେଳକୁ ଉପରକୁ ଚାହିଁବେ । ଆଉ ତା ପରେ ନିଜ ହାତରୁ ମୁଦି କାଢ଼ି କହିବେ–ହଇଲୋ ଗଉଡ଼ୁଣୀ ଆମ ପାଖରେ ତ ପଇସା ନାହିଁ । ତୁ ଏ ମୁଦିଟା ରଖ, ରଜାଙ୍କ ଫଉଜ ଆସୁଛି ତାଙ୍କୁ ଦେଖାଇ ଦହିର ପଇସା ମାଗିନେବୁ । ବିଶ୍ୱ ବ୍ରହ୍ମାଣ୍ଡର ଅଧିପତିଙ୍କୁ କେଉଁ ବୋକା ଅଧମ ଏପରି ଭାବରେ ଚିତ୍ରିତ କରିବାକୁ ସାହସ କଲା ! ତାଙ୍କର ଦହି ଖାଇବାକୁ ଇଚ୍ଛା ହେବା ମାତ୍ରେ ମାଆ ଲକ୍ଷ୍ମୀ ଅମୃତ ପରି ଦହି ବସେଇ ହନୁମାନ କିମ୍ବା ଗରୁଡ଼ ହାତରେ ସର୍‌ଜମିନ୍‌ଠାକୁ ପଠେଇ ଦେଇ ଥାଆନ୍ତେ । ଏଣୁ ଏ ଗଉଡ଼ୁଣୀଠାରୁ ଦହି ଖାଇସାରି ମୁଦି ଦେବା କଥା ସମ୍ପୂର୍ଣ୍ଣ ମିଛ । ଧରାଯାଉ ଜଗନ୍ନାଥ ମଜା କରିବା ପାଇଁ ମୁଦି ଯାଚିଲେ । ମାଣିକ କଅଣ ଏଡ଼େ ଓଲମି ହୋଇଛି ଯେ ନେଇଯିବ । ଅଜଣା ଅଶୁଣା ଲୋକ । ସେଥିରେ ପୁଣି ରାଜୁଡ଼ା କଥା ତା ଭିତରେ ଅଛି । କାଳେ ଚୋରିମାଲ ହୋଇଥିବ । ସେଇଟା ନେଇ ରାଜାଙ୍କ ପାଖକୁ ଗଲେ ସେ ହୁଏତ ଚୋରଣୀ ବୋଲି ଭାବି ମୁଣ୍ଡ କାଟ ଦଣ୍ଡ ଦେବେ । ଏଇଟା କିଛି ଅସମ୍ଭବ କଥା ନୁହେଁ । ଜଗନ୍ନାଥ ଯାଚିଥିଲେ ସେ ନିଶ୍ଚୟ କହିଥାଆନ୍ତା–‘‘ବାବୁ ମୁଁ ସେ ମୁଦି ଫୁଦି ରଖିବି ନାହିଁ । ଭଲ ଅଛି ମନ୍ଦ ଅଛି । ମୁଁ ଦି ପଇସାର ମୁଣ୍ଡ । ସେତିକି ମୋତେ ଦେଇଦିଅ । ସେଇଟା କି ମାଲ ନାହିଁ କି ମାଲ ମୁଁ ତାକୁ ରଖିବିନି । ଏଣୁ ଦହି ବିକି ମୁଦି ରଖିବା କଥା ଏକାବେଳକେ ମିଛ । ଏଡ଼ିକି ଅପର୍ଚ୍ଛନିଆ ଲୋକଗୁଡ଼ାକ କୋଉ କଥାକୁ ନେଇ କୋଉ କଥାରେ ରଖିଲେଣି । ସେ ମିଛ କଥାଟାକୁ ନେଇ ବହି ଲେଖିଲେଣି, ନାଟକ ଲେଖିଲେଣି, ସିନେମା ଚିତ୍ର ତିଆରି କଲେଣି । ବୁଦ୍ଧୁ ଲୋକଗୁଡ଼ାକ ବି ତାକୁ ନିରୁତା ସତ ଭାବି ଢକ୍‌ ଢକ୍‌ ପିଇ ଯାଉଛନ୍ତି । କାହାରି ମଥାକୁ ଅସଲ କଥା ପଶୁନି । ଏଠି ସେମିତିଆ ଘଟଣା ଘଟିଛି । ସମସ୍ତେ ସେଇଆ ଘୋଷୁଛନ୍ତି, ରଥଯାତ୍ରାରେ ଆକାଶବାଣିଆଏ ପ୍ରତିବର୍ଷ ସେହି କଞ୍ଚା ଗାଲୁ କଥା ଉଦ୍‌ଗାରୁଛନ୍ତି । କାହାରି ମୁଣ୍ଡକୁ ଏଇଟା ପାଇ ନାହିଁକି ଲୋକଙ୍କୁ କହିଦେବା ଏଟା ମିଛ କଥା । ଏପରି କହିବା ଅର୍ଥ ପରମବ୍ରହ୍ମ ଜଗନ୍ନାଥଙ୍କୁ ହୀନିମାନିଆ କରିବା । ଜଗନ୍ନାଥଙ୍କୁ ଏ ସବୁ ନନ୍ଦଫନ୍ଦିଆ କଥାରୁ ଉର୍ଦ୍ଧ୍ୱରେ ରଖିବା ଉଚିତ୍‌ । ଆଡ଼କୁ ଏପରି ଟାଉଟରିଆ କଥା ଚଳିବ ନାହିଁ । ଏହି କିମ୍ବଦନ୍ତୀର ଖୁଣ୍ଟିନାଣ୍ଟି ଗବେଷଣା କରୁଛୁ । ବହୁ ତାଳପତ୍ର ପୋଥି ଭୁର୍ଜପତ୍ର ପୋଥି ଘାଣ୍ଟିଘୁଣ୍ଟି ବହୁ ପରିଶ୍ରମ ପରେ ଅସଲ କଥାଟିକୁ ଆବିଷ୍କାର କରିଛୁ । କଲମ୍ବସ୍‌ଙ୍କ ଆମେରିକା ଆବିଷ୍କାରଠାରୁ ଏହା ଆହୁରି କଷ୍ଟସାଧ୍ୟ ଓ ଆୟାସସାଧ୍ୟ ।

 

ଅସଲ କଥାଟି ହେଲା–କାଞ୍ଚିରାଜଜେମାଙ୍କ ସୌନ୍ଦର୍ଯ୍ୟ କଥା ଶୁଣି ପୁରୀ ରଜା ଏକାବେଳେକେ ନେସେଡ଼ି ଗଲେ । ତାଙ୍କୁ ଅଲବତ୍‌ ବିବାହ କରିବେ ବୋଲି ଠିକ୍‌ କଲେ । ରାଜିରୁଜାରେ କଥାଟି ହୋଇଗଲେ ଉତ୍ତମ ହେବ ଭାବି ରଜା କାଞ୍ଚିରାଜାଙ୍କ ପାଖକୁ ଦୂତ ପଠେଇଲେ । କାଞ୍ଚିରାଜା ଏଥିରେ ରାଜି ହେଲେନି । ତାଙ୍କର ଅସଲ ଭୟ ହେଲା–ଏ ରାଜା ତ ସବୁବେଳେ ଯୁଦ୍ଧରେ ମାତିଲେ । କେତେବେଳେ କଅଣ ଅଛି । ଝିଅଟାକୁ ଜାଣୁ ଜାଣୁ ରାଣ୍ଡ କରିବି ନା !’’ କିନ୍ତୁ କହିଲେ ଅନ୍ୟକଥା । ‘‘ନାହିଁ ହୋ ମୁଁ ତାକୁ ଝିଅ ଦେବିନି, ସେଇଟା ଚାଣ୍ଡାଳ ପରି ଦାଣ୍ଡ ଓଳାଉଛି ।’’ ଦୂତଟା ଲଗେଇ ଯୁଟେଇ ରାଜାଙ୍କ ଆଗରେ କାଞ୍ଚିରାଜା ନକହିବା କଥା ବି ମନରୁ ଫାନ୍ଦି କହିଗଲା–କାଞ୍ଚିରାଜା କୁଆଡ଼େ ମଣିଷଙ୍କୁ ବଜାରି ଛତରା, ଡହରା, ଦଗଲବାଜ ବୋଲି କହିଲା । ରାଜା ରାଗିଗଲେ । ସେ ରାଜଜେମାକୁ ଯୁଦ୍ଧ କରି ଅଲବତ୍‌ ଆଣିବେ । ସେନାପତିମାନେ ଟିକିଏ ମଙ୍ଗ ମୋଡ଼ିଲେ । ସେମାନେ ଭାବିଲେ ସୀତାଙ୍କ ଲାଗି ଲଙ୍କା ଗଲା, ଦ୍ରୌପଦୀ ଲାଗି କୁରୁବଂଶ ଲୋପ ପାଇଲା । ହେଲେନ୍‌ ପାଇଁ ଟ୍ରୟ ଗଲା । କାଞ୍ଚିରଜା ଝିଅ ପଦ୍ମାବତୀ ପାଇଁ ଓଡ଼ିଶା ଖିନ୍‌ଖରାପ ନହେଉ । ସେନାପତିମାନଙ୍କ ଯେତେ ଆଗ୍ରହ ହେବା କଥା ତାହା ନଦେଖି ରାଜା ଚିନ୍ତିତ ହୋଇପଡ଼ିଲେ । ତହୁଁ ସେ ଗୋଟାଏ ଫନ୍ଦି କାଢ଼ିଲେ । ଦେଉଳ ବଡ଼ ପଣ୍ଡାଙ୍କୁ ଡାକି ଏକାନ୍ତରେ କହିଲେ–ଆମେ ଏ ଯୁଦ୍ଧକୁ ଗୋଟାଏ ଧର୍ମଯୁଦ୍ଧ ବୋଲି କହିବା । ଏଇଟା ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି ବୋଲି କହିବା । ତୁମେ ଜଗନ୍ନାଥଙ୍କ ମୁଦିଟା ନେଇଯାଅ ବାଟରେ ଗୋଟାଏ ନିଛାଟିଆ ରାସ୍ତା କଡ଼ରେ ଗୋଟାଏ ଗଉଡ଼ୁଣୀ ଠିଆ କରେଇବ । ତାକୁ ମୁଦିଟା ଦେଇ ଏମିତି ଶିଖେଇ ଦେବ । ଆମ ସୈନ୍ୟ ସେ ବାଟେ ଗଲାବେଳେ ଯେପରି ସେ ସେନାପତିଙ୍କୁ ଡାକି କହିବ–ବାବୁ କାଳିଆ, ଗୋରା ଦିଜଣ ଲୋକ ଧଳା ଓ କଳା ଘୋଡ଼ାରେ ଚଢ଼ି ଏଇଆଡ଼େ ଗଲେ । ମୋଠାରୁ ଦହି ପିଇ ଏ ମୁଦିଟା ଦେଲେ ଆଉ କହିଲେ–ପଛେ ପଛେ ରଜା ଆସୁଛନ୍ତି, ତାଙ୍କ ଲୋକଙ୍କୁ ମୁଦିଟି ଦେଇ ପଇସା ନେବ । ଏତକ ଠିକ ଠିକ କରି ପାରିଲେ ସେ ଅଞ୍ଚଳଟାକୁ ତା’ରି ନାଆଁରେ କରି ଦିଆଯିବ । ବଡ଼ପଣ୍ଡାଏ ଏତକ ଗୁପ୍ତରେ କରିଦେଲେ । ମାଣିକ ଗଉଡ଼ୁଣୀ ସେନାପତିଙ୍କୁ ମୁଦି ଦେଖାଇବା ମାତ୍ରେ ଧର୍ମାନ୍ଧ ସେନାପତି ଏକାବେଳେକେ ଗଦ୍‌ ଗଦ୍‌ ହୋଇ ସୈନ୍ୟମାନଙ୍କୁ କହିଲେ ‘‘ଦେଖ, ଏହି ମୁଦି ହେଉଛି ଅକାଟ୍ୟ ପ୍ରମାଣ ଯେ ସ୍ୱୟଂ ଜଗନ୍ନାଥ ଓ ବଳଦେବ ଆମ ସାଙ୍ଗରେ ଆଗେ ଆଗେ ଯୁଦ୍ଧକୁ ଯାଇଛନ୍ତି । ବିଜୟ ସୁନିଶ୍ଚିତ’’ । ସୈନ୍ୟମାନଙ୍କ ରୁମ ଟାଙ୍କୁରି ଉଠିଲା । ଆଉ ଚିନ୍ତା କଅଣ ! ସ୍ୱୟଂ ଜଗନ୍ନାଥ ଆମ ସହିତ ମିଳି ଯେତେବେଳେ ଯୁଦ୍ଧ କରୁଛନ୍ତି, ଆଉ ଡର କାହାକୁ ? କାଞ୍ଚି ରାଜାଙ୍କୁ ଗୋଟାଏ ‘ଫୁ’ ରେ ଉଡ଼େଇ ଦେବା । ସୈନ୍ୟମାନେ ଦିଗୁଣ ଉତ୍ସାହରେ କାଞ୍ଚି ରାଜ୍ୟଟାକୁ ମନ୍ଥି ପକାଇଲେ । ପୁରୀ ରାଜାଙ୍କ ଇଚ୍ଛା ପୂରଣ ହେଲା । ମାଣିକ ଗଉଡ଼ୁଣୀର ଗାଁ ନା ମାଣିକପାଟଣା ହେଲା । ସେ ଗାଆଁଟା ମଧ୍ୟ ତାକୁ ଦିଆଗଲା-। ବଡ଼ପଣ୍ଡା ବି ଅବାଧରେ ଅବକାରୀ ଜିନିଷ ସବୁ କାରବାର କରି ପାରିବେ ବୋଲି ତାଙ୍କୁ ଗୋଟିଏ ତମ୍ଭାପାଟିଆ ସନନ୍ଦ ଦିଆଗଲା । ଏହିପରି ଭାବରେ ଏ ଗୁଲିଖଟି କିମ୍ବଦନ୍ତୀ ଜନ୍ମଲାଭ କରି ବଡ଼ ହେଲା । ଏବେ ତାର ଅବଶ୍ୟ ଖରାପ ସମୟ ଆସିଗଲା ।

Image

 

ଉଠ କଙ୍କାଳ

 

‘‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବରାଜି ।’’

 

ଏହି ଦୁଇପଦ କବିତା ‘ନିଆଁଖୁଣ୍ଟା’ ସମ୍ପାଦକ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ କବିତା ‘ଉଠ କଙ୍କାଳ’ରୁ ଗୃହୀତ । ଆମେ ସମସ୍ତେ ଜାଣୁ ଯେ, ଆମର ପୂର୍ବ ପୁରୁଷମାନେ ମହାବୀର ଥିଲେ-। ତାଙ୍କ ଖଣ୍ଡାର ଝନତ୍‌କାର ଶତ୍ରୁ ମାନଙ୍କର ପିଳେହି ପାଣି କରି ଦେଉଥିଲା । ସାରା ଭାରତରେ ତାଙ୍କର ପ୍ରବଳ ପରାକ୍ରାନ୍ତ ବିରାଟ ଦୁର୍ଦ୍ଧାଷ ନୌବାହିନୀ ପରି ଆଉ କାହାର ନୌବାହିନୀ ନଥିଲା-। କଳିଙ୍ଗିଆ ବୋଇତରେ ସେମାନେ ପ୍ରଶାନ୍ତ ମହାସାଗର ଟପି ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳଯାଏ ଖେପିଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଏଇଥିଲାଗି ଭାରତରେ ସେମାନେ ସବୁଠାରୁ ଧନୀ ବୋଲି ପରିଗଣିତ ହେଉଥିଲେ । ସେ ସମୟର ସାଧବମାନଙ୍କର କୋଠା ଉପରେ ସୁନାର କଳସୀ ଥୁଆ ହେଉଥିଲା । ଯୁଦ୍ଧରେ ସେମାନେ ପଛଘୁଞ୍ଚାର ନାଁ ଧରୁ ନଥିଲେ । ମୁଣ୍ଡ କଟିଯାଉ ପଛକେ ପଛଉ ନଥିଲେ । କଳିଙ୍ଗ ସମରବେଳେ ବୀର ଓଡ଼ିଆଙ୍କର ଏ ଗୁଣଟା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ସାରିଛି । ଖାଲି ଯେ ବୀର ଜାତି ଥିଲେ ତାହା ନୁହେଁ–ସାହିତ୍ୟ, କାବ୍ୟ କବିତାରେ ମଧ୍ୟ ଶୀର୍ଷ ସ୍ଥାନକୁ ଉଠି ଯାଇଥିଲେ । ଜୟଦେବ, ଶାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ ଆଦି କବିମାନେ ଓଡ଼ିଆ ସାହିତ୍ୟର ଚିରାଳକୁ ବହୁ ଉଚ୍ଚରେ ଫରଫର କରି ଉଡ଼ାଇଥିଲେ । ଶିଳ୍ପ ଭାସ୍କର୍ଯ୍ୟରେ ମଧ୍ୟ କେହି ସେମାନଙ୍କୁ ଟପିପାରି ନଥିଲେ । କୋଣାର୍କ ମନ୍ଦିର, ପୁରୀ ମନ୍ଦିର ଓ ଭୁବନେଶ୍ୱର ମନ୍ଦିର ଦେଖି ଏବେ ବି ସାରା ପୃଥିବୀର ପରିବ୍ରାଜକମାନେ ହାଁ କରି ଚାହିଁ ରହନ୍ତି । ସବୁ ବିଷୟରେ ଓଡ଼ିଆ ସମସ୍ତଙ୍କ ଆଗରେ ଥିଲା-

 

ଏବେ କିନ୍ତୁ କ’ଣ ହେଲା ! ସେହି ପୁରାଣପ୍ରସିଦ୍ଧ ଜାତିଟା ଓଡ଼ିଆ ଭେଡ଼ି ବୋଲି ପରିଚିତ ହେଲା । କେତେ ଶହ ବର୍ଷ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ଆଜି ତାକୁ ଡଙ୍ଗାରେ ବସିବାକୁ ଡର ଲାଗୁଛି । ତା ନ ହୋଇଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର କେବେହେଲେ ଲେଖି ନଥାନ୍ତେ–‘‘ଥିରିଥିରି କରି ବାହାରେ ନାଉରୀ ଝିଅକୁ ମାଡ଼ୁଛି ଡର ।’’ ସେ ଶହେ ଜାଗା ଦୁଇଶହ ଜାଗାରେ ଏମିତିଆ ହାଲତ ଦେଖିଛନ୍ତି ବୋଲି ଲେଖିଛନ୍ତି । ମନକୁ ଫାନ୍ଦି ସେ କିଛି ଗାଲୁମାଲୁ କଥା କହି ନାହାନ୍ତି । ଦକ୍ଷିଣ ଆମେରିକା ସଙ୍ଗେ ବ୍ୟବସାୟ ବାଣିଜ୍ୟ କୁଆଡ଼େ ଗାଧୋଇଗଲା । ଏବେ ବଙ୍ଗଳାର ଚଟକଳମାନଙ୍କରେ ପେଟ ଚାଖଣ୍ଡକ ପୂରାଇବା ପାଇଁ ବଡ଼ ହୀନିମାନିଆ ଅବସ୍ଥାରେ ବହୁ ଲାଞ୍ଛନା ସହି ଚାକିରି କରୁଛନ୍ତି । ନିଜ ପେଟରୁ କାଟି ଘରେ ଛାଡ଼ିଦେଇ ଯାଇଥିବା ସ୍ତ୍ରୀ ଓ ପିଲାପିଲିଙ୍କ ପେଟରେ ବକତେ ଆହାର ଦେବାକୁ ସାମାନ୍ୟ କିଛି କିଛି ଟଙ୍କା ପଠାନ୍ତି । କୁଆଡ଼େ ଗଲା ସେ କବିପ୍ରତିଭା । ପଦୁଟିଏ କବିତା ଲେଖିବାକୁ ବସିଲାବେଳେ ଖୁବ୍‌ କମ୍‌ରେ ୪ । ୫ଟା ବଙ୍ଗଳା ବହି ଆଗରେ ଥୋଉଛନ୍ତି । ଯେଉଁ ଓଡ଼ିଆଏ ଶତ୍ରୁଟାଏ ଦେଖିଲେ ଗୋଡ଼େଇ ଗୋଡ଼େଇ ମାରୁଥିଲେ, ହୁଏତ ମରୁଥିଲେ କିମ୍ବା ନ ମାରି ଫେରୁ ନଥିଲେ ସେହି ଓଡ଼ିଆମାନଙ୍କୁ ଆଜି ଯୁଦ୍ଧ କ୍ଷେତ୍ରକୁ ଆହ୍ୱାନ ଆସିଲେ ନିଜେ ଶକ୍ତ ବେରାମ କିମ୍ବା ସ୍ତ୍ରୀ ସାଘାଂତିକ ବେମାର ବୋଲି ମିଛ ମେଡ଼ିକାଲ ସାର୍ଟିଫିକେଟ ଦେଇ ଘରେ ଖଟ ତଳେ ଲୁଚୁଛନ୍ତି । ପୁରୀ, କୋଣାର୍କ ତିଆରି କରୁଥିବା ଲୋକଙ୍କ ବଂଶଧରମାନେ ଏବେ କଙ୍କ୍ରିଟର ଶୁନଛାତଟିଏ ଗଢ଼ି ମାସକ ପରେ ଗୁଣ୍ଠିଆ ଖୋଳିଲେ ବି ଛାତ ତାଙ୍କରି ଉପରେ ଅଜାଡ଼ି ହୋଇ ପଡ଼ୁଛି । ଏଗୁଡ଼ାକ ଦେଖିଲେ କାହା ଛାତି ଫାଟି ନଯିବ ! କିଏ ଏଣ୍ଡ୍ରିନ ନଖାଇ ଆତ୍ମହତ୍ୟା ନ କରିବ । କେଉଁ ଦେଶହିତୈଷୀ ଏ ଘୃଣ୍ୟ ଅବସ୍ଥାରୁ ଉପରକୁ ଉଠି ଆସିବାକୁ ଡାକରା ନ ଦେବ ? କେଉଁ ସ୍ୱଦେଶବତ୍ସଳ କବି ଏ ସୂପ୍ତ ଓ ଲୁପ୍ତପ୍ରାୟ ହତଭାଗାମାନଙ୍କୁ ଚେଇଁ ଉଠିବାକୁ ଉତ୍ସାହବାଣୀ ଶୁଣାଇବା ପାଇଁ କବିତା ନ ଲେଖିବ-! ଗୋଦାବରୀଶ ମହାପାତ୍ର ଏହିପରି ଏକ କବି ଥିଲେ । ଓଡ଼ିଆଙ୍କ ଏପରି ଅବସ୍ଥା ଦେଖି ସେ ଅତି ବିକଳରେ ଏ କବିତାଟି ଲେଖି ପକେଇଥିଲେ । ଅତି ଦୁଃଖ ହେଲେ ଅତି ବଡ଼ ବୁଦ୍ଧିମାନ ପଣ୍ଡିତ ବି ଭୁଲ୍‍ କରିପକାଏ । ରାମାକୁ ଦାମା ବୋଲି ଡାକେ, ଦାମାକୁ ଶାମା ବୋଲି ଡାକେ । ଏ ଭୁଲ୍‍ଟା ପଣ୍ଡିତଙ୍କ ଇଚ୍ଛାକୃତ ଭୁଲ୍‍ ନୁହେଁ । ଅତି ବିଚଳିତ ହେଲେ ବିଭ୍ରାଟିଆ ହୋଇଯାଏ । ଫଳରେ ଚିନ୍ତା, କଥା ଓ କାମ ସମସ୍ତ କ୍ରିୟା ଭିତରେ ସମନ୍ୱୟ ରହେ ନାହିଁ ।

 

ପରମ ଐଶ୍ୱର୍ଯ୍ୟଶାଳୀ ଓଡ଼ିଆ ଜାତିର ଚରମ ଅଧୋଗତି ଦେଖି କବି ଗୋଦାବରୀଶ ମର୍ମାହତ ହୋଇ କୁହାଟି ଉଠିଲେ–‘ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବରାଜି ।’ ମହାପାତ୍ରେ ଯେ ଅତି ଆନ୍ତରିକତାର ସହ ନାହି ମୁଣ୍ଡାରୁ ଏ କୁହାଟ ଦେଇଚନ୍ତି ଏଥିରେ ସନ୍ଦେହ ନାହିଁ । କିନ୍ତୁ କବିତା ଭିତରେ କି ଗୋଳମାଳିଆ ମାଲମତା ରହିଗଲା ତାହା ପାଠକମାନଙ୍କୁ ଦେଖାଇଦେବା ଜଣେ ସମାଲୋଚକର ପବିତ୍ର କର୍ତ୍ତବ୍ୟ-। ଗୋଦାବରୀଶ ସମସ୍ତଙ୍କ ନମସ୍ୟ । ସେଥିଲାଗି ତାଙ୍କ ଭୁଲ୍‍ଟାକୁ ଘୋଡ଼େଇ ପକେଇବା ମାରାତ୍ମକ ଭୁଲ୍‍ ହେବ । ନିଜ ନିଆଁ ବୋଲି ଅଣ୍ଟିରେ ଲୁଚେଇବା ଯାହା ନମସ୍ୟ କବି ବୋଲି ତାଙ୍କ କବିତାର ଭୁଲ୍‍ ଅଂଶଗୁଡ଼ିକୁ ଲୁଚାଇଦେବା ସେଇଆ । ଭୁଲ୍‍ ନ ଦେଖେଇଲେ ଭବିଷ୍ୟତର ସୁକବିମାନେ ନିର୍ଭୁଲ କବିତା ଲେଖିବେ କିପରି ?

 

ଘରେ ପଶିଲାମାତ୍ରେ ଚାଳରେ କିପରି ମୁଣ୍ଡ ବାଜୁଛି ଦେଖନ୍ତୁ । କବି ପ୍ରଥମେ କୁହାଟିଛନ୍ତି ‘ଉଠ କଙ୍କାଳ’ । କି ଆଶ୍ଚର୍ଯ୍ୟ ! କଙ୍କାଳଟା ଉଠିବ କେମିତି ! ତାର ଧର୍ମ ହେଲା ପଡ଼ିରହିବ । ପ୍ରାଣବାୟୁ ଉଡ଼ିଯିବା ପରେ ଶରୀରର ସମସ୍ତ ଅଂଶ ପଞ୍ଚମହାଭୂତରେ ମିଶିଯାଏ । କଙ୍କାଳଟି ବହୁବର୍ଷ ଯାଏ ଭୂଇଁରେ ପଡ଼ିରହି ଶେଷରେ ମାଟିରେ ମିଶିଥାଏ । ତାକୁ ହଜାର ବର୍ଷଯାଏ ଯଦି କେହି ‘ଉଠ କଙ୍କାଳ, ଉଠ କଙ୍କାଳ’ କହେ କଙ୍କାଳ କେବେହେଲେ ଉଠିବ ? ପାଟି ଘୋଳେଇହେବା ସାର ହେବ । ଯାଦୁବିଦ୍ୟା ସାହାଯ୍ୟରେ ଅବଶ୍ୟ କଙ୍କାଳକୁ ଉଠାଯାଇପାରେ । ବିଖ୍ୟାତ ଯାଦୁକର ପି.ସି ସରକାର କଙ୍କାଳମାନଙ୍କୁ ନଚେଇବା ସମସ୍ତେ ଦେଖିଥିବେ । କବି ଗୋଦାବରୀଶ ଯାଦୁକର ହୋଇଥିଲେ ଏହା ସମ୍ଭବ ହୋଇ ପାରିଥାନ୍ତା । କିନ୍ତୁ ସମସ୍ତେ ଭଲଭାବେ ଜାଣନ୍ତି କବିଙ୍କୁ ଯାଦୁବିଦ୍ୟା ବିଲ୍‌କୁଲ ଜଣାନଥିଲା । ଯାଦୁବିଦ୍ୟା ଜାଣିଥିଲେ ସେ ଉଠ କଙ୍କାଳ ବୋଲି ଡାକି ନଥାନ୍ତେ । ସେ ମଶାଣିରେ ପଡ଼ିଥିବା କଙ୍କାଳଗୁଡ଼ିକୁ ମନ୍ତ୍ର ସାହାଯ୍ୟରେ ଏକାଠି କରି ନଚେଇ ନିଜ କାମ କରେଇ ନେଇଯାଇଥାନ୍ତେ । ଯାଦୁବିଦ୍ୟା ନ ଜାଣିଥିବାରୁ ସେ କେବଳ ‘ଉଠ କଙ୍କାଳ’ ବୋଲି ନିଷ୍ଫଳ ଡାକ ଦେଇଥିଲେ ଏବଂ ତୁଣ୍ଡ ବଥେଇଥିଲେ । ଧରନ୍ତୁ ସେ ଗୌରବ ହରେଇଥିବା ଓଡ଼ିଆମାନଙ୍କୁ କଙ୍କାଳ ବୋଲି ସମ୍ବୋଧନ କରିଥିଲେ । ଚୋରକୁ ଚୋର ବୋଲି କହିଦେଲେ ସେ ଖୁବ୍‌ ରାଗିଯାଏ ଓ ହିଂସାକାଣ୍ଡ ଘଟାଏ । କଙ୍କାଳଧର୍ମୀ ଓଡ଼ିଆମାନଙ୍କୁ କଙ୍କାଳ କହିଲାବେଳେ ସେମାନେ କେବେହେଲେ ଶୁଣିଥିବେ ? ଗୋଦାବରୀଶ ବାବୁ ଯଦି ଜଣେ ନମସ୍ୟ କବି ନ ହୋଇଥାଆନ୍ତେ ତେବେ ସେମାନେ ଦେଖିଲା କାମ କରିଦେଇ ଥାଆନ୍ତେ । ଏକେ ତ ସେମାନେ କଙ୍କାଳବତ୍‌ । ଅନ୍ୟମାନଙ୍କୁ କୋଥମା, କୋଥମା ଦେଖି ହିଂସା ଓ ହୀନମନ୍ୟତାରେ ସଢ଼ି ଯାଉଥିଲାବେଳେ ଜଣେ ଯଦି କହିଦିଏ ଉଠ୍‌ରେ କଙ୍କାଳ, ତେବେ କଙ୍କାଳର ନାକଦଣ୍ଡାକୁ ରାଗ ସିର୍‌ସିର୍‌ ହୋଇ ଉଠିଯିବ । ବିଶିଷ୍ଟ କବି ବୋଲି ଗୋଦାବରୀଶ କଙ୍କାଳମାନଙ୍କ କ୍ରୋଧରୁ ରକ୍ଷା ପାଇଛନ୍ତି । କବି ଉଠ କଙ୍କାଳ କହିବା ଉଚିତ ନ ଥିଲା ।

 

ତାପରେ ଦେଖନ୍ତୁ ‘ଛିଡ଼ୁ ଶୃଙ୍ଖଳ’ । ଭାବନାରେ ଅସାମଞ୍ଜସ୍ୟ ବେଶ୍‌ ପରିସ୍ଫୁଟ । କଙ୍କାଳର ହାତ ଗୋଡ଼ରେ ଶୃଙ୍ଖଳ ପିନ୍ଧେଇବ କିଏ ? ଯେଉଁମାନେ ବଳୁଆ, ହିଂସ୍ର ପ୍ରକୃତିର, ଅନ୍ୟ ଉପରେ କଥା ପଦ ପଦକେ ଚଢ଼ାଉ କରନ୍ତି ସେମାନଙ୍କ ହାତ ଗୋଡ଼ରେ ସରକାର ଶୃଙ୍ଖଳ ପିନ୍ଧାଇ ଦେଇଥାନ୍ତି; ତଦ୍ଦ୍ୱାରା ସେ ଗୁଣ୍ଡାମି କରିପାରେ ନାହିଁ । କଙ୍କାଳଟା କଅଣ କାହାକୁ କାମୁଡ଼ି ପକାଉଛି ଯେ ତା ହାତରେ ଗୋଡ଼ରେ କିଏ ଅଯଥା ପରିଶ୍ରମ କରି ଶୃଙ୍ଖଳ ପିନ୍ଧେଇବ । ଲୋକେ ତାକୁ ପାଗଳା ବୋଲି କହିବେନି ? ଗୋଟାଏ କଙ୍କାଳଠାରେ ଶୃଙ୍ଖଳ ରହିବା ଅସମ୍ଭବ । ଶୃଙ୍ଖଳ ତ ବିଲ୍‌କୁଲ ନାହିଁ, ଛିଡ଼ୁ ଶୃଙ୍ଖଳ କହିବା ଏକ ହାସ୍ୟାସ୍ପଦ କଥା । ଆଉ ଗୋଟିଏ ଅସଙ୍ଗତ କଥା ଦେଖନ୍ତୁ । କୁହାଯାଇଛି ଛିଡ଼ୁ ଶୃଙ୍ଖଳ । ଅର୍ଥାତ୍‌ ପୋରିଆ ସୂତା ଛିଣ୍ଡି ପଡ଼ିଲା ଶୃଙ୍ଖଳ କଙ୍କାଳର ହାତ ଗୋଡ଼ରୁ ଛିଣ୍ଡିପଡ଼ୁ । ଶୃଙ୍ଖଳ ସାଧାରଣତଃ ଲୁହାରେ ତିଆରି । ଲୁହା କଡ଼ା ମନକୁ ଛିଣ୍ଡି ପଡ଼ିବା କଥା ଭାବିବା ହିଁ ବାତୁଳତା । କବି ବୋଧହୁଏ ଶ୍ରୀକୃଷ୍ଣଙ୍କର ଜନ୍ମବେଳର ଘଟଣାବଳୀ ଭାଗବତରୁ ପଢ଼ି ମନେ ରଖିଥିଲେ । ଶ୍ରୀକୃଷ୍ଣ ଜନ୍ମ ହେଲାବେଳେ ଅଲୌକିକ କାଣ୍ଡ ସବୁ ଘଟିଲା । ବସୁଦେବ, ଦେବକୀଙ୍କ ଗୋଡ଼ ଓ ହାତରୁ ଲୁହାକଡ଼ା ସବୁ ଛାଏଁ ଛାଏଁ ଛିଣ୍ଡିପଡ଼ିଲା । ଏସବୁ କେବଳ ପୋଥିର କଥା ନୁହେଁ । ଆମେ ହିନ୍ଦୀ ସିନାମାରେ ଏହା ସ୍ୱଚକ୍ଷୁରେ ଦେଖିଛୁ । ବେଢ଼ିଗୁଡ଼ାକ ଛାଏଁ ଛାଏଁ ଅଲଗା ହୋଇଗଲା । ଘରର ଜଞ୍ଜିର, କୋଲପ ସବୁ ମଧ୍ୟ ସଟ୍‌ସାଟ୍‌ ମନକୁ ମନ ଖୋଲିଗଲା । ଆମେ ଭଲଭାବେ ଦେଖିଛୁ ସେ ଜଞ୍ଜିର କୋଲପ ଓ ବେଢ଼ି ଦିହରେ କାହାରି ହାତ ଲାଗିନି । ଛାଏଁ ଛାଏଁ ସବୁ ହୋଇଗଲା । କବି ବୋଧହୁଏ ସେହି ହିନ୍ଦୀ ସିନେମା ଦେଖି ଉଦ୍‌ବୁଦ୍ଧ ହୋଇଥିଲେ । ସେଇଥିଲାଗି କହିଦେଲେ–ଛିଡ଼ୁ ଶୃଙ୍ଖଳ । କିନ୍ତୁ ସେ ଏତିକି ଟିକିଏ ଭାବି ପାରିଲେ ନାହିଁ ଯେ ଶ୍ରୀକୃଷ୍ଣ ଥିଲେ ପରମବ୍ରହ୍ମ–ସ୍ୱୟଂ ଭଗବାନ । ସେ ଇଚ୍ଛାମୟ । ତାଙ୍କରେ ଇଚ୍ଛାରେ ପର୍ବତ, ଜଳେ ଭାସଇ ସୋଲବତ । ସେ ଇଚ୍ଛା କଲେ, ବେଢ଼ି, ଜଞ୍ଜିର, କୋଲପ ଖୋଲିଯାଉ, ସେ ସବୁ ଖୋଲିଗଲା । ଖ୍ରୀଷ୍ଟିଆନ୍‌ ଧର୍ମଗ୍ରନ୍ଥରେ ମଧ୍ୟ ଲେଖାଅଛି–ଭଗବାନ କହିଲେ ଆଲୁଅ ହେଉ, ସବୁଆଡ଼ ଆଲୁଅ ହୋଇଗଲା । ସେ ଇଚ୍ଛା କଲେ ପୃଥିବୀ ହୋଇଯା, ସଙ୍ଗେ ସଙ୍ଗେ ପୃଥିବୀ ହୋଇଗଲା । କବିଙ୍କର ମନେ ରଖିବା ଉଚିତ୍‌ ଯେ ସେ ସବୁ ଭଗବାନଙ୍କ ଇଲାକାର କଥା, ତାଙ୍କ କାରବାର । କବି ମଣିଷ ହୋଇ ସେ ସବୁ କଥାରେ ହାତ ଦେଲେ ବିଫଳତାଜନିତ ମନସ୍ତାପ ଓ ଲୋକହସା ହିଁ ସାର ହେବ । ତା’ ଉପରେ ଡାକରା ହୋଇଛି କଅଣ ନା–ଜାଗ ଦୁର୍ବଳ ଆଜି । କି ହାସ୍ୟାସ୍ପଦ କଥା ! ପହିଲେ ତ ତାକୁ ଦୁର୍ବଳ କହି ସାରିଲେଣି । କବିଙ୍କ କଥା ମାନି ସେ ଜାଗିଲେ କାହାର କଅଣ ବା କେଞ୍ଚି ପକାଇବ । ଯିଏ ଦୁର୍ବଳ ତାକୁ ଡାକ୍ତରମାନେ କଡ଼ାକଡ଼ି ଉପଦେଶ ଦେଇଥାନ୍ତି ପଡ଼ିରହି ବିଶ୍ରାମ ବା କମ୍ପ୍‌ଲିଟ୍‌ ରେଷ୍ଟ ନେବାକୁ । ରେଷ୍ଟ ବା ବିଶ୍ରାମ ହେଲା ଡାକ୍ତରମାନଙ୍କ ପ୍ରଥମ ବ୍ୟବସ୍ଥା । ଏହା ରୋଗୀର ରୋଗ ଅଧାଅଧି ଭଲ କରିବାରେ ସାହାଯ୍ୟ କରେ । ଅନ୍ୟ ପକ୍ଷରେ ଦୁର୍ବଳ ରୋଗୀ ଯଦି ଡାକ୍ତର କଥା ନ ମାନି ଟିକିଏ ପରିଶ୍ରମ କରିଦିଏ ତେବେ ହୃତ୍‌କ୍ରିୟା ବନ୍ଦ ବା ହାର୍ଟଫେଲ ହୋଇଯାଏ । ରୋଗୀ ସିଧାସଳଖ ଯମାଳୟ ଗମନ କରେ-। କବି ଜାଣିବାଶୁଣିବା ଲୋକ ହୋଇ ଗୋଟାଏ ଦୁର୍ବଳ ଲୋକକୁ ଜାଗିବାପାଇଁ ଡାକରା ଦେବାଟା ଏକ ମର୍ଡ଼ର କେଶ୍‌ ବା ନରହତ୍ୟା ଅପରାଧ ସଙ୍ଗେ ସମାନ । ଧରିନିଅ ରୋଗୀଟା ହାଟ୍‌ଫେଲ୍‌ ବା ହୃତ୍‌କ୍ରିୟେ ବନ୍ଦ ହୋଇଯିବା ପରି ଦୁର୍ବଳ ନୁହେଁ । ତଥାପି ସେ ଜାଗି କଅଣ ବା କରିବ ? ସେ ଖଣ୍ଡାଟାଏ କି ବନ୍ଧୁକଟାଏ କଅଣ ଟେକି ପାରିବ ? ତେବେ ତାକୁ ଜଗେଇବ କାହିଁକି ? ଜଗେଇଲେ ଫଳଟି ଓଲଟା ହେବା ସୁନିଶ୍ଚିତ । ସେ କୁନ୍ଥେଇ କୁନ୍ଥେଇ ଡାକ ଛାଡ଼ିବ–ଆରେ କିଏ ଅଛରେ, ଆରେ ଦାନ୍ତକାଠିଏ ଦିଅରେ, ଆରେ ପାଣି ନୋଟାଏ ଦିଅରେ, ଆରେ ଗାମୁଛଟାଏ ଦିଅରେ, ଆରେ ମୋତେ ପାଇଖାନାକୁ ନେଇ ଯାଅରେ । ସେ ତ ନିଜେ କିଛି କରିପାରିବନି, ବରଂ ଆଉ ଯେଉଁ ପାଞ୍ଚଜଣ କିଛି କାମ କରି ଥାଆନ୍ତେ ସେମାନଙ୍କୁ ନିକମା କରେଇ ନିଜ ସେବାରେ ଖଟେଇବ-

 

ଏପରି ଦୁର୍ବଳକୁ ଜଗେଇବା କାମ ହାତକୁ ନେଇ କବି କିଛି ଭଲକାମ କରି ନାହାନ୍ତି । ଭାବବିହ୍ୱଳତାରେ ଭାସିଯିବା, ଚେଇଁରହି ସ୍ୱପ୍ନ ଦେଖିବା, ଗୋଟିଏ ସୁନ୍ଦରୀ ତରୁଣୀକୁ ଦେଖିବା ମାତ୍ରେ ବେହୋସ୍‌ ହୋଇଯିବା ଆଦି କବିମାନଙ୍କର ବିଶିଷ୍ଟ ଗୁଣ ସତ କିନ୍ତୁ ସେମାନେ ଉଠ, ଜାଗ, ପିଟ, ମାର, ହାଣ ଆଦି ଥିବା ସ୍ଥାନରେ ପାଦ ଦେବା ଉଚିତ୍‌ ନୁହେଁ, ହେଲେ ଏହିପରି ଗୁରୁଚଣ୍ଡାଳ ଦୋଷ ଦେଖା ଦେବଇ ଦେବ ।

 

କବି ଏତିକି ଭୁଲ୍‍କରି ଚୁପ୍‌ରହି ନାହାନ୍ତି, ସେ ପୁଣି କୁହାଟିଛନ୍ତି ‘ଉଠ ଗତ ଗୌରବ’ । ଏକେ ତ ଗୌରବଟା ବଡ଼ ଖରାପ ଜିନିଷ । ଶାସ୍ତ୍ର କହିଛି, ‘ସମ୍ମାନ ଞ୍ଚ ସୁରାପାନଂ, ଗୌରବଂ ଘୋର ରୌରବଂ ।’ ଯେଉଁ ଭୟଙ୍କର ରୌରବ ନର୍କ କଥା ଶୁଣିଲେ ଦେହ ଶୀତେଇ ଉଠେ, ଗୌରବଟା ସେହି ରୌରବ ନର୍କ ପରି । ଏପରିସ୍ଥଳେ ଗୌରବର ଆଉ କି ପ୍ରୟୋଜନ ! ତା ନାଁ ମୁହଁରେ ଧରିବା ଉଚିତ ନୁହେଁ । ଧର ଏଇଟା ସତ୍ୟଯୁଗର କଥା, ଏବେ କଳିଯୁଗରେ ଏ ସବୁର ଦରକାର ଅଛି । ହଉ, ଯଦି ଦରକାର ଅଛି ତେବେ ସଜ ଖାଦ୍ୟ ପରି ସଜ ଗୌରବ ଆହରଣ କର-। ନୂଆ ନୂଆ ପ୍ରଶଂସନୀୟ କାର୍ଯ୍ୟ କରି ନୂଆ ନୂଆ ଗୌରବ ଅର୍ଜନ କର । ତା ନ କରି ଯେଉଁଗୁଡ଼ାକ ବାସୀ ହୋଇଗଲାଣି, ଖଟା ହୋଇଗଲାଣି, ଗନ୍ଧେଇଗଲାଣି ସେ ଗୁଡ଼ାକ ପ୍ରତି ଆଉ ଆଶା ରଖିବା ବିଜ୍ଞତାର ପରିଚାୟକ ହେବ କି ? କବିସୂର୍ଯ୍ୟ ବହୁ ଆଗରୁ ପରା କହିଦେଇଛନ୍ତି ‘ଗଲାଣି ତ ଗଲା କଥାରେ ସଙ୍ଗାତ ଗଲାଣି ତ ଗଲା କଥା । ହିନ୍ଦୀକବି ବି କହିଛନ୍ତି ‘ଯୋ ଗୟା, ସୋ ଗୟା’ ଇଂରାଜୀ କବି ବି କହିଛନ୍ତି, ‘ଲେଟ୍‌ ବି ଗନ୍‌ ବି ବାଇ ଗନ୍‌’ । ସଂସ୍କୃତ ବି କହିଛନ୍ତି ‘ଗତସ୍ୟ ଶୋଚନା ନାସ୍ତି’ । ପୃଥିବୀର ସବୁ ବୁଦ୍ଧିଜୀବୀ ଓ ଦାର୍ଶନିକ ବି କହିବେ ଗଲା କଥା ପଛରେ ଦଉଡ଼ିବା ବା ସେଥିପାଇଁ ଶୋକ କରିବା କେବଳ ମୂର୍ଖତା । ଏସବୁ ଜାଣିବା ସତ୍ତ୍ୱେ କବି ଗୋଦାବରୀଶ ଯଦି ଗତ ଗୌରବ ଅର୍ଥାତ୍‌ ଚାଲିଯାଇଥିବା ଗୌରବକୁ ଡାକନ୍ତି ଓ ଉଠିବା ପାଇଁ ରଡ଼ି ଦିଅନ୍ତି ତେବେ ବିଜ୍ଞଲୋକେ ତାଙ୍କୁ କଅଣ କହିବେ ? ‘ଉଠ ଗତ ଗୌରବ’ ବୋଲି ବିଳାପ କରିବା କେଡ଼େ ହାସ୍ୟାସ୍ପଦ ସତେ । ଏତିକିରେ କବି କ୍ଷାନ୍ତ ରହିଥିଲେ ହୁଏତ ଚଳିଯାଇ ଥାଆନ୍ତା । ତା’ ନ କରି କବି ଓଲଟି ଚିଲେଇଛନ୍ତି, ହୃତଗୌରବ–ଅର୍ଥାତ୍‌ ଯେଉଁସବୁ ଗୌରବ ଅନ୍ୟମାନେ ହରଣ କରି ନେଇଛନ୍ତି ସେଗୁଡ଼ିକ ବି ଉଠୁ । ଅର୍ଥାତ୍‌ ପୁଣି ଆମ ପାଖକୁ ଆସୁ । ଏହା ଶୁଣି ଲୋକେ ପେଟ ଭିତରେ କଅଣ ନ କହିଥିବେ ! ଚୋରିକରି ନେଇଥିବା ଧନକୁ ଚୋର କେବେହେଲେ ତାର ନ୍ୟାୟୋଚିତ ଅଧିକାରୀକୁ ଆଣି ଫେରାଇ ଦିଏ କି ? ମୁଣ୍ଡ ଛିଣ୍ଡିଗଲେ ବି ସେ ଦେବ ନାହିଁ । ଯେଉଁ ଜିନିଷ ହରଣଚାଳ ହୋଇଗଲା ତା ପାଇଁ ଝୁରିହେବା, ତା’ର ପୁନଃପ୍ରାପ୍ତି ନିମନ୍ତେ ଝାଳନାଳ ହୋଅ ଲାଗିପଡ଼ିବ ନିର୍ବୁଦ୍ଧିଆଙ୍କ କାମ । ବରଂ ତାକୁ ମନରୁ ପୋଛିଦେଇ ଆଉ ଅନ୍ୟ କିଛି ଜିନିଷ ଯେପରି ହରଣଚାଳ ନ ହୁଏ ସେଥିପ୍ରତି ତୀକ୍ଷ୍‌ଣ ନଜର ଦେବା ବୁଦ୍ଧିମାନ ଲୋକର କାର୍ଯ୍ୟ ।

 

ଥରେ ଜଣେ ଲୋକର ସାଇକେଲଟା ଚୋରି ହୋଇଗଲା । ସେ ଯାଇ ଥାନାରେ ଖବର ଦେଲା । କିଛି ଦିନ ପରେ ଚୋରି ସାଇକେଲ ସହ ଚୋର ଧରାପଡ଼ିଲା । ବହୁଦିନ ଧରି ମକଦ୍ଦମା ଚାଲିଲା । ଗାଆଁରୁ ଥାନା ଓ କଚେରୀକୁ ଦଉଡି ଦଉଡ଼ି ଶେଷରେ ସାଇକେଲ ମାଲିକ ନାନା ଅଙ୍ଗ–ପ୍ରତ୍ୟଙ୍ଗ ହୀନ ସାଇକେଲଟି ପାଇଲେ । ହିସାବ କରି ଦେଖିଲା ସାଇକେଲ ଦାମର ପ୍ରାୟ ୨ ଗୁଣ ତା’ର ଖର୍ଚ୍ଚ ହୋଇଯାଇଛି । ଶେଷରେ ସେ ଭଗବାନଙ୍କୁ ପ୍ରାର୍ଥନା କରି କହିଲା, ହେ ଭଗବାନ ! ଚୋରି ହୋଇଥିବା ଜିନିଷ ଆଉ ନ ଫେରୁ । ପୁଲିସ୍‌ ଆଉ ତାହାର ସନ୍ଧାନ ନ ପାଉ । ଏପରି ଭୁରି ଭୁରି ଦୁଷ୍ଟାନ୍ତ ଥିଲାବେଳେ ହୃତଗୌରବ ବା ଚୋରି ହୋଇଥିବା ଗୌରବକୁ ଫେରି ପାଇବାକୁ ଇଚ୍ଛା କରିବା କବିଙ୍କ ପକ୍ଷରେ ଉଚିତ ହେଲା କି ? ସେଇଟା ସୁସ୍ଥ ମନର ପରିଚାୟକ କି-? ଭଗବାନ କରନ୍ତୁ ଯଦି ଓଡ଼ିଆଏ ସେ ଗୌରବର ସନ୍ଧାନ ପାଇଯାଆନ୍ତି ଏବଂ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି ତେବେ ସେଥିପାଇଁ ବିପୁଳ ଅର୍ଥ ଓ ଶ୍ରମ ବ୍ୟୟ କରିବାକୁ ପଡ଼ିବ । ବରଂ ନୂଆ ଗୌରବର ସନ୍ଧାନ ନେଇ ତା’ର ଅଧିକାରୀ ହେବାକୁ ଚେଷ୍ଟା କରିବା ଦରକାର । ହୃତ ଗୌରବ ପଛରେ ଦଉଡ଼ିବା ମୂର୍ଖତା ମାତ୍ର ।

 

ଶେଷରେ କବି ଲୋଡ଼ିଛନ୍ତି ‘ମୃତ ଗୌରବରାଜି’ । ଏକଥା ଶୁଣିବା ମାତ୍ରେ ହସ ଲାଗିବା ସଙ୍ଗେ ସଙ୍ଗେ ମୁହଁ ତଳକୁ ହୋଇଯାଏ । ଯିଏ ମଲା ସେ ଚାରି ପାଞ୍ଜିରୁ ଗଲା । ତା’ର ଫେରିବା କଥା କେଉଁଠି କେବେ ହେଲେ କେହି ଶୁଣିଛ କି ? ଶାସ୍ତ୍ରରେ ଅଛି–‘ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନ କୁତଃ ।’ ଯିଏ ମଲାଲୋକ ପଛରେ ଗୋଡ଼ାଏ, ତାକୁ ଫେରିବାକୁ ବାହୁନେ, ତାକୁ ବିଜ୍ଞଲୋକେ ପାଗଳ କିମ୍ବାଲୁ ପ୍ତବୁଦ୍ଧିସମ୍ପନ୍ନ ବୋଲି ବିଚାରିବେ । କବି ଯାହା ପୂର୍ବ ଜିନିଷତକ ଅର୍ଥାତ୍‌ ‘ଗତ ଗୌରବ, ହୃତ ଗୌରବ’ ଫେରିବା ଚାହିଁଥିଲେ ସେଇଠି ଚୁପ୍‌ ରହିଯାଇ ଥିଲେ କିଛି ପରିମାଣରେ ଚଳି ଯାଇଥାନ୍ତା କିନ୍ତୁ ସେ ସେତିକିରେ କ୍ଷାନ୍ତ ନ ହୋଇ ‘ମୃତ ଗୌରବ’କୁ ଖୋଜି ବସିବା ଦ୍ୱାରା ସବୁ ସାରିଦେଲେ । ଇଜ୍ଜତ–ମହତକୁ ଦି’କଡ଼ାର କରିଦେଲେ । ଆମେ ଆଉ କାହାକୁ ଧରି ଅନ୍ୟମାନଙ୍କ ଆଗରେ ନିଜର ଭେକ ଦେଖାଇବୁ ? ସେମାନେ ତ ମୁହେଁ ମୁହେଁ ଠୋକର ଦେବେ । ‘‘ହଁ–ହଁ–ହୋ, ତମକଥା ଆମକୁ ଜଣା । ଆଉ ପ୍ରୌଢ଼ି ନ ଦେଖାଇ ଯାଅ ମୃତ ଗୌରବରାଜି ଯେଉଁଠି ପଡ଼ିଛି ଅଣ୍ଡାଳ ।’’ ଆମକୁ ଏଗୁଡ଼ାକ ସହିବାକୁ ପଡ଼ିବ । ଅନ୍ୟ ଉପାୟ ନାହିଁ-। ଏ ଧରଣର କବିତାରେ ଜାତି ଉଠିବନି । ଏସବୁ କବିତାକୁ, ଚମ୍ପାକସ୍‌ ଜଳଖିଆ–ଚାହା ଠୁଙ୍କି କରି ଶ୍ରୀରାମଚନ୍ଦ୍ର ଭବନରେ ବସି ଶୁଣିବାକୁ ହୁଏ ଆଉ ମଝିରେ ମଝିରେ ‘ୱା ୱା’ ଚିଲେଇବାକୁ ହୁଏ-

Image

 

ମିଶୁ ମୋର ଦେହ ଏ ଦେଶ ମାଟିରେ

 

ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ

ସ୍ୱରାଜର ପଥେ ଅଛି ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।

 

ହଜାରିବାଗ ଜେଲରେ ଥିଲାବେଳେ ଉତ୍କଳମଣି, ଗୋପବନ୍ଧୁ ଦାସ ଯେଉଁ କାରା କବିତା ବହିଟି ଲେଖିଥିଲେ ଉପରୋକ୍ତ ଚାରି ପଦ କବିତା ତା’ର ଅଂଶବିଶେଷ ମାତ୍ର । ଉଚ୍ଚ ଶିକ୍ଷା ପାଇଥିଲେ ହେଁ ଉତ୍କଳମଣି ଉଚ୍ଚ ସରକାରୀ ଚାକିରି ପଛରେ ନ ଦଉଡ଼ି ମହାତ୍ମା ଗାନ୍ଧୀଙ୍କ ପଛରେ ଗୋଡ଼େଇଲେ । ମହାତ୍ମାଗାନ୍ଧୀ ତାଙ୍କୁ ଦେଶପ୍ରେମର ଅଫିମ ଚଟେଇ ସ୍ୱରାଜଖୋର ବନାଇ ଦେଇଥିଲେ । ଥରେ ଯିଏ ଅଫିମ ଖାଇଲା ସେ ତାକୁ ଆଉ ନ ଛାଡ଼େ । ତାକୁ ଯଦି ସାମୟିକ ଜୋରଜବରଦସ୍ତ ଅଫିମରୁ ବଞ୍ଚିତ କରାଯାଏ ତେବେ ସେ ଜୀବନକୁ ଦୁର୍ବିସହ ମନେକରେ । ତା’ର ଅନ୍ତରାତ୍ମା ହାହାକାର କରିଉଠେ, ସେ ସମ୍ପୂର୍ଣ୍ଣ ଭାବରେ ନିରାଶାବାଦୀ ହୋଇ ଜୀବନଟାକୁ ଉତ୍ସର୍ଗ କରିଦେବାକୁ ଇଚ୍ଛାକରେ । ଉତ୍କଳମଣିଙ୍କ ଠିକ୍‌ ଏହିପରି ଅବସ୍ଥା ଘଟିଲା । ମହାତ୍ମାଗାନ୍ଧୀ ତ ତାଙ୍କୁ ସ୍ୱରାଜଖୋର ବନେଇ ଦେଇଥିଲେ । ସେତେବେଳର ବ୍ରିଟିଶ ସରକାର ତାଙ୍କର ସ୍ୱରାଜ ନିଶା ଛଡ଼େଇବାକୁ ତାଙ୍କୁ ଜେଲ୍‌ରେ ପୂରାଇ ଦେଲେ । ମେଘନାଦ ପାଚେରୀଘେରା ସେ ଥାନରେ ସ୍ୱରାଜ ଅଫିମ ମିଳିବ କୁଆଡ଼ୁ ? ଉତ୍କଳମଣି ଯନ୍ତ୍ରଣାରେ ଛଟପଟ ହୋଇଗଲେ । ଯନ୍ତ୍ରଣା ଭୋଗିଲେ ସଙ୍ଗୀତଜ୍ଞ ବିଷାଦ ଗୀତ ବୋଲେ, ଶିଳ୍ପୀ ମୂର୍ତ୍ତି ଗଢ଼େ, ଚିତ୍ରକାର ଚିତ୍ର ଆଙ୍କେ, ପ୍ରେମିକ ପ୍ରିୟା ପ୍ରିୟା ରଡ଼ି ଛାଡ଼େ, ମଦୁଆ ମଦ ପିମ୍ପାରେ ମୁହଁ ଲଗେଇ ଦିଏ । କବି କବିତାର ସୁଅ ଛୁଟାଇ ଦିଏ । ଗୋପବନ୍ଧୁ ଜଣେ କବି ଥିଲେ, ତେଣୁ ସେ କବିତା ଲେଖିଲେ । କାରାଗାର ଭିତରେ ସେ ଯେଉଁ ସବୁ କବିତା ଲେଖିଲେ ତାହା କାରା କବିତା ଓ ଅବକାଶ ଚିନ୍ତା ନାମକ ଦୁଇଟି ପୁସ୍ତିକାରେ ପ୍ରକାଶିତ ହୋଇଅଛି ।

 

ଯେତେବେଳେ ଉତ୍କଳମଣି ଦେଖିଲେ ଯେ ଜେଲର ମେଘନାଦ ପାଚେରୀ ଡେଇଁ ସ୍ୱରାଜ ଅଫିମ ତାଙ୍କ ପାଖକୁ ଆଉ ଆସି ପାରିବନି ସେତେବେଳେ ସେ ଭାବିଲେ ଯଦି ସ୍ୱରାଜ ଅଫିମ ନ ମିଳିବ ତେବେ ଏ ଜୀବନଟା ଥାଇ କେତେ ନ ଥାଇ କେତେ । ଏ ଜୀବନ ଯେତେ ଶୀଘ୍ର ଯାଏ ସେତେ ମଙ୍ଗଳ । ସ୍ୱରାଜ ଅଫିମାଭାବର ଯନ୍ତ୍ରଣାରୁ ମୁକ୍ତି ମିଳିଯିବ । ଜୀବନଟା ଚାଲିଗଲେ ଜଡ଼ ଦେହଟା ତ ପଡ଼ି ରହିବ । ହାଡ଼ ମାଉଁସତକ ଜୀବନ ସାଙ୍ଗରେ ଉଭେଇ ଯିବ ନାହିଁ । ଉତ୍କଳମଣି ତ ନିଜକୁ ଦେଶ ପାଇଁ ଉତ୍ସର୍ଗ କରି ଦେଇଥିଲେ । ଜୀବନ କୁଆଡ଼େ ଉଭେଇଯିବ ତାହା ମୁନି ଋଷିଙ୍କୁ ତ ଅଗୋଚର, ସାଧାରଣ ଲୋକେ ସେ ବିଷୟରେ ବା କଅଣ କହିବେ । ମାଉଁସ ହାଡ଼ତକ ତ ପଡ଼ି ରହିବ, ତାକୁ ଦେଶର କଲ୍ୟାଣରେ କେଉଁବାଟେ ଖଟେଇ ଦେଲେ ମନର ଅରମାନ ମେଣ୍ଟିଯିବ । ସେ ଦେଶର ଧାରୁଆ ହୋଇ ରହିବେ ନାହିଁ । ତାଙ୍କର ମାଂସ ଓ ହାଡ଼ତକ କିପରି ଭାବରେ ଦେଶ କାମରେ ଲାଗିବ ତା’ର ଏକ ଉଇଲନାମା ସେ ରଖି ଦେଇଗଲେ । ସେ କବିତାରୂପୀ ଉଇଲନାମାରେ ଲେଖି ଦେଇଗଲେ ଯେ ତାଙ୍କ ଦେହଟା ଏ ଦେଶ ମାଟିରେ ମିଶେଇ ଦିଆଯିବ ଏବଂ ଦେଶବାସି ଏ ମାଟି ରୂପ ଧରିଥିବା ତାଙ୍କ ପିଠି ଉପରେ ଚାଲିଯିବେ । ସ୍ୱରାଜର ବାଟରେ ଯେତେ ସବୁ ଗାଡ଼ ଅଛି ସେଗୁଡ଼ିକ ତାଙ୍କର ମାଂସ ଆଉ ହାଡ଼ରେ ଭର୍ତ୍ତିହୋଇ ସମତୁଲ ହୋଇଯାଉ । ଏପରି ହେଲେ ସାଇକେଲ, କାର୍‌ ସବୁ ଗାତରେ ପଡ଼ି କଚିହେବ ନାହିଁ କି କବି ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ଲିଖିତ କେନ୍ଦ୍ରାପଡ଼ା ରାସ୍ତାରେ ଯାଉଥିବା ବସ୍‌ମାନଙ୍କ ଅବସ୍ଥା ଭୋଗିବେ ନାହିଁ ।

 

ବର୍ତ୍ତମାନ ଦେଖାଯାଉ ଉତ୍କଳମଣିଙ୍କ ଏପରି ଇଚ୍ଛା ଲିଖିତ ଭାବରେ ପ୍ରକଟ କରିବା କେତେଦୂର ସଙ୍ଗତ ହୋଇଛି । ପ୍ରଥମେ ପଦ ହେଲା ‘ମିଶୁ ମୋର ଦେହ ଏ ଦେଶ ମାଟିରେ ।’ ଏପରି ଏକ ଇଚ୍ଛା ପ୍ରକଟ କରିବା କିଛି ଦରକାର ନଥିଲା । କାରଣ ମୃତ୍ୟୁପରେ ଶବଟି ପୋଡ଼ା ହେଲେ ଏଇ ଦେଶରେ ପୋଡ଼ା ହେବ କିମ୍ବା ପୋତା ହେଲେ ଏଇ ଦେଶରେ ପୋତା ହେବ ଏବଂ କାଳକ୍ରମେ ଏହି ଦେଶର ମାଟିରେ ମିଶିବ ହିଁ ମିଶିବ । ଶବସତ୍କାର କେବଳ ଜନ୍ମଭୂମିରେ ହିଁ ହୋଇଥାଏ । ଏପରିକି ଜଣେ ନେତୃସ୍ଥାନୀୟ ଲୋକ ଦୈବାତ୍‌ ବିଦେଶରେ ମରିଗଲେ ତାଙ୍କ ଶବ ଉଡ଼ାଜାହାଜ ଯୋଗେ ସ୍ୱଦେଶକୁ ଅଣାଯାଇଥାଏ । ପୋଡ଼ା ହେଉ ବା ପୋତା ହେଉ ଶେଷରେ ଶରୀରଟି ନିଜ ଦେଶ ମାଟିରେ ମିଶିଥାଏ । ଉତ୍କଳମଣି ଉତ୍କଳର ଜଣେ ସର୍ବଜନପ୍ରିୟ ଓ ସର୍ବଶ୍ରେଷ୍ଠ ଜନନାୟକ । ସେ ବୋଧହୁଏ ଭାବିଥିଲେ ଯେ ବ୍ରିଟିଶ ସରକାର ତାଙ୍କୁ ଯେପରି ତାଙ୍କ ଜନ୍ମମାଟିରୁ ଦୂରେଇ ରଖିବାର ଚେଷ୍ଟା କରୁଛନ୍ତି ସେଥିରେ ସେ ଯଦି ଜନ୍ମଭୂମିର ବାହାରେ ମରିଯାଆନ୍ତି ତେବେ ତାଙ୍କ ଶରୀର ଏ ଦେଶ ମାଟିରେ ହୁଏତ ମିଶି ନ ପାରେ । ତେଣୁ ସେ ଏକ ଉଇଲନାମା କବିତା ଲେଖିଦେଇ ଗଲେ ଯେ ତାଙ୍କ ଦେହ ଏହି ଦେଶମାଟିରେ ମିଶୁ । ତାଙ୍କର ଏପରି ଆଶଙ୍କା ଅମୂଳକ ଥିଲା । ପୃଥିବୀର ଯେ କୌଣସି ସ୍ଥାନରେ ସେ ଦେହତ୍ୟାଗ କରିଥିଲେ ତାଙ୍କ ଦେହକୁ ଉଡ଼ାଜାହାଜ ଯୋଗେ ଏ ଦେଶକୁ ନିଶ୍ଚିତ ଭାବରେ ଅଣ ଯାଇଛନ୍ତି ଆଉ ତାଙ୍କର ନଶ୍ୱର ଦେହ ଏ ଦେହ ଏ ଦେଶମାଟିରେ ମିଶିଥାନ୍ତା । ଯୁକ୍ତି ଉଠିପାରେ ଯେ ଅତି ବଡ଼ ବଡ଼ ଲୋକମାନେ ନିଜକୁ ଭାରି ଛୋଟ ବୋଲି ଭାବନ୍ତି । ତା’ ହେଲେ ବି ତାଙ୍କର ଏତକ ଅନ୍ତତଃ ଭାବିବା ଉଚିତ୍‌ ଥିଲା ଯେ ତାଙ୍କୁ ପିତୃତୁଲ୍ୟ ଭକ୍ତି କରୁଥିବା ଲୋକ ଏ ଦେଶରେ ଯଥେଷ୍ଟ ଥିଲେ । ସେମାନେ କେବେହେଲେ ତାଙ୍କର ଶବକୁ ବିଦେଶ ମାଟିରେ ମିଶିବାକୁ ଦିଅନ୍ତେ ନାହିଁ । ତେଣୁ ଧାଡ଼ିଟା ଅବାନ୍ତର ବୋଧ ହେଉଅଛି । ଜନ୍ମଗ୍ରହଣ କଲେ ଜଣେ ଦିନେ ନା ଦିନେ ନିଶ୍ଚୟ ମରିବ । ଏଇଟା ସମସ୍ତେ ଭଲଭାବରେ ଜାଣନ୍ତି । ଏହା ସତ୍ତ୍ୱେ ଜଣେ ଯଦି କହିବ–‘ମୋର ଦିନେ ନା ଦିନେ ନିଶ୍ଚୟ ମୃତ୍ୟୁ ହେବ ।’ ଏଇଟାକୁ ସମସ୍ତେ ଅବାନ୍ତର ବୋଲି କହିବେ ସିନା ! ସେହିପରି ଉତ୍କଳମଣିଙ୍କ ଦେହ ନିଶ୍ଚିତ ଭାବରେ ଏ ଦେଶ ମାଟିରେ ମିଶିବ, ସେ ଇଚ୍ଛା କରନ୍ତୁ ବା ନ କରନ୍ତୁ ।

 

ପୁନଶ୍ଚ ସେ ଲେଖିଲେ ‘ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।’ ଉତ୍କଳମଣି ଏତେ ବଡ଼ ପଣ୍ଡିତ ହୋଇ କିପରି ଏହା ଲେଖିଲେ ତାହା ବଡ଼ ଆଶ୍ଚର୍ଯ୍ୟର କଥା ! ଦେହଟା ତ ମାଟିରେ ମିଶିଗଲା । ଅଗଣିତ ଲୋକମାନଙ୍କର ଦେହ ମଧ୍ୟ ମାଟିରେ ମିଶିଛି । ସବୁ ମାଟି ଫେଣ୍ଟି ହୋଇ ଯାଇ ଏକାକାର ହୋଇ ଯାଇଛି । କେଉଁଟା କାହାର ମାଟି ବୋଲି କେହି କହି ପାରିବେ ନାହିଁ । ମାଟିର ବି ପିଠି ପେଟ ହୋଇ ଆଉ କିଛି ନାହିଁ । ମାଟିର ଯେଉଁ କଡ଼ ଦେଖ ତାହା ଏକ ପ୍ରକାର । ଉତ୍କଳମଣିଙ୍କ ଦେହ ତ ମାଟିରେ ମିଶିଲା, ଆଉ ତାଙ୍କର ପିଠି କେଉଁଠି ରହିଲା ଯେ ତା’ ଉପରେ ଦେଶବାସୀ ଚାଲିଯିବେ । ଧରାଯାଉ ଆଧୁନିକ କବିଙ୍କ ପରି ଉତ୍କଳମଣି ମାଟିକୁ ତାଙ୍କ ପିଠି ବୋଲି କହିଲେ । ସେ କ୍ଷେତ୍ରରେ କେଉଁ ମାଟିଟା ଉତ୍କଳମଣିଙ୍କର ତାହା ଚିହ୍ନୋଟ କରିବ କିଏ ? ଏଠାରେ ଅନ୍ଦାଜିଆ କଥା ଚଳି ନ ପାରେ । କେହି ହୁଏତ କହିପାରେ ଏହି ଜାଗାରେ ଉତ୍କଳମଣିଙ୍କ ଶରୀର ଦାହ କରାଯାଇଥିଲା ତେଣୁ ତାଙ୍କ ଦେହମାଟି ଏହିଠାରେ ହିଁ ଅଛି । ସେଠାରେ ଅନ୍ୟ କାହାର ଶରୀର ଯେ ଦାହ ହୋଇନି ତାହାର ଗ୍ୟାରେଣ୍ଟି ଦବ କିଏ?

 

ଧରାଯାଉ ତାଙ୍କ ଶରୀର ଗୋଟିଏ ସ୍ୱତନ୍ତ୍ର ସ୍ଥାନରେ ଦାହ ହୋଇଛି ଏବଂ ସେ ସ୍ଥାନକୁ ଆବଦ୍ଧ କରାଯାଇଛି । ଅନ୍ୟ କାହାରି ଶରୀର ସେଠାରେ ଦାହ ହୋଇନି । ତେବେ ବି ଗ୍ୟାରେଣ୍ଟି ଦେଇ ହେବନି । କାରଣ ଜିଆମାନେ ଯେ ମାଟିକୁ ତଳ ଉପର କରି ଦିଅନ୍ତି ତାହା ବିଜ୍ଞାନସମ୍ମତ । ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ଜିଆର ଏହି ମାଟି ଓଲଟା ପାଲଟ କାମ ସମସ୍ତଙ୍କ ଅଲକ୍ଷରେ ନିରବଚ୍ଛିନ୍ନ ଭାବରେ ଚାଲିଅଛି । ଏହାକୁ କେହି ମଧ୍ୟ ବନ୍ଦ କରି ପାରିବେ ନାହିଁ । ତେଣୁ ଉତ୍କଳମଣିଙ୍କ ଦେହମାଟି ଉପରେ ଜିଆମାନେ ଅନ୍ୟ ମାଟି ତଳୁ ଅଣି ପକାଇ ସାରିଛନ୍ତି । ସେଠାରେ ଉତ୍କଳମଣିଙ୍କ ଦେହମାଟି ଅଛି ବୋଲି କହିବା ସତ୍ୟର ଅପଳାପ ମାତ୍ର । ସୁତରାଂ ‘ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ବୋଲି ଲେଖିବା ଉତ୍କଳମଣିଙ୍କ ଦୂରଦୃଷ୍ଟିର ପରିଚାୟକ ହେଲାନାହିଁ ।

 

ପୁନଶ୍ଚ ଉତ୍କଳମଣି ଲେଖିଲେ–ସ୍ୱରାଜର ପଥେ ଅଛି ଯେତେ ଗାଡ଼ । ଏବେ ଦେଖାଯାଉ କେଇଟା ଗାଡ଼ ସେତେବେଳେ ଥିଲା ଏବଂ ସେ ସବୁ ଗାଡ଼ର ଆୟତନ କେତେ ଥିଲା-। ପହିଲି ଗାଡ଼ ହେଲା ବ୍ରିଟିଶ ସରକାର । ଏହା ଏଡ଼େବଡ଼ ଗାଡ଼ ଥିଲା ଯେ ସ୍ୱରାଜ ବାଟରେ ତାକୁ ଅତିକ୍ରମ କରିଯିବା ଏକ ଅସମ୍ଭବ ବ୍ୟାପାର ଥିଲା । ସେ ଗାଡ଼ ବି ଏପର୍ଯ୍ୟନ୍ତ ପୂରଣ ହୋଇନି-। ବ୍ରିଟିଶ ସରକାର ସ୍ୱେଚ୍ଛାରେ ତା’ ଉପରେ ଗୋଟାଏ ପୋରିହା ପଟା ପୋଲ ରୂପେ ପକାଇ ଦେଲା-। ତଳେ ଯେଉଁ ଗାତକୁ ସେହି ଗାତ । ସେତେବେଳେ ଅବଶ୍ୟ ସେ ପଟା ଟିକିଏ ଟାଣ ଥିଲା-। ଏବର ନେତାମାନେ ତା’ ଉପରେ ଏକ, ଦୁଇ କରି ତାକୁ ଏକାବେଳକେ ଖତରା କରି ଦେଲେଣି-। କେଉଁଦିନ ଯେ ସେ ପଟା ଦି’ଗଡ଼ ହୋଇଯିବ ଆଉ ଦେଶବାସୀଏ ସେହି ଗାଡ଼ରେ ପଡ଼ି ଖତମ ହୋଇଯିବେ ତା’ର କିଛି ଠିକଣା ନାହିଁ ।

 

ଆଉ ଗୋଟାଏ ବିରାଟ ଗାଡ଼ ହେଲା ହିନ୍ଦୁ–ମୁସଲମାନ ସମ୍ପର୍କ । ଏଇଟା ଏଡ଼େ ବଡ଼ ଗାଡ଼ ଥିଲା ଯେ ଲକ୍ଷ ଲକ୍ଷ ହିନ୍ଦୁ, ମୁସଲମାନ ହଣାକଟା ହୋଇ ସେହି ଗାଡ଼ରେ ପଡ଼ିଲେ । ତଥାପି ସେ ଗାଡ଼ରୁ ଚେନାଏ ବି ପୂରିଲା ନାହିଁ । ବ୍ରିଟିଶ ସରକାର ଜିହ୍ନାଙ୍କୁ କଣ୍ଟ୍ରାକ୍ଟ ଦେଇ ଏ ବିରାଟ ଗାଡ଼ ଖୋଳେଇଥିଲା । ହିମାଳୟ ଗୋଟାକ ଯାକ ତାଡ଼ି ଆଣି ଏ ଗାଡ଼ରେ ପୂରେଇଲେ ବି ଏ ଗାଡ଼ ନ ପୂରେ । ଏହା ଉପରେ ପୁଣି ଆହୁରି କେତେ ଛୋଟ ବଡ଼ ଗାଡ଼ ଥିଲା । ସେଗୁଡ଼ିକ ହେଲା–ଦାରିଦ୍ର୍ୟ, ଅଜ୍ଞତା, ଆଳସ୍ୟ ଇତ୍ୟାଦି । ଏ ସବୁ ଗାଡ଼ରେ ବିନ୍ଧ୍ୟ, ମୈନାକ ପର୍ବତ ସବୁ ବି ଖପିଯିବେ । ଏଥିରୁ ସ୍ୱରାଜର ପଥେ ଅଛି ଯେତେ ଗାଡ଼ର ଆୟତନ କେତେ କୋଟି ଘନଫୁଟ ଏବଂ ତାକୁ ପୂରଣ କରିବାକୁ କେତେ ମାଲ ଦରକାର ତାହା ସହଜରେ ଅନୁମେୟ ।

 

ବର୍ତ୍ତମାନ ଉତ୍କଳମଣିଙ୍କ ଶରୀରର ମାପ ଓଜନ ନିଆଯାଉ । ତାଙ୍କର ଉଚ୍ଚତା ୫ ଫୁଟ୍‌ ୪ ଇଞ୍ଚ । ପ୍ରଶ୍ୱାସ ବେଳେ ଛାତି ଗୋଳେଇ ୨୮ ଇଞ୍ଚ । ଓଜନ–କେଶ, ଦାଢ଼ି, ନିଶ, ଗୋଟିଏ ଧୋତି, ଗୋଟିଏ ଚଦର, ଦୁଇଟି ଚପଲ ସହ ସମୁଦାୟ ଷାଠିଏ କିଲୋଗ୍ରାମ୍‌ ହେବ । ଏ ସମସ୍ତ ମାଟିରେ ମିଶିଗଲେ ତାହାର ଆୟତନ ଏକ ଘନଫୁଟ ହୁଏ କି ନ ହୁଏ । ଏକ ଘନଫୁଟ ମାଟିରେ କୋଟି କୋଟି ଘନଫୁଟ ଆୟତନ ବିଶିଷ୍ଟ ବିରାଟ ଗାଡ଼ ପୋତିବାର ଆଶା ଆକାଂକ୍ଷା ଉତ୍କଳମଣିଙ୍କ ପରି ଜନନାୟକଙ୍କ ପକ୍ଷରେ ସମ୍ଭବ ହେଲା କିପରି ? ତାଙ୍କର ମାନସିକ ସୁସ୍ଥତା ବିଷୟରେ ସନ୍ଦେହ କରିବା ଏକ ଅକ୍ଷମଣୀୟ ଅପରାଧ । ତଥାପି ଏ ପଦ୍ୟକୁ ସେ ଲେଖି ନାହାନ୍ତି ବୋଲି କହିବାର ଉପାୟ ନାହିଁ । କାରା କବିତାର ସେ ଲେଖକ ବୋଲି ସାହିତ୍ୟିକ ଦଲିଲ୍‌ ଦସ୍ତାବିଜରେ ଦରଜ ହୋଇଯାଇଛି ଏବଂ ଆଜିଯାଏ କେହି କାହାର ପ୍ରତିବାଦ ବି କରି ନାହାଁନ୍ତି । ତେବେ ଏକ ଘନଫୁଟ ପରିଣାମ ମାଂସ ହାଡ଼ରେ କୋଟି କୋଟି ଘନଫୁଟ ବିଶିଷ୍ଟ ଗାଡ଼ ପୂରଣ କରିବାର ଆଶା ରଖିବା କଅଣ ଉତ୍କଳମଣିଙ୍କ ପକ୍ଷେ ଯଥାର୍ଥ ହୋଇଛି ? ଯିଏ ଯାହା କହୁ ପଛକେ ଆମେ କହିବୁ ଏ ଦେବଭୂମି ଭାରତବର୍ଷରେ ସବୁ କିଛି ସମ୍ଭବ । ମହାଭାରତରେ ବର୍ଣ୍ଣିତ ଅଛି ପାଣ୍ତବମାନେ ବଣରେ ବାସ କରୁଥିଲାବେଳେ ଦୁର୍ବାସା ମହର୍ଷି ୮୦ ହଜାର ଶିଷ୍ୟଙ୍କୁ ନେଇ ସେମାନଙ୍କ ଅତିଥି ହେଲେ । ହାଣ୍ଡିରେ ଖୁଦଟିଏ ବି ନାହିଁ । ଦୁର୍ବାସାଙ୍କ ସହ ଅଶୀ ହଜାର ଶିଷ୍ୟଙ୍କ ପେଟ ପୂରେଇବ କିପରି ? ଯୁଧିଷ୍ଠିର ଏହା ଭାବି ଚିନ୍ତିତ ହୋଇ ପଡ଼ିଲେ ଓ ଶ୍ରୀକୃଷ୍ଣଙ୍କୁ ମନରେ ଧ୍ୟାନ କଲେ । ଶ୍ରୀକୃଷ୍ଣ ସଙ୍ଗେ ସଙ୍ଗେ ଆସି ଧୁଆଧୋଇ ହୋଇଥିବା ହାଣ୍ଡି ତନଖି କଲେ ଓ କଡ଼ରେ ଲାଗିଥିବା ଶାଗ ଟୁକୁରାଏ ପାଇଲେ । ତାକୁ ସେ ଖାଇଦେଇ ‘ତୃପ୍ତ ହେଲି’ କହିଦେଲେ । ସଙ୍ଗେ ସଙ୍ଗେ ଦୁର୍ବାସା ଓ ତାଙ୍କ ଅଶୀ ହଜାର ଶିଷ୍ୟଙ୍କ ପେଟ ଟୁମାଟୁମ୍‌ ହୋଇଗଲା । ହେଉଡ଼ି ମାରି ମାରି ସମସ୍ତେ ଚାଲିଗଲେ । ଟିକିଏ ଶାଗ ପତ୍ରରେ ଅଶୀ ହଜାର ଏକ ଲୋକଙ୍କ ପେଟ ପୂରିଗଲା ତ ? ଗୋପବନ୍ଧୁ ସେହିପରି ଶ୍ରୀକୃଷ୍ଣଙ୍କ ଇଲମ ପାଇବା କିଛି ବିଚିତ୍ର ନୁହେଁ । ଉପସଂହାରରେ ଆମେ ଏତିକି କହିବୁ ଯେ ଉତ୍କଳମଣିଙ୍କର ସ୍ୱୀୟ ୧ ଘନଫୁଟ ପରିମିତ ମାଂସ ଓ ହାଡ଼ରେ କୋଟି କୋଟି ଘନଫୁଟ ପରିମିତ ବିରାଟକାୟ ଗାଡ଼ ସବୁ ପୂରଣ କରିବାର ଆଶା ଅସଙ୍ଗତ ହେଲେ ହେଁ ଅସମ୍ଭବ ହୋଇନଥାନ୍ତା କିନ୍ତୁ ଏ ଘୋର କଳିକାଳରେ ରାଜ୍ୟ ଅପାଣ୍ଡବା କୃଷ୍ଣହୀନ ଥିବା ବେଳେ ଗୋପବନ୍ଧୁଙ୍କର ଏ କଳ୍ପନା କେତେଦୂର ସମ୍ଭବ ଓ ଯୁକ୍ତିଯୁକ୍ତ ପାଠକେ ଭାବନ୍ତୁ ତ ।

Image

 

ମାଆ ମାଆ ବୋଲି ଯେତେ ମୁଁ ଡାକିଲି

 

‘‘ମାଆ ମାଆ ବୋଲି ଯେତେ ମୁଁ ଡାକିଲି

ମାଆ ତ ଶୁଣିଲା ନାହିଁ,

ଭାଇ ଭାଇ ବୋଲି ଯେତେ ମୁଁ ଡାକିଲି

ନ ଦେଲେ ଉତ୍ତର କେହି ।’’

 

ଉତ୍କଳ ଗୌରବ ମଧୁସୂଦନ ଦାସ ସି:ଆଇ:ଇ ଓରଫ ମିଷ୍ଟର ଦାସ ଓରଫ ମଧୁ ବାରିଷ୍ଟର (ଲୋକ ମୁଖରେ) ଏହି ମର୍ମଭେଦୀ କବିତାର ସ୍ରଷ୍ଟା । ଏ କବିତାଟିକୁ ପାଠ କଲେ ମନରେ ସ୍ୱତଃ ପ୍ରଶ୍ନ ଉଦୟ ହୁଏ, କବି ଏହାକୁ କେତେବେଳେ ଲେଖିଲେ, କାହିଁକି ଲେଖିଲେ, ଲେଖିବାର ଯଥାର୍ଥ ଥିଲା କି ନାହିଁ, ଏ କବିତା ଲେଖିବାର ଫଳାଫଳ କଅଣ ହେଲା, ବର୍ତ୍ତମାନର ପରିପ୍ରେକ୍ଷୀରେ ସେ କବିତାର ଆଉ ଗୁରୁତ୍ୱ ଅଛି କି ନାହିଁ–ଇତ୍ୟାଦି । କୌଣସି ପ୍ରକାର ଭାବପ୍ରବଣତାରେ ଭାସି ନ ଯାଇ ଦାୟିତ୍ୱପୂର୍ଣ୍ଣ ଭାବରେ ଆଲୋଚନା କରିବା ଜଣେ ଯଥାର୍ଥ ସାହିତ୍ୟିକ ପକ୍ଷେ ଏକାନ୍ତ ଆବଶ୍ୟକ । ମୋ ଦ୍ୱାରା ପ୍ରତିଦିନ ବରା, ପକୁଡ଼ିରେ ଆପ୍ୟାୟିତ ହେଉଥିବା ଜଣେ ଅନ୍ତରଙ୍ଗ ବନ୍ଧୁ ପକୁଡ଼ି ଖାଇଲା ବେଳେ ମୋତେ ଚୁପ୍‌ ଚୁପ୍‍ କରି କହନ୍ତି ଯେ ମୁଁ ଜଣେ ଯଥାର୍ଥ ସାହିତ୍ୟିକ । ଅବଶ୍ୟ ଅନ୍ୟ କେତେବେଳେ ସେ ଏହା କହିନାହାନ୍ତି । ଏଣୁ ମୁଁ ଜଣେ ଯଥାର୍ଥ ସାହିତ୍ୟିକ ଭାବରେ ଏଠାରେ ଏ କବିତାର ଆଲୋଚନା କରୁଛି ।

 

ପ୍ରଥମରେ ଦେଖାଯାଉ ଏ କବିତା କେତେବେଳେ ଲେଖାଗଲା । ତାରିଖ ସାଲ ଦେଇ ମୁଁ ଇତିହାସରେ ମୋର ପାଣ୍ଡିତ୍ୟ ସମସ୍ତଙ୍କ ଆଗରେ ଜାହିର କରିବାକୁ ଚାହେଁନା । ସମସ୍ତେ ଏହା ଜାଣିଗଲେ ହର୍‌ ଦମ୍‌ ଆସି ମୋତେ ନାନା ଘଟଣାର ତାରିଖ ସାଲ ପଚାରି ବ୍ୟତିବ୍ୟସ୍ତ କରିବେ । ଛାଡ଼ନ୍ତୁ ସେ କଥା । ଓଡ଼ିଶା ସେତେବେଳେ ମାଉସୀ ଘରୁ ପିଉସୀ ଘରେ ପଶିଥାଏ । ଅର୍ଥାତ୍‌ ବଙ୍ଗଳାରୁ ଘୋଷଡ଼ା ହୋଇ ବିହାର ସାଙ୍ଗରେ ଯୋଖା ହୋଇଥାଏ । ଓଡ଼ିଆଟାଏ ଦେଖିଲେ ବଙ୍ଗାଳି କହୁଥାନ୍ତି–ଶାଲା ଉଡ଼େ, ଆଉ ବିହାରୀ କହୁଥାନ୍ତି–ଓଡ଼ିଆ ଭେଡ଼ି । ଆମ ଓଡ଼ିଆଏ ବି ରେଳପଥରେ ବାଲେଶ୍ୱର ଡେଇଁଲେ ପାଟିରୁ ଓଡ଼ିଆ କାଢ଼ି ପକାଇ ବଙ୍ଗଳା ଭର୍ତ୍ତିକରି ପକାଉଥିଲେ-। ଏପାଖେ ବ୍ରହ୍ମପୁର ଡେଇଁଲେ ପାଟିରେ ତେଲୁଗୁ ପୁରାଇ ପାକୁଳି କରୁଥିଲେ । ଏପରି ହେବାର କାରଣ ମଧ୍ୟ ଥିଲା । ପଡ଼ୋଶୀ ମାନେ ସେତେବେଳେ ଭାବୁଥିଲେ ଯେ ଓଡ଼ିଆମାନେ ମଣିଷ ନୁହନ୍ତି, ଅତି ନୀଚ ସ୍ତରୀୟ ଜୀବ । ଓଡ଼ିଆମାନେ ମଧ୍ୟ ଏହା ଅନୁଭବ କରୁଥିଲେ । ନିଜ ଘର ଭିତରେ ସେମାନେ ପକ୍‌କା ଓଡ଼ିଆ ଥିଲେ । ଓଡ଼ିଆରେ କଥାବାର୍ତ୍ତା କରୁଥିଲେ । ଯେତେବେଳେ ବଙ୍ଗାଳୀଙ୍କ ଅଞ୍ଚଳକୁ ଯାଉଥିଲେ ସେତେବେଳେ ବଙ୍ଗଳା ଚୋବେଇ ପୁରା ବଙ୍ଗାଳୀ ବନି ଯାଉଥିଲେ । ତାଙ୍କୁ ଓଡ଼ିଆ ବୋଲି କିଏ ଜାଣିବ ନା ଘୃଣା କରିବ ? ସେହିପରି ତେଲେଙ୍ଗାଙ୍କ ଅଞ୍ଚଳରେ ନିଜକୁ ୨୮ କ୍ୟାରେଟ ତେଲେଙ୍ଗା ବନେଇ ଦେଉଥିଲେ ।

 

ଓଡ଼ିଆମାନଙ୍କର ବହୁରୂପୀ ଏଣ୍ଡୁଅ ପରି ପରିପାର୍ଶ୍ୱର ରଙ୍ଗ ସହ ନିଜ ରଙ୍ଗ ବଦଳେଇ ଦେଇ ଆତ୍ମରକ୍ଷା କରିବା ଏକ କାହାଣୀ ହେଲେ ବି ସେଇଟା ମଧୁବାବୁଙ୍କୁ ଭଲ ଲାଗିଲା ନାହିଁ । ସେ ଥିଲେ ପୁରୁଷ ସିଂହ । ସାମନା ସାମନି ଫୁଲ୍‌କା ଉପରକୁ ଡେଇଁପଡ଼ି ଲଢ଼ିବା ଲୋକ ସେ । ଏ କାମଟା ଯେତେହେଲେ ଲୁଚିବା କାମ । ତାଙ୍କୁ ଏଇଟା ଭଲ ଲାଗିବ କୁଆଡ଼ୁ ? ସେ ବିଚାରିଲେ ଆଗ ଗୋଟାଏ ଘର ନିହାତି ଦରକାର । ଓଡ଼ିଆମାନେ ୟା ଘରେ ତା ଘରେ ରହିବାରୁ ନିଜ ଭାଷାକୁ ପଚାରୁ ନାହାନ୍ତି । ଓଡ଼ିଆମାନେ ନିଜ ଘରେ ରହିଲେ ନିଜ ଭାଷାକୁ ଆଦରି ରହିବେ । କେମିତି ଗୋଟାଏ ଘର ମିଳିବ ସେଥିଲାଗି ସେ ଦିନ ରାତି ଲାଗି ପଡ଼ିଲେ । ସାଙ୍ଗସୁଙ୍ଗାମାନଙ୍କୁ ତାଙ୍କ ସାଙ୍ଗରେ କାମ କରିବାକୁ ଡାକିଲେ । ସେତେବେଳେ ସମସ୍ତେ ନିଜ ନିଜ ଧନ୍ଦାରେ ବ୍ୟସ୍ତ । ତାଙ୍କ କଥା ଶୁଣୁଛି କିଏ ? ସେତିକିବେଳେ ସେ ଏହି କବିତାକୁ ମନ ଅବଶୋଷରେ ଲେଖିଲେ ।

 

କାହିଁକି ସେ ଏହି କବିତା ଲେଖିଲେ ସେଇଟା ସୁସ୍ପଷ୍ଟ । ଦେଶ ମାଟିଟା ମାଆ ସଙ୍ଗେ ସମାନ । ସେ ମାଆ ମାଆ ବୋଲି ଡାକିଲେ ଅର୍ଥାତ୍‌ ଖଣ୍ତିଏ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଚାରିଆଡ଼େ ପାଟିକଲେ, ମାନେ ବକ୍ତୃତା ଦେଲେ । ତାଙ୍କୁ ଏ କାମରେ ସାହାଯ୍ୟ କରିବାକୁ ସାଙ୍ଗ ଖୋଜିଲେ ।

 

ବର୍ତ୍ତମାନ ଦେଖାଯାଉ ଏ କବିତାରେ ଯଥାର୍ଥ୍ୟ ଥିଲା କି ନାହିଁ । ବାସ୍ତବିକ ଏ ବିଷୟଟି ବଡ଼ ଜଟିଳ । ତାଙ୍କ ପ୍ରତି ଏଇଟା ଯଥାର୍ଥ ବୋଧହୁଏ ଥିଲା । ସେ ଦେଖିଲେ ଏପରି ସବୁଆଡ଼େ ବୁଲି ବକ୍ତୃତା ଦେବା ସହଜ କଥା ନୁହେଁ । ଶ୍ରୋତାମାନେ ସମସ୍ତେ ଯେ ମନ ଧ୍ୟାନ ଦେଇ ସବୁ ଶୁଣୁଛନ୍ତି ତାହା ନୁହେଁ । ଅନେକେ ମଝିରେ ମଝିରେ ଗୋଲ ହୋଇ ବସି ବଟୁଆରୁ ପାନଭାଙ୍ଗି ଖାଉଛନ୍ତି । ପୋଖରୀ ତୁଠରେ ତିର୍ଲାମାନେ ଅଦରକାରୀ ଗପ କଲାଭଳି ଗପ କରୁଛନ୍ତି । ଏହିପରି ଅବସ୍ଥାରେ ବକ୍ତୃତା ଦେବା ଅର୍ଥ ହାଟରେ ବ୍ରହ୍ମଜ୍ଞାନ ବାଢ଼ିବା । ବରଂ କହିବା କଥାଗୁଡ଼ାକ ଛାପି ବାଣ୍ଟିଦେଲେ ଲୋକେ ଅବଶ୍ୟ ସମୟ ପାଇଲେ ଟିକିଏ ତା ଉପରେ ଆଖି ବୁଲାଇ ନେବେ । ମଧୁବାବୁଙ୍କ ବକ୍ତବ୍ୟ ସେଇଥିରୁ ଜାଣିପାରିବେ । ଏଇଟା ମଧୁବାବୁଙ୍କୁ ସିନା ଯଥାର୍ଥ ବୋଲି ଜଣାଗଲା, କିନ୍ତୁ ବହୁ ଅଲବତ ବାଙ୍କା ଓଡ଼ିଆଏ ଏ କବିତା ଦେଖି ଭିନ୍ନମତ ପୋଷଣ କରିବାର ଆଶଙ୍କା ଥିଲା ।

 

ପ୍ରଥମରୁ ‘ମାଆ ମାଆ ବୋଲି କେତେ ମୁଁ ଡାକିଲି’ ପଢ଼ିବା ମାତ୍ରେ ଅଲବତବାଙ୍କାମାନେ ମୁଖ ବିକୃତ କରି ଖିଙ୍କାର ହୋଇ ଉଠିବେ । ପାଠକମାନେ ଭାବି ପାରନ୍ତି–ଏ କି ଅଜବ କଥା ! ମାଆ ମାଆ ଡାକଠାରୁ ଆଉ ଅଧିକ ସୁନ୍ଦର ଆକର୍ଷଣୀୟ ଡାକ କିଛି ଅଛିନା ! ସେ ମଧୁର ଡାକ ଶୁଣି କେଉଁ ପାଷଣ୍ଡ, ଘୁଷୁରି ନାକ ଟେକିବ ! ଏ କଥାର ଗୋଟିଏ ଗଣ୍ଠି ଅଛି । ତାହାକୁ ଫିଟାଇ ନଦେଲେ ସାଧାରଣ ପାଠକ କିଛିହେଲେ ବୁଝିପାରିବେ ନାହିଁ । ଏବେ ମୁଁ ଗଣ୍ଠି ଫିଟାଉଛି–ଦେଖନ୍ତୁ ।

 

କଟକର କୌଣସି ଏକ ବଜାରରେ ଏକ ବୁଢ଼ୀ ବାସ କରୁଥିଲା । ଦିନେ ସେ ବୁଢ଼ୀର ମିଞ୍ଜାସ ଟିକିଏ ତୀଖା ଥିଲା । ସାହିର ଗୋଟିଏ ଟୋକା ସେହି ବାଟଦେଇ ଯାଉଥିଲା ବେଳେ ବୁଢ଼ୀକୁ ପିଣ୍ଡାରେ ମୁହଁ ଶୁଖେଇ ବସିବାର ଦେଖି ପଚାରିଦେଲା...‘‘ମାଆ ! ଚୁପଚାପ ବସିଛୁ କାହିଁକି-?’’ ବାସ୍‌, ବଡ଼ ଘଡ଼ିବାଣରେ କିଏ ଯେମିତି ନିଆଁ ମାଡ଼ିଦେଲା । ବୁଢ଼ୀ ଭର୍‌ର ଭର୍‌ର ହୋଇ ପନ୍ଦର ମିନିଟ ଯାଏ ସେ ଥାନଟାକୁ କମ୍ପେଇ ଦେଲା । ‘‘ହଇରେ ଗାତପଶା, ହଇରେ ଯୋଗୋଣୀଖିଆ ମୁଁ କଅଣ ତୋର ମାଆ ? ନଈଶୁଆାର ଭାରି ମୁହଁ ହୋଇଗଲାଣି । ସତିଆନାଶିଆ କେଡ଼େ କଅଁଳେଇ ଡାକୁଛି ମା–ଆ–ଆ । ରଇଜଳା କାଳିଆବୋଦାକୁ ଯା–ଆ–ଆ-।’’

 

ଟୋକାଟା ବୁଢ଼ୀର ଗାଳିକୁ ହସରେ ଧୋଇଦେଇ ଚାଲିଗଲା ଆଉ ସାହିଯାକ ପ୍ରଚାର କରିଦେଲା ଯେ ବୁଢ଼ୀକୁ ମାଆ ବୋଲି କହିଲେ ସେ ଚିଡ଼ୁଛି ଆଉ ସମ୍ପାକଟା କରୁଛି । ଆଉ ସାହି ଟୋକାଙ୍କୁ ସମ୍ଭାଳେ କିଏ ? ଯାଉଣୁ ମାଆ, ଆସୁଣୁ ମାଆ । ବୁଢ଼ୀଟା ବଡ଼ିଭୋରରୁ ରାତି ନଅଟାଯାଏ ଅନବରତ ଗରଜି ଲାଗିଲା । ନିତି ଏତକ ନହେଲେ ତାକୁ ଭାତ ରୁଚେ ନାହିଁ । ଦିନେ ଦିନେ ଟୋକାମାନଙ୍କର ମନେପଡ଼େନି । ଅନ୍ୟ କାମରେ ମନ ଲାଗି ଯାଇଥାଏ । ବୁଢ଼ୀ ଦେଖେ ସେଇବାଟ ଦେଇ ଟୋକାଏ ଯାଉଚନ୍ତି, ଅଥଚ ମାଆ ବୋଲି ଡାକୁ ନାହାନ୍ତି । ସେ ଅଥୟ ହୋଇପଡ଼େ । କେହି ଟୋକା ସେ ବାଟରେ ଗଲେ ତାକୁ ନ ଦେଖିଲା ପରି କହେ–‘‘ଯୋଗୋଣୀଖିଆଏ ଆଜି ସମସ୍ତେ କାଳିଆବୋଦା ଯାଇଛନ୍ତି । ଆଜି ମାଆ ବୋଲି ଡାକିବାକୁ କେହି ନାହାନ୍ତି । ଏତକ ଶୁଣିବା ମାତ୍ରେ ଟୋକାଟାର ମନେ ପଡ଼ିଯାଏ ଯେ ସେ ଗୋଟିଏ ନିତ୍ୟକର୍ମ କରିବାକୁ ଭୁଲି ଯାଇଛି । ସଙ୍ଗେ ସଙ୍ଗେ ମନ୍ତ୍ରବୋଲା ଆରମ୍ଭ କରିଦିଏ–‘‘ମାଆ–ଆ–ଲୋ’– । ବାସ୍‌ ବୁଢ଼ୀର ଘଡ଼ିବା ରେ ନିଆଁ ଲାଗିଯାଏ । ବୁଢ଼ା ବୁଢ଼ା ଗୁଡ଼ାକ ହସି ହସି ବେଦମ ହୁଅନ୍ତି । ବୁଢ଼ୀଟାକୁ ହଇରାଣ ନ କରିବାକୁ ଟୋକାମାନଙ୍କୁ ଯାହାବା ତାଗିଦ କରନ୍ତେ–ସେମାନେ ଦେଖନ୍ତି ବୁଢ଼ୀ ପେଟରୁ ସେଗୁଡ଼ାକ ବାନ୍ତି ହୋଇ ନଗଲେ ବୁଢ଼ୀଟା ଛଟପଟ ହେବ । ସମସ୍ତେ ଚୁପ୍‌ଚାପ ରହନ୍ତି । ହେଲେ ସବୁବେଳେ ପାଟିତୁଣ୍ଡଟା ଦାଣ୍ଡରେ ହବାଟାକୁ ସେମାନେ ପସନ୍ଦ କରୁ ନ ଥିଲେ ।

 

ଦିନେ ବୁଢ଼ୀର ଖୁସ୍‌ ମିଞ୍ଜାସ ଥିବାବେଳେ ଜଣେ ବୁଢ଼ା ବୁଢ଼ୀ ପାଖରେ ବସି ଖୁବ୍‌ ସୁଖଦୁଃଖ ହେଲା । ପିଲାବେଳର ମଉଜିଆ କଥା ସବୁ ମନେ ପକାଇ ବୁଢ଼ୀକୁ ମଜଗୁଲ କରିଦେଲା-। ତାକୁ କଅଁଳେଇ ପଚାରିଲା ‘‘ଆଚ୍ଛା ତୁ ‘‘ମାଆ’’ ଡାକରେ ଚିଡ଼ୁଛୁ କାହିଁକି ? ବୁଢ଼ୀ ଗମ୍ଭୀର ହୋଇଯାଇ କହିଲା–‘‘ସେ ଅଳପେଇସ ଗୁଡ଼ାକଙ୍କ ବାପାଙ୍କର ମୁଁ କଅଣ ମାଇପ ? ମୁଁ କଅଣ ସତର ଘଇତେଇ ?’’ ବୁଢ଼ା କଥା ବାଆଁରେଇ ଦେଇ ପଳାଇ ଆସିଲା ।

 

ସେଇ ବୁଢ଼ୀର ବଂଶଧରମାନେ ତ ଓଡ଼ିଶା ସାରା ଛାଇ ହୋଇ ଯାଇଛନ୍ତି । ମଧୁବାବୁଙ୍କ ମାଆ ମାଆ ଡାକ ସେମାନଙ୍କ କାନରେ ପଡ଼ିଲେ କଥାଟା କଅଣ ହେବ ? ଓଡ଼ିଶାର ପ୍ରଥମ ନାଗରିକ କୁଳବୃଦ୍ଧ ମଧୁସୂଦନଙ୍କ ଆଉ ଅବସ୍ଥା ରଖିବେ ? ଆମ ଆଗରେ ସେମାନେ ମଧୁବାବୁଙ୍କୁ ଗାଳିଗୁଲଜ କଲେ ତାହାତ ଆମ ଦିହରେ ଯିବନି । ହିଂସାକାଣ୍ଡ ଅଲବତ ଘଟିବ । ଏଣୁ ଏ ପଦଟିର କିଛି ଗୋଟାଏ କିନାରା କରିଦେବା ଉଚିତ । ମଧୁବାବୁଙ୍କ ଲେଖାର ବେଳକାଳ ଥିଲା ଅଲଗା । ସେତେବେଳେ ଆଇନ ପ୍ରତି ଲୋକଙ୍କର ଭୟ ଥିଲା । ମାଆ ମାଆ କହିଲେ କେହି ବି ବୁଢ଼ୀ ଧୋକଡ଼ି ତାଙ୍କୁ ଗାଳି ଦେବାକୁ ସାହସ କରୁ ନଥିଲେ । ଏବ କଥା ନିଆରା । ଲୋକେ ଲାଟ୍‌କୁ ହଟ୍‌ କରି ଦେଉଛନ୍ତି । ବୁଢ଼ୀମାନେ ମାଆ ମାଆ ଶୁଣିଲେ ଆଉ ସମ୍ଭଳା ପଡ଼ିବେ ନାହିଁ । କବିତାଟି ଅତି ଉପାଦେୟ, ଏଥିରେ ସନ୍ଦେହ ନାହିଁ, କିନ୍ତୁ ବର୍ତ୍ତମାନ ସମୟ ପାଇଁ ଏହା ଆଉ ଚଳିବ ନାହିଁ । ଆମ ମତରେ ‘ମାଆ ମାଆ’ ଉଠାଇ ଦେଇ ଓଡ଼ ଓଡ଼ ବୋଲି ଲେଖିଦେଲେ ଭଲ ହେବ । ବୋଲିବାକୁ ମଧ୍ୟ କିଛି କଷ୍ଟ ହେବ ନାହିଁ । ‘‘ଓଡ଼ ଓଡ଼ ବୋଲି କେତେ ମୁଁ ଡାକିଲି ଓଡ଼ତ ଶୁଣିଲା ନାହିଁ ।’’ ଏଥିରେ ବୁଢ଼ୀମାନଙ୍କର କ୍ରୋଧର ଉଦ୍ରେକ ହେବ ନାହିଁ ।

 

ପୁନଶ୍ଚ ଦେଖନ୍ତୁ ‘ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି ।’ ମଧୁବାବୁ ସେତେବେଳେ ଯେ କେଡ଼େ ବଡ଼ ଭୁଲ୍‍ କାମ ଏହାଦ୍ୱାରା କରି ପକେଇଥିଲେ ତାହା ଭାବିଲେ ଦିହ ଶୀତେଇ ଉଠେ । କଥାରେ ଅଛି ଭାଇଠାରୁ ବଳି ବଡ଼ ଶତ୍ରୁ ଦୁନିଆରେ ନାହିଁ । ଭାଇ ଭାଇ ବୋଲି ଡାକିବା ଅର୍ଥ ଶତ୍ରୁକୁ ଡାକି ଆଣିବା । ରାମ ଲକ୍ଷ୍ମଣ ଭାଇ କଥା ତ୍ରେତାଯୁଗର । ସେକଥା ଏ କଳିଯୁଗରେ ଭାବିବାହିଁ ଅନ୍ୟାୟ । ଏ ଯୁଗରେ ଭାଇ ଭାଇ ଡାକିବା ଅର୍ଥ ତଣ୍ଟିକଟାମାନଙ୍କୁ ଡାକିବା । ସେଥିଲାଗିତ ଗୋଟିଏ ବୋଲି ଲୋକ ମୁଖରେ ପ୍ରଚଳିତ ଅଛି–‘‘ବାଘ ନ ଦେଖିଲେ ବିରାଡ଼ି ଦେଖ, ଖଣ୍ଟ ନ ଦେଖିଲେ ଭାଇକୁ ଦେଖ ।’’ ମଧୁବାବୁ ଖାଣ୍ଟି ଓଡ଼ିଆ ସତ କିନ୍ତୁ ସେ ସାହେବମାନଙ୍କ ସଙ୍ଗରେ ଚଳିବା ଫଳରେ ପୁରା ସାହେବ ବନି ଯାଇଥିଲେ । ପୁରା ସାହେବୀ ଆଦବ୍‌ କାଇଦା ତାଙ୍କର ଥିଲା । ସାହେବମାନେ ସବୁବେଳେ ଅନୁଚ୍ଚ ସ୍ୱରରେ କଥାବାର୍ତ୍ତା ହୁଅନ୍ତି । ହଜାରେ ସାହେବ ଏକାଠି ବସି କଥା ବାର୍ତ୍ତା ହେଉଥିଲେ ବି ବାହାରେ ଲୋକେ ଭାବିବେ ଯେ ସେ ଜାଗାଟା ନିଛାଟିଆ ପରା । କିନ୍ତୁ ପାଞ୍ଚଜଣ ଓଡ଼ିଆ ଏକାଠି ବସିବା ମାତ୍ରେ ଥାନଟାକୁ ରଡ଼ିରେ ଉଠେଇବେ ପକେଇବେ । ମଧୁବାବୁ ଜନ୍ମରେ ଓଡ଼ିଆ, କର୍ମରେ କିନ୍ତୁ ସାହେବ । ଅନୁଚ୍ଚ ସ୍ୱରରେ କଥା କହିବା ହେଲା ତାଙ୍କର ସ୍ୱଭାବ । ତାଙ୍କ କଥା ୩ । ୪ ଫୁଟ ଦୂରକୁ ବି ଅସ୍ପଷ୍ଟ ଶୁଭେ-। ସେ ମଧ୍ୟ ଟିକିଏ ଦୁର୍ବଳିଆ ଲୋକ ଥିଲେ । ଯେତେବେଳେ ସେ ଭାଇ ଭାଇ ବୋଲି ଡାକିଲେ ଭାଗ୍ୟକୁ ତାହା ଭାଇମାନଙ୍କ କାନରେ ପଡ଼ିନି, ସୁତରାଂ କେହି ଆସି ନାହାନ୍ତି । ଓଡ଼ିଶାର ଜଣେ ଅଧେ ଭାଇ ଆସିଥିଲେ ବି ଓଡ଼ିଶାର କିଛି କ୍ଷତି କରିପାରି ନଥାନ୍ତେ । କାରଣ ସେତେବେଳେ ଟାଣୁଆ ବ୍ରିଟିଶ ସରକାରର ଶାସନ ଥିଲା । ତାର ଆଇନ ଶୃଙ୍ଖଳା ଢେର ଉଚ୍ଚକୋଟିର ଥିଲା । ଓଡ଼ିଶାର ଭାଇମାନେ ସେତେବେଳେ ଓଡ଼ିଶାର ତଣ୍ଟିକାଟିବା ସମ୍ଭବ ହୋଇ ନଥାନ୍ତା । କେହି ଦୁଃସାହସ କରି ତଣ୍ଟିରେ ହାତ ଲଗେଇବା ମାତ୍ରେ ବ୍ରିଟିଶ ସରକାର ତା ତଣ୍ଟିରେ ହାତ ଲଗେଇ ଦେଇଥାଆନ୍ତେ । ବ୍ରିଟିଶ ସରକାର ଚାଲିଗଲେ । ତାଙ୍କ ବଦଳରେ ଦେଶୀ ସରକାର ହେଲା । ଆମ ଓଡ଼ିଆ ନେତାମାନେ ମଧୁବାବୁଙ୍କୁ ଅନୁସରଣ କରି ଭାଇ ଭାଇ ବୋଲି ଘଡ଼ଘଡ଼ି ଡାକ ଛାଡ଼ିଲେ । ଫଳ କଅଣ ହେଲା ? ବିହାରୀ ଭାଇ ଧାଇଁ ଆସି ସିଂହଭୂମିଟିକୁ ଟେକି ନେଇଗଲା, ସିଂହଭୂମିର ଓଡ଼ିଆ ଭାଇଙ୍କ ତଣ୍ଟି ଚିପିଦେଲା, ଜିଭ କାଟିଦେଲା । ମୋଟ ଉପରେ ଓଡ଼ିଶାର ମୁଣ୍ଡଟା ଛିଣ୍ଡେଇ ଦେଲା । ବଙ୍ଗାଳୀ ଭାଇ ଆସିଲା । ବାଲେଶ୍ୱରରୁ ଶଙ୍ଖମେଦି ଓ ଆଉ କେତୋଟି ଗାଆଁ ଉଠେଇ ନେଇ ପାର । ମୟୁରଭଞ୍ଜକୁ ହାତ ବଢ଼େଇ ଥିଲା । ହେଲେ କୁଆ ବସାରେ ଢେମଣା ପଶିଲା ପରି କଥାଟା ହେଲା । ଲୋକେ ଭାରି ପାଟିତୁଣ୍ଡ କଲେ । ବାହାର ଲୋକେ ବି ହୋ ହୋ ପାଟିକଲେ । ମୟୁରଭଞ୍ଜ ବିଚରା ରକ୍ଷା ପାଇଗଲା । ଏଣେ ତେଲଗୁ ଭାଇ ଆସି କୋରାପୁଟର କିଛି ଅଞ୍ଚଳ ମାରିନେଇ ଆରାମରେ ବସିଛି । ବେଳେବେଳେ ଗାଁ ଗଣ୍ଡା ଭିତରକୁ ଅଚାନକ ପଶିଯାଇ ପିଟାପିଟି କରି ପଳଉଛନ୍ତି । ତଥାପି ଆମର ହାଲ ନେତାମାନେ ସର୍ବଭାରତୀୟ ଚିତା ମୁଣ୍ତରେ ଲଗାଇ ଭାଇ ଭାଇ ଡାକ ଏ ପର୍ଯ୍ୟନ୍ତ ଛାଡ଼ି ନାହାନ୍ତି । ଜବାହାରଲାଲ ଚୀନକୁ କୁଣ୍ଢେଇ ଭାଇ ଭାଇ ବୋଲି ପରସ୍ତେ ନାଚି ଯାଇଥିଲେ । ଚୀନ ଘାଉଁକରି ଭାରତର ଉତ୍ତର ପଟରୁ ପୁଳାଏ ମାଡ଼ି ବସିଲା । ଏପରି ଭାଇ ଭାଇ ଡାକର ଫଳାଫଳ ପାଠକେ ବୁଝିଲେ ତ ? ମଧୁବାବୁଙ୍କ ପରି ଆଉ ଭାଇ ଭାଇ ଡାକିବା ନିରାପଦ କି ? ସେ ପଦ୍ୟାଂଶକୁ ବଦଳାଇଦେବା ଅତି ଜରୁରୀ ହୋଇ ପଡ଼ିଲାଣି । ତା ବଦଳରେ ‘ତଡ଼ ତଡ଼ ବୋଲି ଯେତେ ମୁଁ କହିଲି କେହି ତ ତଡ଼ିଲେ ନାହିଁ, ହେଉ । ଲୋକେ ଏ ପଦକୁ ପଢ଼ିଲେ ଶତ୍ରୁମାନଙ୍କୁ ତଡ଼ିବାର ପ୍ରେରଣା ପାଇବେ । ପଦ୍ୟାଂଶଟି ଭାରି ବଢ଼ିଆ ଶୁଭିବ ମଧ୍ୟ-

 

‘‘ଓଡ଼ ଓଡ଼ ବୋଲି ଯେତେ ମୁଁ ଡାକିଲି

କେହି ତ ଶୁଣିଲେ ନାହିଁ

ତଡ଼ ତଡ଼ ବୋଲି ଯେତେ ମୁଁ କହିଲି

କେହି ତ ତଡ଼ିଲେ ନାହିଁ ।’’

Image

 

ଗଡ଼ନାୟକଙ୍କ ସଜନୀ

 

ସଜାଅନା ସଜନୀ ଗୋ ଏ ଜୀବନ ବଢ଼ୁ ଅଯତନେ

ପ୍ରକୃତିର ପ୍ରିୟକୋଳେ ପ୍ରବୃତ୍ତିର ଉନ୍‌ମୁକ୍ତ ଅଙ୍ଗନେ

ବନ ବଢ଼େ ମନ ସୁଖେ ଧାଡ଼ି ଧାଡ଼ି ସଜାଇନି ବିହି

ଛୋଟ ତୁମ ବଗିଚାଟି ତା’ଠାରୁ କି ସୁନ୍ଦର ଦିଶଇ

 

କବି ଗଡ଼ନାୟକ ଆମ ଅମଳର ସର୍ବଶ୍ରେଷ୍ଠ କବି । ତାଙ୍କ କବିତାର ଦର୍ଶନ, ଛନ୍ଦ ଓ ଲାଳିତ୍ୟ ପାଠକମନକୁ ଅଭିଭୂତ କରିଦିଏ । ଥରେ ପଢ଼ିଦେଲେ ଆଉ ଦଶଥର ପଢ଼ିବାକୁ ଇଚ୍ଛାହୁଏ-। ତାଙ୍କର ଛନ୍ଦୋବଦ୍ଧ କବିତାଗୁଡ଼ିକ ଏଡ଼େ ସୁଖପାଠ୍ୟ ଯେ ପାଠକ ଏହାକୁ ପଢ଼ିବା ସଙ୍ଗେ ସଙ୍ଗେ ବଡ଼ ପାଟିରେ ବାରମ୍ବାର ଆବୃତ୍ତି କରିବାକୁ ଛାଡ଼େ ନାହିଁ । ଜଣେ ପାଠକ ପତ୍ରିକାଟିଏ ପାଇଲେ ପ୍ରଥମେ ସେ ଆଧୁନିକ କବିତାର ଘନ ଜଙ୍ଗଲ ଭିତରୁ ବଣମଲ୍ଲୀସଦୃଶ ତାଙ୍କ କବିତାଟିକୁ ଖୋଜି ପକାଏ । ଯଦି ସେ କବିତାକୁ ନ ପାଏ ତେବେ ସେ ମୁହଁମୋଡ଼ି ଦେଇ ପତ୍ରିକାଟିକୁ ଥୋଇଦିଏ । ତାଙ୍କ କବିତାର ଏପରି ଲୋକପ୍ରିୟତା ପଛରେ ତାଙ୍କର ବହୁତ କିଛି ଲୁକକାୟିତ ହୋଇ ରହିଛି । ବହୁ ଅଧ୍ୟବସାୟ, ବହୁ ଯତ୍ନ କରି ସେ ଛନ୍ଦକୁ ଆୟତ୍ତ କରିଛନ୍ତି, ଭାବ ତଥା ଭାଷାବିନ୍ୟାସରେ ଅପୂର୍ବ ସାଫଲ୍ୟ ଅର୍ଜନ କଲାପରେ ସେ ଜନସାଧାରଣଙ୍କୁ କାବ୍ୟରସ ବିତରଣ କରିଛନ୍ତି । ଏପରି ଏକ ଅନନ୍ୟସାଧାରଣ କବିର ଲେଖନୀରୁ ଉପରଲିଖିତ ଚାରିପଦ କବିତା ଲେଖାହେବ ଏକ ବିସ୍ମୟକର ବିଷୟ ।

 

କବି ତାଙ୍କ ସଜନୀଙ୍କୁ କହିଛନ୍ତି–‘‘ସଜାଅନା ସଜନୀ ଗୋ ଏ ଜୀବନ ବଢ଼ୁ ଅଯତନେ ।’’ ପୃଥିବୀର ସବୁଠାରେ ସ୍ୱାସ୍ଥ୍ୟରକ୍ଷାର ବହିସବୁ କହୁଛନ୍ତି ଏ ଜୀବନ ଅତି ମୂଲ୍ୟବାନ । ଏକ ସୁସ୍ଥ ନିରାମୟ ଜୀବନ ପ୍ରତ୍ୟେକ ଲୋକର କାମ୍ୟ ହେବା ଉଚିତ । ବଡ଼ବଡ଼ିଆମାନେ ସବୁ କାଳେ କହି ଆସିଛନ୍ତି ଯତ୍ନ କଲେ ରତ୍ନ ମିଳେ । ପିଲାଟି ଜନ୍ମ ହେବାମାତ୍ରେ ତାର ଯତ୍ନ ନିଆଯାଏ । ତାର ଯତ୍ନ ନ ନେଲେ ତାର ଜୀବନ ଦୀପଟି ଫୁତ୍‌ କରି ଲିଭିଯିବ । ପଶୁଶାବକଟିଏ ବି ଜନ୍ମ ହେଲେ ତା’ର ମାଆ ଯତ୍ନନିଏ । ଅନେକ କହିପାରନ୍ତି ଯେ କେତେକ କୀଟପତଙ୍ଗ ଅଣ୍ଡା ଦେଇସାରି ମରି ଯାଆନ୍ତି-। ଅଣ୍ଡାରୁ ଫୁଟି ଛୁଆ ହେବା ଓ ଛୁଆରୁ ବଢ଼ି ବଡ଼ ହେବାଯାଏ ତାହାର ଯତ୍ନ କେହି ନିଅନ୍ତି ନାହିଁ । ସେ ଅଯତ୍ନରେ ବଢ଼ି ଥାଏ । ତେବେ କବି ଭୁଲ୍‍ କହିଲେ କଅଣ ? ଏହାର ଉତ୍ତରେ ଆମେ କହିବୁ କବି ମଣିଷକୁ ଏ କଥା କହିଛନ୍ତି, କୀଟ ପତଙ୍ଗଙ୍କୁ ନୁହେଁ । ସେ କିଛି ପାଗଳ ନୁହନ୍ତି ଯେ କୀଟ ପତଙ୍ଗକୁ ‘ସଜନୀ ଗୋ’ ବୋଲି ଡାକିବେ । ତଥାପି କୀଟ ପତଙ୍ଗ ଯେ ପୁରାପୁରି ଅଯତନେ ବଢ଼ନ୍ତି ତାହା ନୁହେଁ । ମାଆ ଅତି ଯତ୍ନର ସହିତ ଏପରି ସ୍ଥାନରେ ଅଣ୍ଡାଦିଏ ଯେ ଫୁଟିବାଲାଗି ସେ ଅନୁକୂଳ ପରିପାର୍ଶ୍ୱ ପାଏ । ଫୁଟିବାମାତ୍ରେ ଶାବକଟି ସେହିଠାରେ ହିଁ ଖାଦ୍ୟ ପାଇଥାଏ । ଏଠି ଆମେ କେବଳ ମଣିଷର ଚର୍ଚ୍ଚା କରିବୁ ।

 

ଶିଶୁଟି ବାଳକାବସ୍ଥା ପାଇଲେ ତାର ବାପ ମାଆ ଓ ଶିକ୍ଷକ ସମସ୍ତେ ତା’ର ଯତ୍ନନିଅନ୍ତି-। ତା’ର ଭବିଷ୍ୟତ ଜୀବନକୁ ମଙ୍ଗଳମୟ କରିବା ଲାଗି ଅତି ଯତ୍ନର ସହିତ ଶିକ୍ଷା ଦିଅନ୍ତି । ସରକାର ବି ଊଣା ଯତ୍ନ ନିଅନ୍ତି ନାହିଁ । ବଡ଼ହୋଇଗଲେ ବାପମାଆ ତା’ର ଭଲ ଭାବରେ ଯତ୍ନ ନେବାଲାଗି ସ୍ତ୍ରୀଟିଏ ଖଞ୍ଜି ଦିଅନ୍ତି । ବୁଢ଼ାହୋଇ ରୁଗ୍‌ଣ ହୋଇ ପଡ଼ିଲେ ତା’ର ପୁଅ ଝିଅ ଓ ଡାକ୍ତର ତାର ଯତ୍ନ ନିଅନ୍ତି । ଏହିପରି ଜୀବନର ସବୁ ସମୟରେ ଓ ସ୍ତରରେ ଯତ୍ନଟି କାହାଠୁଁ ହେଲେ କାହାଠୁଁ ମିଳିଥାଏ । ଅଯତ୍ନ ହେଲେ ଜୀବନର ସ୍ୱଚ୍ଛନ୍ଦ ଗତି ହୋଇପାରିବ ନାହିଁ । ଅଯତନେ ବଢ଼ିବା କଥା ତୁଚ୍ଛା ମିଛ । ସେ କିଛି ପୟଗମ୍ବର ନୁହନ୍ତି ଯେ ତାଙ୍କର ଏପରି କଥାକୁ ଆମେ ମୁଣ୍ଡ ନୁଆଁଇ ମାନିଯିବୁ ।

 

ଏ ଜୀବନ ପୁଣି ବଢ଼ିବ କେଉଁଠି ନା ପ୍ରକୃତିର ପ୍ରିୟ କୋଳେ । ଏହା ଆହୁରି ଅସମ୍ଭବ ବ୍ୟାପାର । ପ୍ରକୃତିର କୋଳରେ ଯଦି ମଣିଷ ବଞ୍ଚିପାରୁ ଥାଆନ୍ତେ ତେବେ ସମସ୍ତଙ୍କପାଇଁ ନିକୁଛ୍ୟାରେ କୁଡ଼ିଆଟାଏ ଦରକାର ପଡ଼ୁନଥାନ୍ତା । ମଣିଷ ମାତ୍ରକେ ପତ୍ରକୁଡ଼ିଆ ଠାରୁ ପ୍ରାସାଦ ପର୍ଯ୍ୟନ୍ତ ମୁଣ୍ତ ଗୁଞ୍ଜିବାକୁ ଘରଟିଏ ଦରକାର କରେ । ପ୍ରକୃତି କୋଳରେ ଅର୍ଥାତ୍‌ ଭୂଇଁ ଉପରେ ମେଲାଟାରେ ରହିଲେ ସେ ରୌଦ୍ରାଘାତ ବା ସନ୍‌ଷ୍ଟ୍ରୋକ୍‌ କିମ୍ବା ନିଉମୋନିଆ ବା ବ୍ରୋଙ୍କାଇଟିସ୍‌ ରୋଗରେ ପରପାରିକୁ ଚାଲିଯିବ ।

 

କବି ଆହୁରି କହିଛନ୍ତି–‘‘ପ୍ରବୃତ୍ତିର ଉନ୍‌ମୁକ୍ତ ଅଙ୍ଗନେ’’ ଅର୍ଥାତ୍‌ ଲଗାମଛଡ଼ା ପ୍ରବୃତ୍ତିକୁ ଆଶ୍ରୟ କରି ସେ ବଢ଼ିବ । ମଣିଷର ଲଗାମଛଡ଼ା ପ୍ରବୃତ୍ତି ପଶୁପ୍ରବୃତ୍ତି ସଙ୍ଗେ ସମାନ । ଏପରି ହେଲେ ମନୁଷ୍ୟ ଅସାମାଜିକ ପାଲଟି ଯାଏ । ସମାଜ ତା ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୁଏ । ଆଇନ ମଧ୍ୟ ତାହା ବିରୁଦ୍ଧରେ ଯାଏ । ଏଣୁ ପ୍ରବୃତ୍ତିର ଉନ୍‌ମୁକ୍ତ ଅଙ୍ଗନେ ବଢ଼ିବାର ସୁଯୋଗ ନାହିଁ । କବିଙ୍କର ଏପରି ଉପଦେଶ ଦେବା ଏକ ମାରାତ୍ମକ ଭୁଲ୍‍ ।

 

ଉଦାହରଣ ଦେଇ କବି ପୁନଶ୍ଚ କହିଛନ୍ତି ଯେ ବନଟି ଛାଏଁ ଛାଏଁ ମନ ସୁଖରେ ବଢ଼ୁଥାଏ । ତାକୁ ବିହି ଧାଡ଼ି ଧାଡ଼ି କରି ସଜାଇନି । କବିଙ୍କ ସଜନୀଙ୍କର ଗୋଟିଏ ଛୋଟ ବଗିଚା ଅଛି । ସେଥିରେ ଗଛସବୁ ଧାଡ଼ି ଧାଡ଼ି ହୋଇ ଲଗା ଯାଇଛି । ବଗିଚା ବୋଇଲେ ସେଠି ଫଳ ପୁଷ୍ପ ଗଛସବୁ ହରେକ ରକମର ଲଗା ହୋଇଛି । ବଗିଚାରେ ଉଦ୍ୟାନ ବେଞ୍ଚରେ ବସି ବଢ଼ିଆ ବଢ଼ିଆ ଫୁଲର ଗନ୍ଧ ସୁଲୁସୁଲିଆ ପବନ ଉପଭୋଗ କରିହେବ । କବି କହନ୍ତି ଯେ ବନଟା କୁଆଡ଼େ ବଗିଚାଠାରୁ ଭଲ । ବଡ଼ ଲୋକଙ୍କୁ ଉତ୍ତର ନାହିଁ । ବଗିଚାରେ ମନଇଚ୍ଛା ଘଣ୍ଟା ଘଣ୍ଟା ଧରି ବସି ଆନନ୍ଦ ପାଇହେବ । କିନ୍ତୁ ବନ ଭିତରେ ବେପରବା ଭାବରେ ଘଣ୍ଟାଟିଏ ବସି ହେବ କି ? ମଶା ଡାଆଁଶଙ୍କୁ ଅଡ଼େଇ ଅଡ଼େଇ ହାତ ବଥେଇବ, ତା ଉପରେ ପୁଣି ବାଘମାମୁଁ ସଙ୍ଗେ ଭେଟର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ବିବ୍ରତ କରୁଥିବ । ବଣ ବିଛୁଆତି କିମ୍ବା ପାଚିଲା ବାଇଡ଼ଙ୍କ ଯଦି ପାଖରେ କେଉଁଠି ଥିବ ତେବେ କଥା ଶେଷ । କୁଣ୍ଡେଇ ହୋଇ ହୋଇ ରକ୍ତବୁହା ହେବା ପର୍ଯ୍ୟନ୍ତ କଥାଟା ଯିବ । ଆଖପାଖରେ ଯଦି ମଢ଼ଟାଏ ପଡ଼ିଥିବ ତାର ବାସ୍‌ନାରେ ପେଟରୁ ଭାତ ବାହାରି ପଡ଼ିବ । ଏପରି ଅବସ୍ଥାପନ୍ନ ବନଟିକୁ କବି ଯଦି ବଗିଚାଠାରୁ ଭଲ କହିବେ ତେବେ ଆମେ କପାଳରେ କର ତାଡ଼ିବୁନିତ ଆଉ କଅଣ କରିବୁ ? ସନ୍ଧ୍ୟାବେଳେ ଲୋକେ ବଗିଚାରେ ଘଣ୍ଟା ଘଣ୍ଟା ଆନନ୍ଦରେ କଟାଇବା ସଚରାଚର ଦେଖାଯାଏ । କିନ୍ତୁ କେଇଟା ଲୋକ ସନ୍ଧ୍ୟାବେଳେ ଆରାମରେ ବନରେ ବସି ଘଣ୍ଟା ଘଣ୍ଟା କାଳ କଟାନ୍ତି ? ବନଟାକୁ କାହିଁକି ବଗିଚାଠାରୁ ଖୁବ୍‌ ଭଲ ବୋଲି କୁହାଯିବ ? କବିଙ୍କ ପକ୍ଷରେ ଏଇଟା କହିବା ଅତି ଅସ୍ୱାଭାବିକ । ତା’ର କାରଣ ଆମେ ଏବେ କହୁଛୁ ।

 

କୋଳାହଳଠାରୁ ଦୂରରେ ରହି ଧ୍ୟାନ କରିବାକୁ ବା ଯୋଗ ସାଧନା କରିବାକୁ ମୁନିଋଷିମାନେ ସାଧାରଣତଃ ଭଲ ପାଇଥାନ୍ତି । ଏଥିଲାଗି ବନଟା ସେମାନଙ୍କ ପାଇଁ ଅତି ଉପଯୁକ୍ତ ସ୍ଥାନ । କାରଣ ଲୋକେ ଏହା ଭିତରକୁ ପ୍ରାୟ ଯାଆନ୍ତି ନାହିଁ । ଅବଶ୍ୟ ଆଜି କାଲି କାଠ ଚୋରମାନେ ଏହା ଭିତରେ ପଶି କାଠ ଚୋରି କରୁଛନ୍ତି । ଏମାନେ ଯେତେ ହେଲେ ଚୋର । ଲୁଚିଛପି ଏମାନେ ଚୋରି କରନ୍ତି, ହଲ୍ଲା କରନ୍ତି ନାହିଁ କି ମୁନିଋଷିଙ୍କ ତପସ୍ୟାରେ ବ୍ୟାଘାତ ଘଟାନ୍ତି ନାହିଁ । ଏଣୁ ମୁନି ଋଷିମାନେ ବନକୁ ଭଲ ପାଆନ୍ତି । ବନଟି ସେମାନଙ୍କୁ ସୁନ୍ଦର ଦିଶେ; ବଗିଚା ଅପେକ୍ଷା ବନଟି ସେମାନଙ୍କୁ ଅଧିକ ସୁନ୍ଦର ଦିଶେ । କିନ୍ତୁ ସେମାନଙ୍କ ସଂଖ୍ୟା କେତେ ? କୋଟିକେ ଗୋଟିଏ ପଡ଼ିବେ କି ନାହିଁ । ଗୋଟିଏର ଚାଲିଚଳନ ଦେଖି କୋଟିଏଙ୍କ ଉପରେ ତାହା ଆରୋପ କରିବା ଅସଙ୍ଗତ କଥା ।

 

କବି ଏ କଥା କହିଲେ କାହିଁକି ? ଆମେ ଭଲ ଭାବରେ ଜାଣୁ ସେ ମୁନି ଋଷି ନୁହନ୍ତି । ତାଙ୍କର ପିଲାପିଲି ଅଛନ୍ତି । ଅନୁଗୁଳ ପାଖ କଳନ୍ଦାପାଳ ଗ୍ରାମରେ ତାଙ୍କ ଘର, ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ । ସବୁକଥା ଚୂଲିକୁ ଯାଉ । ସେ ନିଜେ ତ କହିଛନ୍ତି ‘ସଜନୀ ଗୋ’, ଅର୍ଥାତ୍‌ ତାଙ୍କର ସଜନୀ ଅଛନ୍ତି । ଏଣୁ ନିଃସନ୍ଦେହରେ କୁହାଯାଇ ପାରେ ଯେ ସେ ମୁନିଋଷି ନୁହନ୍ତି । ତାଙ୍କ ପକ୍ଷରେ ଲୋକାଳୟସ୍ଥ ତାଙ୍କ ସଜନୀଙ୍କ ଛୋଟ ବଗିଚାଠାରୁ ବନଟା ଅଧିକ ସୁନ୍ଦର ବୋଲି କହିବା ନିତାନ୍ତ ଅସଙ୍ଗତ କଥା । ସମ୍ଭବତଃ କବି କୌଣସି କାରଣରୁ ତାଙ୍କ ସଜନୀଙ୍କ ଉପରେ ରାଗିଯାଇ କହିଦେଇଛନ୍ତି–ହଅମ ବେଶି ବକର ବକର ହୁଅନି । ତୁମ ବଗିଚାଠାରୁ ବଣ ଢେର୍‌ ବେଶି ସୁନ୍ଦର । ରାଗରୁଗା ବେଳେ ପାଟିରୁ କଅଣ ବାହାରି ପଡ଼ିଲା, ସେଇଟାକୁ ଏକ ସାଧାରଣ ନିୟମର ଅନ୍ତର୍ଭୁକ୍ତ କରାଯିବା ଉଚିତ୍‌ ନୁହେଁ ।

 

ଆଉ ଗୋଟିଏ ଦିଗରୁ ବିଚାର କରାଯାଉ । ବୋଧହୁଏ କବି କବିତାକୁ ନିଜର ସଜନୀ ବୋଲି କହିଛନ୍ତି । ସେ ପୁଣି ପ୍ରକାରାନ୍ତରରେ କହୁଛନ୍ତି କବିତାର ସଜାସଜିର ଦରକାର ନାହିଁ । ବେଗର ଯତ୍ନରେ କବିତାଟି ଲେଖା ହୋଇଯାଉ । ଆଗେ କବିତାଟିକୁ ଲେଖିବାକୁ ବହୁ ଯତ୍ନର ଆବଶ୍ୟକତା ପଡ଼ୁଥିଲା । ଅମରକୋଷ, ବ୍ୟାକରଣ, ମୁଖସ୍ଥ କରିବାକୁ ପଡ଼ୁଥିଲା । ଛନ୍ଦଗୁଡ଼ିକ ଆୟତ୍ତ କରିବାକୁ ପଡ଼ୁଥିଲା । ବିରାଟ ଶବ୍ଦ ଭଣ୍ଡାର ମନରେ ଯତ୍ନର ସହିତ ସାଇତିବାକୁ ପଡ଼ୁଥିଲା-। କଠୋର ସାଧନା ବି ଯତ୍ନର ସହିତ କରିବାକୁ ପଡ଼ୁଥିଲା । ଏତେ ବିଷୟ ପରେ କବି କବିତା ଲେଖୁଥିଲେ-। କବି ଗଡ଼ନାୟକ ଏହିପରି ସାଧନାକରି କବିତା ଲେଖା ଆରମ୍ଭ କରିଥିଲେ । ଆଜିକାଲି ଯତ୍ନରେ ଲୋଡ଼ାନାହିଁ । କବିତାଟିକୁ ଯମକ, ଅନୁପ୍ରାସ, ଉପମାଦି, ଅଳଙ୍କାରରେ ଯତ୍ନରସହ ସଜେଇବା ଦରକାର ପଡ଼ୁନି । ଆଧୁନିକ କବିମାନେ ଚାରିଆଡ଼େ ଭରପୁର ହୋଇ ଗଲେଣି । କବି ଗଡ଼ନାୟକଙ୍କୁ ଏଇଟା ପୁଣି ଭଲ ଲାଗିଲା ! ସେ ପୁଣି କହିବାକୁ ପସନ୍ଦ କଲେ ଯେ ଅଯତନେ କବିତା ସବୁ ଏମିତି ବଢ଼ିଚାଲୁ । ପୁରାତନ କବିତାଠାରୁ ଅଯତ୍ନରେ ବଢ଼ିଥିବା କବିତାତକ ଅଧିକ ସୁନ୍ଦର !

 

କି ବିସ୍ମୟର କଥା ! ଯିଏ ଜୀବନସାରା କବିତାକୁ ଧାଡ଼ି ଧାଡ଼ି କରି ସଜେଇ ରଖି ଆସିଲେ ଆଜି ସେ ବୁଢ଼ାଦିନେ ଆଧୁନିକ ଦୁର୍ବୋଧ୍ୟ କବିତା ପାଇଁ ଓକିଲାତି କରିବାକୁ ବାହାରି ପଡ଼ିଲେ । ପୁରାତନ କବିତା ତାଙ୍କର ପ୍ରିୟ ସଜନୀ । ତାକୁ ଡାକି ଉପଦେଶ ଦେଲେ ଯେ ଆଗକାଳିଆ ସଜାସଜି ବାଟରୁ ଓହୋରି ଆସ, ଅଯତନେ ବଢ଼ୁଥିବା ବଣୁଆ ଆଧୁନିକ ଦୁର୍ବୋଧ୍ୟ କବିତା ବାଟରେ ଚାଲ । ବଣଟା ଗୋଟିଏ ଦୁର୍ବୋଧ୍ୟ ଜାଗା । ଶାଳୁଆ ଗଛ ପାଖରେ ଶିମୁଳି ଗଛଟାଏ କାହିଁକି ଉଠିଲା ତାହା ବୁଝିବା ସହଜ ନୁହେଁ । ଧରିନିଅ ସେଇଟା ସୁନ୍ଦର ସେଠି ବାଘ ଭାଲୁ ରହିଲେ କାହିଁକି ? ଆଧୁନିକ କବିତାରେ ଗୋଟିଏ ଶବ୍ଦ ପାଖରେ ଅନ୍ୟ ଗୋଟିଏ ଅଦ୍ଭୂତ ଶବ୍ଦ ରହିଲା କାହିଁକି । କବି ନିଜ ସଜନୀକୁ ଆଧୁନିକ ବଣୁଆ କବିତା ବାଟକୁ ଆସିବା ପାଇଁ କାହିଁକି ଉପଦେଶ ଦେଲେ ତାହା ଆଗ ଜନ ସାଧାରଣଙ୍କୁ ବୁଝେଇ ଦିଅନ୍ତୁ, ତାହାପରେ ଆଧୁନିକ କବିତା ପାଇଁ ତାଙ୍କର ଓକିଲାତି ପ୍ରତି ଜନସାଧାରଣ ତଥା ଫମାଲୋଚକବର୍ଗ କାନ ଦେବେ । ତା ନ ହେଲେ ଆମେ ଉପରକୁ ଜଣେଇ ଦେବୁ ଯେ କବି ଗଡ଼ନାୟକ ୨୦ ଦଫା କାର୍ଯ୍ୟକ୍ରମକୁ ପସନ୍ଦ କରୁ ନାହାନ୍ତି । ଆମର ଆଶା କଥାଟା ଏତେ ଦୂରକୁ ଯିବନାହିଁ ।

Image

 

ଫତୁରାନନ୍ଦଙ୍କ ଲିଖିତ ପୁସ୍ତକାବଳୀ

 

୧.

ନାକ୍‌ଟା ଚିତ୍ରକର

(ଉପନ୍ୟାସ)

୨.

ସାହିତ୍ୟ ଚାଷ

(ଗଳ୍ପ ସଂକଳନ)

୩.

ହେରେସା

(ଗଳ୍ପ ସଂକଳନ)

୪.

ବିଦୂଷକ

(ଗଳ୍ପ ସଂକଳନ)

୫.

ମଙ୍ଗଳବାରିଆ ସାହିତ୍ୟସଂସଦ

(ଗଳ୍ପ ସଂକଳନ)

୬.

ହସକୁରା

(ଗଳ୍ପ ସଂକଳନ)

୭.

ବୃହତ୍‌ଭାଣ୍ଡ

(ଗଳ୍ପ ସଂକଳନ)

୮.

ଅମୃତ ବେହିଆ

(ଗଳ୍ପ ସଂକଳନ)

୯.

ଗମାତ

(ଗଳ୍ପ ସଂକଳନ ଯନ୍ତ୍ରସ୍ଥ)

୧୦.

ଆଦର୍ଶ ହିନ୍ଦୁ ହୋଟେଲ

(ଅନୁବାଦ ଉପନ୍ୟାସ)

୧୧.

ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ

(ଅନୁବାଦ ଗଳ୍ପ)

୧୨.

ଭୋଟ

(ରମ୍ୟ ରଚନା)

୧୩.

ନିଲଠାକବି

(କବିତା)

୧୪.

ଫମାଲୋଚନା

(ରମ୍ୟରଚନା)

Image